Odisha Elections 2024

କାହା ଟଙ୍କା ଓ କେଉଁଠୁ ଆସୁଛି

କିଛିଦିନ ତଳେ ଆମକୁ ହଠାତ୍‌ ଫୋନ କରି ଜଣେ ପାଠକ ପଚାରିଲେ ଯେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ କ’ଣ ଗତ ୯ ବର୍ଷରେ ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଆମେ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ କିଏ ଆପଣଙ୍କୁ ଏ କଥା କହିଲା ? ସେ କହିଲେ ଏକଥା ଖବରକାଗଜରେ ବାହାରିଛି। ଆମେ କହିଲୁ ଗତ ୯ ବର୍ଷର ଓଡ଼ିଶା ସରକାରଙ୍କ ମୋଟ ବଜେଟ ବ୍ୟୟ ଅଟକଳ ମିଶାଇଲେ ୧୮ ଲକ୍ଷ କୋଟି ଟଙ୍କା ହେବ ନାହିଁ। ଆମେ ଠିକ୍‌ ତଥ୍ୟ ଜାଣିବା ପାଇଁ ଓଡ଼ିଶା ସରକାରଙ୍କ ଗତ ୯ ବର୍ଷର ବଜେଟ (୨୦୧୪-୧୫ରୁ ୨୦୨୨-୨୩) ଅଧ୍ୟୟନ କଲୁ, ରାଜ୍ୟର ମୋଟ ରାଜସ୍ବ ପ୍ରାପ୍ତିରେ ରାଜ୍ୟର ନିଜର ଟିକସ ରାଜସ୍ବ, ଅଣଟିକସ ରାଜସ୍ବ, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ, କେନ୍ଦ୍ରୀୟ ଅନୁଦାନ ସମ୍ମିଶ୍ରଣ ଅଟେ। କେନ୍ଦ୍ର ଚାହିଁଲେ ବି ମନଇଚ୍ଛା ଦେଇପାରିବ ନାହିଁ। ଏଣୁ ଗତ ୯ ବର୍ଷରେ ଓଡ଼ିଶାର ବଜେଟ ପରିମାଣ ମିଶାଇଲେ ୧୦ ଲକ୍ଷ ୬୪ ହଜାର ୫୭୬ କୋଟି ଟଙ୍କା ହୋଇଥିଲାବେଳେ କେନ୍ଦ୍ର ଦେଇଛି ୪,୬୧,୮୮୪ କୋଟି ଟଙ୍କା। ସେଥିରେ କେନ୍ଦ୍ରୀୟ ଅନୁଦାନ ବାବଦରେ ୧୮୭୫୩୪.୩୭ କୋଟି ଟଙ୍କା ଥିଲାବେଳେ, କେନ୍ଦ୍ରୀୟ ପାଣ୍ଠି ହସ୍ତାନ୍ତର ବାବଦରେ ୨୭୪୩୪୯.୮୪ କୋଟି ଟଙ୍କା ମିଳିଛି।
ସେ ଦ୍ୱିତୀୟ ପ୍ରଶ୍ନ କରିଥିଲେ ପୂର୍ବ ଉପା ସରକାରଙ୍କ ୧୦ବର୍ଷରେ ମାତ୍ର୨.୯୩ ଲକ୍ଷ କୋଟି ଟଙ୍କା ମିଳିଥିଲା। ଆମେ ତାଙ୍କୁ ଓଲଟି ପ୍ରଶ୍ନ କଲୁ ପୂର୍ବ ବାଜପେୟୀ ସରକାରଠାରୁ ଉପା ସରକାରଙ୍କ ଅମଳରେ ହାରାହାରି ବାର୍ଷିକ ଅଧିକ ଆସିଥିଲା ନା ନାହିଁ ? ସେମିତି ବାଜପେୟୀ ସରକାର ଅମଳରେ ତା’ର ପୂର୍ବ ସରକାରଠାରୁ ମଧ୍ୟ ଅଧିକ ଆସିଥିଲା ନା ନାହିଁ। ଏକଥା ସତ୍ୟ ଯେ ପୂର୍ବ ଉପା ସରକାର ତୁଳନାରେ ନାମାଙ୍କନ ମୂଲ୍ୟରେ ଅଧିକ ଦେଇଛନ୍ତି। କିନ୍ତୁ ଏମିତି କ’ଣ ନାମାଙ୍କନ ମୂଲ୍ୟରେ ତୁଳନା କରାଯାଏ। ମୁଦ୍ରାସ୍ଫୀତିକୁ ବିଚାରକୁ ନେଇ ବିଚାର କରାଯାଏ। ଏବର୍ଷ ୧୦୦୦ଟଙ୍କାରେ ଜଣେ ଯେଉଁ ଜିନିଷ କିଣିବ, ସେହି ଜିନିଷ ଆଗାମୀ ବର୍ଷରେ କ’ଣ ସେହି ୧୦୦୦ ଟଙ୍କାରେ କିଣିହେବ। ୧୦ ବର୍ଷ ତଳେ ଗୋଟିଏ ଘର କଲେ କେତେ ଟଙ୍କା ପଡୁଥିଲା ଏବଂ ବର୍ତ୍ତମାନ କେତେ ପଡୁଛି ? ଆମେ ସ୍କୁଲରେ ପଢୁଥିଲାବେଳେ ଖାସି ମାଂସ କିଲୋ ୫ ଟଙ୍କା ଥିଲା କିନ୍ତୁ ବର୍ତ୍ତମାନ ୭୦୦ ଟଙ୍କାରୁ ଅଧିକ। ୧୯୮୬- ୮୮ରେ ରେଭେନ୍ସାରେ ପିଜି କଲାବେଳେ ମାସିକ ୫୦୦ ଟଙ୍କାରେ ସବୁ ଖର୍ଚ୍ଚ ଯାଇ ବଳୁଥିଲା। କିନ୍ତୁ ଏବେ ସ୍କୁଲରେ ନାଁ ଲେଖିଲା ବେଳକୁ ୫୦, ୦୦୦ ଦରକାର। ୧୯୪୭ରେ କେନ୍ଦ୍ର ସରକାରଙ୍କର ବଜେଟ ବ୍ୟୟ ଅଟକଳ ୧୯୭.୩୯ କୋଟି ଟଙ୍କା ଥିଲାବେଳେ ୧୯୮୦-୮୧ରେ ୩୪,୪୪୬ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୨୨-୨୩ରେ ୩୯.୪୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏସବୁର ବୃଦ୍ଧି ମୁଦ୍ରାସ୍ଫୀତିକୁ ନେଇ ବିଚାର କରାଯାଏ ବା ଦେଶର ଜିଡିପି ଅନୁସାରେ ବା ଅନ୍ୟ ଦେଶ ତୁଳନାରେ ବିଚାର କରାଯାଏ, ଯାହା ସରକାର କରୁନାହାନ୍ତି। ପୁନଶ୍ଚ କେନ୍ଦ୍ର ସରକାରଙ୍କ ବଜେଟ ଆକାର ଜିଡିପି ଅନୁସାରେ ବୃଦ୍ଧିପାଉ ନାହିଁ ବରଂ ହ୍ରାସ ପାଉଛି ଏବଂ ଅନ୍ୟ ଦେଶ ତୁଳନାରେ ଭାରତରେ ଏହା ବହୁତ କମ୍‌ ମଧ୍ୟ। ଏଣୁ ଅଧିକା କେମିତି ଦେଲେ?
ପୁନଶ୍ଚ ୨୦୧୪-୧୫ରେ ଓଡ଼ିଶା ବଜେଟ ବ୍ୟୟବରାଦ ୬୦, ୨୩୨.୬୪ କୋଟି ଟଙ୍କା ହୋଇଥିଲା ବେଳେ କେନ୍ଦ୍ରୀୟ ଅନୁଦାନ ୧୩୩୨୬.୨୭ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ୧୫୯୦୩.୮୮ କୋଟି ଟଙ୍କା ମିଶି ମୋଟ୨୯୨୩୦ .୧୫ କୋଟି ଟଙ୍କା ଓଡ଼ିଶା ପାଇଥିଲା। ୨୦୨୩-୨୪ରେ ଓଡ଼ିଶା ବଜେଟ ମୋଟ ବ୍ୟୟ ଅଟକଳ ୨ଲକ୍ଷ ୩୦ ହଜାର କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା ବେଳେ, କେନ୍ଦ୍ରୀୟ ଅନୁଦାନ ୩୨୭୪୮. ୮୨ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ୪୬୨୫୧.୧୮ କୋଟି ଟଙ୍କା ମିଶି ମୋଟ ୭୯,୦୦୦ କୋଟି ଟଙ୍କା ଓଡ଼ିଶା ପାଇବ। ଏହାର ଅର୍ଥ ଓଡ଼ିଶାର ବଜେଟ ଅଟକଳରେ ଉପା ସରକାର ଅମଳର ଶେଷ ବର୍ଷରେ କେନ୍ଦ୍ରର ଅଂଶ ୪୮.୫୨% ଥିଲାବେଳେ ମୋଦି ସରକାରଙ୍କର ୨୦୨୩-୨୪ରେ ଏହା ୩୪.୩୪%କୁ ଖସି ଆସିଛି। ପୁନଶ୍ଚ କେନ୍ଦ୍ର ରାଜ୍ୟକୁ ଦୟାକରି ଦିଏନାହିଁ। ଏହା ଆମ ସଂଘୀୟ ବ୍ୟବସ୍ଥାର ଏକ ଅଂଶ। ସମ୍ବିଧାନର ଧାରା ୨୭୦ ଅନୁଯାୟୀ କେନ୍ଦ୍ର ଯେଉଁ ଟିକସ ଆଦାୟ କରିଥାଏ, ତାହା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଣ୍ଟନ କରାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ପଞ୍ଚଦଶ ଅର୍ଥ ଆୟୋଗ ଅନୁଯାୟୀ, ରାଜ୍ୟଗୁଡ଼ିକ ୬୨%ରୁ ଅଧିକ ଖର୍ଚ୍ଚ ଦାୟିତ୍ୱ ବହନ କଲାବେଳେ ରାଜସ୍ବ ଆଦାୟ କରିବାର କ୍ଷମତା ମାତ୍ର ୩୭%। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ହାତରେ ରାଜସ୍ବ ସଂଗ୍ରହ କ୍ଷମତାର ୬୩% ଥିଲାବେଳେ ମାତ୍ର ୩୮% ଖର୍ଚ୍ଚ ବହନ କରିଥାନ୍ତି। ପୁନଶ୍ଚ ଜିଏସ୍‌ଟି କାର୍ଯ୍ୟକାରୀ ହେବାପରେ ରାଜ୍ୟଗୁଡ଼ିକର ଟିକସ ଆଦାୟ କରିବାର କ୍ଷମତା ସଙ୍କୁଚିତ ହୋଇଛି। ସମ୍ବିଧାନର ଧାରା ୨୭୯ ଅନୁଯାୟୀ କେନ୍ଦ୍ରର ବିଭାଜିତ ପାଣ୍ଠିରେ କେନ୍ଦ୍ର ସେସ୍‌ ଏବଂ ସର୍‌ଚାର୍ଜ ବାବଦରେ ଯେଉଁ ସମ୍ବଳ ପାଇଥାଏ, ସେଥିରେ ଯୋଗ ହୋଇ ନ ଥାଏ। ଏଣୁ ଚତୁରତାର ସହିତ, କେନ୍ଦ୍ର ବର୍ଷ ବର୍ଷ ଧରି ସେସ୍‌ ଏବଂ ସର୍‌ଚାର୍ଜ ମାଧ୍ୟମରେ ଅତିରିକ୍ତ ରାଜସ୍ବ ସଂଗ୍ରହ କରିଆସୁଛି। ଯଦି ଆମ ଓଡ଼ିଶା କଥା ବିଚାର କରିବା ତେବେ ପ୍ରତି ଅର୍ଥ ଆୟୋଗ ସୁପାରିସ ଅନୁଯାୟୀ ଓଡ଼ିଶାର ଅଂଶ ମୋଟ ବିଭାଜିତ ପାଣ୍ଠିରେ ହ୍ରାସ ପାଇଛି। ଦ୍ୱାଦଶ ଅର୍ଥ କମିଶନ ଅନୁଯାୟୀ ଓଡ଼ିଶାର ଅଂଶ ୫.୧୬ % ଥିଲା। ଏହା ତ୍ରୟୋଦଶ ଅର୍ଥ କମିଶନ ୪.୭୭%, ଚତୁର୍ଦ୍ଦଶ ଅର୍ଥ କମିଶନ ୪.୬୪% ଏବଂ ପଞ୍ଚଦଶ ଅର୍ଥ କମିଶନ ରିପୋର୍ଟରେ ୪.୬୨%କୁ ହ୍ରାସପାଇଛି। ଏଣୁ ଓଡ଼ିଶା ଏହି ସରକାର ଅମଳରେ ଅଧିକ ପାଇ ନାହିଁ।
ପୁନଶ୍ଚ କେନ୍ଦ୍ର ବା ରାଜ୍ୟ ସରକାର ଯାହା ଦେଉଛନ୍ତି; କେନ୍ଦ୍ର ରାଜ୍ୟକୁ ଯାହା ଦେଉଛି ତାହା ଲୋକଙ୍କଠାରୁ ଟିକସ ବାବଦରେ ଆଦାୟ ହେଉଛି। ଏଣୁ ଟିକସଦାତାଙ୍କ ଅର୍ଥରେ ବ୍ୟୟ କରି ଶାସକ ଶ୍ରେଣୀ ସେହି ଟିକସଦାତାଙ୍କ ଅର୍ଥରେ ଅଯଥାରେ ପୁଣି କାହିଁକି ବାହାବା ନେବାପାଇଁ ପ୍ରଚାର କରୁଛନ୍ତି ? ଯିଏ ଶାସନ କରୁନା କାହିଁକି ବଜେଟ ଆକାର ନାମାଙ୍କନ ମୂଲ୍ୟରେ ବୃଦ୍ଧିପାଇବ ଏବଂ ସରକାର ବ୍ୟୟ କରିବାକୁ ବାଧ୍ୟ। କିନ୍ତୁ ଟଙ୍କାଟିଏ ବ୍ୟୟ କଲେବି କ’ଣ ପ୍ରଚାର ଆବଶ୍ୟକ ? ପୂର୍ବରୁ ଟିକସର ବୋଝ ଧନୀଙ୍କ ଉପରେ ପଢୁଥିଲାବେଳେ ବର୍ତ୍ତମାନ ବେଶି ପରୋକ୍ଷ କର ବୃଦ୍ଧି ଯୋଗୁ ଗରିବଙ୍କ ଉପରେ ପଡୁଛି। ଧନୀମାନେ ଟିକସ ଭୂସ୍ବର୍ଗରେ ତାଙ୍କ କଳା ଟଙ୍କା ରଖି ଟିକସ ଫାଙ୍କିଲାବେଳେ, ସାଧାରଣ ଲୋକ ଜିଏସ୍‌ଟି, ପେଟ୍ରୋଲିୟମ ସାମଗ୍ରୀ ଉପରେ ଅହେତୁକ ଟିକସ ଏପରିକି କଷ୍ଟାର୍ଜିତ ସଞ୍ଚୟର ସୁଧ ଓ ବୀମା ପ୍ରିମିୟମ ଉପରେ ଟିକସ ଦେବାକୁ ପଡୁଛି। ଆଜି ଗରିବ ଅବହେଳିତ ଓ ଧନୀଙ୍କ ପାଇଁ ଅମୃତବେଳା ଆସିଛି।

  • ଡ. ସନ୍ତୋଷ କୁମାର ମହାପାତ୍ର
    ମୋ:୯୪୩୭୨୦୮୭୬୨

Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ପୁରୁଣା ଆଇନର ନବୀକରଣ

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ...

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି...

ଚାରି ଦୁଆର ଓ ରତ୍ନ ଭଣ୍ଡାର

ପୁରୀ ସହର ବା ଜିଲା ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଏପରି କି ବିଦେଶରେ ରହୁଥିବା ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଶ୍ରୀମନ୍ଦିରର ଚାରି...

ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri