ସୁଶାସନର ଏକ ନମୁନା

ଡ. ସନ୍ତୋଷ କୁମାର ମହାପାତ୍ର

 

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ୨୦୨୩ ବର୍ଷ ପାଇଁ ‘ଗଭର୍ନର ଅଫ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଦ୍ୱାରା ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନରଙ୍କୁ ପ୍ରଦାନ କରାଯାଇଛି। ଜଣେ ଓଡ଼ିଆ ହିସାବରେ ଆମେ ଗର୍ବ କରିଛୁ। ରିଜର୍ଭ ବ୍ୟାଙ୍କର ଗଭର୍ନର ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସମୟରେ ବ୍ୟାଙ୍କର ମୋଟ ଅଚଳ ସମ୍ପତ୍ତି ବା ଖରାପ ଋଣ ଏବଂ ନିଟ୍‌ ଅଚଳ ସମ୍ପତ୍ତି ଯାହା ମାର୍ଚ୍ଚ ୨୦୧୮ରେ ଯଥାକ୍ରମେ ୧୧.୫% ଓ ୬.୧% ଥିଲା, ତାହା ୨୦୨୩ ମାର୍ଚ୍ଚ ସୁଦ୍ଧା ଯଥାକ୍ରମେ ୩.୯% ଓ ୧%କୁ ହ୍ରାସ ପାଇଛି। ଏହା ସ୍ବାଗତଯୋଗ୍ୟ। କିନ୍ତୁ ଯଦି କିପରି ହ୍ରାସ ପାଇଲା ଓ କିଏ ଲାଭବାନ୍‌ ହେଲେ ଏବଂ କିଏ କ୍ଷତିଗ୍ରସ୍ତ ହେଲେ ବିଚାର କରାଯାଏ, ତେବେ ମନରେ ନିଶ୍ଚୟ ଆନ୍ଦୋଳନ ସୃଷ୍ଟି ହେବ। ଋଣ ନେଇ ନ ଶୁଝିବା ଧନୀ ଓ କର୍ପୋରେଟ, ବ୍ୟବସାୟୀ ଲାଭବାନ୍‌ ହେଲାବେଳେ ଜମାକାରୀ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଗରିବ, ଚାଷୀ, ଶ୍ରମିକ, ଜମାକାରୀଙ୍କ ସ୍ବାର୍ଥକୁ ଉପେକ୍ଷା କରାଯାଇଛି। ପୁନଶ୍ଚ କରୋନା ପ୍ୟାକେଜ୍‌ ଦ୍ୱାରା ବିଶେଷକରି ସୁଧହାର ହ୍ରାସ ଦ୍ୱାରା ବେଶି ଶିଳ୍ପପତି ଓ ପୁଞ୍ଜିପତି ଲାଭବାନ୍‌ ହୋଇଥିଲେ।
ଅଚଳ ସମ୍ପତ୍ତି ପରିମାଣ ହ୍ରାସ ପାଇବାର କାରଣ ନୁହେଁ ଋଣ ଆଦାୟ ହେବା ବରଂ ରିଜର୍ଭ ବ୍ୟାଙ୍କ ବହୁ ପରିମାଣରେ ‘ଋଣ’ ‘ରାଇଟ ଅଫ୍‌’ କରିବା। ଚିନ୍ତାର ବିଷୟ ହେଉଛି ଇଚ୍ଛାକୃତ ଡିଫଲ୍ଟର ବା ଋଣ ଖିଲାପକାରୀଙ୍କ ‘ଋଣ’ ‘ରାଇଟ ଅଫ୍‌’ କରିବା। ଜଣେ ଠକ, ଯିଏ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଦଲିଲ/ ସୂଚନା ସହିତ ବ୍ୟାଙ୍କକୁ ଠକିଥାଏ ଏବଂ ଟଙ୍କାକୁ ଅପବ୍ୟବହାର କରିଥାଏ। କିନ୍ତୁ ଏକ ଡିଫଲ୍ଟର୍‌ ଏବଂ ଇଚ୍ଛାକୃତ ଡିଫଲ୍ଟର୍‌ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଋଣ ପରିଶୋଧ କରିବାରେ ଅସାମର୍ଥ୍ୟତା ହେତୁ ଜଣେ ଡିଫଲ୍ଟର ହୋଇପାରେ। କିନ୍ତୁ ଏକ ଇଚ୍ଛାକୃତ ଡିଫଲ୍ଟର ହେଉଛି, ଯିଏକି ଏପରି କରିବାର କ୍ଷମତା ସତ୍ତ୍ୱେ ବ୍ୟାଙ୍କ ପ୍ରତି ଥିବା ଦାୟିତ୍ୱକୁ ସମ୍ମାନ ନ କରିବାକୁ ବାଛିଛନ୍ତି। ସେମାନେ ଯେଉଁଥିପାଇଁ ଋଣ କରିଥା’ନ୍ତି, ସେହି କାର୍ଯ୍ୟରେ ବିନିଯୋଗ ନ କରି ଅନ୍ୟ କାର୍ଯ୍ୟରେ ଲଗାନ୍ତି ବା ଅନ୍ୟ ନାମରେ ନିବେଶ କରନ୍ତି, ଯେପରି ବ୍ୟାଙ୍କ ଚାହିଁଲେ ବି ଉଦ୍ଧାର କରିପାରିବ ନାହିଁ। କିଛି ବିଦେଶରେ ତାଙ୍କ ଆକାଉଣ୍ଟକୁ ଋଣ ଅର୍ଥକୁ ହସ୍ତାନ୍ତର କରି ସେଠାରେ ଯାଇ ଅୟସ କରୁଛନ୍ତି। ବିନା ବାଧାବିଘ୍ନରେ ଏ ପ୍ରକାର ଠକିବା ପାଇଁ ସେମାନେ କ୍ଷମତାଶାଳୀ ଓ ପ୍ରଶାସକଙ୍କ ହାତ ଚିକ୍କଣ କରିଥା’ନ୍ତି ଓ ରାଜନୈତିକ ଦଳକୁ ମଧ୍ୟ ଚାନ୍ଦା ଦେଇଥା’ନ୍ତି।
ଏକ ଋଣକୁ ଅଚଳ ସମ୍ପତ୍ତି ବା ଖରାପ ଋଣ କୁହାଯାଏ, ଯଦି ଏହା ଉପରେ ୯୦ ଦିନ ମଧ୍ୟରେ କୌଣସି ଋଣ କିସ୍ତି ବା ସୁଧ ଦିଆଯାଏ ନାହିଁ। କିନ୍ତୁ ଯଦି ଋଣରାଶି ଋଣଗ୍ରହୀତା ନ ଶୁଝେ ତଥାପି ବ୍ୟାଙ୍କଗୁଡ଼ିକ ସମ୍ଭାବ୍ୟ ସୁଧ ଆୟ ଉପରେ ଟିକସ ଦେଇଥା’ନ୍ତି। ଯେତେବେଳେ ବ୍ୟାଙ୍କ ଋଣ ଅଚଳ ସମ୍ପତ୍ତି ଭାବେ ୪୮ ମାସରୁ ଅଧିକ ହୋଇଯାଏ, ସେତେବେଳେ ବ୍ୟାଙ୍କଗୁଡ଼ିକୁ ଶତ ପ୍ରତିଶତ ପ୍ରୋଭିଜିୟୋନିଂ କରିବାକୁ ପଡ଼େ, ଯାହା ନିଟ୍‌ ଲାଭ ହ୍ରାସ କରିଥାଏ। ଏଣୁ ଯେତେବେଳେ ଋଣ ରାଶି ମିଳିବାର ସମ୍ଭାବନା ନ ଥାଏ, କିନ୍ତୁ ଟିକସ ଓ ପ୍ରୋଭିଜିୟୋନିଂ ବାବଦରେ ବ୍ୟୟ କରିବାକୁ ପଡ଼ିଥାଏ, ସେତେବେଳେ ଋଣ ‘ରାଇଟ ଅଫ୍‌’ ଆବଶ୍ୟକ ପଡ଼େ। ଏଣୁ ଋଣ ଓ ସୁଧ ୪୮ ମାସରୁ ଅଧିକ ସମୟ ଧରି ଆଦାୟ ନ ହେଲେ ବ୍ୟାଙ୍କଗୁଡ଼ିକ ଋଣ ‘ରାଇଟ ଅଫ୍‌’ କରନ୍ତି। କିନ୍ତୁ ଏହି ଋଣ ‘ରାଇଟ ଅଫ୍‌’ ପରିମାଣ ପ୍ରତିବର୍ଷ ବୃଦ୍ଧି ପାଉଛି, ଯାହା ବ୍ୟାଙ୍କ ଲୁଟିବାର ଏକ ମାଧ୍ୟମ ହୋଇଛି। ପୁନଶ୍ଚ ୫ ବର୍ଷ ପରେ ବ୍ୟାଙ୍କଗୁଡ଼ିକ ଋଣ ଆଦାୟ ପାଇଁ କୌଣସି ଆଇନର ଆଶ୍ରୟ ନେଇପାରିବେ ନାହିଁ । ୟୁପିଏର ୧୦ ବର୍ଷର ଶାସନ (୨୦୦୪-୧୪) ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଦ୍ୱାରା ପ୍ରାୟ ୨,୨୦,୩୨୮ କୋଟି ଟଙ୍କା ଋଣ ରାଇଟ ଅଫ୍‌ କରାଯାଇଥିଲା ବେଳେ ୨୦୧୪-୧୫ ରୁ ୨୦୨୨-୨୩ ଗତ ନଅ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡିକ ୧୪.୫୬ ଲକ୍ଷ କୋଟି ଟଙ୍କାର ଖରାପ ଋଣ ‘ରାଇଟ ଅଫ୍‌’ କରାଯାଇଛି। ଗତ ୫ବର୍ଷରେ ଏହା ୧୦.୫୭ ଲକ୍ଷ କୋଟି ଟଙ୍କା ହୋଇଥିଲାବେଳେ କେବଳ ୨୦୨୨-୨୩ରେ ଏହି ପରିମାଣ ୨.୦୯ ଲକ୍ଷ କୋଟି ଟଙ୍କା। ୧୪.୫୬ ଲକ୍ଷ କୋଟି ଟଙ୍କାରୁ ବୃହତ୍‌ ଶିଳ୍ପ ଏବଂ ସେବାଗୁଡ଼ିକୁ ଋଣ ‘ରାଇଟ ଅଫ୍‌’ କରିବାର ପରିମାଣ ୭.୪୦ ଲକ୍ଷ କୋଟି ଟଙ୍କା। ପ୍ରାୟ ଋଣ ରାଇଟ ଅଫ୍‌ ପରିମାଣରୁ ୧୫% ରୁ ୧୮% ଫେରୁଛି, ଅବଶିଷ୍ଟ ଫେରୁନାହିଁ। ଏହାର ଅର୍ଥ ଗତ ୯ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କା କାହା ପକେଟକୁ ଯାଇଛି।
ଉଲ୍ଲେଖଯୋଗ୍ୟ, ଦେବାଳିଆ ସଂହିତା ଆଇନ ଏବଂ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ମାଧ୍ୟମରେ ବଡ଼ ବଡ଼ ପରିମାଣର ଋଣକୁ ବହୁତ କମ୍‌ ମୂଲ୍ୟରେ ପରିଶୋଧ କମ୍ପାନୀମାନେ କରିଛନ୍ତି। କିନ୍ତୁ ବ୍ୟାଙ୍କଗୁଡ଼ିକ ତାଙ୍କ ପ୍ରାପ୍ୟର ହାରାହାରି ୬୯% ପାଉନାହାନ୍ତି । ୨୦୨୨ ଜୁନ ୩୦ ସୁଦ୍ଧା ୫୧୭ଟି ଋଣକାରୀଙ୍କଠାରୁ ବ୍ୟାଙ୍କଗୁଡ଼ିକ ୭.୬୭ ଲକ୍ଷ କୋଟି ଟଙ୍କା ପାଇବା କଥା, କିନ୍ତୁ ମାତ୍ର ୨.୩୫ ଲକ୍ଷ କୋଟି ଟଙ୍କା ପାଇଛନ୍ତି। ସେହିଭଳି ବ୍ୟାଙ୍କ ଠକେଇ, ଜାଲିଆତି ସଂଖ୍ୟା ୨୦୧୩-୧୪ରେ ୪୩୦୬ ଥିଲା। ତାହା ୨୦୨୨-୨୩ରେ ୧୩୦୦୦କୁ ବୃଦ୍ଧି ପାଇଛି। ୨୦୦୪-୦୫ ରୁ ୨୦୧୩-୧୪ରେ ବ୍ୟାଙ୍କ ଠକେଇ, ଜାଲିଆତି ଜନିତ ଅର୍ଥ ୩୪,୯୯୩ କୋଟି ଟଙ୍କା ହୋଇଥିଲାବେଳେ ୨୦୧୪-୧୫ ରୁ ୨୦୨୨-୨୩ ମଧ୍ୟରେ ୫. ୮୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଗତ କିଛି ବର୍ଷ ଧରି ଆର୍‌ବିଆଇ ଜାଣିଶୁଣି ବ୍ୟାଙ୍କଗୁଡିକର ଚାପଗ୍ରସ୍ତ ସମ୍ପତ୍ତି ବିଷୟରେ ଆକଳନ ପ୍ରକାଶ କରୁନାହିଁ, କାରଣ ଏହାଦ୍ବାରା ଏହାର ତଥା ସରକାରଙ୍କ ବିଫଳତା ଜଣାପଡ଼ିବ। ଚାପଗ୍ରସ୍ତ ସମ୍ପତ୍ତି କହିଲେ ଋଣ ରାଇଟ ଅଫ୍‌, ପୁନର୍ଗଠିତ ଋଣ ଓ ଅଚଳ ସମ୍ପତ୍ତି/ ଖରାପ ଋଣର ସମ୍ମିଶ୍ରଣକୁ ବୁଝାଇଥାଏ। ପୁନଶ୍ଚ ବର୍ତ୍ତମାନ ବିନା ବନ୍ଧକରେ ଦିଆଯାଇଥିବା ଋଣ ଓ ଏଭରଗ୍ରିନିଂ ଅଫ୍‌ ଲୋନ ଏକ ବଡ଼ ସମସ୍ୟା ହୋଇଛି। ଏଭରଗ୍ରିନିଂ ଅଫ୍‌ ଲୋନ କହିଲେ ପୁନର୍ଗଠିତ ଋଣକୁ ବୁଝାଏ। ଜଣେ ପ୍ରଶ୍ନ କରିପାରେ ବ୍ୟାଙ୍କଗୁଡ଼ିକ ଏତେ ମାତ୍ରାରେ ‘ଋଣ ରାଇଟ ଅଫ୍‌’ କରି ମଧ୍ୟ କିପରି ଲାଭ କରୁଛନ୍ତି। ବ୍ୟାଙ୍କଗୁଡ଼ିକ ବାସ୍ତବ ଜମା ସୁଧହାର (ସାଙ୍କେତିକ ସୁଧହାର- ମୁଦ୍ରାସ୍ଫୀତି) କମ୍‌ ବା ବିଯୁକ୍ତାତ୍ମକ ରଖୁଛନ୍ତି। ଯେଉଁ ହାରରେ ରେପୋ ରେଟ୍‌ ଏବଂ ଋଣ ସୁଧ ହାର ବୃଦ୍ଧି ପାଉଛି, ସେହି ଅନୁସାରେ ଜମା ସୁଧହାର ବୃଦ୍ଧି ପାଉନି। ଜମାକାରୀଙ୍କ ପକେଟ କାଟି ଋଣ ଖିଲାପକାରୀଙ୍କ ସ୍ବାର୍ଥର ସୁରକ୍ଷା କରାଯାଉଅଛି। ଏହା ବୋଧେ ‘ଅମୃତ କାଳ’ ଓ ସୁଶାସନର ଏକ ନମୁନା।
ସ୍ତମ୍ଭକାର ଓ ଅର୍ଥନୀତିଜ୍ଞ
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri