ନୂଆଦିଲ୍ଲୀ,୧୧।୧: ଜାନୁଆରୀ ୨୨ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବାକୁ ଅଛି। ସିରିଜରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯିବ। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖରାପ ଖବର ଆସିଛି। ୧୫୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରୁଥିବା ମୟଙ୍କ ଯାଦବ ଏବେ ବି ତାଙ୍କ ପିଠି ଆଘାତରୁ ସୁସ୍ଥ ହୋଇନାହାନ୍ତି।
ମୟଙ୍କ ଗତ ବର୍ଷ ଆହତ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ତାଙ୍କର ଅଂଶଗ୍ରହଣ ପ୍ରାୟ ଅସମ୍ଭବ ମନେ ହେଉଛି। ଏକ ରିପୋର୍ଟରେ କୁହାଯାଇଛି,ମୟଙ୍କ ଯାଦବ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳିବେ ନାହିଁ।
ଜାନୁଆରୀ ୨୩ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ମଧ୍ୟ ମୟଙ୍କଙ୍କୁ ସାମିଲ କରାଯାଇ ନାହିଁ। ଏପରି ପରିସ୍ଥିତିରେ, ଟିମ ଇଣ୍ଡିଆକୁ ଫେରିବା ତାଙ୍କ ପାଇଁ ବହୁତ କଷ୍ଟକର ମନେ ହେଉଛି।
ସୂଚନାଯୋଗ୍ୟ,ଆଇପିଏଲ୍ ୨୦୨୪ରେ ଲକ୍ଷ୍ନୌ ସୁପରଜାଏଣ୍ଟସ ପାଇଁ ଖେଳିଥିବା ମୟଙ୍କ ଆଘାତ ଯୋଗୁ ଟୁର୍ଣ୍ଣାମେଣ୍ଟ ମଝିରେ ବାହାର ହୋଇଯାଇଥିଲେ। ଏହାପରେ ମୟଙ୍କ ଅକ୍ଟୋବରରେ ବାଂଲାଦେଶ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ତିନୋଟି ମ୍ୟାଚ୍ରେ ୪ଟି ଉଇକେଟ ନେଇଥିଲେ। ଏହି ସିରିଜରେ ମୟଙ୍କ ପୁଣି ଥରେ ଆହତ ହୋଇଥିଲେ ଏବଂ ସେ ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରୁ ବଞ୍ଚିତ ହୋଇଥିଲେ। ଏବେ ମୟଙ୍କ କେବେ ପ୍ରତ୍ୟାବର୍ତ୍ତନ କରିପାରିବେ ତାହା ଦେଖିବା ଆକର୍ଷଣୀୟ ହେବ।