ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି ପଡ଼ିଛି। ଫଳରେ କାର ମାଲିକ ସୁନୀଲ ମହାନ୍ତି (୪୫) ମୃତ୍ୟୁବରଣ କରିଛନ୍ତି। ତାଙ୍କ ଘର ଭଞ୍ଜନଗର ଏଲଆଇସି କଲୋନୀ ଦ୍ୱିତୀୟ ଲାଇନ। ବର୍ତ୍ତମାନ ସେ ଲଣ୍ଡେଇସାହିରେ ପରିବାର ସହ ରହୁଛନ୍ତି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି।
ଘଟଣାରୁ ପ୍ରକାଶ ଯେ, ସୁନୀଲ ଶୁକ୍ରବାର ସକାଳେ ଭୁବନେଶ୍ବର ରାସ୍ତା ଆଡୁ ଭଞ୍ଜନଗର ଫେରୁଥିଲେ କିମ୍ବା ଭଞ୍ଜନଗରରୁ ବେଲଗୁଣ୍ଠା ଅଭିମୁଖେ ଯାଉଥିଲେ । ଏହି ସମୟରେ ଡିମିରିପଲ୍ଲୀ ବ୍ରିଜ ଉପରେ ସୁନୀଲ ଗାଡ଼ିରୁ ଭାରସାମ୍ୟ ହରାଇବାରୁ ବ୍ରିଜ ତଳକୁ ପ୍ରାୟ ୨୦ ଫୁଟ ତଳକୁ ଗାଡ଼ିଟି ଓଲଟି ପଡିଥିଲା। ଏହାପରେ ପୋଲିସ ଖବର ପାଇ ସଂପୃକ୍ତ ଅଞ୍ଚଳବାସୀଙ୍କ ସହଯୋଗରେ ଚିକିତ୍ସା ପାଇଁ ତାଙ୍କୁ ଭଞ୍ଜନଗର ହସ୍ପିଟାଲ ଅଣାଯାଇଥିଲା। ମେଡିକାଲରେ ସୁନୀଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁନୀଲ ବିଭିନ୍ନ ବ୍ୟବସାୟ କରୁଥିଲେ। ତେଣୁ ସୁନୀଲ ବ୍ୟବସାୟ କାମରେ କେଉଁଆଡେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଗାଡିରେ ଅନ୍ୟ କିଏ ଥିଲେ କି ନାହିଁ ସେନେଇ ସଠିକ କିଛି ଜଣାପଡ଼ିନାହିଁ।
Dharitri – Odisha’s No.1 Odia Daily

