ମଣିଷ ହୁଅ

 

ଦ୍ୱିତୀ ଚନ୍ଦ୍ର ସାହୁ

ସମସ୍ତଙ୍କ ଉପସ୍ଥିତିରେ ସାଇଁକରି ଗାଡ଼ିଟିକୁ ଚକ୍ରାକାରରେ ଘୂରେଇଲା ଜଣେ ଯୁବକ। ଆଗ ଚକ ଟିକେ ଉପରକୁ ଉଠାଇଲା ଆଉ ଆଖିବୁଜା ବେଗରେ ନିମିଷକରେ ଉଭାନ ହୋଇଗଲା। ସମସ୍ତେ ହତମ୍ବବ ହୋଇଗଲେ। ଉପସ୍ଥିତ ବୟସ୍କ ବ୍ୟକ୍ତି ଜଣକ କହିଲେ – ‘ଗଲା ବିଗିଡି ଗଲା। ଆଉ ଏଇ ଛୁଆମାନେ ମଣିଷ ହେବେନି !’
ଦଲକାଏ ପବନରେ ଉଡ଼ି ଯାଉଥିବା ରଫ୍‌କାଗଜ ପରି ଏ କଥା ବି ମିଳେଇ ଗଲା ପବନରେ କ୍ଷଣିକ ଭିତରେ। ନିଜ ନିଜ କାର୍ଯ୍ୟରେ ଲାଗିଗଲେ ସମସ୍ତେ। ସ୍ବାଦ ଚାଖିବା ଲାଗି ସହରରେ ନୂଆକରି ଖୋଲିଥିବା ଚା ପାର୍ଲୋରରେ ବସିଥିବା ଦୁତିଆର ମଗଜରୁ ଏଇ କଥା କିନ୍ତୁ ବସା ବାନ୍ଧି ରହିଗଲା ଯେମିତି। କୋଉ କାମଟା ଠିକ୍‌ ଭାବେ କରି ନ ପାରିଲେ ମା’ ତା’ର କହିଦେବ ‘ଗଲୁରେ ବାବୁ ! ତୁ ଆଉ ମଣିଷ ହେବୁନି !’ ଦୁତିଆ ଭଲକରି ଜାଣିଥାଏ ଯଦି କେବେ କାମରେ ଖଇଚା ହୋଇଯିବ ତ ତା’ର ମା’ ସେଇ କଥା ନିଶ୍ଚିତ କହିବ। ଜୀବନତମାମ ସେଇ କଥା ତା’ ପାଇଁ ଘୋଷରା ହୋଇ ଆସିଥିଲା। ଏମିତିକି ଦୁତିଆ ଚାକିରି କରି ରୋଜଗାର କଲା। ବାହାସାହା ହୋଇ ଘରସଂସାର କଲା। ତଥାପି ତାରି ଭିତରେ ବି ମା’ ତା’ର କହିଦେଉଥିଲା ସେଇ କଥା। ଗୁରୁତ୍ୱ ଦେଇ ଆସିନି ସେଇ କଥାରେ କେବେ। ବରଂ ମିଠା ଗାଳି ଭାବେ ତାକୁ ସହଜରେ ଗ୍ରହଣ କରିଆସିଛି। କିନ୍ତୁ ତାରି ମଧ୍ୟରେ ଯେ ଅଜସ୍ର ଗୋପନେ ସାଇତା କଥା ରହିଛି ସେ କେବେ ଅନୁଭବ କରିପାରିନି। ମା’ର ଅବର୍ତ୍ତମାନରେ ଏଇ ମରମ କଥାକୁ ଅନେକ ସ୍ଥାନରେ ବହୁବାର ଶୁଣିଛି। ପ୍ରବଚକମାନେ ନିଜ ପ୍ରବଚନରେ କହିଲେଣି ତ ବୁଦ୍ଧିଜୀବୀ, ମ୍ୟାନେଜମେଣ୍ଟ ଗୁରୁ ସର୍ବୋପରି ଧାର୍ମିକ ଗୁରୁମାନେ ବି ସେଇ ଗୋଟିଏ କଥା କହିଲେଣି ‘ମଣିଷ ହୁଅ!’ କହିବାକୁ ଗଲେ ସଚରାଚର ଯେତେ ମଣିଷ ଦେଖାଯାଉଛନ୍ତି ସେମାନେ ସମ୍ଭବତଃ ମଣିଷ ହୋଇପାରି ନାହାନ୍ତି ! ମଣିଷ ପ୍ରଜାତିରେ ଜନ୍ମ ଲାଭ କରିଛନ୍ତି ଅଥଚ ଯାବତୀୟ କାମ ସବୁ ଅମଣିଷ ଭଳି କରୁଛନ୍ତି। ଆଚରଣ ଓ ଉଚ୍ଚାରଣରେ ଅନେକ ଫରକ। ମଣିଷ ଭିତରେ ଥିବା ସମ୍ବେଦନଶୀଳତା ଶେଷ ହୋଇଯାଇଛି। ବାହାର ପରିବେଶ, ପ୍ରକୃତି, ଜଳବାୟୁର କୌଣସି ପ୍ରଭାବ ତାରି ଉପରେ ପଡୁନି ଯେମିତି। ମିଳୁଛିି ସେଇ ଏକା ପ୍ରତିକ୍ରିୟା। ମଣିଷ ପ୍ରଦର୍ଶନ କରୁଛି ସମାନ ବ୍ୟବହାର। ମାନବୀୟ ଗୁଣ ସବୁ ବନ୍ଧା ପଡ଼ିଛି। ଅନ୍ୟପ୍ରତି ଦରଦ ନାହିଁ କି ସହାନୁଭୂତି ନାହିଁ। ମରିଯାଉଥିବା ମଣିଷ ପ୍ରତି ବି ତା’ର ଦୟା ନାହିଁ। ସାମ୍ନାରେ ଦେଖୁଥିବା ମଣିଷ, ଜୀବ ପ୍ରତି ଉଦ୍‌ବେଗ ନାହିଁ। ନିଜର କାମ ପାଇଁ ଉଦ୍‌ବେଳନ ନାହିଁ। ଭୁଲ କାମ ପାଇଁ ପଶ୍ଚାତ୍ତାପ ବି ମନକୁ ଛୁଉଁନି। ମାନବୀୟ ମନ୍ତ୍ରରେ ଅଭିମନ୍ତ୍ରିତ ମଣିଷ ଏବେ ଯନ୍ତ୍ରବତ୍‌ ହୋଇପଡ଼ିଛି। ନିର୍ଦ୍ଦିଷ୍ଟ କାମ ପାଇଁ ଯନ୍ତ୍ର ଯେମିତି ଅନବରତ କାମ କରିଚାଲିଛି ମଣିଷ ବି ଯନ୍ତ୍ର ତୁଲ୍ୟ ମନେ ହେଉଛି। ପିଲାଟି ଦିନରୁ ଘରେ ଘରେ ଯନ୍ତ୍ର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଉଛି। ଯାବତୀୟ ସୁଖଦୁଃଖ, ପାରିବାରିକ ଭାବାବେଗ, ସମ୍ପର୍କର ସୁନେଲି ଆବେଗଠାରୁ ନିଜର ଛୁଆକୁ ଦୂରରେ ରଖାଯାଉଛି। ଏମିତିକି ଆବଶ୍ୟକସ୍ଥଳେ ପର୍ବପର୍ବାଣି, ଜାନିଯାତ, ପାରିବାରିକ ଉତ୍ସବଠାରୁ ମଧ୍ୟ ଦୂରରେ ରଖାଯାଉଛି। ନିରବଚ୍ଛିନ୍ନ ଅଧ୍ୟୟନ ଲାଗି ତୁହାକୁ ତୁହା ପରାମର୍ଶ। ପରୀକ୍ଷା ଫଳକୁ ନେଇ ସମୀକ୍ଷା ଓ ତୁଳନା। ଆହୁରି ଉତ୍କର୍ଷ ଲାଗି ଚାପ ପ୍ରୟୋଗ। ସମୟର ସଦ୍‌ ବିନିଯୋଗ ଲାଗି ଉପଦେଶ। ପଢ଼ିବା ଲାଗି ରଖାଯାଉଛି ସବୁ କୋଳାହଳଠାରୁ ଦୂରରେ। ଏମିତିକି ଆବାସିକ ଅଧ୍ୟୟନ ଲାଗି ଅଭିଭାବକ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି। ପାରିବାରିକ ସମ୍ପର୍କଠାରୁ ଦୂରରେ ରଖାଯାଇ ଗୋଟିଏ ମାର୍ଗ ଦେଖାଇ ଦିଆଯାଉଛି ଓ ଗୋଟିଏ ଲକ୍ଷ୍ୟକୁ ପୂରଣ ପାଇଁ ଅଣନିଃଶ୍ୱାସୀ ହୋଇ ଦୌଡ଼ିବାକୁ କୁହାଯାଉଛି। ପିଲାଟି ଦୌଡୁଛି କ୍ଷୀପ୍ର ବେଗରେ। ଲମ୍ବା ରେସର ଘୋଡା ଭଳି ଲକ୍ଷ୍ୟ ପୂରଣରେ ଅଧିକାଂଶ ସଫଳ ବି ହେଉଛନ୍ତି। ପୁଳା ପୁଳା ଟଙ୍କା ଅର୍ଜିପାରୁଥିବା ବୃତ୍ତିରେ ବି ନିଜର ପିଲାଟି ନିଜକୁ ଯୋଗ୍ୟ ବିବେଚିତ କରୁଛି। କିନ୍ତୁ ମଣିଷ ହୋଇପାରୁନି। ପରିବାର ସଦସ୍ୟକୁ ଚିହ୍ନି ପାରୁନି। ସମ୍ମାନବୋଧ ଶିଖିପାରୁନି। ଅବଶେଷରେ ମଣିଷ ହିସାବରେ ଅନ୍ୟ ମଣିଷ ପ୍ରତି କିଭଳି ଆଚରଣ ପ୍ରଦର୍ଶନ କରିବା ଉଚିତ ସେହି ସାମାନ୍ୟତମ ମୂଲ୍ୟବୋଧକୁ ବି ହାସଲ କରିପାରୁନି। ଯାବତୀୟ ପ୍ରାଚୁର୍ଯ୍ୟ ଭିତରେ ରହି ବି ପୁଅମାନେ ପରବର୍ତ୍ତୀ ଜୀବନରେ ନିଜ ମାତାପିତାଙ୍କ ପାଇଁ ଭଲ ପୁଅ ହୋଇପାରୁ ନାହାନ୍ତି କି ନିଜ ଛୁଆମାନଙ୍କ ପାଇଁ ଭଲ ବାପା ହୋଇପାରୁ ନାହାନ୍ତି। ଆଉ ଘରକରଣାଠାରୁ ଦୂରରେ ରହି ଆସିଥିବା ଝିଅମାନେ ନିଜକୁ ମନ ଜିଣିବା ମା’ଟିଏ ଭାବେ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି। ଆଉ ଏଭଳି ମାଆବାପାଙ୍କଠାରୁ ଜନ୍ମିତ ଛୁଆ ପାଖରେ ସବୁ ସୁଖ ଓ ସରଞ୍ଜାମ ରହୁଛି। ଅଥଚ ଯାହା ରହିବା କଥା, ସେତକ ଗୁଣ ରହିପାରୁନି। ମଣିଷ ଯେମିତି ବେଳକୁ ବେଳ ନିର୍ବୋଧ ପାଲଟିଯାଉଛି। ନିଜର ଜ୍ଞାନେନ୍ଦ୍ରିୟକୁ ଇଚ୍ଛା ମୁତାବକ ବ୍ୟବହାର କରିପାରୁଛି ସତ, ଅଥଚ ମନ, ବୁଦ୍ଧି, ଚିତ୍ତ ଓ ଅହଂକାର ରୂପୀ ଅନ୍ତଃକରଣକୁ ମଣିଷ ସମ୍ଭବତଃ ଠିକ୍‌ ଭାବେ ପରିଚାଳନା କରିପାରୁନାହିଁ। ସେଥିପାଇଁ ସମ୍ଭବତଃ ସବୁଠି ସମସ୍ତେ ଗୋଟିଏ ପରାମର୍ଶ ଦେଇ ଚାଲିଛନ୍ତି ‘ମଣିଷ ହୁଅ !’ ଚା’ ସହ ଚର୍ଚ୍ଚାରେ ବିଭୋର କେହି ଜଣେ ଅନ୍ୟମନସ୍କ ହୋଇ ଛାଡିଯାଇଥିବା ଟଙ୍କା ଭର୍ତ୍ତି ପର୍ସକୁ ପାଇଲା ଦୁତିଆ। ନିକଟରେ ବସିଥିବା ବନ୍ଧୁ ଫେରେଇବାକୁୁ ବାରଣ କଲେ। ଦୁତିଆ କିନ୍ତୁ ପର୍ସରୁ ନମ୍ବର ପାଇ ନିଜ ମୋବାଇଲରୁ ଭଦ୍ର ବ୍ୟକ୍ତିଙ୍କୁ କଲ୍‌ କରିବାକୁ ଲାଗିଲା। ନିଜ ଭିତରେ ଆତ୍ମବୋଧ ହେଉଥିଲା ମା’ର ସେଇ କଥା – ‘ତୁ ଆଉ ମଣିଷ ହେବୁନି !’
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri