ନିଜକୁ ଅଜଣା ରଖୁଥିବା ଲୋକ

ନିଜକୁ ଜଣାଇବା ପାଇଁ ଏଠାରେ ଯେମିତି ଅସମ୍ଭବ ଭିଡ଼, ଜଣେ ଅନ୍ୟ ଜଣଙ୍କୁ ପଛରେ ପକାଇ ଆଗକୁ ମାଡ଼ିଯିବା ପାଇଁ ଯେଉଁ ପାଗଳ ପ୍ରତିଯୋଗିତା; ସେ ସମସ୍ତଙ୍କ ଅଲକ୍ଷ୍ୟରେ ନିଜକୁ ଅଜଣା ରଖୁଥିବା ଲୋକ ଥିବେ ବୋଲି ସହଜରେ ବିଶ୍ୱାସ କରିହୁଏନା। ଶଠତା, ପ୍ରବଞ୍ଚନା ଆଦି ଯାବତୀୟ ଅନାଚାରରେ ନିରନ୍ତର ଘାଣ୍ଟି ହେଉଥିବା ସମାଜ ଅଧୁନା ଯେଉଁ ନୂଆ ବ୍ୟାଧିରେ ସଂକ୍ରମିତ, ତାହା ହେଲା ଆତ୍ମପ୍ରଚାର। ସଭିଏ ନିଜ ନିଜକୁ ବିଦିତ କରିବାକୁ ତତ୍ପର। ନିଜ ଆଦର୍ଶ ଓ ଆଚରଣ ମଧ୍ୟରେ ଯେତେ ଫରକ ଥାଉ ପଛେ, ନିଜ ଦର୍ପଣରେ ଆପଣା ମୁହଁ ଯେତେ ଅସୁନ୍ଦର ଦିଶୁ ବରଂ, ଗଣଦର୍ପଣରେ ନିଜର ଏ ସୁନ୍ଦର ପ୍ରତିଫଳନ ପାଇଁ ସମସ୍ତେ ବ୍ୟଗ୍ର। ଏହି ପ୍ରଚାର ସର୍ବସ୍ବ ସମାଜରେ ଏମିତି କଁାଭାଁ କେଇଜଣ ଆତଯାତ ହୁଅନ୍ତି, ଯେଉଁମାନେ ଅତ୍ୟନ୍ତ ଅପ୍ରଚାରିତ ଭାବେ ଏମିତି କିଛି କରନ୍ତି, ଯାହା ଅନନ୍ୟ।
ବୟସ ତାଙ୍କର ଅଶୀ ଛୁଇଁବାକୁ ଯାଉଛି। ନିପଟ ମଫସଲର ବାସିନ୍ଦା ସେ। ଶିକ୍ଷା ବୋଇଲେ ଶ୍ରୀଅକ୍ଷର ବିବର୍ଜିତ। ମଧୁ ଅଜା ନାମରେ ବିଦିତ ଏହି ବୃଦ୍ଧଙ୍କ ପାଇଁ ବୃକ୍ଷରୋପଣ ଏକ ଜୀବନକାଳର ସାଧନା। ସକାଳୁ ଉଠି ହାତରେ କୋଦାଳଟିଏ ଧରି ୟା’ ବାଡ଼ି, ତା’ ବଗିଚାରେ ପଶି ବିଭିନ୍ନ କିସମର ଚାରାଗଛ ସଂଗ୍ରହ କରି ନିଜ ଗଁାକୁ ସଂଯୋଗ କରୁଥିବା ସଡ଼କ ଧାରରେ ନେଇ ରୋପଣ କରନ୍ତି। କେବଳ ଗଛ ଲଗାଇବାରେ ତାଙ୍କ କାର୍ଯ୍ୟ ସରିଯାଏ ନାହିଁ। ଗାଈଗୋରୁଙ୍କଠୁ ଗଛଟିକୁ ରକ୍ଷା କରିବାକୁ ସେ ତା’ ଚାରିପଟେ ବାଡ଼ ଦିଅନ୍ତି ଓ ଗଛଟି ଚେର ଭିଡ଼ିବା ଯାଏ ତା’ ମୂଳରେ ପାଣି ଦେଇଚାଲନ୍ତି। ସାମାଜିକ ବନୀକରଣ ସଂସ୍ଥା ଦ୍ୱାରା ପରିଚାଳିତ ନର୍ସରୀରୁ ଚାରା ଆଣି ମଧୁ ଅଜା ଏମିତି କେତେ ଗଛ ଠିଆ କରାଇ ସାରିଲେଣି, ତାହାର ହିସାବ ସେ ନିଜେ ମଧ୍ୟ ରଖିନାହାନ୍ତି। ପରିଣତ ବୟସର କ୍ଳାନ୍ତି ନାହିଁ, ନିଜ କାର୍ଯ୍ୟ ପାଇଁ ସାବାସିର ଅପେକ୍ଷା ନାହିଁ! ବାସ୍‌, କେବଳ ଏକ ସାଧନା, ଯେଉଁ ସାଧନାର ମହନୀୟ ସିଦ୍ଧି ସମ୍ପର୍କରେ ସେ ନିଜେ ମଧ୍ୟ ସଚେତନ ନୁହନ୍ତି!
ବଡ଼ ବିଚିତ୍ର ଏହି ମହାନ୍‌ ବୃଦ୍ଧଙ୍କର ଜୀବନ ତପସ୍ୟା। ଏକ ବୃକ୍ଷବିହୀନ ପୃଥିବୀର ସମ୍ଭାବ୍ୟ ବିଭୀଷିକା ସମ୍ପର୍କରେ ସେ ଜାଣିଥିବେ ବୋଲି ବିଶ୍ୱାସ ହୁଏନା। ଏ ସମ୍ପର୍କରେ ପ୍ରଚୁର ବିଜ୍ଞତା ହାସଲ କରିଥିବା ଆମ ଭଳି ସଭ୍ୟ, ଶିକ୍ଷିତ, ଆଧୁନିକ ନାଗରିକମାନେ ସହରର ଡ୍ରଇଂରୁମ୍‌ରେ ବସି ସମ୍ବାଦପତ୍ର ପଢ଼ୁଥିଲା ବେଳେ ଏକ ଭୟଙ୍କର ଭବିଷ୍ୟତକୁ ଆଖି ଆଗରେ ଦେଖି ଭୟରେ ଶିହରି ଉଠୁ। ସ୍କୁଲ କଲେଜଗୁଡ଼ିକରେ ବୃକ୍ଷରୋପଣର ବର୍ଣ୍ଣାଢ଼୍ୟ ସମାରୋହରେ ବକ୍ତୃତା ଦେଇ ଶ୍ରୋତୃମଣ୍ଡଳୀଙ୍କ ଚେତନାରେ ଚମକ ସୃଷ୍ଟି କରୁ। ଭାଷଣ ପର୍ବ ପରେ ନିଜ ଶ୍ରୀହସ୍ତରେ ଚାରାଟିଏ ରୋପଣ କଲାବେଳେ କ୍ୟାମେରା ଆଡ଼କୁ ଚାହିଁ ମୁହଁରେ ମୃଦୁ ହସ ଖେଳାଉ । ପ୍ରତିବର୍ଷ ଏହି ବୃକ୍ଷରୋପଣ ଋତୁରେ ରୋପଣ ହେଉଥିବା ହଜାର ହଜାର ଚାରା ମଧ୍ୟରୁ ସପ୍ତାହେ ବା ଦୁଇ ସପ୍ତାହ ପରେ କେତୋଟି ବଞ୍ଚତ୍ଥାଏ; ତାହାର ହିସାବ ରଖିବାକୁ ଆମ ପାଖରେ ସମୟ ନ ଥାଏ କି ସ୍ପୃହା ବି ନ ଥାଏ। ଅଥଚ ବଡ଼ ବୋଲାଉଥିବା ଆମ ଭଳି ସମ୍ଭ୍ରାନ୍ତମାନଙ୍କ ପ୍ରଚାରସର୍ବସ୍ବ ପରିଚୟ ଫିକା ପଡ଼ିଯାଏ ଏହି ଅଶିକ୍ଷିତ ଓ ପ୍ରଚାରବିମୁଖ ଗାଉଁଲି ବୃଦ୍ଧଙ୍କର ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ଆଗରେ!
ମଧ୍ୟପ୍ରଦେଶର ଏକ ଦୂରବର୍ତ୍ତୀ ଗଁାର ଝିଅ ଗାୟତ୍ରୀ। ଝିଅମାନଙ୍କ ପାଠପଢ଼ାକୁ ବରଦାସ୍ତ କରାଯାଉ ନ ଥିବା ଏକ ଗଁାରେ ଜନ୍ମ ହୋଇ ବି ଗାୟତ୍ରୀ ବହୁ ପ୍ରତିକୂଳ ପରିସ୍ଥିତିରେ ମାଟ୍ରିକ୍‌ ପାସ୍‌ କରି ଯାଇଥିଲେ। ସେ ଶିକ୍ଷିକା ହେବାର ଯୋଗ୍ୟତା ବି ଅର୍ଜନ କରିଥିଲେ। ତାଙ୍କ ଯୋଗ୍ୟତା ପାଇଁ ଯେତେବେଳେ ତାଙ୍କୁ ଶିକ୍ଷକତା କରିବାକୁ ସରକାରୀ ନିଯୁକ୍ତି ମିଳିଲା, ପରିବାର ସହିତ ସମଗ୍ର ଗଁାକୁ ଚମକାଇ ଦେଇ ସେ ଗଁା ଛାଡ଼ି ବାହାରକୁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଲେ। ତାଙ୍କ ଆଖି ପଡ଼ିଲା ନିଜ ଗଁା ଝିଅମାନଙ୍କ ଉପରେ; ଯେଉଁମାନଙ୍କ ପାଇଁ ଥିଲା ବିଦ୍ୟାଳୟର ମାଟି ନ ମାଡ଼ିବା ପାଇଁ ଏକ ଅଲିଖିତ ବାରଣନାମା। ସେମାନଙ୍କୁ ନିଜ ଉଦ୍ୟମରେ ସାକ୍ଷର କରିବାକୁ ସେ ଶପଥ ନେଲେ। ଗଁାର ରୁଢ଼ିବାଦୀ ମୁରବିମାନଙ୍କ ନିର୍ଦ୍ଦେଶ ବିରୋଧରେ ଯାଇ ସେ ସେମାନଙ୍କୁ ପାଠ ପଢ଼ାଇଲେ। ନିଜର ସେଇ ଛୋଟ ମୁଲକଟି ବାହାରେ ସେଯାଏଁ ଅଜଣା ହୋଇ ରହିଥିବା ସେଇ ତରୁଣୀଟିଏକୁ ଦିନେ ଜଗତ ଜାଣିଲା। ଚିହ୍ନିଲା ତାଙ୍କ ଅସୀମ ତ୍ୟାଗକୁ, ନିଜ ମାଟି ପାଇଁ ଥିବା ଅପ୍ରମିତ ମମତ୍ୱବୋଧକୁ।
କଥା ହେଲା ଦିନେ ଅମିତାଭ ବଚ୍ଚନଙ୍କ ‘କୌନ ବନେଗା କରୋଡ଼ପତି’ର ସେଇ ହଟ୍‌ ସିଟ୍‌ରେ ବସିବାର ସୁଯୋଗ ପାଇଲେ ଗାୟତ୍ରୀ। ବାର ଲକ୍ଷ ପଚାଶ ହଜାର ଟଙ୍କାର ଧନ ରାଶି ଅର୍ଜନ କଲା ପରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା- ”ଏତେ ବିପୁଳ ଅର୍ଥ ପାଇ ତୁମେ କ’ଣ କରିବ“, ସେତେବେଳେ ସେ ତାହାର ଉତ୍ତରରେ ତାଙ୍କ ମିଶନର ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ, ତହିଁରୁ ଜଣାପଡ଼ିଲା, ଜାତୀୟ ସାକ୍ଷରତା ମିଶନର ବଡ଼ ବଡ଼ ସ୍ଲୋଗାନ ପ୍ରତିଧ୍ୱନିତ ହେଉଥିବା ଆମ ଦେଶରେ ତଥାପି ବଞ୍ଚତ୍ ରହିଥିବା ନିରକ୍ଷରତାର ଦୂରୀକରଣ ପାଇଁ ସତେ ଯେମିତି ସ୍ବୟଂ ସରସ୍ବତୀ ସେଠାରେ ବିଜେ ହୋଇଛନ୍ତି! ଯୁଗ ଯୁଗର ବାରଣର ବଳୟ ଡେଇଁ ତାଙ୍କ ଗଁାର ନିରକ୍ଷରା କନ୍ୟାମାନଙ୍କୁ ସେ ଯେମିତି ସାକ୍ଷର କରିବାକୁ ଅଣ୍ଟା ଭିଡ଼ିଛନ୍ତି, ତାହା କୋଟି କୋଟି ଟଙ୍କାର ସରକାରୀ ଯୋଜନାଠାରୁ କାହିଁ କେତେ ଉଚ୍ଚରେ। ପ୍ରକୃତରେ ଗାୟତ୍ରୀଙ୍କ ଏହି ପ୍ରାଣମୟ ପ୍ରଚେଷ୍ଟାର ପଟାନ୍ତର ନାହିଁ।
ନିଜକୁ ଅଜଣା ରଖି ଅପରର ସେବା ପାଇଁ ସମର୍ପିତ ରହୁଥିବା ପରାର୍ଥ ପ୍ରାଣମାନେ ଏ ଜଗତରେ କଁା ଭଁା ଆତଯାତ ହୁଅନ୍ତି। ଦୂବଟିଏ ଲଗାଇ ଟିଭି ପରଦାରେ, ଦାରୁ ଲଗାଇଥିବାରୁ ବଡ଼ିମା ବଖାଣୁଥିବା ଲୋକଙ୍କ ଦୁନିଆରେ ଏମାନେ ଜଣେ ଜଣେ ନୀରବ ସାଧକ। ଏମାନେ ନିଜକୁ ପ୍ରଚାରିତ କରିବାଠୁଁ ଏମିତି ଦୂରେଇ ରହିଥା’ନ୍ତି ଯେ ବାମହାତର କାମ ଡାହାଣ ହାତ ବି ଜାଣିପାରେନା। ଏ ସମ୍ପର୍କରେ ଏକ ମାର୍ମିକ କାହାଣୀ।
ରାସ୍ତାକଡ଼ର ବିଜୁଳି ଖୁଣ୍ଟରେ ଲଟକା ଯାଇଥିବା କାଗଜଟିରେ ଲେଖାଯାଇଥିଲା- ”ରାସ୍ତାରେ ଯାଉ ଯାଉ ଏଇଠି କେଉଁଠି ଶହେଟଙ୍କାର ନୋଟ୍‌ଟି ହଜାଇ ଦେଇଛି। ମୁଁ ଜଣେ ଅଭାବି ଲୋକ। ଯଦି କେହି ସହୃଦୟ ବ୍ୟକ୍ତି ପାଆନ୍ତି, କୃପା କରି ଏଇ ଗଳିର ଶେଷମୁଣ୍ଡରେ ଥିବା ମୋ ଘରେ ପହଞ୍ଚାଇ ଦେଲେ କୃତଜ୍ଞ ରହିବି।“ ରାସ୍ତାରେ ଯାଉଥିବା ଜଣେ ଦରଦୀ ପଥଚାରୀଙ୍କ ଦୃଷ୍ଟିରେ ନିବେଦନ ପତ୍ରଟି ପଡ଼ିଲା। ଏକ ବ୍ୟସ୍ତ ଚଲାପଥରେ ନୋଟ୍‌ଟି ତାଙ୍କୁ କାହୁଁ ବା ମିଳନ୍ତା! ତେବେ ସେ କ’ଣ ଭାବିଲେ କେଜାଣି ଉଲ୍ଲିଖିତ ସେଇ ଘରଟି ପାଖରେ ପହଞ୍ଚତ୍ ଦୁଆରରେ କରାଘାତ କଲେ। କବାଟ ଖୋଲିଲେ ଜଣେ ସତୁରି ସରିକି ବୃଦ୍ଧା। ଆଗନ୍ତୁକଙ୍କ ହାତରେ ଶହେଟଙ୍କିଆ ନୋଟ୍‌ଟିଏ ଦେଖି ସେ ଉଚ୍ଚ ସ୍ବରରେ କାନ୍ଦିବାକୁ ଲାଗିଲେ। କହିଲେ- ”ମୋର କିଛି ବି ଟଙ୍କା ହଜିନାହିଁ ପୁଅ! ବୋଧହୁଏ ମୋ ଅସହାୟ ଅବସ୍ଥା ଦେଖି କେହି ଜଣେ ସେଇ ବିଜୁଳି ଖୁଣ୍ଟରେ କ’ଣ ଲେଖି କାଗଜଟିଏ ଲଟକାଇ ଦେଇଛି ଯେ ଆଜି ସକାଳୁ ଏ ଯାଏ ବାରଜଣ ଲୋକ ଆସି ମୋ ହଜି ନ ଥିବା ଟଙ୍କା ଫେରାଇ ଚାଲିଛନ୍ତି। ମୁଁ ଯେତେ ମନାକଲେ ବି ସେମାନେ ମାନୁନାହାନ୍ତି। ଆଉ ନୁହେଁ ବାବୁ! ଏତେ ଲୋକଙ୍କ କୃପାର ବୋଝ ମୁଁ ଆଉ ସମ୍ଭାଳି ପାରୁନାହିଁ। ଦୟାକରି ଏଠାରୁ ଯାଇ ସେହି କାଗଜଟିକୁ ବିଜୁଳି ଖୁଣ୍ଟରୁ କାଢ଼ି ଫିଙ୍ଗିଦେବ। କେତେଲୋକଙ୍କୁ ମୁଁ ଆଉ କୈଫିୟତ ଦେଇ ଚାଲୁଥିବି!
ଯୁବକ ଜଣକ ଫେରି ଆସିଲେ। ଖୁଣ୍ଟରେ ଲଟକା ହୋଇଥିବା ସେଇ କାଗଜଖଣ୍ଡର ଅଜଣା କର୍ତ୍ତାଙ୍କ ପ୍ରତି କୃତଜ୍ଞତାରେ ତାଙ୍କ ମୁଣ୍ଡ ନଇଁ ଆସିଲା। ଅସହାୟା ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ଏମିତି ପ୍ରଚେଷ୍ଟା କରିଥିବା ସେଇ ଅଜଣା ବ୍ୟକ୍ତି ହୁଅନ୍ତୁ ବା ଫଳ ଖାଇବାର ଆଶା ନ ରଖି ଗଛ ଲଗାଇ ଚାଲିଥିବା ମଧୁଅଜା ଅବା ପୁଣି ନିଜ ଗଁାର ଝିଅମାନଙ୍କୁ ସାକ୍ଷର କରିବାକୁ ଶିକ୍ଷୟିତ୍ରୀ ଚାକିରି ଛାଡ଼ିଥିବା ମଧ୍ୟପ୍ରଦେଶର ଗାୟତ୍ରୀ, ସବୁରି ଅଲକ୍ଷ୍ୟରେ ଏମିତି କେଇଜଣ ଅଛନ୍ତି ବୋଲି ତ ବହୁ ବିଘଟନ ସତ୍ତ୍ୱେ ବଞ୍ଚତ୍ବାର ପ୍ରେରଣା ମିଳୁଛି, ଏ ସଂସାର ଲାଗୁଛି ତଥାପି ଅପରିବର୍ଜନୀୟ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ:୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri