Posted inଫୁରସତ

ବାପାଙ୍କ ପାଇଁ ଉପହାର

ଯିଏ ହାତ ଧରି ପିଲାକୁ ଚାଲି ଶିଖାନ୍ତି, ଯେତେ ଅସୁବିଧା ଥାଉ ନା କାହିଁକି ସବୁ କଷ୍ଟ ମନରେ ମାରି ପିଲା ମୁହଁରେ ହସ ଫୁଟାନ୍ତି ଆଉ ପିଲାର ସବୁ ଆବଶ୍ୟକତା ପୁରଣ କରି ତାଙ୍କୁ ସଫଳ ମଣିଷ କରିବାର ସ୍ବପ୍ନ ଦେଖନ୍ତି ସେ ହେଉଛନ୍ତି ବାପା। ତେବେ ସାରା ଜୀବନ ପିଲାକୁ ସବୁ କିଛି ଦେଉଥିବା ଜନ୍ମଦାତାଙ୍କୁ ନିଜ ପ୍ରଥମ ରୋଜଗାରରେ କିଛି ଉପହାର ଦେବା ଜୀବନର ସବୁଠୁ ଖୁସିର ମୁହୂର୍ତ୍ତ। ଆଜି ଫାଦର୍ସ ଡେ’ ଅବସରରେ କେତେଜଣଙ୍କ ଏଭଳି ଅନୁଭୂତିକୁ ନେଇ ବିଶେଷ ଉପସ୍ଥାପନା…

ବିଶ୍ୱ ପିତୃ ଦିବସ
ପିତାଙ୍କୁ ସମ୍ମାନ ଦେବା ପାଇଁ ତଥା ପିତାଙ୍କ ଉଦ୍ଦେଶ୍ୟରେ ସର୍ବପ୍ରଥମେ ବିଶ୍ୱ ପିତୃ ଦିବସ ୧୯୧୦ ମସିହା ଜୁନ ମାସର ତୃତୀୟ ରବିବାର ୧୯ ତାରିଖରେ ୱାଶିଂଟନରେ ପାଳନ କରାଯାଇଥିଲା। ମାତ୍ର ୧୯୭୨ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା। ଯଦ୍ଦ୍ବାରା ପିତାଙ୍କୁ ସମ୍ମାନ ଦେବା ପାଇଁ ଆମେରିକାରେ ଏହି ଦିନଟିକୁ ଛୁଟିଦିନ ଭାବେ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭାରତରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତାରେ ପାଳିତ ଏହି ଦିନଟିର ଧୀରେଧୀରେ ପ୍ରଚାର ଓ ପ୍ରସାର ହେବାକୁ ଲାଗିଥିଲା। ଚଳିତ ୨୦୨୩ ବର୍ଷରେ ଏହା ଜୁନ୍‌ ୧୮ ତାରିଖ ରବିବାରରେ ପାଳନ କରାଯାଉଛି।

ଗାଳି ଭିତରେ ଥିଲା ଅଜସ୍ର ଖୁସି
ସ୍ବପ୍ନା ପ୍ରିୟଦର୍ଶିନୀ (ଅଭିନେତ୍ରୀ)- ପିଲାବେଳୁ ଯାହାଙ୍କ ହାତ ଧରି ଚାଲି ଶିଖିଛି, ଯାହାଙ୍କ ଆଗରେ ଅଳି କରିଛି ଆଉ ଯାହାଙ୍କ ନୀତି ଆଦର୍ଶ ମାନି ବଡ଼ ହୋଇଛି ସେ ହେଉଛନ୍ତି ମୋ ବାପା (ବିଶ୍ୱଜିତ୍‌ ରାଉତରାୟ)। ଆଜି ଜଣେ ସୁପର ମଡେଲ୍‌ ଏବଂ ଜଣେ ଅଭିନେତ୍ରୀ ହେବାର ସ୍ବପ୍ନ ସାକାର ହେବାରେ ରହିଛି ବାପାଙ୍କର ବହୁତ ବଡ଼ ଅବଦାନ। ଯେବେ ଯାହା ମାଗିଛି ଏବଂ ଯେଉଁ ଦିଗରେ ବଢ଼ିବାକୁ ଲକ୍ଷ୍ୟ ରଖିଛି ସେ ମୋର ପ୍ରତିଟି ଇଚ୍ଛାକୁ ପୂରଣ କରିଛନ୍ତି। ହେଲେ ଯେବେ ପ୍ରଥମ ଥର ନିଜ ରୋଜଗାରରେ ତା’ଙ୍କ ପାଇଁ ଗୋଟିଏ ଟି-ଶାର୍ଟ ଗିଫ୍ଟ କରିଥିଲି, ଏତେ ଟଙ୍କା କାହିଁକି ଖର୍ଚ୍ଚ କରୁଥିଲୁ ବୋଲି ଗାଳି ଦେଇଥିଲେ। ହେଲେ ତାଙ୍କ ଛଳ ଛଳ ଆଖିରୁ ଭିତରେ ଥିବା ଖୁସିକୁ ବେଶ୍‌ ଅନୁଭବ କରିପାରୁଥିଲି। ଆଉ ସେ ଯେବେ ସେହି ଲାଇଟ୍‌ ପିଙ୍କ୍‌ କଲର ଟି-ଶାର୍ଟ ପିନ୍ଧିଲେ, ମୋ ମନରେ ଯେଉଁ ଖୁସି ଥିଲା ତାହା ସତରେ ଅବର୍ଣ୍ଣନୀୟ।

ମୋ ସଫଳତା ବାପାଙ୍କ ପାଇଁ ଉପହାର
ଶ୍ରଦ୍ଧାଞ୍ଜଳି ସାମନ୍ତରାୟ (କ୍ରୀଡାବିତ୍‌)- ମୋର ପ୍ରତିଟି ସଫଳତାରେ ସବୁଠୁ ଅଧିକ ଖୁସି ହେଉଥିବା ମଣିଷ ମୋ ବାପା (ନେତ୍ରାନନ୍ଦ ସାମନ୍ତରାୟ)। ଯେବେ ପ୍ରଥମେ ଏକ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲି ଏବଂ ନିଜ ମେଡାଲଟିକୁ ଆଣି ବାପାଙ୍କ ବେକରେ ପିନ୍ଧାଇ ଦେଇଥିଲି, ସେ ଖୁସିରେ କହିଥିଲେ ଏହା ମୋ ପାଇଁ ସବୁଠୁ ବଡ଼ ଉପହାର। ସେଦିନର ସେହି ଖୁସିର ମୁହୂର୍ତ୍ତ ମୋ ପାଇଁ ଅଭୁଲା। ତେବେ ସବୁବେଳେ ତାଙ୍କ ପାଇଁ କିଛି କରିବାକୁ ଏବଂ ତାଙ୍କୁ କିଛି ଦେବାକୁ ମନରେ ଇଚ୍ଛାଥାଏ। କାରଣ ତାଙ୍କୁ ଯେବେ ଯାହା ମାଗିଛି ଏବଂ ଯେଉଁ ଦିଗରେ ବଢ଼ିବାକୁ ଲକ୍ଷ୍ୟ ରଖିଛି ସେ ମୋର ପ୍ରତିଟି ଇଚ୍ଛାକୁ ପୂରଣ କରିଛନ୍ତି। ହେଲେ ଯିଏ ଆମକୁ ସବୁ ଦେଇଛନ୍ତି ତାଙ୍କୁ କ’ଣ ବା ଦେଇପାରିବି! ତଥାପି ମୋ ପ୍ରଥମ ରୋଜଗାରରେ ତାଙ୍କ ପାଇଁ ଏକ ଟି-ଶାର୍ଟ ଆଣିଥିଲି ଆଉ ତା’କୁ ଦେଖି ସେ ଖୁସିରେ ଯେଉଁ ପ୍ରତିକ୍ରିୟା ପ୍ରକାଶ କରିଥିଲେ ତାହା ବର୍ଣ୍ଣନା କରିବାକୁ ଭାଷା ନିଅଣ୍ଟ। ସେବେଠୁ ଅନେକଥର ବାପାଙ୍କ ପାଇଁ କିଛି ନା କିଛି କିଣିଛି, ହେଲେ ମୋର ସଫଳତାରେ ହିଁ ସେ ସବୁଠୁ ବେଶୀ ଖୁସି ହେଉଥିବା ଅନୁଭବ କରିଛି।

ବାବାଙ୍କ ଖୁସି ମୋ ପାଇଁ ସବୁକିଛି
ସଞ୍ଜୁକ୍ତା ମାଝି (କର୍ମଜୀବୀ, ବ୍ରହ୍ମଗିରି)- ମୋର ସଫଳତା ପଛରେ ମୋ ବାବା (ପୂର୍ଣ୍ଣଚନ୍ଦ୍ର ମାଝି)ଙ୍କ ଆଶୀର୍ବାଦ ରହିଛି। ଅଭାବ, ଅସୁବିଧା ମଧ୍ୟରେ ଭାଙ୍ଗି ନ ପଡ଼ି କିପରି ଆଗକୁ ବଢ଼ିବ, ସେହି ପ୍ରେରଣା ବାବାଙ୍କଠାରୁ ପାଇଛି। ଜୀବନର ଜଞ୍ଜାଳ ମଧ୍ୟରେ ସେ ନିଜ ପାଇଁ କିଛି ନ କରି ସବୁବେଳେ ଆମର ପ୍ରତିଟି ଆବଶ୍ୟକତା ପୂରଣ କରିବା ଲାଗି ଚେଷ୍ଟା କରିଛନ୍ତି। ତେଣୁ ସ୍ନାତକ ପାସ୍‌ କରିବା ପରେ ବାବାଙ୍କୁ ସହଯୋଗ କରିବା ପାଇଁ ପୁରୀ ଚାଲି ଆସିଥିଲି। ଏବେ ୫ବର୍ଷରୁ ଊଦ୍ଧର୍‌ବ ହେବ ପୁରୀ ଚାଇଲ୍ଡ ଲାଇନ୍‌ରେ କାଉନ୍‌ସିଲର ଭାବେ କାର୍ଯ୍ୟ କରୁଛି। ମୋର ପ୍ରଥମ ରୋଜଗାର ଟଙ୍କାରେ ବାବାଙ୍କ ପାଇଁ ଧୋତି, ଶାର୍ଟ କିଣିଥିଲି। ଏତିକିରେ ସେ ମୋ ଉପରେ ଯେଉଁ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦେଇଥିଲେ ତାହା ବର୍ଣ୍ଣନା କରିବାକୁ ଭାଷା ନିଅଣ୍ଟ। ଝିଅମାନେ ବି ସବୁ କିଛି କରିପାରିବେ, ଏଥିଲାଗି ଧୈଯ୍ୟ ଆଉ ନିଷ୍ଠା ଦରକାର, ବାବାଙ୍କ ଏହି ଦୁଇ ପଦ ମୋତେ ଘରୁ ବାହାରି ଜୀବନରେ କିଛି କରିବା ପାଇଁ ପ୍ରେରଣା ଦେଇଛି।

