ଦିଗପହଣ୍ଡି,୨୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାଶପୁର, ସୁମନ୍ତପୁର, ଢେପାଗୁଡ଼ା ଖଇର ପଦର, ସିଙ୍ଗପୁର, ହରିଣ, ଗୁଣ୍ଡୁରିଗୁଡ଼ା, ଆଦିକନ୍ଦପୁର, ସୁନାଖଣ୍ଡି ପ୍ରଭୃତି ଗ୍ରାମରେ ଗତ ପ୍ରାୟ ୧ ସପ୍ତାହ ହେଲା ହାତୀ ଉପଦ୍ରବ ଯୋଗୁ ସନ୍ଧ୍ୟା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ ରାତିରେ ତାଟି କବାଟ ପଡ଼ିଯାଉଛି। ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ ଜଙ୍ଗଲ ଅଧୀନ ଶୁଳିଆ ପାହାଡ଼ରେ ଦୀର୍ଘଦିନ ଧରି ରହୁଥିବା ଗୋଟିଏ ଦନ୍ତା ଓ ୩ ଟି ମାଈ ହାତୀ ସନ୍ଧ୍ୟା ହେଲେ ଖାଦ୍ୟ ଅନେଷ୍ବଣରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ହାତୀପଲ ଗ୍ରାମାଞ୍ଚଳରେ ବ୍ୟାପକ ଧାନଫସଲ ନଷ୍ଟ କରୁଛନ୍ତି। ଏନେଇ ପାଟପୁର ବନବିଭାଗ ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ହାତୀ ଚଳପ୍ରଚଳ ନେଇ ବନବିଭାଗ ପକ୍ଷରୁ ବିଭିନ୍ନ ଗାଁଗୁଡ଼ିକରେ ହାତୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଡାକବାଜି ଯନ୍ତ୍ର ମାଧ୍ୟମରେ ସକାଳେ କିମ୍ବା ସନ୍ଧ୍ୟାରେ ଜଙ୍ଗଲ ନିକଟକୁ ଯାଆନ୍ତୁ ନାହିଁ। ହାତୀଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରନ୍ତୁ ନାହିଁ।
ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଏବଂ ପ୍ରାଣୀ ଶିକାର ପାଇଁ ବୈଦ୍ୟୁତିକ ତାର ବିଛାଇବା କିମ୍ବା ଫାଶ ପକାଇବା ଧର୍ତ୍ତବ୍ୟ ଅପରାଧ ବୋଲି ଲୋକଙ୍କୁ ବନ କର୍ମଚାରୀଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଉଛି। କୌଣସି ବ୍ୟକ୍ତି ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ କଲେ ୩ରୁ ୭ ବର୍ଷ କାରାଦଣ୍ଡ ସହ ସେମାନଙ୍କଠାରୁ ଜରିମାନା ଆଦାୟ ପାଇଁ କଠୋର ଆଇନ ରହିଥିବା ନେଇ ଲୋକଙ୍କୁ ସଚେତନ କରାଯାଉଛି। ବନବିଭାଗର ହାତୀ ସ୍କ୍ବାଡ୍, ତାଲିମପ୍ରାପ୍ତ ହାତୀ ଟ୍ରାକରଙ୍କ ସମେତ ପାଟପୁର ସେକ୍ସନ ବନ କର୍ମଚାରୀମାନଙ୍କ ପକ୍ଷରୁ ଜଙ୍ଗଲ ମଧ୍ୟକୁ ହାତୀ ଘଉଡ଼ାଇବା ପାଇଁ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଛି। ବେଆଇନ ଭାବେ କିଛି ଗ୍ରାମାଞ୍ଚଳରେ ହୁକିଂ କରାଯାଉଥିବାରୁ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ସେଗୁଡିକୁ ହଟାଇବା ପାଇଁ ବିଦ୍ୟୁତ୍ କର୍ମଚାରୀ ବୃନ୍ଦ ସହଯୋଗ କରୁଛନ୍ତି। ବିଦ୍ୟୁତ ବିଭାଗ ଏବଂ ବନ ବିଭାଗ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ କରାଯାଉଛି। ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଆବଶ୍ୟକ ହେଲେ ରାତିରେ ନିୟମିତ ବ୍ୟବଧାନରେ ବିଦ୍ୟୁତ ବିଚ୍ଛିନ୍ନ କରାଯାଉଛି। ସମ୍ପୃକ୍ତ ଅଞ୍ଚଳ ପ୍ରତି ବନ ବିଭାଗ ସ୍ବତନ୍ତ୍ର ନଜର ରଖିବା ସହ ପାଟପୁର ଫରେଷ୍ଟର ନିଜେ ମନିଟରିଂ କରୁଥିବା କହିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଢେପାଗୁଡ଼ା ଗ୍ରାମ ନିକଟ ଏକଦାନ୍ତି ମନ୍ଦିରଠୁ କିଛି ଦୂରରେ ହାତୀପଲ ସହ ବନ କର୍ମଚାରୀ ବୃନ୍ଦ ମୁହାଁମୁହିଁ ହୋଇଯାଇଥିଲେ। ପରେ ବନ କର୍ମଚାରୀମାନେ ହାତୀପଲ ଉପରେ ଲାଇଟ ପକାଇ ସାଇରନ୍ ମାରିବାରୁ ହାତୀପଲ ଜଙ୍ଗଲ ମଧ୍ୟକୁ ଦୌଡ଼ିଥିଲେ ବୋଲି ଫରେଷ୍ଟର କହିଛନ୍ତି। ଫସଲ କ୍ଷୟକ୍ଷତି ପାଇଁ ଚାଷୀ ବନବିଭାଗ ପକ୍ଷରୁ ଜାରି କରାଯାଇଥିବା ଅନୁକମ୍ପା ଆପ୍ ଜରିଆରେ ଆବେଦନ କଲେ ତଦନ୍ତ କରାଯାଇ ସେମାନଙ୍କୁ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଫରେଷ୍ଟର କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨୦୨୫ ଜାନୁଆରୀ ୨ ଓ ୩୦ ତାରିଖରେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଦିତୀୟ ଢେପାଗୁଡ଼ା ଓ ଭୀମନଗର ଗ୍ରାମ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୃଥକ୍ ଭାବେ ୨ଟି ମାଈ ହାତୀ ମୃତ୍ୟୁବରଣ କରିଥିଲେ।

