ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ-୮ ଖଜୁରଟିକ୍ରାର ସୁରଜ ଦତ୍ତ ଓରଫ ଖୁଲୁ, ସାହିଲ ପ୍ରଧାନ ଏବଂ ବରଗଡ଼ ତଳିପଡା଼ର ଅଙ୍କିତ ମାଝୀ । ସେମାନଙ୍କ ପାଖରୁ ୨ଟି ବାଇକ୍( ନଂ- ଓଡି ୧୭-ଏଏଚ୍ ୨୫୭୭, ଓଡି ୧୭-ଏଇ ୨୫୦୨), ୨ଟି ଖଣ୍ଡା, ୨ଟି ଛୁରି ଏବଂ ୩ଟି ଲୁହାରଡ୍ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜିଲା କାରାଗାରକୁ ପଠାଇ ଦିଆଯାଇଛି। ଏ ନେଇ ଅତାବିରା ଥାନାରେ ଏକ ମାମଲା (ନଂ- ୪୭୧/୨୦୨୬) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ଏଏସ୍ଆଇ ସମାରୁ ନାଗ ଏବଂ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ନିର୍ଦ୍ଦେଶରେ ଅତର୍କିତ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ଘଟଣାସ୍ଥଳରୁ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବାବେଳେ ଅନ୍ୟ ୨ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଥିଲେ। ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଛି। ସେହିପରି ଗିରଫ ଅଭିଯୁକ୍ତ ସୁରଜ ଏବଂ ସାହିଲଙ୍କ ବିରୋଧରେ ଅନେକ ଆପରାଧିକ ପୃଷ୍ଠଭୂମି ରହିଥିବାବେଳେ ଅଭିଯୁକ୍ତମାନେ ୫୩ନମ୍ବର ଜାତୀୟ ରାଜପଥ ଉପରେ ଡକାୟତି ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି।

