ଅର୍ଥ କବଳିତ ଗଣତନ୍ତ୍ର

ରବିନାରାୟଣ ସାମଲ

ଭାରତର ନିର୍ବାଚନୀ ଇତିହାସରେ ରେକର୍ଡ! ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ତେଲଙ୍ଗାନାର ମୁନୁଗୁଡ଼ୁ ବିଧାନସଭା ଆସନର ଉପନିର୍ବାଚନ। ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୪୭। ବିଭିନ୍ନ ରାଜନୈତିକ ଦଳ ମିଶି ଖର୍ଚ୍ଚ କରିଥିଲେ ପ୍ରାୟ ୬୨୭ କୋଟି ଟଙ୍କା। ସଭାରେ ଯୋଗ ଦେବାକୁ ଯାଇଥିବା ଲୋକମାନେ ପାଉଥିଲେ ଜଣକା ୩୦୦ ଟଙ୍କା ସହିତ ବିରିୟାନୀ ଆଉ ମଦ। ବଣ୍ଟା ଯାଇଥିବା ମଦର ଦାମ ହେବ ୩୦୦ କୋଟି ଟଙ୍କା। ‘ଟଙ୍କା ନାହିଁ ତ ଭୋଟ ନାହିଁ’ ଲେଖାଥିବା ପ୍ଲାକାର୍ଡ ଧରି ଲୋକମାନେ ବସି ରହୁଥିଲେ ଗଁା ରାସ୍ତାରେ। ଶତକଡ଼ା ୭୫ ଭାଗ ଭୋଟର ଜଣକା ୯ ହଜାର ଲେଖାଏଁ ଟଙ୍କା ନେଇ ଭୋଟ ଦାନ କରିଥିଲେ। ଫୋରମ୍‌ ଅଫ୍‌ ଗୁଡ୍‌ ଗଭର୍ନାନ୍ସ ନାମକ ଏକ ସଂସ୍ଥା ନିର୍ବାଚନ କମିଶନଙ୍କ ନିକଟରେ ଉକ୍ତ ତଥ୍ୟ ସମ୍ବଳିତ ଅଭିଯୋଗପତ୍ର ଦାଖଲ କରିଛି।
ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ଆର୍ଥିକ ସୀମା ଧାର୍ଯ୍ୟ କରିଛନ୍ତି। ମୁନୁଗୁଡ଼ୁର ନିର୍ବାଚନରେ ଲଢ଼ିଥିବା ୪୭ଜଣ ପ୍ରାର୍ଥୀ ଜଣକା ଯଦି୨୮ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ମୋଟ ଖର୍ଚ୍ଚ ହେବ ଅତି ବେଶିରେ୧୩ କୋଟି ଟଙ୍କା। ମାତ୍ର ଖର୍ଚ୍ଚ ହୋଇଛି ୬୨୭ କୋଟି ଟଙ୍କା। ପ୍ରାୟ ୫୦ ଗୁଣ ଅଧିକ। ଆମ ନିର୍ବାଚନ କମିଶନଙ୍କ ଆଖିରେ ତ ଅନ୍ଧପୁଟୁଳି ବନ୍ଧାଯାଇଛି। ଖର୍ଚ୍ଚ ୫୦ ଗୁଣ ଛାଡ଼ି ୧୦୦ ଗୁଣ ହେଲେ ବି ସେ କିଛି କରିପାରିବେ ନାହିଁ।
ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ର ଆକଳନ ଅନୁଯାୟୀ ୨୦୧୯ ଲୋକ ସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଦ୍ୱାରା ଖର୍ଚ୍ଚ ହୋଇଥିଲା ୬୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ପ୍ରାର୍ଥୀମାନେ ଏହାର ଶତକଡ଼ା ୪୦ ଭାଗ ଖର୍ଚ୍ଚ କରିଥିଲା ବେଳେ ରାଜନୈତିକ ଦଳମାନେ ଖର୍ଚ୍ଚ କରିଥିଲେ ଶତକଡ଼ା ୩୫ ଭାଗ। ବିପୁଳ ପରିମାଣର ଅର୍ଥ! ୧୯୫୨ ପ୍ରଥମ ସାଧାରଣ ନିର୍ବାଚନରେ ଭାଗ ନେଇଥିବା ରାଜନୈତିକ ଦଳଗୁଡ଼ିକ ଆଦୌ ଅର୍ଥ ଖର୍ଚ୍ଚ କରି ନ ଥିବା ସ୍ଥଳେ ୨୦୧୯ ସାଧାରଣ ନିର୍ବାଚନରେ ଖର୍ଚ୍ଚ କରିଛନ୍ତି ୬୦ ହଜାର କୋଟି ଟଙ୍କା! ବିଶ୍ୱର ନିର୍ବାଚନୀ ଇତିହାସରେ ସର୍ବାଧିକ! ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶାସକ ଦଳ ପର୍ଯ୍ୟାପ୍ତ ପରିମାଣରେ ଫ୍ରିବିଜ୍‌ ପ୍ରଦାନ କରିଥାଏ। ମତଦାନର ପୂର୍ବ ଦିନ ଭୋଟରଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିଯାଏ। ଏହି ଟଙ୍କା କିଏ ଦେଲା, କାହିଁକି ଦେଲା ତାହା ଭୋଟରମାନେ ଜାଣିବାର ସୁଯୋଗ ମଧ୍ୟ ନଥାଏ। ଭୋଟ ହାତେଇବାକୁ ଭୋଟରମାନଙ୍କୁ ଏପରି ଉତ୍କୋଚ ଦେବା ପ୍ରଥା ପୂର୍ବରୁ ନଥିଲା। ଏବେ ତାହା ଉତ୍କଟ ରୂପ ଧାରଣ କରିଛି।
ଏହିସବୁ ଘଟଣାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ‘ଅବାଧ ଓ ନିରପେକ୍ଷ’ ନିର୍ବାଚନ ବର୍ତ୍ତମାନ ପୋଥି ବାଇଗଣ ହୋଇ ରହିଯାଇଛି। ଅଧିକାଂଶ ଭୋଟର ସେମାନଙ୍କ ବୁଦ୍ଧି ବିଚାରକୁ ହରାଇ ଲାଞ୍ଚୁଆ ହୋଇଯାଇଛନ୍ତି। ଆଉ ଏମାନଙ୍କୁ ଲାଞ୍ଚ ଦେବାକୁ କୋଟିପତି ପ୍ରାର୍ଥୀଙ୍କ ଆବିର୍ଭାବ ଘଟିଛି। ସେମାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଶତକଡ଼ା ୮୭ ଭାଗ ପ୍ରତିନିଧି କୋଟିପତି ଥିବା କଥା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। କୋଟିପତି ନ ହେଲେ ଏ ଖର୍ଚ୍ଚବହୁଳ ନିର୍ବାଚନରେ କେହି ଜିତିବା କଷ୍ଟକର। ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦିଙ୍କ ସରକାର ନିର୍ବାଚନୀ ବଣ୍ଡ୍‌ ପ୍ରଚଳନ କରିଛନ୍ତି। ଏହି ବଣ୍ଡ୍‌ ବିକ୍ରି ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକ କର୍ପୋରେଟ୍‌ ସେକ୍ଟର୍‌ରୁ ମନଇଚ୍ଛା ଅର୍ଥ ଲାଭ କରିପାରିବେ। ଏହି ଅର୍ଥ କେଉଁଠୁ ଆସୁଛି, କିଏ ଦେଉଛି ତାହା ପ୍ରକାଶ କରା ନଯାଇ ଗୋପନ ରଖାଯିବ। ଦେଶରେ ଗଚ୍ଛିତ କଳାଧନ ରଙ୍ଗ ବଦଳାଇ ଏହି ବାଟରେ ଆସି ଭୋଟ କିଣାରେ ବିନିଯୋଗ ହୋଇ ପାରିବ। ଏପଟେ ଅର୍ଥଲାଭର ପନ୍ଥା ଅସ୍ବଚ୍ଛ ହୋଇଥିବା ସ୍ଥଳେ ସେପଟେ ନିର୍ବାଚନଟା ସ୍ବଚ୍ଛ ହେଉଛି ବୋଲି ନିର୍ବାଚନ କମିଶନ ଡିଣ୍ଡିମ ପିଟୁଛନ୍ତି।
କେବଳ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀମାନେ ଯେ ବିପୁଳ ପରିମାଣରେ ଅର୍ଥ ବ୍ୟୟ କରୁଛନ୍ତି ତାହା ନୁହେଁ, ଦଳୀୟ ଟିକେଟ ହାସଲ କରିବାକୁ ଆଶାୟୀମାନେ ମଧ୍ୟ ଦଳର କର୍ମକର୍ତ୍ତା ଓ ହାଇକମାଣ୍ଡ୍‌ଙ୍କ ପାଖରେ କୋଟି କୋଟି ଟଙ୍କା ଦାଖଲ କରୁଛନ୍ତି। ଏହି ବ୍ୟାଧି ଏବେ ଉପର ସ୍ତରରୁ ଗଡ଼ି ଗଡ଼ି ଆସି ପଞ୍ଚାୟତ ସ୍ତରରେ ପହଞ୍ଚତ୍ସାରିଛି। ଗତ ପଞ୍ଚାୟତ ନିର୍ବାଚନରେ ଏହି ଧାରା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି।
ବିଶ୍ୱର ଶାସନତନ୍ତ୍ରରେ ଗଣତାନ୍ତ୍ରିକ ବ୍ୟବସ୍ଥାଟି ସର୍ବୋତ୍ତମ ବୋଲି କୁହାଯାଏ। ମାତ୍ର ଗଣତନ୍ତ୍ର ଭିତରେ ଏହି ଧନତନ୍ତ୍ରର ଅନୁପ୍ରବେଶ ସମଗ୍ର ବ୍ୟବସ୍ଥାଟିକୁ କଳୁଷିତ କରି ପକାଇଛି। ପରିଣାମସ୍ବରୂପ ପଇସା ଯାହାର ଭୋଟ ତାହାର ବ୍ୟବସ୍ଥାଟି ପ୍ରାଧାନ୍ୟ ଲାଭ କରିଛି। ଏହାସହିତ କଳ-ବଳ-କୌଶଳ ଶାସକ ଦଳକୁ ନିର୍ବାଚନ ଜିଣିବାରେ ସାହାଯ୍ୟ କରୁଛି। ଏହାଦ୍ୱାରା ସାଧୁ ଓ ସଚ୍ଚୋଟ ବ୍ୟକ୍ତିମାନେ ନିର୍ବାଚନ ମଇଦାନରେ ହାର ମାନି ଯାଉଛନ୍ତି।
ଏଥିପାଇଁ ଆମେ ମୁଖ୍ୟତଃ ଦୁଇଟି କାରକକୁ ଦାୟୀ କରିପାରିବା। ଗୋଟିଏ ହେଉଛି ସାଧାରଣ ଭୋଟରଙ୍କ ରାଜନୈତିକ ସଚେତନତା, ଅନ୍ୟଟି ଦେଶର ଲୋକପ୍ରତିନିଧି ଆଇନ। ଯେ ପର୍ଯ୍ୟନ୍ତ ସାଧାରଣ ଜନତା ରାଜନୈତିକ ଭାବେ ସଚେତନ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଦେଶର ଗଣତନ୍ତ୍ର ଅର୍ଥ କବଳିତ ହୋଇ ରହିଥିବ। ଅନ୍ୟପକ୍ଷରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାର ପ୍ରବର୍ତ୍ତନ ହିଁ ବିପନ୍ନ ଗଣତନ୍ତ୍ରର ପୁନରୁଦ୍ଧାର କରିବାରେ ସକ୍ଷମ ହୋଇପାରିବ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri