ରତରେ ଜନସାଧାରଣଙ୍କ ଚର୍ଚ୍ଚାରେ ‘ଅଭିଯୋଗ, ମହାଭିଯୋଗ ଏବଂ ଖ୍ୟାତି’ ଭଳି ତିନୋଟି ଶବ୍ଦ ମୁଖ୍ୟ ବିଷୟ ହୋଇିଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍ଥାଗୁଡ଼ିକର ସୁନାମ ଓ ବିଶ୍ୱସନୀୟତା କିପରି ଗଢ଼ାଯାଏ ଏବଂ ଭଙ୍ଗାଯାଏ, ତାହାର ଏକ ପ୍ରତିଫଳନ। ବର୍ତ୍ତମାନର ରାଜନୈତିକ ଝଡ଼ର ମୁଖ୍ୟ କାରଣ ହେଉଛନ୍ତି ‘ଜ୍ଞାନେଶ କୁମାର’ ଏବଂ ନିର୍ବାଚନମଣ୍ଡଳୀଗୁଡ଼ିକରେ ଚାଲିଥିବା ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍’ (ସିଆଇଆର୍)। ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଅଭିଯୋଗ ଅନୁଯାୟୀ ଭୋଟର ତାଲିକାରୁ ପ୍ରାୟ ୧୩.୩ କୋଟି ନାମ ବାଦ୍ ଦିଆଯାଇଛି, ଯେଉଁଥିରେ କେବଳ ଦିଲ୍ଲୀରୁ ୪୭ ଲକ୍ଷ ନାମ କଟାଯାଇଛି। ବିରୋଧୀଙ୍କ ଦାବି ଅନୁସାରେ, ଅନ୍ୟ ଦୁଇ ନିର୍ବାଚନ କମିଶନର- ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ, ଫର୍ମ-୬ ପରିବର୍ତ୍ତନରେ ଆପତ୍ତି ଜଣାଇଥିଲେ। ଅନ୍ୟପଟେ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ନିଷ୍ପତ୍ତି ୩ଜଣ ଆୟୁକ୍ତଙ୍କ ସମ୍ମତିରେ ନିଆଯାଇଛି ଏବଂ ଏହି ପଦକ୍ଷେପକୁ ସୁପ୍ରିମ୍କୋର୍ଟରେ ଆଇନଗତ ମାନ୍ୟତା ମିଳିଛି। ‘ଜନ ମହାଭିଯୋଗ’ରେ ଜଣେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ସୁପ୍ରିମ୍କୋର୍ଟର ବିଚାରପତିଙ୍କ ଭଳି ଲୋକ ସଭାରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ। ଯେହେତୁ ବିରୋଧୀଙ୍କ ପାଖରେ ଏହି ସଂଖ୍ୟାବଳ ନାହିଁ, ସେଥିପାଇଁ ସେମାନେ ‘ପବ୍ଲିକ୍ ଇମ୍ପିଚ୍ମେଣ୍ଟ’ (ଜନ ମହାଭିଯୋଗ) ନାମକ ଏକ ନୂଆ ରାଜନୈତିକ କୌଶଳ ଆପଣେଇଛନ୍ତି ବୋଲି ଶାସକ ନେତୃବର୍ଗ କହୁଛନ୍ତି।
ଅକ୍ଟୋବର ୩୦ରେ ‘ଇଣ୍ଡିଆ’ ମେଣ୍ଟର ୨୧ଟି ଦଳ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ଏକ ସାଙ୍କେତିକ ମହାଭିଯୋଗ କାର୍ଯ୍ୟକ୍ରମ ଏବଂ ନଭେମ୍ବର ୧ରେ ରାମଲୀଳା ମଇଦାନରେ ବିଶାଳ ରାଲି କରିଛନ୍ତି। ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା ସହ ‘ଭୋଟ ଚୋରି’ ଅଭିଯୋଗର ତଦନ୍ତ ଦାବି କରିଛନ୍ତି। ଫଳରେ ସେପ୍ଟେମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମରେ ଜ୍ଞାନେଶ କୁମାରଙ୍କର ଏକ ଭୁଲ୍ ଇସ୍ତଫା ପତ୍ର ଭାଇରାଲ ହୋଇଥିଲା, ଯାହାକୁ ନିର୍ବାଚନ ଆୟୋଗ ମିଥ୍ୟା ବୋଲି ଘୋଷଣା କରିଥିଲେ। ଏହି ଘଟଣାରୁ ସ୍ପଷ୍ଟ ଯେ, ସର୍ବୋଚ୍ଚ ବିଶ୍ୱସନୀୟତା ଧାରଣ କରିଥିବା ଏକ ସାମ୍ବିଧାନିକ ଅନୁଷ୍ଠାନ ସୁନାମ ଓ ପ୍ରତିଷ୍ଠାର ଗମ୍ଭୀର ସଙ୍କଟ ଦେଇ ଗତି କରୁଛି। ଅଭିଯୋଗ-ମହାଭିଯୋଗ-ଖ୍ୟାତିର ଏହି ଚକ୍ର ସବୁଠି ଦୃଶ୍ୟମାନ। ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। କ) ରାଜନୀତି: ଅଭିଯୋଗ ଏବେ ଏକ ଅସ୍ତ୍ର। ଶାସକ ଦଳ ଉପରେ ନିଜ ପ୍ରିୟପାତ୍ରଙ୍କୁ ସୁରକ୍ଷା ଦେବାର ଅଭିଯୋଗ ଲାଗୁଥିବା ବେଳେ ବିରୋଧୀଙ୍କ ଉପରେ ବିନା ପ୍ରମାଣରେ ‘ମିଡିଆ ଓ ଜନ ଅଦାଲତ’ ଚଲାଇବାର ଅଭିଯୋଗ ହେଉଛି। ଫ୍ରଣ୍ଟଲାଇନ୍ର ଆକଳନ ଅନୁଯାୟୀ, ଜ୍ଞାନେଶ କୁମାରଙ୍କ ପାଖରେ ମହାଭିଯୋଗର ଭୟ ନାହିଁ, କାରଣ ସେ ଶାସକ ଦଳର ସୁରକ୍ଷା ବଳୟରେ ଅଛନ୍ତି। ଆଜି ‘ଖ୍ୟାତି’ କାମ ଦ୍ୱାରା ନୁହେଁ, ବରଂ ଆପଣ କେଉଁ ପକ୍ଷରେ ଅଛନ୍ତି ତାହା ଦ୍ୱାରା ସ୍ଥିର ହେଉଛି। ଖ) ନ୍ୟାୟପାଳିକା: ଅକ୍ଟୋବର ୫ରେ ସୁପ୍ରିମ୍କୋର୍ଟ ଜ୍ଞାନେଶ କୁମାରଙ୍କ ନିଲମ୍ବନ ଉପରେ ରୋକ ଲଗାଇ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି। ଅଦାଲତର ଏହି ସତର୍କ ଆଭିମୁଖ୍ୟ ମଧ୍ୟ ସଂସ୍ଥାର ସୁନାମ ପ୍ରତି ଏକ ଆହ୍ବାନ। (ଗ) ଗଣମାଧ୍ୟମ ଓ ଭଦ୍ର ସମାଜ: ସୋସିଆଲ ମିଡିଆରେ ‘ଜ୍ଞାନେଶ ଗେଟ୍’ ଟ୍ରେଣ୍ଡ୍ କରିବା ଏବଂ ଗୋଲ ଡାକଘର ନିକଟରେ ‘ଜ୍ଞାନୁ ମଷ୍ଟ ଗୋ’ ଭଳି ନାରାବାଜି ଦେବା ଦର୍ଶାଉଛି ଯେ, ଫେକ୍ ଖବର ଓ ସୋସିଆଲ ମିଡିଆ ମାତ୍ର ଗୋଟିଏ ଦିନରେ ଜଣେ ଅଭିଜ୍ଞ ପ୍ରଶାସକଙ୍କ ଖ୍ୟାତିକୁ ଧୂଳିସାତ୍ କରିପାରୁଛି।
ଫ୍ରଣ୍ଟ୍ଲାଇନର ଶୀର୍ଷକ ‘ ସିଟିଜେନ୍ସ ହାଭ ଟୁ ମନ୍ଥସ ଟୁ ସେଭ ଇଣ୍ଡିଆନ ଡେମୋକ୍ରାସୀ’ ଦର୍ଶାଏ ଯେ, ଗୋଟିଏ ସାମ୍ବିଧାନିକ ସଂସ୍ଥାର ଆଘାତପ୍ରାପ୍ତ ସୁନାମକୁ ସମ୍ପୂର୍ଣ୍ଣ ଗଣତନ୍ତ୍ର ପ୍ରତି ବିପଦ ଭାବେ ଗ୍ରହଣ କରାଯାଉଛି। ଅତୀତରେ ଲାଲ ବାହାଦୁର ଶାସ୍ତ୍ରୀ (୧୯୫୬) ଏବଂ ଭି. ପି. ସିଂହ (୧୯୮୨) ନିଜର ସିଧାସଳଖ ଦୋଷ ନ ଥିଲେ ବି କେବଳ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। କିନ୍ତୁ ଆଜି ସେହି ମାନଦଣ୍ଡ ସମ୍ପୂର୍ଣ୍ଣ ବଦଳିଯାଇଛି। ଏବେ ଅଭିଯୋଗ ହେଉଛି ଯେ, ଆୟୋଗର ନିଷ୍ପତ୍ତି ପାଇଁ ସିଧାସଳଖ ଉତ୍ତରଦାୟୀ ହୋଇଥିଲେ ବି କେହି ନୈତିକ ଉତ୍ତରଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହନ୍ତି।
ଅସଲ ପ୍ରଶ୍ନ ହେଉଛି, ଜ୍ଞାନେଶ କୁମାରଙ୍କ ଇସ୍ତଫା ଉପରେ କ’ଣ ମୋଦି ଶାହାଙ୍କ ଭାଗ୍ୟ ନିର୍ଦ୍ଧାରିତ ହେଉଛି?ଯଦି ସେ ଇସ୍ତଫା ଦିଅନ୍ତି, ବିରୋଧୀ ଦାବି କରିବେ ଯେ ‘ଭୋଟ ଚୋରି’ ଅଭିଯୋଗ ସତ ଥିଲା। ଯଦି ସେ ଇସ୍ତଫା ନ ଦିଅନ୍ତି, ବିରୋଧୀ ଏହାକୁ ୨୦୨୯ ପର୍ଯ୍ୟନ୍ତ ପ୍ରସଙ୍ଗ କରି ନିର୍ବାଚନ ଆୟୋଗକୁ ‘କାଠପୁତଳୀ’ ବୋଲି ଆଖ୍ୟା ଦେବେ।
ଗଣତନ୍ତ୍ରରେ ଅଭିଯୋଗ କୋଳାହଳ ସୃଷ୍ଟି କରେ, ମହାଭିଯୋଗ ନାଟକୀୟତା ଆଣିଥାଏ, କିନ୍ତୁ ଖ୍ୟାତି ଭାଗ୍ୟ ନିର୍ଦ୍ଧାରଣ କରେ। ଜନସାଧାରଣଙ୍କ ପାଖରେ ଥରେ ବିଶ୍ୱସନୀୟତା ଓ ଖ୍ୟାତି ଚାଲିିଗଲେ କୌଣସି ଆଇନଗତ ସଫେଇ ତାହାକୁ ଫେରାଇ ଆଣିପାରିବ ନାହିଁ।
ଉମାଶଙ୍କର ପ୍ରସାଦ
ମୋ: ୬୩୭୦୬୭୫୫୬୨

