୮ ବର୍ଷରେ ମଲେଣି ୮ହାତୀ

ସୋନପୁର,୯ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ହାତୀଙ୍କ ଆବାସସ୍ଥଳୀ ଅସୁରକ୍ଷିତ ହୋଇପଡିଛି। କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ହାତୀଙ୍କୁ ସୁରକ୍ଷା ଦିଆ ଯାଇପାରୁନି। ବିଦ୍ୟୁତ୍‌ ଆଘାତରେ ପ୍ରାୟତଃ ଅଧିକାଂଶ ହାତୀଙ୍କ ଜୀବନ ଯାଉଛି। ଗତ ୮ ବର୍ଷ ମଧ୍ୟରେ ଜିଲାରେ ୮ ହାତୀଙ୍କ ମୃତ୍ୟୁ ହୋଇଛି। ସେହି ଅନୁପାତରେ ସାଧାରଣ ଲୋକଙ୍କ ଜୀବନହାନୀ ମଧ୍ୟ ଘଟିଛି। ବଣୁଆ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବା ପାଇଁ ସରକାରଙ୍କ ପକ୍ଷରୁ ଏଲିଫ୍ୟାଣ୍ଟ ଟ୍ରାକିଂ ବ୍ୟବସ୍ଥା କରାଯାଇଛି। କିନ୍ତୁ ଜିଲାରେ ହାତୀ ମୃତ୍ୟୁ ହାର ଉଦ୍‌ବେଗଜନକ ରହିଛି। ବର୍ତ୍ତମାନ ଜିଲାରେ ଗଜରାଜଙ୍କ ଜୀବନ ସଙ୍କଟରେ ରହିଛି। ଗୋଟିଏ ପଟେ ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ ଖନନ, ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏଲିଫ୍ୟାଣ୍ଟ ସ୍କ୍ବାଡ ଗଠନ କରାଯାଇଛି। କର୍ମଚାରୀଙ୍କୁ ନିୟାଜିତ ହୋଇଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁ ସେଭଳି ଯୋଜନା କେବଳ କାଗଜପତ୍ରରେ ସୀମିତ ରହିଛି। ଏଲିଫ୍ୟାଣ୍ଟ ସ୍କ୍ବାଡର କର୍ମଚାରୀଙ୍କୁ ଜଙ୍ଗଲରେ ନିୟୋଜିତ କରା ନ ଯାଇ ଅଫିସ, ଅଧିକାରୀଙ୍କ ବାସଭବନ ଓ ବଗିଚା କାମରେ ଲଗାଯାଉଛି। ପଳରେ ହାତୀପଲ ଗାଁ ମୁହାଁ ହୋଇ ଶତାଧିକ ଏକର ଜମିରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଜିଲାର ବାରପାହାଡ ଓ ଉଲୁଣ୍ଡା ଜଙ୍ଗଲଟି ହାତୀମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସମ୍ବଲପୁର ଜିଲାର ରେଢାଖୋଲ ଓ ବଲାଙ୍ଗୀର ଜିଲାର ଲୋଇସିଂହା ଜଙ୍ଗଲ ଦେଇ ହାତୀମାନେ ଏଠାକୁ ଆସି ମାସ ମାସ ଧରି ରହିଥାନ୍ତି।
ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଓ ପାଣିର ସୁବିଧା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ହାତୀଙ୍କ ଖାଦ୍ୟର ସୁବିଧା ପାଇଁ ସୋନପୁର ଫରେଷ୍ଟ ରେଞ୍ଜ ପକ୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଶଙ୍ଖଚୋଳ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲର ରାସ୍ତାକଡରେ ହାତୀଙ୍କ ପାଇଁ ୧୦ହେକ୍ଟର ଜମିରେ ହାତୀ ଖାଦ୍ୟ ଚାରାରୋପଣ ପ୍ରକଳ୍ପ ସୃଷ୍ଟି କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ହାତୀପଲ ଖାଦ୍ୟ ଅନ୍ବେଷଣରେ ଆଉ ଜନବସତି ମଧ୍ୟକୁ ନଯାଇ ଜଙ୍ଗଲରେ ଆବଶ୍ୟକ ଖାଦ୍ୟ ସୁବିଧାରେ ପାଇପାରିବେ। ଫଳରେ ହାତୀମାନେ ଖାଦ୍ୟ ଭାବରେ ଗ୍ରହଣ କରୁଥିବା ଶିଶୁ, ବାଉଁଶ, ଗମ୍ଭାରୀ, ଅଁଳା, ଖଇର ଓ ବର ଆଦି କିସମର ୧୬ ହଜାର ଚାରା ରୋପଣ କରାଯାଇଥିଲା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବର୍ତ୍ତମାନ ଏହି ପ୍ରକଳ୍ପ କେବଳ ଫଳକରେ ସୀମିତ ରହିଛି।
ଜିଲାର ୪ଟି ବନକ୍ଷେତ୍ରାଞ୍ଚଳରେ ୧୫ଟି ଏଲିଫ୍ୟାଣ୍ଟ ସ୍କ୍ବାଡ ଅଛନ୍ତି । ସେହିପରି ଏକାଧିକ ଏଲିଫ୍ୟାଣ୍ଟ ଟ୍ରାକର ଦଳ ରହିଛନ୍ତି। ଏହା ସତ୍ତ୍ୱେ ହାତୀ ମୃତ୍ୟୁକୁ ରୋକା ଯାଇପାରୁନି। ଗତ ଅପ୍ରେଲ ୧୧ ତାରିଖ ଭୋର ସମୟରେ ବିନିକା ରେଞ୍ଜ ବାରଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ୨୦୧୫ନଭେମ୍ବର ୨୨ରେ ସୋନପୁର ରେଞ୍ଜ ଅନ୍ତର୍ଗତ ତରଭା ବ୍ଲକ ଚିଠିପାଲି ସଂରକ୍ଷିତ ଜଙ୍ଗଲରେ ୨ଟି ମାଇ ହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରିଥିଲେ। ୨୦୧୯ ନଭେମ୍ବର ୧୯ରେ ଉଲୁଣ୍ଡା ରେଞ୍ଜର ସାରସଦାଦର ଜଙ୍ଗଲରେ ବାର୍‌ହା ଫାଶରେ ପଡି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାର ମାତ୍ର ୨୦ ଦିନ ପରେ ୨୦୧୯ ଡିସେମ୍ବର ୭ରେ ଉଲୁଣ୍ଡା ରେଞ୍ଜ ପଞ୍ଚମହଲା ପଞ୍ଚାୟତର ବାଘପାଲିଠାରେ ମହାନଦୀ ପାରି ହେବା ସମୟରେ ଏକ ହାତୀ ଶାବକ ପାଣିରେ ବୁଡି ମୃତ୍ୟୁବରଣ କରିଥିଲା। ଏହି ଘଟଣାର ୪ ଦିନ ପରେ ବାରପାହାଡ ସଂରକ୍ଷିତ ଜଙ୍ଗଲର ଡୁମେରଖୋଲରୁ ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ୨୦୨୧ ଡିସେମ୍ବର ୪ ତାରିଖରେ ବାରପାହାଡ ନିକଟ ବସଲାଟରେ ଏକ ପ୍ରାପ୍ତ ବୟସ୍କା ମାଈହାତୀ ମୃତ୍ୟୁ ବରଣ କରିଥିଲା। ଗତ ୨୦୨୨ ମାର୍ଚ୍ଚ ୨୩ ତାରିଖରେ ସୋନପୁର ରେଞ୍ଜ ବାଜିଖୋଲ ନିକଟସ୍ଥ ପଡିଆରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ୨୦୧୫ରେ ୨ଟି, ୨୦୧୯ରେ ୩ଟି, ୨୦୨୧, ୨୦୨୨ ଓ ୨୦୨୩ରେ ଗୋଟିଏ ଲେଖାଏ ହାତୀ ମୃତ୍ୟୁବରଣ କରିଥିବା ଜଣାଯାଇଛି । ତେଣୁ ଜଙ୍ଗଲରେ ହାତୀଙ୍କ ପାଇଁ ପ୍ରାକୃତିକ ଆବାସ ସୃଷ୍ଟି କରିବା ଓ ସୁରକ୍ଷା ପ୍ରଦାନ ପାଇଁ ବନ ବିଭାଗ ପଦକ୍ଷେପ ନେବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?