ବୈଶିଙ୍ଗା,୨୫।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଭରି ରହିଥିବା ପାଇଖାନା ଟାଙ୍କିରେ ପଡି ଗୁରୁବାର ସନ୍ଧ୍ୟାରେ ଜଣେ ୬ ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି। ଏଭଳି ହୃଦୟବିଦାରକ ଘଟଣା ଘଟିଛି ନଡ଼ପୁର ଡାକ୍ତରଖାନା ପରିସରରେ । ମୃତ ଶିଶୁ ନୂଆଗାଁର ଲକ୍ଷ୍ମୀଧର ବିନ୍ଧାଣିଙ୍କ ପୁଅ ଅର୍ଜୁନ ବିନ୍ଧାଣି।
ମିଳିଥିବା ସୂଚନା ଅନୁସାରେ, ଅର୍ଜୁନଙ୍କ ମା’ ଅଞ୍ଜଳି ଡାକ୍ତରଖାନା ପରିସରରେ ନିର୍ମାଣାଧୀନ କୋଠାରେ ଶ୍ରମିକ ଭାବେ କାମ କରୁଥିଲେ। ଗୁରୁବାର ସେ କାମକୁ ଯାଇଥିବା ସମୟରେ ଅର୍ଜୁନ ମଧ୍ୟ ତାଙ୍କ ସହ ଡାକ୍ତରଖାନା ପରିସରକୁ ଆସିଥିଲେ। ଏହି ସମୟରେ ଅର୍ଜୁନ ଖେଳୁଥିବା ବେଳେ ନିର୍ମାଣାଧୀନ ପାଇଖାନା ଟାଙ୍କି ନିକଟକୁ ଚାଲି ଯାଇଥିଲେ। ବର୍ଷାପାଣିରେ ଟାଙ୍କିଟି ଦେଖା ଯାଉ ନଥିବାରୁ ଅଘଟଣ ଘଟିଥିବା ଜଣାପଡ଼ିଛି। ପୁଅକୁ ନପାଇ ମା’ ଓ ଅନ୍ୟମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ପରେ ଟାଙ୍କି ଭିତରେ ଥିବା ସନ୍ଦେହ ହେବାରୁ ଖୋଜାଖୋଜି କରି ରାତି ପ୍ରାୟ ସାଢ଼େ ୮ଟା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବେତନଟୀ ଡାକ୍ତରଖାନାକୁ ନିଆଯାଇଥିଲା।
ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ନିର୍ମାଣାଧୀନ ଟାଙ୍କିଟିକୁ ଆବଦ୍ଧ କରିବା ପାଇଁ ପୂର୍ବରୁ ଠିକାଦାର ଓ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗ୍ରାମବାସୀ କହିଥିଲେ। ତଥାପି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଜଣେ ନିରୀହ ଶିଶୁର ଜୀବନ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବେତନଟୀ ଡାକ୍ତରଖାନା ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଛି।

