ଏମିତି ଫ୍ରି ଆଉ କେତେଦିନ

ଇବ୍ରାର ଖାଁ

 

ଗଲା କିଛି ଦଶନ୍ଧି ହେଲା ସମାଜର ଗରିବ, ଦଳିତ, ନିଷ୍ପେଷିତ ବର୍ଗର ଲୋକମାନଙ୍କଠାରୁ ଆରମ୍ଭ କରି କୃଷକ, ଛାତ୍ର, ଭିନ୍ନକ୍ଷମ, ବୃଦ୍ଧ, ବିଧବା ପର୍ଯ୍ୟନ୍ତ ଅନେକଙ୍କୁ କେନ୍ଦ୍ର ଆଉ ରାଜ୍ୟ ସରକାରମାନଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ବାସଗୃହ, ରୋଷେଇ ଗ୍ୟାସ, ପାଇଖାନାଠାରୁ ଆରମ୍ଭ କରି ମୋବାଇଲ ଫୋନ୍‌, ଲ୍ୟାପ୍‌ଟପ୍‌, ଛତା, ଜୋତା, ପୋଷାକ, ବହିପତ୍ର, ସାଇକେଲ, ରାଶନ ଦ୍ରବ୍ୟ ଆଉ ମାସିକ ଭତ୍ତା ସହ ଅନ୍ୟାନ୍ୟ ସାମଗ୍ରୀ ଏବେ ମାଗଣାରେ ଯୋଗାଇ ଦିଆଯାଉଛି। କରୋନା ମହାମାରୀର ପ୍ରାଦୁର୍ଭାବରେ ବେରୋଜଗାର ହୋଇପଡ଼ିଥିବା ପାଖାପାଖି ଅଶୀ କୋଟି ଲୋକଙ୍କୁ କେନ୍ଦ୍ର ସରକାର ମୁଣ୍ଡପିଛା ମାସିକ ପାଞ୍ଚକିଲୋ ଚାଉଳ କିମ୍ବା ଗହମ ଆଗାମୀ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବିନା ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କୃଷକମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ତିନି କିସ୍ତିରେ ଛ’ ହଜାର ଟଙ୍କା ବର୍ଷକରେ ଯୋଗାଇ ଦେଉଥିବାବେଳେ କାଳିଆ ଯୋଜନାରେ ରାଜ୍ୟ ସରକାର ନଗଦ ଅର୍ଥରାଶି ଦେବାର ବ୍ୟବସ୍ଥା କରିଛନ୍ତି। ସମାଜରେ ସାଧାରଣ ବ୍ୟକ୍ତିର ସ୍ବାସ୍ଥ୍ୟ ଉପଚାର ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ୍‌ ଯୋଜନାରେ ହେଉ କିମ୍ବା ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଉଚ୍ଚକୋଟୀର ସ୍ବାସ୍ଥ୍ୟସେବା ଲାଗି ପ୍ରଚୁର ଅର୍ଥ ବ୍ୟବସ୍ଥାର ପ୍ରାବଧାନ କରାଯାଇଛି।
ନିର୍ବାଚନ ସମୟରେ ପ୍ରତ୍ୟେକ ରାଜନୈତିକ ଦଳର ଘୋଷଣାପତ୍ରମାନଙ୍କରେ ବିଜୁଳି ଶୁକ୍ଳ ଛାଡ଼, ଚାଷୀଙ୍କ ଋଣ ମାଫ୍‌, କଲେଜପଢ଼ୁଆ ଝିଅମାନଙ୍କୁ ସ୍କୁଟି ପ୍ରଦାନ, ମେଧା ଛାତ୍ରୀଛାତ୍ରମାନଙ୍କୁ ସ୍ମାର୍ଟ ଫୋନ୍‌, ଲ୍ୟାପ୍‌ଟପ୍‌ ବିତରଣ, ପ୍ରଥମ ଶ୍ରେଣୀରୁ ସ୍ନାତକ ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ପ୍ରଦାନ, ଯୁବବର୍ଗଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଏବଂ ଜନସାଧାରଣଙ୍କୁ ଉତ୍ତମ ଶିକ୍ଷା ଆଉ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପରି ଅନେକ ଲୋଭନୀୟ ଘୋଷଣାମାନ କରାଯାଉଥିବାର ଦେଖିବାକୁ ମିଳେ। ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ନିଜ ଜିତାପଟ ପାଇଁ ଯେପରି ବିପୁଳ ପରିମାଣର ଅର୍ଥ ଶ୍ରାଦ୍ଧ କରି ଭୋଟ ହାତେଇବାର ଉଦ୍ୟମ କରନ୍ତି, ତାହା ନିଶ୍ଚୟ ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳର ତୁଙ୍ଗ ନେତା ବ୍ୟୟବହୁଳ ଜନସଭା, ରାଲି, ରୋଡ଼ ଶୋ’ ଇତ୍ୟାଦିର ଆୟୋଜନ କରନ୍ତି। ବ୍ୟାନର, ପୋଷ୍ଟର, ବିଜ୍ଞାପନ ଏବଂ ଇଲେକ୍‌ଟ୍ରୋନିକ୍‌ ଓ ପ୍ରିଣ୍ଟ ମିଡିଆ ମାଧ୍ୟମରେ ଦଳୀୟ ପ୍ରଚାର ପ୍ରସାର ପାଇଁ ପାଣି ପରି ଅର୍ଥ ବ୍ୟୟ କରାଯିବା ସହ ଜନଗଣଙ୍କ ମୁଖ୍ୟ ପ୍ରସଙ୍ଗ ସବୁକୁ ଗୌଣ କରି ଧାର୍ମିକ ଧ୍ରୁବୀକରଣ ଏବଂ ଜାତିଗତ ସମୀକରଣକୁ ନେଇ ସମାଜରେ ବିଭେଦ ସୃଷ୍ଟି କରି ଭୋଟ ହାସଲ ପାଇଁ ହେଉଥିବା ଉଦ୍ୟମ ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ, ଏହା ଯେ କେହି ସ୍ବୀକାର କରିବେ। ଯାହାର ନଗ୍ନ ଉଦାହରଣ ଏବେ ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳେ। ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ସମଗ୍ର ଦେଶବାସୀଙ୍କ ନଜର ଏବେ ଉତ୍ତର ପ୍ରଦେଶ ନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇଛି। କାରଣ ଏହି ରାଜ୍ୟର ନିର୍ବାଚନ ଫଳାଫଳ ଜାତୀୟ ରାଜନୀତିକ ବହୁଳ ଭାବରେ ପ୍ରଭାବିତ କରିବାର ସମ୍ଭାବନା ରହିଛି।
ଦେଶରେ କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ମୂଳଲକ୍ଷ୍ୟ ହେଲା ସମାଜର ସବୁଠାରୁ ନିମ୍ନସ୍ତରରେ ବସବାସ କରୁଥିବା ଲୋକମାନଙ୍କୁ ଉପକୃତ କରାଇ ସେମାନଙ୍କୁ ଗରିବୀ ରେଖାରୁ ଉପରକୁ ଉଠାଇବା। ଯାହାଫଳରେ ସେମାନେ ସମାଜରେ ସ୍ବାଭିମାନର ସହ ନିଜ ଜୀବନ ନିର୍ବାହ କରିବାକୁ ସମର୍ଥ ହେବେ। କିନ୍ତୁ ସମାଜର ବାସ୍ତବ ସ୍ଥିତିକୁ ନିରୀକ୍ଷଣ କଲେ ଯୋଜନାଗୁଡ଼ିକର ସଫଳ ରୂପାୟନ କେତେଦୂର ସମ୍ଭବ ହୋଇପାରୁଛି ତାହାହିଁ ବିଚାର୍ଯ୍ୟ। ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ପ୍ରଶାସନିକ ସ୍ତରରେ ସାଧୁତା, ସଚ୍ଚୋଟତା ସହ କର୍ତ୍ତବ୍ୟ ପରାୟଣତାର ନିହାତି ଆବଶ୍ୟକତା ରହିଛି। ଏହା ଆମ ପ୍ରଶାସନିକ ବ୍ୟବସ୍ଥାରେ ଅଛି ତ? ଦେଖିବାକୁ ମିଳେ, ଏହିସବୁ ଯୋଜନାର ଲାଭାର୍ଥୀ ହେବା ପାଇଁ ଯେଉଁ ହିତାଧିକାରୀମାନଙ୍କୁ ଚୟନ କରାଯାଏ, ତାହା ନିଷ୍ଠାପର ଭାବରେ ସମ୍ପନ୍ନ ହୋଇ ନ ଥାଏ। କାରଣ ଅନେକ କ୍ଷେତ୍ରରେ ରାଜନୈତିକ ଚାପ ଏବଂ ଅର୍ଥ ଲୋଭ ଦ୍ୱାରା ପ୍ରଲୋଭିତ ଚୟନ କର୍ତ୍ତାମାନେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ନ ବାଛି ଅନେକ ଥିଲାବାଲା ଅଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାଗୁଡ଼ିକରେ ସଂଶ୍ଳିଷ୍ଟ କରୁଥିବାରୁ ଯୋଜନାର ଅସଲ ଉଦ୍ଦେଶ୍ୟ ବାଟବଣା ହୁଏ। ଗଁା ଗହଳିରେ ଶୁଣିବାକୁ ମିଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହେଲେ ପାଞ୍ଚରୁ ଦଶ ହଜାର ପର୍ଯ୍ୟନ୍ତ ଏବଂ ବାର୍ଦ୍ଧକ୍ୟ, ବିଧବା ଭତ୍ତା କରାଇଦେବା ପାଇଁ ହଜାରରୁ ପନ୍ଦରଶହ ପର୍ଯ୍ୟନ୍ତ ହାତଗୁଞ୍ଜା ଦେବାକୁ ପଡ଼ିଥାଏ। ସେହିପରି ପାଞ୍ଚ ବଖରା କୋଠାଘର କିମ୍ବା ଦଶ ଏକର ଭୂସମ୍ପତ୍ତିର ମାଲିକ ଥାଇ ତିନି ପୁଅଙ୍କ ନଁାରେ ତିନିଟା ଆବାସ ଯୋଜନାରେ ଘର ହାତେଇବାର ଅନେକ ଉଦାହରଣ ଦେଖିବାକୁ ମିଳେ। ଏହିସବୁ ପ୍ରିୟାପ୍ରୀତି ଦୃଷ୍ଟିରୁ ଆଜି ବି ଅନେକ ଯୋଗ୍ୟ ବ୍ୟକ୍ତି ସରକାରୀ ସହାୟତାରୁ ବଞ୍ଚତ୍ତ ହେଉଥିବା ବେଳେ ଅନେକ ଥିଲାବାଲା ଅଯୋଗ୍ୟ ପାତ୍ରମାନେ ଫାଇଦା ହାସଲ କରିବାରେ ସମର୍ଥ ହେଉଛନ୍ତି। ଏହାର ସଠିକ୍‌୍‌ ତଦନ୍ତ କରୁଛି କିଏ? ରାଜନୈତିକ ଦଳର ନେତାମାନେ ଏହିସବୁ ସମସ୍ୟା ବିଷୟରେ ସବୁ ଜାଣୁଥିଲେ ମଧ୍ୟ ଭୋଟ ରାଜନୀତି ଦୃଷ୍ଟିରୁ କିଛି ନ ଜାଣିଲା ପରି ଅଭିନୟ କରନ୍ତି।
ଦେଶରେ ରାଜନୀତି ଏବଂ ଜନସେବା ପାଇଁ ସମର୍ପିତ ନ ହୋଇ ଏକ ରକମ ବ୍ୟବସାୟରେ ପରିଣତ ହୋଇ ଯାଇଥିବାରୁ କଳେବଳେ କୌଶଳେ ଅର୍ଥ ଓ ବାହୁବଳ ପ୍ରୟୋଗ କରି ସବୁ ସରକାରୀ ସୁବିଧାକୁ ଥିଲାବାଲା ହାତେଇ ନେଉଥିବାରୁ ବିଚରା ଗରିବ ଅବହେଳିତ ଲୋକଟି ଜଳକା ପରି ଚାହିଁ ରହି ନିଜ କର୍ମକୁ ଦୋଷ ଦିଏ। ଜନସାଧାରଣଙ୍କ ଟିକସ ପଇସାର ଏକ ବଡ଼ଭାଗ ଅପାତ୍ରରେ ଦାନ ହେଉଥିବାରୁ ସ୍ବାଧୀନତାର ସତୁରି ଦଶନ୍ଧି ପରେ ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳୁ ଏବେ ବି କୋଟି କୋଟି ଲୋକ ଉପରକୁ ଉଠିବା ପାଇଁ ସମର୍ଥ ହୋଇନାହାନ୍ତି।
ଭୋଟ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ମାଗଣା ଯୋଜନାଗୁଡ଼ିକର ସମାଜ ଉପରେ ବହୁ ନକାରାତ୍ମକ ପ୍ରଭାବ ପଡୁଥିବା ପରି ମନେହୁଏ। ସରକାରଙ୍କ ଦ୍ୱାରା ମାଗଣାଖିଆ ଲାଭାର୍ଥୀମାନେ କର୍ମ ବିମୁଖ ହୋଇ ପଡୁଥିବାରୁ ସମାଜରେ କୌଳିକ ବୃତ୍ତିସବୁ ଏବେ ବୁଡ଼ିବାକୁ ବସିଲାଣି। ଆଜିର ଯୁବପିଢ଼ି ଚାକିରିକୁ ଅନିଷା କରି କାମଚୋର ବନି ଯାଉଥିବାରୁ ଦେଶ ପ୍ରଗତିର ଅଭିବୃଦ୍ଧି ହେବା ପରିବର୍ତ୍ତେ ଦୁର୍ବଳ ହେବାରେ ଲାଗିଛି କହିବା ବାହୁଲ୍ୟ ନୁହେଁ। ଜନଗଣଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାରଙ୍କ ଅନେକ ଯୋଜନା ଋଣ ଆଧାରିତ। କୁକୁଡ଼ା, ବତକ ପାଳନ, ଉନ୍ନତ କିସମର ଗାଈପାଳନ, ଛେଳି, ମେଣ୍ଢା ପାଳନ, ମତ୍ସ୍ୟଚାଷ ଏବଂ ଛୋଟ ବ୍ୟବସାୟ ଇତ୍ୟାଦି ପାଇଁ ହିତାଧିକାରୀମାନଙ୍କୁ ଋଣ ଯୋଗାଣର ବ୍ୟବସ୍ଥା ରହିଛି। ପ୍ରଶାସନିକ ସ୍ତରରେ ଏହିସବୁ ସ୍କିମ୍‌କୁ ଅନୁମୋଦନ କରି ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କକୁ ପଠାଯାଏ। ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ଦେବା ପୂର୍ବରୁ ହିତାଧିକାରୀଙ୍କ ଯୋଗ୍ୟତା, ଅଭିଜ୍ଞତା ଏବଂ ଋଣ ପରିଶୋଧ କରିବାର କ୍ଷମତା ଇତ୍ୟାଦିକୁ ବିଚାରକୁ ନେଇ ଋଣ ପ୍ରଦାନ କରନ୍ତି। କିନ୍ତୁ ଏହି ଋଣ ଗ୍ରହୀତାମାନେ ସରକାରୀ ପ୍ରୋତ୍ସାହନରେ ପାଉଥିବା ଋଣ ଅର୍ଥକୁ ସଠିକ୍‌ ବିନିଯୋଗ କରି ଆର୍ଥିକ ଦୃଷ୍ଟିକୋଣରୁ ସମୃଦ୍ଧ ହେବାର ଖୁବ୍‌ କ୍ୱଚିତ ଦୃଷ୍ଟାନ୍ତ ପରିଦୃଷ୍ଟ ହୁଏ। ବରଂ ଅଧିକାଂଶ ଋଣଗ୍ରହୀତା ଋଣ ଟଙ୍କାର ଦୁରୁପଯୋଗ କରି ଆଉ ଋଣ ଶୁଝିବା ଅବସ୍ଥାରେ ରହୁ ନ ଥିବାରୁ ବ୍ୟାଙ୍କର ମନ୍ଦଋଣ (NPA) ସମସ୍ୟା ଉତ୍କଟ ଅବସ୍ଥାକୁ ଆସିଗଲାଣି। ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ କର୍ପୋରେଟ୍‌ ଜଗତର ବଡ଼ ବଡ଼ ଉଦ୍ୟୋଗପତିମାନଙ୍କୁ ହଜାର ହଜାର କୋଟି ଟଙ୍କା ଋଣ ପ୍ରଦାନ କରନ୍ତି। କିନ୍ତୁ ସେହି ଶିଳ୍ପପତିମାନଙ୍କ ମଧ୍ୟରୁ ଅନେକ ବ୍ୟାଙ୍କ ଋଣକୁ ପରିଶୋଧ ନ କରି ଧରପଗଡ଼ ହେବା ପୂର୍ବରୁ ଦେଶ ଛାଡ଼ି ବିଦେଶକୁ ପଳାୟନ କରି ଅୟସର ଜୀବନ ଅତିବାହିତ କରିବାକୁ ସମର୍ଥ ହୁଅନ୍ତି। ଅତୀତରେ କର୍ପୋରେଟ ଜଗତର ଉଦ୍ୟୋଗପତି ମେହୁଲ ଚୌକଶି, ନୀରବ ମୋଦି, ଲଳିତ ମୋଦି ଓ ବିଜୟ ମାଲ୍ୟାଙ୍କ ପରି ଅନେକ ଶିଳ୍ପପତି ବ୍ୟାଙ୍କର ହଜାର ହଜାର କୋଟି ଋଣ ଟଙ୍କାକୁ ପରିଶୋଧ ନ କରି ଏବେ ବିଦେଶରେ ବସବାସ କରୁଛନ୍ତି। ନିକଟରେ ଗୁଜରାଟର ଏକ ପାଣି ଜାହାଜ ମରାମତି କମ୍ପାନୀର ମାଲିକ ସରକାରୀ ଏବଂ ବେସରକାରୀ ପ୍ରାୟ ୨୮ଟି ବ୍ୟାଙ୍କରୁ ୨୨,୮୦୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ଜାଲ୍‌ କାଗଜପତ୍ର ଦର୍ଶାଇ ଠକି ନେଇଥିବାର ଚାଞ୍ଚଲ୍ୟକର ଖବର ପ୍ରସାରିତ ହୋଇଛି, ଯାହାର ତଦନ୍ତ ଏବେ ଚାଲିଛି।
ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଅର୍ଥର ଆବଶ୍ୟକତା ରହିଛି। ସେହି ଅର୍ଥ ଋଣ ସୂତ୍ରେ ହେଉ ଅଥବା ସରକାରୀ ସହାୟତା ଭାବରେ ହେଉ, ଲୋକଙ୍କ ହାତକୁ ଆସି ପ୍ରକୃଷ୍ଟ ଉଦ୍ଦେଶ୍ୟରେ ବିନିଯୋଗ କରାଗଲେ ତାହା ନିଶ୍ଚୟ ଲାଭଦାୟକ ହେବ। କିନ୍ତୁ ସେହି ଅର୍ଥର ଯଦି ଦୁରୁପଯୋଗ ହୁଏ, ତେବେ ଲାଭ କଥା ଛାଡ଼ ମୂଳଜମା ବୁଡ଼ିଯିବାର ସମ୍ଭାବନା ଅଧିକ। ତେଣୁ ଏହିସବୁ ଦିଗ ପ୍ରତି ଯତ୍ନଶୀଳ ହେବା ହିତାଧିକାରୀ ପାଇଁ ଯେତିକି ଜରୁରୀ, ଅର୍ଥ ଲଗାଣକାରୀ ସଂସ୍ଥା ଉପଯୁକ୍ତ ଭାବେ ଋଣଟଙ୍କା ବିନିଯୋଗ ହେଉଛି କି ନାହିଁ ତାହା ତଦାରଖ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିଷ୍ଠା ଓ ଆନ୍ତରିକତା ସହ କର୍ତ୍ତବ୍ୟ ପରାୟଣତାର ଆବଶ୍ୟକତା ରହିଛି। ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳତା ପ୍ରକୃତ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚତ୍ପାରୁଛି କି ନାହିଁ ତାହା ପ୍ରଶାସନିକ ସ୍ତରରେ ଅନୁଧ୍ୟାନ ହେବା ଉଚିତ। ଯେଉଁ ବର୍ଗଙ୍କ ପାଇଁ ଯୋଜନାଗୁଡ଼ିକ ଅଭିପ୍ରେତ, ତାକୁ ଅନ୍ୟ କେହି ଅପହରଣ କରି ଲାଭବାନ୍‌ ହେବାର ପରିଦୃଷ୍ଟ ହେଲେ ସେ କ୍ଷେତ୍ରରେ ତୁରନ୍ତ ବିଧିବଦ୍ଧ ତଦନ୍ତ କରାଯାଇ ସେହି ନକଲି ହିତାଧିକାରୀ ବିରୋଧରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଗଲେ ଆର୍ଥିକ ଦୁର୍ଗତିକୁ ରୋକାଯାଇ ପାରିବ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ: ୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri