ତଥାପି ସକ୍ଷମ : ଦୃଢ଼ ମନୋବଳ ବାଟ ଦେଖାଇଛି

ଦିବ୍ୟାଙ୍ଗ ହେଲେ ମଧ୍ୟ ଏମାନେ ଅନ୍ୟମାନଙ୍କଠାରୁ କମ୍‌ ନୁହନ୍ତି। ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇ ଚାଲିଛନ୍ତି । ଚଳିତ ମାସ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଅନ୍ୟପାଇଁ ପ୍ରେରଣା ସାଜିଥିବା କେତେଜଣ ଦିବ୍ୟାଙ୍ଗ ମହିଳାଙ୍କୁ ନେଇ ଉପସ୍ଥାପନା… 

ଦୃଢ଼ ମନୋବଳ ମୋତେ ବାଟ ଦେଖାଇଛି : ଅଙ୍ଗୁରବାଳା ରଥ
”ମୁଁ ଜନ୍ମ ନେବାର ମାତ୍ର ୧୦ ମାସ ହୋଇଥାଏ। ଭାଗ୍ୟର ବିଡ଼ମ୍ବନା। ହଠାତ୍‌ ମୋର ଡାହାଣ ହାତ ଏବଂ ବାମଗୋଡ଼ ପୋଲିଓଗ୍ରସ୍ତ ହେଲା। ତା’ପରେ ସତେ ଯେମିତି ଆମ ପରିବାର ଉପରେ ଆକାଶ ଛିଣ୍ଡି ପଡ଼ିଲା। ଏତେ ଛୋଟ ବେଳୁ ମୋ ଦାୟିତ୍ୱ ତୁଲାଇବାକୁ ମା’ବାପା ଆଦୌ ଅବହେଳା କରି ନ ଥିଲେ। ଯେତେବେଳେ ମୁଁ ସବୁକଥା ଜାଣିଲି ଏବଂ ମୋର ବୟସ ବଢ଼ିଗଲା ସେତେବେଳଠାରୁ ନିଜ କାମ ନିଜେ କରିବାକୁ ଚେଷ୍ଟାକଲି। ଏବେ ନିଜେ ରୋଜଗାର କରିପାରୁଛି। ପରିବାର ଦାୟିତ୍ୱ ନିଜେ ତୁଲାଉଛି“ ବୋଲି କହନ୍ତି ଯାଜପୁରରୋଡ୍‌ ଉମାପଦା ଗ୍ରାମର ଅଙ୍ଗୁରବାଳା ରଥ। ବାପା ଗୋଲଖ ବିହାରୀ ରଥ ଓ ମାଆ ସ୍ନେହଲତା ରଥଙ୍କର ବଡ଼ ଝିଅ ସେ। ପରିବାରରେ ୮ ଭାଇ ଭଉଣୀ। ସେତେବେଳେ ତାଙ୍କ ବାପା ପ୍ରାଇମେରି ଟିଚର ଥିଲେ। ଦରମା କମ୍‌ ପାଉଥିଲେ ବି ବାଧାବିଘ୍ନକୁ ସାମ୍‌ନା କରି ତାଙ୍କ ବାପା ପରିବାରଟିକୁ ଚଳାଇନେଉଥିଲେ। ଅଙ୍ଗୁରବାଳା ମାଟ୍ରିକ୍‌ ଆଉ ସି.ଟି. ପାସ୍‌ କଲା ପରେ ପ୍ରଥମେ ହଳଦୀଗଡ଼ିଆ ମଦନମୋହନ ନୋଡାଲ ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ସେ ଏବେ ଚୂନଭାଟି ପ୍ରୋଜେକ୍ଟ ପ୍ରାଇମେରି ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ୧୫ ବର୍ଷର ଶିକ୍ଷକତା ଜୀବନର ସୁଖଦୁଃଖ ଭରା ସ୍ମୃତିକୁ ନିଜ ମନ ଭିତରେ ସାଇତି ରଖିଛନ୍ତି ଅଙ୍ଗୁରବାଳା। ଏହି ଶାରୀରିକ ଭିନ୍ନକ୍ଷମତା ତାଙ୍କ ପାଇଁ କେବେ ସମସ୍ୟା ହୋଇ ଠିଆହୋଇନାହିଁ। ଏପରି କି ନିଜ ନିତ୍ୟକର୍ମ ପାଇଁ ସେ କାହା ଉପରେ ନିର୍ଭର କରନ୍ତିନି। ମନରେ ଅଦମ୍ୟ ସାହସ। ଦୃଢ଼ ମନୋବଳ ତାଙ୍କୁ ଆଜି ଏତେ ବାଟ ଆଗେଇିନେଇଛି ବୋଲି କହନ୍ତି ସେ। କେବଳ ସେତିକି ନୁହେଁ, ଅବସର ସମୟରେ ସିଲେଇ କାମରେ ନିଜକୁ ନିୟୋଜିତ ରଖନ୍ତି ସେ। ସମୟ ସହ ତାଳଦେଇ ବୟସ ବଢ଼ୁଛି। ହେଲେ ଜଣେ କର୍ମଜୀବୀ ଭାବରେ ନିଜ ଜୀବନ ରଥକୁ ସେ ଖୁସିର ସହ ଆଗେଇନେଇ ଚାଲୁଛନ୍ତି।
ଆର୍ଥିକ ପରିସ୍ଥିତି ସୁଧାରି ପାରିଛି : ଚନ୍ଦ୍ରକାନ୍ତି ସାନ୍ଧ
ପରିବାରର ଆର୍ଥିକ ପରିସ୍ଥିତି ପ୍ରତି ମୁହୂର୍ତ୍ତରେ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିଲେ ସତ, କିନ୍ତୁ ପରିବାର ଉପରେ ବୋଝ ହୋଇ ରହିବାକୁ ସେ ଚାହିଁ ନ ଥିଲେ। ପିଲାଟି ବେଳୁ କିପରି ନିଜ ଗୋଡ଼ରେ ନିଜେ ଠିଆହେବେ ସେ ନେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଥିଲେ। ସେ ହେଲେ ବରଗଡ଼ ଜିଲା ସରସରା ପଞ୍ଚାୟତ ତେଲେନ୍‌ଟିକ୍ରା ଗ୍ରାମର ଚନ୍ଦ୍ରକାନ୍ତି ସାନ୍ଧ। ଘରେ ୨ ଭାଇ ଓ ୨ ଭଉଣୀ। ବରଗଡ଼ ଓମେନ୍ସ କଲେଜରୁ ବ୍ରେଲି ଅକ୍ଷରରେ ପାଠ ପଢ଼ି ସେ ଓଡ଼ିଆ ଅନର୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତା’ପରେ ମନରେ ଶିକ୍ଷକତାର ସ୍ବପ୍ନ ଉଙ୍କି ମାରିଥିଲା। ବଲାଙ୍ଗୀର ଏସ୍‌ଟି ସ୍କୁଲରୁ ସି.ଟି. ପାସ୍‌ କରିବା ପରେ ଆରମ୍ଭ ହୋଇଥିଲା ତାଙ୍କର ଶିକ୍ଷକତା ଜୀବନ। ବର୍ତ୍ତମାନ ସେ ସ୍ଥାନୀୟ ତେଲେନ୍‌ଟିକ୍ରା ପ୍ରାଇମେରି ସ୍କୁଲରେ ଶିକ୍ଷକତା କରୁଛନ୍ତି। ସାତବର୍ଷର ଶିକ୍ଷକତା ଜୀବନରେ ବାପା ଟେଙ୍ଗୁନୁ ସାନ୍ଧ ଓ ମାଆ ସାବିତ୍ରୀ ସାନ୍ଧଙ୍କ ସହଯୋଗ ବେଶ୍‌ ରହିଛି ବୋଲି କୁହନ୍ତି ସେ। ଘରଠାରୁ ୧ କି.ମି. ଦୂର ସ୍କୁଲରେ ପହଞ୍ଚିବାରେ ପିଲାମାନଙ୍କ ସହଯୋଗକୁ ପ୍ରଶଂସା କରନ୍ତି ଚନ୍ଦ୍ରକାନ୍ତି।
ପରିଶ୍ରମର ମୂଲ୍ୟ ମିଳିଛି : ସୁପ୍ରିୟା ପାତ୍ର
ସୁପ୍ରିୟା ପାତ୍ର। ଘର ପୁରୀ ଜିଲା ନିମାପଡ଼ା ବ୍ଲକ ଅଣ୍ଢିଆ ସାହିରେ। ବାପା ସ୍ବର୍ଗତ ସୁରେନ୍ଦ୍ରନାଥ ପାତ୍ର ଓ ମାଆ ଜ୍ୟୋତିବାଳା ପାତ୍ର। ପରିବାରରେ ୪ ଭଉଣୀ। ଜଣେ ଭଉଣୀଙ୍କୁ ଛାଡ଼ିଦେଲେ ବାପାମାଆଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଭିନ୍ନକ୍ଷମ। ଜନ୍ମରୁ ପାର୍ସିଆଲି ସାଇଟେଡ୍‌ ବ୍ଲାଇଣ୍ଡ ସୁପ୍ରିୟା ନିମାପଡ଼ା କଲେଜରୁ ଓଡ଼ିଆ ଅନର୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୨୦୦୨ରେ ଯାଜପୁର ଜିଲା ବରୀ ବ୍ଲକ ମାଟିଆପଡ଼ା ଗ୍ରାମର ସଞ୍ଜୀବ କୁମାର ଜେନାଙ୍କୁ ପ୍ରେମ ବିବାହ କଲେ। ପୁଣି ଏମିତି ସଂଯୋଗ ଯେ ସ୍ବାମୀ ସଞ୍ଜୀବ ମଧ୍ୟ ତାଙ୍କର ଦୁଇ ଆଖି ହରାଇ ସାରିଛନ୍ତି। ଏବେ କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ପାଖରେ ଉଭୟ ସ୍ବାମୀସ୍ତ୍ରୀ ଘରଭଡ଼ା ନେଇ ରହୁଛନ୍ତି। ଦୁହେଁ ପାଉଛନ୍ତି ଭିନ୍ନକ୍ଷମ ଭତ୍ତା। ସଞ୍ଜୀବ ପେସାରେ ଜଣେ ଆଷ୍ଟ୍ରୋଲୋଜର। ଆଉ ଏଥିପାଇଁ ସମସ୍ତ ଶ୍ରେୟ ସେ ଦିଅନ୍ତି ସୁପ୍ରିୟାଙ୍କୁ। ସୁପ୍ରିୟା ବହୁ କଷ୍ଟରେ ଜାତକ ପଢ଼ି ଶୁଣାନ୍ତି ସ୍ବାମୀଙ୍କୁ। ଆଉ ଏହାକୁ ଶୁଣି ଭବିଷ୍ୟବାଣୀ ଦିଅନ୍ତି ସଞ୍ଜୀବ। ବିବାହ ପରେ ଆର୍ଥିକ ପରିସ୍ଥିତିକୁ ସୁଧାରିବାକୁ ଉଭୟ ସ୍ବାମୀ-ସ୍ତ୍ରୀ ମିଶି ବ୍ୟବସାୟ କରିବା ପାଇଁ ଜ୍ୟୋତିଷଶାସ୍ତ୍ର ଲାଇନ୍‌କୁ ପେସା କରିବାକୁ ନିଷ୍ପତ୍ତି ନେଲେ। ଓଡ଼ିଶା ଏବଂ ଓଡ଼ିଶା ବାହାରର ଲୋକଙ୍କୁ ବି ଫୋନ୍‌ ଯୋଗେ ଭବିଷ୍ୟବାଣୀ ଦେଇ ଉଭୟ ବେଶ୍‌ କିଛି ରୋଜଗାର କରିପାରୁଛନ୍ତି। ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳୁଛି ଆଉ ଏଥିପାଇଁ ସେମାନେ ଖୁବ୍‌ ଖୁସି ବୋଲି କୁହନ୍ତି ସୁପ୍ରିୟା।
ଦିବ୍ୟାଙ୍ଗ ବୋଲି  କେବେ ଭାବିନି : ଜ୍ୟୋତ୍ସ୍ନାରାଣୀ ନାୟକ
ଦିବ୍ୟାଙ୍ଗ ହେଲେ ମଧ୍ୟ ସେ କେବେ ହାର୍‌ ମାନିନାହାନ୍ତି। ପିଲାବେଳୁ ନିଜ ଗୋଡ଼ରେ କିପରି ନିଜେ ଛିଡ଼ାହେବେ ସେ ନେଇ ନିଜକୁ ପ୍ରସ୍ତୁତ କରିସାରିଥିଲେ। ଆଉ ତାଙ୍କର ଏହି ନିଶା ଆଜି ତାଙ୍କୁ ସ୍ବାବଲମ୍ବୀ କରାଇପାରିଛି। ଜନ୍ମରୁ ତାଙ୍କର ମେରୁଦଣ୍ଡ (ସ୍ପାଇନାଲ୍‌ କଡ୍‌)ରେ ସମସ୍ୟା ରହିଛି। କିନ୍ତୁ ନିଜକୁ କେବେ ଦିବ୍ୟାଙ୍ଗ ବୋଲି ଭାବନ୍ତିନି ସେ। ସେ ହେଲେ ଜଗତ୍‌ସିଂହପୁର ଜିଲା ଏରସମା ବ୍ଳକ୍‌ ଗୋଡ଼ା ଗ୍ରାମର ଜ୍ୟୋତ୍ସ୍ନାରାଣୀ ନାୟକ। ବାପା ଶତ୍ରୁଘ୍ନ ନାୟକ ଓ ମାଆ ସ୍ବର୍ଗତ ସଜନୀ ନାୟକ। ୪ ଭଉଣୀ ୨ ଭାଇରେ ତାଙ୍କ ପରିବାର। ବାପାମାଆଙ୍କର ସାନ ଝିଅ ସେ। ରେଭେନ୍‌ଶା କଲେଜରୁ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ ସାରି ବାଣୀବିହାରରେ ଲାଇବ୍ରେରି ଆଣ୍ଡ୍‌ ଇନ୍‌ଫର୍ମେଶନ ସାଇନ୍ସରେ ପିଜି କଲେ। ଏବେ ତିର୍ତ୍ତୋଲ ବ୍ଲକରେ ଏନ୍‌ଆର୍‌ଏଲ୍‌ଏମ୍‌ (ଜାତୀୟ ଗ୍ରାମୀଣ ଜୀବିକା ମିଶନ)ରେ କାର୍ଯ୍ୟରତ। ଏହା ପୂର୍ବରୁ ଓ୍ବାଲର୍‌ଡ ବ୍ୟାଙ୍କ୍‌ ପ୍ରୋଜେକ୍ଟରେ ୫ ବର୍ଷ ଧରି କାମ କରିଥିଲେ।
ନିଜ ଖର୍ଚ୍ଚ ନିଜେ ଉଠାଉଛି : ପ୍ରଣତି ସାହୁ
ଛୋଟ ବେଳୁ ତାଙ୍କର ନିଶା ଥିଲା ବଡ଼ ହେଲେ ଚାକିରି କରିବେ। ବର୍ତ୍ତମାନ ସମୟରେ ପ୍ରତିଟି ମହିଳା ଆତ୍ମନିର୍ଭରଶୀଳ ହେବା ଜରୁରୀ ବୋଲି କୁହନ୍ତି ସେ। ଜନ୍ମ ହେବାର ୩ ବର୍ଷ ପରେ ତାଙ୍କ ବାମ ଗୋଡ଼ ପୋଲିଓରେ ଆକ୍ରାନ୍ତ ହେଲା। କିନ୍ତୁ ଏଥିରେ ସେ ଭାଙ୍ଗି ପଡ଼ି ନ ଥିଲେ। ବରଂ ତାଙ୍କର ଲକ୍ଷ୍ୟପଥରେ ଆଗେଇ ଚାଲିଲେ। ସେ ହେଲେ କେନ୍ଦ୍ରାପଡ଼ା ଜିଲା ପାଟକୁରା ବ୍ଲକ ସିଂହାଳ ଭଗବାନପୁରର ପ୍ରଣତି ସାହୁ। ବାପା ସ୍ବର୍ଗତ ଶରତ ଚନ୍ଦ୍ର ସ୍ବାଇଁ ଓ ମାଆ ସ୍ବର୍ଗତ ଶାନ୍ତିଲତା ସ୍ବାଇଁ। ପରିବାରରେ ୨ ଭାଇ ଓ ୨ ଭଉଣୀ। ପ୍ରଣତି ପାଟକୁରାସ୍ଥିତ କୋରୁଅ ଓମେନ୍ସ କଲେଜରୁ ଯୁକ୍ତ ତିନି ପାସ୍‌ କଲେ। ପରେ ଏକ ଟ୍ରାଭେଲ୍‌ ଏଜେନ୍ସିରେ ୩ ବର୍ଷ କାମ କଲେ। ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ବାପୁଜୀନଗରରେ ଏକ ପ୍ରାଇଭେଟ୍‌ କମ୍ପାନୀରେ ସେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଛନ୍ତି। ଟ୍ରାଇ ହ୍ବିଲର ସ୍କୁଟିରେ ସେ ଅଫିସ୍‌କୁ ଯାଆନ୍ତି। ସମାଜସେବା କାର୍ଯ୍ୟରେ ବି ନିଜକୁ ନିୟୋଜିତ ରଖିଛନ୍ତି ପ୍ରଣତି। ଖରାଦିନେ ଜଳଛତ୍ରଠାରୁ ଆରମ୍ଭକରି ବର୍ଷାଦିନେ ସ୍କୁଲ୍‌, କଲେଜ ଓ ରାସ୍ତାକଡ଼ରେ ବୃକ୍ଷରୋପଣ କରିବା ସହ ଟ୍ରାଫିକ୍‌ ସଚେତନତା କାର୍ଯ୍ୟକ୍ରମରେ ବି ସେ ନିଜକୁ ଜଡ଼ିତ ରଖନ୍ତି। ୧୩ ବର୍ଷ ହେବ ଆତ୍ମନିର୍ଭରଶୀଳ ହୋଇ ନିଜ ଖର୍ଚ୍ଚ ନିଜେ ଉଠାଇ ପାରୁଥିବାରୁ ସେ ଖୁବ୍‌ ଖୁସି ବୋଲିି କୁହନ୍ତି ପ୍ରଣତି।

– ଦେବସ୍ମିତା ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri