
ଲାଞ୍ଜିଗଡ଼, ୧୧/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା I କାନ୍ଦୁଲ ଗୁଡିଆ (ଚାଷ କରିଥିବା ଭଟା ଜମି) ଚାଷ ଜମିରେ ତିଆରି କରିଥିବା ପାଳ କୁଡ଼ିଆରେ ନିଆଁଲାଗି ୨ ଜଣ ନିଷ୍ପାପ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି I ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନାନୁସାରେ ତାଳବୋରା ଗାଁର ବଡ଼ ବିଶି ମାଝୀ ଓ ସୁଶାରୀ ମାଝୀଙ୍କ ୫ ବର୍ଷର ପୁଅ ଓ ୪ ବର୍ଷର ଝିଅ ମଙ୍ଗଳବାର ସକାଳେ ସେମାନଙ୍କ କାନ୍ଦୁଲ ଗୁଡ଼ିଆରେ ତିଆରି ହୋଇଥିବା ପାଳ କୁଡ଼ିଆରେ ବସି ଖେଳୁଥିଲେ I ଦୁଇଜଣ ଛୁଆଙ୍କୁ ଅସ୍ଥାୟୀ ପାଳ କୁଡ଼ିଆରେ ବସାଇ ପାଖ ଜଙ୍ଗଲରେ କାଠ ସଂଗ୍ରହ କରୁଥିଲେ ମାଆ ସୁଶାରୀ ମାଝୀ I କିଛି ସମୟ ପରେ ଫେରି ଦେଖୁବାବେଳକୁ ପାଳ ତିଆରି ଅସ୍ଥାୟୀ କୁଡିଆରେ ନିଆଁ ଲାଗି ଜଳିଯିବା ସହିତ ସେଠାରେ ଖେଳୁଥିବା ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କ ଚିତ୍କାର ଶୁଣି ସୁଶାରୀ ଆସିବା ବେଳକୁ ସବୁକିଛି ସରି ସାରିଥିଲା । ଦୁଇଶିଶୁଙ୍କ ମୃତ୍ୟୁ ପରେ ଦୁଃଖିନୀ ମାଆର କୋଳଶୂନ୍ୟ ହୋଇଯାଇଥିବା ବେଳେ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡିଛି । ପୁଅଝିଅଙ୍କ ମୃତ୍ୟୁରେ ସ୍ବାମୀ-ସ୍ତ୍ରୀ ଭାଙ୍ଗି ପଡିଥିବା ବେଳେ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ମୃତଦେହ ସଂସ୍କାର କରିଥିବା ଜଣାପଡିଛି। ତେବେ ସରକାରୀ ନିୟମକାନୁନ ବିଷୟରେ ଅଜ୍ଞ ଥିବାହେତୁ ପୋଲିସ ପ୍ରଶାସନକୁ ସେମାନେ ସୂଚନା ଦେଇନାହାନ୍ତି । ଅପରପକ୍ଷରେ ଦୁଇ ନିଷ୍ପାପ ଶିଶୁଙ୍କୁ ହରାଇ ବାପ-ମାଆଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।