ଅନ୍ୟକୁ ଦେଲେ ବାପା ହୁଅନ୍ତି ଖୁସି
ନୀତୀଶ କୁମାର ଧଳ (ଡାକ୍ତର, ଭୁବନେଶ୍ୱର)- ମୋ ମାର୍ଗଦର୍ଶକ ହେଉଛନ୍ତି ବାପା (ଆଶୁତୋଷ ଧଳ)। ନିଜର ପ୍ରତ୍ୟେକ କାର୍ଯ୍ୟ ଏବଂ କର୍ତ୍ତବ୍ୟକୁ ନିଷ୍ଠାର ସହ ତୁଲେଇବାର କଳା ତାଙ୍କଠାରୁ ଶିଖିଛି। କାର୍ଯ୍ୟରୁ ଘରକୁ ଫେରିବା ପରେ ହେଉ କିମ୍ବା ରାତ୍ରିଭୋଜନ ପରେ ତାଙ୍କ ସହ ଅକ୍ଷୟ ମହାନ୍ତିଙ୍କ ପୁରୁଣା ଗୀତ ଶୁଣି ଚାଲିଥିବା ବେଳେ ସେ ଯେଉଁ କଥା ସବୁ କୁହନ୍ତି ତାହା ମୋ ପାଇଁ ସବୁବେଳେ ଶିକ୍ଷଣୀୟ। ସେ ହିଁ ମୋ ଆଦର୍ଶ। ମୋର ଛୋଟରୁ ବଡ଼ ପ୍ରତିଟି ଆବଶ୍ୟକତା ସେ ପୂରଣ କରିଛନ୍ତି। ତାଙ୍କ ପ୍ରେରଣା ଓ ଆଶୀର୍ବାଦରେ ଜଣେ ଡାକ୍ତର ହୋଇପାରିଛି। ମୋ ପ୍ରଥମ ଦରମାରେ ବାପାଙ୍କୁ ଗୋଟିଏ ଘଣ୍ଟା ଉପହାର ଦେଇଥିଲି। ତା’ ସହ ମା’, ଜେଜେମା’ଙ୍କୁ ଶାଢ଼ି ଏବଂ କିଛି ଅନାଥ ପିଲାଙ୍କୁ ଖାଇବାକୁ ଦେଇଥିଲି। ସେ ନିଜ ଉପହାରରେ ନୁହେଁ, ବରଂ ଅନାଥ ପିଲାଙ୍କ ଖୁସିରେ ଅଧିକ ଖୁସି ହୋଇଥିଲେ। ମୋର ଉନ୍ନତି ଓ ସଫଳତା ତାଙ୍କୁ ବେଶି ଖୁସିଦିଏ। ସବୁବେଳେ ନିଜ କାର୍ଯ୍ୟରେ ନିଷ୍ଠାବାନ ହୋଇ ସଫଳତା ସାଉଁଟିଲେ ତାଙ୍କୁ ତାଙ୍କ ଉପହାର ମିଳିଯିବ ବୋଲି ସେ କୁହନ୍ତି। ତାଙ୍କ କଥାକୁ ସମ୍ମାନ ଦେଇ ସମସ୍ତ କାର୍ଯ୍ୟ କରି ତାଙ୍କୁ ଖୁସି ଦେବା ମୋ ଜୀବନର ଲକ୍ଷ୍ୟ।

ଘଣ୍ଟା ବାପାଙ୍କର ଭାରି ସଉକ
ଶରଣାରବିନ୍ଦ ଓଝା(ସଂଳାପ ଲେଖକ)- ପ୍ରଥମେ ଜୀବନ ଦାନ ଆଉ ତା’ ପରେ ସାରା ଜୀବନ ଯିଏ ଆମକୁ ଦେଇଛନ୍ତି ତାଙ୍କୁ କିଛି ଦବା ତ ସମ୍ଭବ ନୁହେଁ, ତଥାପି ପାର୍ଥିବ ବସ୍ତୁଭାବେ ବାପା(କପିଳ ଚରଣ ଓଝା)ଙ୍କୁ ଉପହାର ଦେବାର ଚେଷ୍ଟା ମୁଁ ବି କରିଚି। ବାପାଙ୍କ ହାତଘଣ୍ଟା ଲଗାଇବାରେ ଭାରି ସଉକ। ସେଥିପାଇଁ ମୁଁ ପ୍ରଥମ ରୋଜଗାର କରିବା ପରେ ତାଙ୍କୁ ଏକ ହାତଘଣ୍ଟା ଉପହାର ଦେଇଥିଲି। ତେବେ ପ୍ରଥମ ଉପହାର ନୁହେଁ, ଏବେ ବି ଯେଉଁଠିକୁ ଗଲେ ବାପାଙ୍କ ପାଇଁ ସୁନ୍ଦର ଡିଜାଇନ୍‌ର ହାତଘଣ୍ଟା କିଣି ଆଣିଥାଏ। ଆଉ ନୂଆ ହାତଘଣ୍ଟାଟିଏ ଦେଖି ବାପା ଯେଉଁଭଳି ଖୁସି ହୁଅନ୍ତି ସେ ସମୟର ଅନୁଭୂତିକୁ ଭାଷାରେ କହିହେବ ନାହିଁ। ବହୁତ ଭଲ ଲାଗେ ଯେ ବାପା ଟିକେ ଖୁସି ହେଉଛନ୍ତି। ହାତଘଣ୍ଟାକୁ ନେଇ ଛୋଟବେଳରୁ ଏକ ସ୍ମୃତି ବି ରହିଛି, ଯାହାକୁ ଭୁଲି ହେଉନି। ଯେତେବେଳେ ଆମ ପୈତୃକ ସମ୍ପତ୍ତିର ଭାଗବଣ୍ଟା ହୋଇଥିଲା, ସେତେବେଳେ ବାପାଙ୍କର ଏକ ଭାରି ପ୍ରିୟ ହାତଘଣ୍ଟାକୁ ଭାଗ କରାଯାଇଥିଲା, ଯାହାକି ବାପାଙ୍କୁ ଭାରି କଷ୍ଟ ଦେଇଥିଲା। ଟିକେ ବଡ଼ ହୋଇଥିଲି ବୋଲି ସେ ଘଟଣାକୁ ଅନୁଭବ କରିଥିଲି। ବାପାଙ୍କ ମନର ସେଇ ଆଘାତକୁ ଭୁଲାଇବା ପାଇଁ ତାଙ୍କୁ ଅନେକ ଥର ହାତଘଣ୍ଟା ଉପହାର ଦେଇଛି।

ଉପହାରରେ ଦେଇଥିଲି ସ୍କଲାରଶିପ୍‌ ଟଙ୍କା
ଅମ୍ରିତା ପାଟ୍ଟଶାଣୀ (ଓଡ଼ିଶୀ ନୃତ୍ୟାଙ୍ଗନା)- ଏମିତି ଦେଖିବାକୁ ଗଲେ ମା’ବାପା(ଅରବିନ୍ଦ ପାଟ୍ଟଶାଣୀ)ଙ୍କୁ ତ କିଛି ଦେଇ ହୁଏନି। ତଥାପି ତାଙ୍କୁ କ’ଣ ଗୋଟେ ଦେବି ବୋଲି ଭାବୁଥିଲି। ୧୯ ବର୍ଷ ବୟସରେ ଯେତେବେଳେ ପ୍ରଥମେ ଦିଲ୍ଲୀ ସରକାରଙ୍କ ସିସିଆରଟି ସିନିୟର ସ୍କଲାରଶିପ୍‌ ପାଇଥିଲି, ସେତେବେଳେ ଯାହା ବି ଅର୍ଥରାଶି ମିଳିଥିଲା ସବୁ ବାପାଙ୍କୁ ଦେଇଥିଲି। ବାପା ତ ବହୁତ ମନା କରିଥିଲେ, କିନ୍ତୁ ବହୁ କଷ୍ଟରେ ବୁଝାଇବା ପରେ ପୂରା ୨ ବର୍ଷର ସ୍କଲାରଶିପ୍‌ ତାଙ୍କୁ ଦେଇ ଖୁସି ହୋଇଯାଇଥିଲି। ଜଣେ ସଫଳ ନୃତ୍ୟାଙ୍ଗନା ଭାବେ ଗଢ଼ି ତୋଳିବା ପାଇଁ ବାପା ମତେ ମାତ୍ର ୬ ବର୍ଷରୁ ନାଚ ଶିଖିବାର ସୁଯୋଗ ଦେଇଥିଲେ। ଆଉ ନୃତ୍ୟାଙ୍ଗନା ଭାବେ ମତେ ଯେତେବେଳେ ପରିଚୟ ମିଳିଲା, ତାହା ତାଙ୍କ ପାଇଁ ଏକ ସୁନ୍ଦର ଉପହାର ବୋଲି ସେ କହିଥିଲେ। ବାପାଙ୍କ ଆଶୀର୍ବାଦରୁ ଏଇ କ୍ଷେତ୍ରରେ ଖୁବ୍‌ ସଫଳତା ପାଇଛି, ଅନେକ ପୁରସ୍କାର ବି ପାଇଛି, କିନ୍ତୁ ଆଜି ବି ବାପାଙ୍କୁ କିଛି ଦେବା ପାଇଁ ଇଚ୍ଛା ହୁଏ। ସେଥିପାଇଁ ତ ବାପାଙ୍କର ପ୍ରତ୍ୟେକ ଆବଶ୍ୟକ ସମୟରେ ଆଜି ବି ତାଙ୍କ ପାଖରେ ଛିଡ଼ା ହେଇଛି।

ଉପହାରରେ ହୋଇଥିଲେ ଅନେକ ଖୁସି
ରୋଜାଲିନ୍‌ ପଣ୍ଡା (ନୃତ୍ୟଶିଳ୍ପୀ, ଗୋପୀନାଥପୁର, ପୁରୀ)- ମୋ ବାପା (ସୁବାସ ଚନ୍ଦ୍ର ପଣ୍ଡା) ମୋ ପାଇଁ ଆଦର୍ଶ। ପିଲାବେଳୁ ମୋର ଓଡ଼ିଶୀ ଶିଖିବାକୁ ଇଚ୍ଛା ଥିଲା। ସେ ମୋତେ ସାଇକେଲ ଆଗରେ ବସାଇ ଓଡ଼ିଶୀ ଶିଖିବା ପାଇଁ ନେବାଆଣିବା କରିଛନ୍ତି। ପ୍ରଥମେ ମଞ୍ଚରେ ଓଡ଼ିଶୀ ନାଚିବା ବେଳେ ମନରେ ଏକ ଅଜଣା ଭୟ ରହୁଥିଲା, ଯାହାକୁ ସେ ଦୂର କରିଥିଲେ। ତା’ ପରଠାରୁ ମଁୁ ଆଉ ପଛକୁ କେବେ ଚାହିଁନି, ଅଥବା ଥକି ପଡ଼ିନି। ତାଙ୍କ ପ୍ରେରଣାରେ ଗତ ଦୁଇ ବର୍ଷ ହେବ ନିଜର ନୃତ୍ୟାନୁଷ୍ଠାନ ଆରମ୍ଭ କରିଛି। ଯେତେବେଳେ ବି ଅସୁବିଧାରେ ପଡ଼ିଛି, ସେ ମୋତେ ସାହସ ଦେଇଛନ୍ତି। କୌଣସି ସ୍ଥାନରେ ସମ୍ମାନିତ ହେବାର ସୁଯୋଗ ମିଳିଲେ, କେହି ପ୍ରଶଂସା କଲେ ମନେମନେ ବାବାଙ୍କୁ ଖୋଜିଥାଏ। ମନେପଡୁଛି ମୋର ପ୍ରଥମ ମଞ୍ଚ ନୃତ୍ୟ ପରିବେଷଣ ଏବଂ ପିଲାଙ୍କୁ ଶିକ୍ଷାଦାନରୁ ମିଳିଥିବା ପ୍ରଥମ ଦରମାରୁ ବାବାଙ୍କ ପାଇଁ ଗୋଟିଏ ଶାଲ, ଶାର୍ଟ କିଣିଥିଲି। ମୋର ଏହି ଛୋଟିଆ ଉପହାରରେ ବାବା ମୋ ଉପରେ ବହୁତ ଖୁସି ହୋଇଥିଲେ। ସେ ଦିନ ଅନୁଭବ କରିଥିଲି ଜୀବନରେ ବାବାଙ୍କ ସ୍ଥାନ କ’ଣ। ତେଣୁ ସବୁବେଳେ ନିଜ କାର୍ଯ୍ୟରେ ତାଙ୍କୁ ଖୁସି କରିବାକୁ ଚେଷ୍ଟା କରିବି।

 


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?