ନିଃସ୍ୱାର୍ଥପର ଦେଶସେବକ

ମଧୁସୂଦନ ହେଉଛନ୍ତି ଇଂରେଜମାନଙ୍କର ଶାସନାଧୀନ ଓଡ଼ିଶାର ପ୍ରଥମ ପବ୍ଲିକ୍‌ ମେନ୍‌। ତାଙ୍କର ମାନସପୁତ୍ର ଥିଲା ଉତ୍କଳ ସମ୍ମିଳନୀ। ଏହି ସମ୍ମିଳନୀ ମଣ୍ଡପରେ ଯୁଦ୍ଧଂଦେହି ଡାକରା ଦେଇ ସେ ଓଡ଼ିଶାର ନିସ୍ତରଙ୍ଗ ସାମାଜିକ ଜୀବନରେ ଜାତୀୟ ସ୍ୱାଭିମାନର ପୁନର୍ଜାଗରଣ ପାଇଁ ନେତୃତ୍ୱ ନେଇଥିଲେ। ମଧୁବାବୁଙ୍କର ନିରବଚ୍ଛିନ୍ନ ତପସ୍ୟା ଓ ସାଧନା ଦ୍ୱାରା ୧୯୩୬ ଏପ୍ରିଲ ପହିଲାରେ ଇଂରେଜ ସରକାର ଓଡ଼ିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପ୍ରଦାନ କଲେ ଏବଂ ଓଡ଼ିଶାବାସୀ ନିଜର ସ୍ବତନ୍ତ୍ର ପରିଚୟ ପ୍ରଦାନ ପାଇଁ ସୁଯୋଗ ପାଇଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଭାଷାଭିତ୍ତିରେ ଗଠିତ ରାଜ୍ୟଗୁଡ଼ିକ ମଧ୍ୟରୁ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ।
୧୯୦୩ ଡିସେମ୍ବର ୩୦-୩୧ରେ ଉତ୍କଳ ସମ୍ମିଳନୀର ଜନ୍ମଦିନଠାରୁ ୧୯୨୦ ପର୍ଯ୍ୟନ୍ତ ମଧୁବାବୁ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ ନେତା। ତାଙ୍କର ମହାନ୍‌ ଆଦର୍ଶ ଓ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ ଉତ୍କଳ ସମ୍ମିଳନୀ ମଞ୍ଚରେ ଓଡ଼ିଶାର ସ୍ବାର୍ଥରକ୍ଷା ପାଇଁ ଏକତ୍ର ହୋଇଥିଲେ ରାଜା, ମହାରାଜା, ସାମନ୍ତ, ଜମିଦାର, ସରକାରୀ କର୍ମଚାରୀ ଏବଂ ସାଧାରଣ ଜନତା। ୧୯୨୦ ମସିହାରେ ସିଂହଭୂମର ଚକ୍ରଧରପୁର ଉତ୍କଳ ସମ୍ମିଳନୀ ଅଧିବେଶନରେ ମଧୁବାବୁଙ୍କ ପ୍ରଭାବକୁ ପ୍ରତିହତକରି ଉତ୍କଳମଣି ଗୋପବନ୍ଧୁ ଉତ୍କଳ ସମ୍ମିଳନୀ ପ୍ରଭାବ ବିସ୍ତାର କରିଥିଲେ। ଏହାର ପରିଣାମ ହେଲା ନୈରାଶ୍ୟଜନକ। କ୍ରମଶଃ ରାଜା ମହାରାଜାଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ଆଉ ସମ୍ଭବ ହେଲାନାହିଁ। ନାନା ପ୍ରତିକୂଳ ପରିବେଶ ମଧ୍ୟରେ ମଧୁସୂଦନ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଗତି ପାଇଁ ନିଜକୁ କାୟମନୋବାକ୍ୟରେ ଉତ୍ସର୍ଗ କରିଥିଲେ ଏବଂ ଏ ଜାତି ପାଇଁ ସର୍ବସ୍ବ ଦାନ କରି ଦେବାଳିଆ ହୋଇଥିଲେ।
ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନର ସାଫଲ୍ୟ ଉପରେ ମତବ୍ୟକ୍ତ କରି ବଙ୍ଗଳାର ବିଖ୍ୟାତ ଖବରକାଗଜ ଅମୃତ ବଜାର ପତ୍ରିକା ମଧୁବାବୁଙ୍କ ନେତୃତ୍ୱ ସମ୍ପର୍କରେ ଯେଉଁ ମତବ୍ୟକ୍ତ କରିଥିଲେ, ତାହା ଥିଲା ଏପରି। କହିବା ବାହୁଲ୍ୟ ଏହି ସମ୍ମିଳନୀର ସମସ୍ତ ସାଫଲ୍ୟ ମଧୁବାବୁଙ୍କର ଶ୍ରେୟ ପାଇଁ ମଧୁବାବୁ ହିଁ ଦାୟୀ ବୋଲି ଅମୃତ ବଜାର ପତ୍ରିକା ମତବ୍ୟକ୍ତ କରିଥିଲା। ଏହାର ଉତ୍ତରରେ ମଧୁବାବୁ କହିଥିଲେ – ”ମୋ ଜାତି ପାଇଁ ମୁଁ ଯାହା କରୁଛି, ତାହା ମୋର କର୍ତ୍ତବ୍ୟ ଜାଣି କରୁଛି।“ ସେତେବେଳେ ମଧୁବାବୁଙ୍କର ଆନ୍ତରିକ ନିବେଦନ ଥିଲା- ଅନ୍ତତଃ ‘ଦୈନନ୍ଦିନ ଜୀବନରେ ୫ ମିନିଟ୍‌ ଓଡ଼ିଶାର ଉନ୍ନତି ପାଇଁ ଚିନ୍ତା କରନ୍ତୁ। ସେହିପରି ଭାରତ ଜନନୀର ସେବାରେ ୫ ମିନିଟ୍‌ ବିନିଯୋଗ କରନ୍ତୁ।“ ଏଠାରେ ଉଲ୍ଲେଖଯୋଗ୍ୟ , ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ମଧୁବାବୁ ନିଜର ମନ ପ୍ରାଣ ଢାଳି ଦେଇଥିବାରୁ ତାଙ୍କୁ କେହି କେହି ସର୍ବଭାରତୀୟ ନେତାର ମାନ୍ୟତା ଦେବାକୁ କୁଣ୍ଠାବୋଧ କରନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଓଡ଼ିଶା ପାଇଁ ଆଜୀବନ ନିଜକୁ ଉତ୍ସର୍ଗ କରିଥିଲେ ହେଁ ମହାଭାରତୀୟ ଭାବନାରୁ ସେ ଦୂରେଇଯାଇ ନ ଥିଲେ।
ମହାତ୍ମା ଗାନ୍ଧୀଙ୍କର ବହୁ ପୂର୍ବରୁ ସେ କୁଟୀର ଶିଳ୍ପ, ଗ୍ରାମ୍ୟ ଅର୍ଥନୀତି, ଲୁଣାମରା ଅଭିଯାନ ଏବଂ ସ୍ବଦେଶୀ ଶିଳ୍ପ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ମହାତ୍ମା ଗାନ୍ଧୀଙ୍କର ବହୁ ପୂର୍ବରୁ ସେ ସମ୍ମଳିନୀ ମଣ୍ଡପରେ ବସି ଅରଟରେ ସୂତା କାଟିଥିଲେ। ସ୍ଥଳବିଶେଷରେ ମହାତ୍ମା ଗାନ୍ଧୀ ମଧୁସୂଦନଙ୍କୁ ନିଜ ଗୁରୁ ବୋଲି ସ୍ବୀକାର କରିଛନ୍ତି। ମଧୁବାବୁଙ୍କର ଉତ୍କଳ ଟ୍ୟାନେରି ଦେଖି ମହାତ୍ମା ଗାନ୍ଧୀ ଅଭିଭୂତ ହୋଇଯାଇଥିଲେ। ମହାତ୍ମା ଗାନ୍ଧୀ ନିଜ ସମ୍ପାଦିତ ପତ୍ରପତ୍ରିକାରେ ଏକଥା ସ୍ବୀକାର କରି କହିଛନ୍ତି ଯେ, ଏ ଦିଗରେ ମଧୁବାବୁ ତାଙ୍କ ଆଖି ଫିଟାଇଦେଲେ। ସମାଜର ନିମ୍ନବର୍ଗର ଲୋକଙ୍କର ଜୀବିକା ଅର୍ଜନ ପାଇଁ ସେ ଏକ ମାର୍ଗ ଖୋଲିଥିଲେ ବୋଲି ମହାତ୍ମା ଗାନ୍ଧୀ ମତବ୍ୟକ୍ତ କରିଥିଲେ। ଏପରିକି ଚମଡ଼ା କଷେଇ ଶିଳ୍ପର ପ୍ରସାରଣ ପାଇଁ ସେ ମଧୁସୂଦନଙ୍କର ମାର୍ଗ ଦର୍ଶନ ପାଇଁ ଅନୁରୋଧ କରିଥିଲେ।
ଓଡ଼ିଶାରେ ଶିଳ୍ପ, ଶିକ୍ଷା, କ୍ରୀଡ଼ା ଓ ରଙ୍ଗମଞ୍ଚ ପ୍ରତିଷ୍ଠା କ୍ଷେତ୍ରରେ ସେ ଥିଲେ ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ। ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ତଥା ରାଜନୀତି କ୍ଷେତ୍ରରେ ତାଙ୍କର ଭୂମିକା ଥିଲା ପ୍ରଭାବଶାଳୀ। କୁସଂସ୍କାରାଚ୍ଛନ୍ନ ଦେଶରେ ନାରୀ ଶିକ୍ଷା ପାଇଁ ତାଙ୍କର ଉଦ୍ୟମ ଥିଲା ଅତ୍ୟନ୍ତ ପ୍ରଶଂସନୀୟ। ମଧୁବାବୁଙ୍କର ଅକାଟ୍ୟ ଯୁକ୍ତି ଓ ଦାବି ଆଗରେ ମୁଣ୍ଡ ନୁଅଁାଇ ଭାରତ ସରକାର ନାରୀମାନଙ୍କୁ ଆଇନଜୀବୀ ଭାବରେ କାର୍ଯ୍ୟ କରିବା ପାଇଁ ଅଧିକାର ପ୍ରଦାନ କରିଥିଲେ।
ବିବିଧ କାରଣରୁ ଓଡ଼ିଶାର ଇଂରେଜ ପ୍ରଶାସକମାନେ ଓଡ଼ିଶାବାସୀଙ୍କ ଦୁଃଖ ଦୁର୍ବିପାକ ପ୍ରତି ସମ୍ବେଦନଶୀଳ ନ ଥିଲେ। ମଧୁବାବୁ ପ୍ରଥମେ ବିଲାତ ଖବରକାଗଜରେ ଓଡ଼ିଆବାସୀଙ୍କର ଦୁଃଖ ଦୁର୍ଦ୍ଦଶାକୁ ବ୍ରିଟିଶ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଇଂରେଜ ସାମ୍ବାଦିକ ନାଭିନସନଙ୍କୁ ନିମନ୍ତ୍ରଣ କରିଆଣିଥିଲେ ଓଡ଼ିଶାକୁ। ଏହାପରେ ବ୍ରିଟିଶ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗହୋଇଥିଲା। ଆଜି ସାମ୍ୟବାଦୀ ରାଜନୈତିକ ଦଳଗୁଡ଼ିକ କୃଷକର ଜାଗୃତି ପାଇଁ ନେତୃତ୍ୱ ପ୍ରଦାନ କରୁଛନ୍ତି। କିନ୍ତୁ ଏଠାରେ କହିବାକୁ ଉଚିତ ମନେକରୁଛୁ ଯେ, ରୁଷିଆର ଅକ୍ଟୋବର ବିପ୍ଳବର ବହୁ ପୂର୍ବରୁ ମଧୁସୂଦନ ୧୯୦୯ରେ କୃଷକମାନଙ୍କର ଉନ୍ନତି ପାଇଁ ଗଠନ କରିଥିଲେ ପ୍ରଜା ପରିଷଦ। କେବଳ ସେତିକି ନୁହେଁ, ବଙ୍ଗଦେଶର ବିଧାନସଭାରେ ସଭ୍ୟ ଭାବରେ ଜମିଦାରମାନଙ୍କ ସ୍ବାର୍ଥରକ୍ଷା ପାଇଁ ଆଗତ କରାଯାଇଥିବା ପ୍ରଜାସ୍ବତ୍ୱ ବିଲ୍‌ ବିରୋଧରେ ମତବ୍ୟକ୍ତ କରିଥିଲେ। ମଧୁବାବୁଙ୍କର ଅକାଟ୍ୟ ଯୁକ୍ତିଦ୍ୱାରା ପ୍ରଭାବିତ ହୋଇ ବଡଲାଟ୍‌ ଲର୍ଡହାର୍ଡିଂଜ ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରି ନ ଥିଲେ।
ଆମ ମତରେ ଉତ୍କଳ ସମ୍ମିଳନୀ ଯେଉଁ ଉଦାତ୍ତ ଜାତୀୟ ଭାବ ପ୍ରକାଶ କରିଥିଲା ତାହା ମଧୁସୂଦନଙ୍କ ତିରୋଧାନ (୧୯୩୪) ସଙ୍ଗେ ସଙ୍ଗେ ହ୍ରାସ ପାଇବାକୁ ଲାଗିଲା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ହେଲା ଛତିଶ ଗଡ଼ଜାତ ଓ ମୟୂରଭଞ୍ଜ ମିଶିଲା। ସେପଟେ ଷଡ଼େଇକଳା ଓ ଖରସୁଅଁା ଆଦି ନିରୋଳା ଓଡ଼ିଆଭାଷୀ ଅଞ୍ଚଳ ଓଡ଼ିଶାରୁ ପୃଥକ୍‌ ହୋଇ ବିହାର ସହିତ ମିଶିଲା। ମଧୁବାବୁ ଓ ଉତ୍କଳ ସମ୍ମିଳନୀକୁ ବିରୋଧ କରୁଥିବା ନେତା ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏହାର ବିସ୍ତୃତ ତଥ୍ୟ ମଧୁପ୍ରେମୀ ସୁରେନ୍ଦ୍ର ମହାନ୍ତିଙ୍କର ଆତ୍ମଜୀବନୀ ‘ପଥ ଓ ପୃଥିବୀ’ରୁ ସୂଚନା ମିଳେ। ସତରେ, ଆଜି ମଧ୍ୟ ଏହାକୁ ପାଠକଲେ ଆମ ଆଖିରୁ ଏସବୁ ନେତାଙ୍କର ବିଶ୍ୱାସଘାତକତା ନେଇ ଦୁଇବୁନ୍ଦା ଲୁହ ଝରିପଡ଼େ। ମୃତ୍ୟୁର ୮୮ ବର୍ଷ ପରେ ମଧ୍ୟ ମଧୁବାବୁ ଆଜି ପ୍ରଚଣ୍ଡ ବିସ୍ମୟ ଭାବେ ପ୍ରତିଭାତ। ଏହି ଉପଲକ୍ଷେ ଏହି ଦିବ୍ୟଦ୍ରଷ୍ଟା ନେତା ଓ ସାଧକଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।

  • ଡ. ସିଦ୍ଧାର୍ଥ କାନୁନ୍‌ଗୋ
    ଚୈତନ୍ୟ ଧାମ, ଶବରସାହି
    ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri