ମା’ବାପାମାନଙ୍କୁ ଚିଠିଟିଏ

ଅକ୍ଷୟ କୁମାର ମିଶ୍ର

 

ପ୍ରିୟ ମା’ବାପାମାନେ!
ଶୁଭେଚ୍ଛା ନେବେ। ଲେଖିବି କି ଲେଖିବିନି ଏଭଳି ଏକ ମାନସିକ ଦ୍ୱନ୍ଦ୍ୱ ଭିତରେ ବେଶ୍‌ କିଛି ଦିନ ଗଲା ପରେ ସ୍ଥିର କଲି ଏମିତି ଏକ ଚିଠି ଆପଣମାନଙ୍କ ଉଦ୍ଦେଶ୍ୟରେ ଲେଖିବି ବୋଲି। ମୋର ଉଦ୍ଦେଶ୍ୟ ନୁହେଁ ଆପଣମାନଙ୍କୁ ପରାମର୍ଶ ଦେବା ଅଥବା ଆପଣମାନଙ୍କର ଦୋଷ ଦୁର୍ବଳତା ବାଛିବା। ମୁଁ ଯାହା ଦେଖୁଛି ଏବଂ ଅନୁଭବ କରୁଛି, ସେହି ଅଭିଜ୍ଞତା ଭିତରୁ କିଛି କଥା ଆପଣମାନଙ୍କ ସହିତ କେବଳ ବିନିମୟ କରିବାକୁ ଚାହୁଁଛି। ଶ୍ରେଣୀକକ୍ଷରେ ମୁଁ ଜଣେ ଶିକ୍ଷକ ହେଲେ ବି ମୁଁ ଜଣେ ବାପା। ପୁଅ ଝିଅକୁ ନେଇ ଆପଣମାନଙ୍କର ଯେମିତି ସ୍ବପ୍ନ ଅଛି, ମୋର ମଧ୍ୟ ସେମିତି ଅଛି। କୌଣସି ମା’ବାପା ଚାହାନ୍ତି ନାହିଁ ତାଙ୍କ ପୁଅ ଝିଅମାନେ ବଡ଼ ମଣିଷ ନ ହୁଅନ୍ତୁ। ସମସ୍ତଙ୍କର ଇଚ୍ଛା ପିଲାମାନେ ଭଲ ପାଠ ପଢ଼ନ୍ତୁ। ଆଗକୁ ବଢ଼ନ୍ତୁ। ଦଶ ଜଣରେ ଜଣେ ହୁଅନ୍ତୁ। କିନ୍ତୁ ଆମ ଇଚ୍ଛାର ଘୋଡ଼ାଟା ଏତେ ଜୋରରେ ଧାବମାନ ଯେ ବାସ୍ତବତାଠାରୁ କେତେବେଳେ ଆମେ ବିଚ୍ଛିନ୍ନ ହୋଇଯାଉ ତାହା ନିଜେ ମଧ୍ୟ ଜାଣିପାରୁନା। ଅଜାଣତରେ ନିଜର ଇଚ୍ଛାକୁ ପିଲାମାନଙ୍କ ଉପରେ ଲଦି ଦେଉ। ସେମାନେ କ’ଣ ଚାହୁଁଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁନା। ଶାରୀରିକ ତଥା ମାନସିକ ବୋଝ ଦେଇ ସେମାନଙ୍କୁ ଭାରାକ୍ରାନ୍ତ କରିପକାଉ। ବିଶେଷକରି ଯେଉଁ ମା’ବାପାମାନେ ଅପାଠୁଆ, ସେମାନେ ପିଲାମାନଙ୍କ ପ୍ରତି ଯେତିକି ଯତ୍ନବାନ୍‌ ହେବା କଥା ତାହା ହୁଅନ୍ତି ନାହିଁ। ଅବହେଳା କାରଣରୁ ବହୁ ପ୍ରତିଭାର ଉନ୍ମେଷ ହୋଇପାରେ ନାହିଁ।
ପ୍ରଥମେ ସେହି ମା’ବାପାମାନଙ୍କୁ କହିବାକୁ ଚାହେଁ, ଯେଉଁମାନେ ନିଜ ପୁଅଝିଅଙ୍କ ସହିତ କିଛି ମୁହୂର୍ତ୍ତ ବିତାଇବାକୁ ସମୟ ପାଆନ୍ତି ନାହିଁ। ହଁ, ଏହା ସତ୍ୟ ଯେ ଆପଣମାନେ ଅର୍ଥନୈତିକ ଭାବେ ବହୁ ଦୁର୍ବଳ। ଏଣୁ ଗୁଜରାଣ ମେଣ୍ଟାଇବା ପାଇଁ ସକାଳୁ ସଞ୍ଜଯାଏ ବିଭିନ୍ନ କାର୍ଯ୍ୟ କରି ଅର୍ଥ ଉପାର୍ଜନ କରିବାକୁ ଆପଣମାନେ ବାଧ୍ୟ ହୁଅନ୍ତି। ଆପଣମାନଙ୍କର ଯୁକ୍ତି ହେଉଛି ”ହାତରେ ଅର୍ଥ ନ ଥିଲେ ଖାଇବୁ କ’ଣ, ପିନ୍ଧିବୁ କ’ଣ, ପିଲାଙ୍କ ପାଠପଢ଼ାରେ ଯାହା ଖର୍ଚ୍ଚ ହେବ ତାହା ଆସିବ କେଉଁଠୁ? ସମୟ କାହିଁ ପିଲାଙ୍କ ସହିତ ଦୁଃଖ ସୁଖ ହେବାକୁ? ଯେତେ ପର୍ଯ୍ୟନ୍ତ ପାରିବେ ପଢ଼ିବେ। ଓଳିଆରୁ ଗଜା ହୋଇପାରିଲେ ତ ଭଲ, ନ ହେଲେ ଘର କାମରେ ଲାଗିବେ। ଗୋବର ଗୋଟେଇ ଝିଅ ରାଜା ଘରର ବୋହୂ ହେବା ପାଇଁ ସ୍ବପ୍ନ ଦେଖିବା ଯାହା, ଆମ ପିଲା ହାକିମ ହେବ ବୋଲି ଭାବିବା ସେଇଆ।“
ଦ୍ୱିତୀୟ ଯୁକ୍ତିଟି ଆହୁରି କଠୋର। ପାଠ ପଢ଼ିଲେ ବଢ଼ିବେ ନା ଦୂରେଇ ଯିବେ? ଯେଉଁମାନେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି, ସେମାନେ ମା’ବାପାଙ୍କୁ ଭୁଲି ଯାଉଛନ୍ତି। ସହରରେ ରହିବାକୁ ପସନ୍ଦ କରୁଛନ୍ତି। ଗାଁକୁ ଫେରୁନାହାନ୍ତି। ମଲାବେଳେ ମୁହଁରେ ଟୋପାଏ ପାଣି ଦେବାକୁ ମଧ୍ୟ ନ ଥିବେ। ଗାଁ ଇସ୍କୁଲରେ ଯାହା ହେଲେ ସେତିକି ଯଥେଷ୍ଟ। ଏସବୁ ଯୁକ୍ତିକୁ ଖଣ୍ଡନ କରିବାକୁ ମୋ ପାଖରେ ଶବ୍ଦ ନାହିଁ। ଆପଣମାନେ ଯାହା ଦେଖୁଛନ୍ତି ତାହା କହୁଛନ୍ତି। ଅଙ୍ଗେଲିଭା କଥା। ତେବେ ସବୁ ଉଚ୍ଚ ଶିକ୍ଷିତ ମଣିଷ ଯେ ସ୍ବାର୍ଥପର କିମ୍ବା ସବୁ ସ୍ବାର୍ଥପର ମଣିଷ ଯେ ଉଚ୍ଚ ଶିକ୍ଷିତ ଏହା ଭାବିବା ଠିକ୍‌ ନୁହେଁ। କିନ୍ତୁ ସବୁ ପିଲା ହେଉଛନ୍ତି ଅମୂଲ୍ୟ ସମ୍ପଦ। ଆମେ ଜାଣିଛେ ଯତ୍ନ କଲେ ରତ୍ନ ମିଳେ, ଯେଉଁ ରତ୍ନ ପରିବାରଠାରୁ ଦେଶର ବିକାଶରେ ପ୍ରୟୋଜନ ହୋଇଥାଏ। ସବୁ କାମ ଧନ୍ଦା ଭିତରୁ କିଛି ସମୟ ବାହାର କରିବାକୁ ପଡ଼ିବ। ଏବେତ ସମସ୍ତ ବିଦ୍ୟାଳୟରେ ନିୟମିତ ବ୍ୟବଧାନରେ ମା’ବାପା, ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ରଙ୍କୁ ନେଇ ବୈଠକ ବସୁଛି। ପିଲାମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଉଛି। କିନ୍ତୁ ଆପଣମାନେ ସେହି ବୈଠକରେ ଉପସ୍ଥିତ ହେଉନାହାନ୍ତି। ଆପଣମାନଙ୍କ ଉପସ୍ଥିତି ହିଁ ପିଲାମାନଙ୍କ ମନୋବଳକୁ ଦ୍ୱିଗୁଣିତ କରିବ। ନିଶ୍ଚୟ ଅନୁରୋଧ କରିବି, ବିଦ୍ୟାଳୟକୁ ଆସନ୍ତୁ। ନିଜ ପିଲାମାନଙ୍କ ସମ୍ପର୍କରେ ଶିକ୍ଷକଙ୍କଠାରୁ ଜାଣନ୍ତୁ।
ଏବେ ସେହି ମା’ବାପାମାନଙ୍କୁ ଅନୁରୋଧ କରିବାକୁ ଚାହେଁ, ଯେଉଁମାନେ ଉଭୟ ଚାକିରି କରନ୍ତି। ସକାଳୁ ସଞ୍ଜଯାଏ ନିଜ ନିଜ ଅଫିସରେ କଟାନ୍ତି। ମୋର ମନେହୁଏ, ଆପଣମାନେ ଯେତିକି ସମୟ ଘରେ ରୁହନ୍ତି ମୋବାଇଲରେ ବ୍ୟସ୍ତ ରୁହନ୍ତି। ଅର୍ଥର ଅଭାବ ନ ଥିବା ହେତୁ ଝିଅପୁଅଙ୍କ ଦେଖାଶୁଣା ଚାକରାଣୀ ଚାକରଙ୍କ ଉପରେ ନ୍ୟସ୍ତ କରିଦିଅନ୍ତି। ପାଠପଢ଼ା ପାଇଁ ବିଷୟ ଭିତ୍ତିକ ଟ୍ୟୁଶନ ମାଷ୍ଟର, ସଙ୍ଗୀତ ଶିକ୍ଷା ପାଇଁ ସଙ୍ଗୀତ ମାଷ୍ଟର, ନୃତ୍ୟ ଶିକ୍ଷା ପାଇଁ ନୃତ୍ୟଗୁରୁ, ଯୋଗ ପାଇଁ ଯୋଗଗୁରୁ ନିଯୁକ୍ତି ଦିଅନ୍ତି। କିନ୍ତୁ କେବେ ଭାବନ୍ତି ନାହିଁ ସ୍ନେହ, ଶ୍ରଦ୍ଧା, ଆଦର, ମମତା ନ ପାଇବା ଦ୍ୱାରା ପିଲାମାନଙ୍କର କ’ଣ କ୍ଷତି ହୁଏ! ସବୁ ସୁବିଧା ସୁଯୋଗ ହାତପାହାନ୍ତାରେ ପାଇବା ଦ୍ୱାରା ଆପଣଙ୍କ ପିଲାମାନେ ହୁଏତ ବଡ଼ ମଣିଷ ହେବେ, କିନ୍ତୁ ଭଲ ମଣିଷ ହେବାରେ କେତେ ସଫଳ ହେବେ ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ଏଣୁ ଦାୟିତ୍ୱ ପାଳନ ନାମରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇ ପିଲାମାନଙ୍କୁ ଆପଣମାନେ ଏମିତି ଅଣଦେଖା କରିବା ଉଚିତ୍‌ ହେବ ନାହିଁ। ଥରେ ଭାବିଲେ ଦେଖି ଅର୍ଜିତ ଅମାପ ଧନ ସମ୍ପତ୍ତି କାହା ପାଇଁ, ଯଦି ପିଲାମାନେ ମଣିଷ ପରି ମଣିଷ ହୋଇ ନ ପାରିଲେ! ଯେତିକି ସମୟ ମୋବାଇଲ ସହିତ ବିତାଉଛନ୍ତି, ଯେତିକି ସମୟ କ୍ଲବ ପାର୍ଟିରେ କଟାଉଛନ୍ତି, ସେତିିକି ସମୟ ନିଜ ପିଲା ପାଖରେ ରହିଲେ ଯେଉଁ ଶୂନ୍ୟତା ସେମାନେ ଅନୁଭବ କରୁଛନ୍ତି ତାହା ହେବନାହିଁ।
ବହୁ ମାତାପିତା ଅଛନ୍ତି, ଯେଉଁମାନେ ନିଜ ପିଲାଙ୍କ ଭବିଷ୍ୟତ ପ୍ରତି ଅଧିକ ସଚେତନ। ଆବଶ୍ୟକତାଠାରୁ ମଧ୍ୟ ଅଧିକ। ସେମାନେ ପିଲାଙ୍କ ପ୍ରାକୃତିକ ବୃଦ୍ଧିକୁ ଅପେକ୍ଷା କରିପାରନ୍ତି ନାହିଁ। କଥା କହିବାକୁ ଆରମ୍ଭ କଲା ବେଳଠୁ ଚାଲେ ପାଠପଢ଼ା। ପିଲାଟିର ଦକ୍ଷତା କେତେ, ସେ କେତେ ଗ୍ରହଣ କରିପାରିବ, ସେ ଚାହୁଁଛି କ’ଣ ଏସବୁ ପ୍ରତି ଆଦୌ ଧ୍ୟନ ଦିଅନ୍ତି ନାହିଁ। ତା’ ଭିତରେ କେଉଁ ପ୍ରତିଭା ଅଛି, ତାକୁ ଅନ୍ବେଷଣ ନ କରି ସବୁଥିରେ ପାରଙ୍ଗମ କରିବାକୁ ଲାଗିପଡ଼ନ୍ତି। ଏଥିପାଇଁ ଯାହା ଯାହା ଦରକାର ଯୋଗାଇଦେବାକୁ ଲାଗିପଡ଼ନ୍ତି। ଏହି ଧରଣର ମାନସିକତା ଯୋଗୁ ଏକ ରୁଟିନବନ୍ଧା ଜୀବନ ଭିତରକୁ ଟାଣିନିଏ ପିଲାମାନଙ୍କୁ। କେବଳ ଏତିକି ନୁହେଁ, ଅସୁସ୍ଥ ପ୍ରତିଯୋଗିତା ପିଲାମାନଙ୍କୁ ଅଣନିଃଶ୍ୱାସୀ କରିପକାଏ। ଆଉ କିଛି ମା’ବାପା ଅଛନ୍ତି, ଯେଉଁମାନ ନିଜ ଝିଅପୁଅଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଏକ ନୈରାଶ୍ୟଜନକ ସ୍ଥିତିକୁ ଟାଣିନିଅନ୍ତି। ଏମାନେ ସର୍ବଦା ଅନ୍ୟ ପିଲାଙ୍କ ସହିତ ନିଜ ପିଲାଙ୍କୁ ତୁଳନା କରିବା ଆରମ୍ଭ କରିଦିଅନ୍ତି। ଏହାଦ୍ୱାରା ପିଲାମାନେ ନିଜକୁ ଛୋଟ ମଣନ୍ତି। ନିରୁତ୍ସାହିତ ହୋଇପଡ଼ନ୍ତି। ଯେଉଁମାନଙ୍କ ଉଦାହରଣ ଦିଆଯାଏ, ସେମାନଙ୍କ ପ୍ରତି ଈର୍ଷାପରାୟଣ ହୁଅନ୍ତି।
ପିଲାମାନଙ୍କ ପିଲାଦିନ ଅତ୍ୟନ୍ତ ସମ୍ବେଦନଶୀଳ ସମୟ। ସହଜରେ ସବୁ କଥା ଗ୍ରହଣ କରିପାରନ୍ତି ନାହିଁ କି ପ୍ରତିବାଦ କରିବାର ସାହସ ଦେଖାଇ ପାରନ୍ତି ନାହିଁ। ନିଜର ଆବଶ୍ୟକତାକୁ ମୁହଁ ଖୋଲି କାହା ଆଗରେ ଖୋଲି କହିପାରନ୍ତି ନାହିଁ, କିନ୍ତୁ ଅଭାବ ରହିଲେ ଅଣଦେଖା କରାଯାଉଛି ବୋଲି ଧରିନିଅନ୍ତି। ଏଣୁ ମା’ବାପାମାନେ ବେଶ୍‌ ଯତ୍ନବାନ ହେବା ଜରୁରୀ। ମା’ବାପା ହେଉଛନ୍ତି ପ୍ରତ୍ୟେକ ପିଲାର ପ୍ରଥମ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ପରିବାର ହେଉଛି ପ୍ରଥମ ପାଠଶାଳା। ମା’ର କୋଳଠାରୁ ନିରାପଦ ସ୍ଥାନ ପୃଥିବୀରେ କେଉଁଠି ନାହିଁ କି ବାପାଠାରୁ ଅଧିକ ଭରସାଯୋଗ୍ୟ ବ୍ୟକ୍ତି କେହି ନାହାନ୍ତି। ଆପଣମାନଙ୍କ ସବୁଠୁ ବଡ଼ ଦାୟିତ୍ୱ ହେଲା ପିଲା ଭିତରେ ସତ୍‌ସାହସ ସଞ୍ଚାରିତ କରିବା। କୌଣସି କଥାକୁ ସେମାନେ ଯେପରି ଅନ୍ଧ ଭାବରେ ବିଶ୍ୱାସ କରିଯାଆନ୍ତି ନାହିଁ ସେ ଦିଗରେ ଉଦ୍ୟମ କରିବା। ପିଲା ଭିତରେ ଜିଜ୍ଞାସା ରହିଲେ ସେ କାରଣ ଖୋଜିବ। କାରଣ ଖୋଜିଲେ ସର୍ଜନଶୀଳତା ବୃଦ୍ଧି ପାଇବ। ଏଣୁ ମା’ବାପାମାନେ ପିଲାଙ୍କୁ ଭୀରୁ କରିଦିଅନ୍ତୁ ନାହିଁ କି ନିଜର ଇଚ୍ଛାକୁ ସେମାନଙ୍କ ଉପରେ ଲଦି ଦିଅନ୍ତୁ ନାହିଁ। ପ୍ରତ୍ୟେକ ପିଲା କୌଣସି ନା କୌଣସି ପ୍ରତିଭାର ଅଧିକାରୀ। ସେହି ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରି ସେହି ଦିଗରେ ପ୍ରୋତ୍ସାହିତ କଲେ ସେ ଭବିଷ୍ୟତରେ ଏକ ପ୍ରଭାବଶାଳୀ ବ୍ୟକ୍ତିରେ ପରିଗଣିତ ହେବ।
ସଭାପତି, ଓଷ୍ଟା, ନୟାସଡ଼କ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri