କଳି କବଳିତ କୋଟିଆ

କୋଟିଆ ପଞ୍ଚାୟତର ଫଗୁଣ ସିନେରି, ଗଞ୍ଜେଇ ପଦର ଓ ଫାଟୁସିନେରି ଗ୍ରାମରେ ନିର୍ବାଚନ ହେବ, ଯାହାକୁ ନେଇ ଓଡ଼ିଶା ରାଜନୀତି ସରଗରମ। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା (୧୦ା୧୦ା୨୦୨୬)ଠାରୁ ଏଠାରେ ଆରମ୍ଭ ହୋଇଯାଇଛି ପରସ୍ପର ବିରୋଧୀ ବୟାନବାଜି ଓ ଚିଠିଯୁଦ୍ଧ। କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଆଜିର ନୁହେଁ,ଏହା ବହୁ ପୁରୁଣା। ଓଡ଼ିଶା ପ୍ରଶାସନିକ ମାନଚିତ୍ର କହେ କୋଟିଆ ହେଉଛି କୋରାପୁଟ ଜିଲାର ପଟାଙ୍ଗି ବ୍ଲକ ଅଧୀନ ଏକ ଗ୍ରାମପଞ୍ଚାୟତ, ଯାହାର ୨୮ଟି ରାଜସ୍ବ ଗ୍ରାମ ମଧ୍ୟରୁ ୨୧ଟି ଗ୍ରାମକୁ ନିଜର କହି ଅନୁପ୍ରବେଶ ରାଜନୀତି ଚଳେଇଛି ଆନ୍ଧ୍ର। ସାତଦଶନ୍ଧି ଧରି ଦୁଇ ରାଜ୍ୟ ମଧ୍ୟରେ ଲାଗିରହିଛି ରାଜନୈତିକ ଓ ନ୍ୟାୟିକ ଲଢେଇ। ୧୯୫୫ ମସିହାରେ ଆନ୍ଧ୍ରପ୍ରଦେଶର କିଛି ସରକାରୀ ଅଧିକାରୀ କୋଟିଆ ଅଞ୍ଚଳରୁ ରାଜସ୍ବ ଆଦାୟ କରିବାରୁ ବିବାଦ ସୂତ୍ରପାତ ହୋଇ ସୀମାନ୍ତରେ ବଢିଲା ଉତ୍ତେଜନା। ତା’ର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ (ସେପ୍ଟେମ୍ବର -୧୯୬୮) ହୋଇଥିଲା, ଯା’ର ମଧ୍ୟସ୍ଥତା କରିଥିଲେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଓ୍ବାଇ ବି ଚୌହାନ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ କାସୁ ବ୍ରହ୍ମାନନ୍ଦ ରେଡ୍ଡୀଙ୍କ ବିସ୍ତାରବାଦୀ ମନୋଭାବ ଯୋଗୁ ଆଲୋଚନା ବିଫଳ ହେବାରୁ ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ବାଧ୍ୟ ହେଲା (୧୯୬୬) ଓଡ଼ିଶା। ଦୀର୍ଘ ବର୍ଷର ଶୁଣାଣି ପରେ ମଧ୍ୟ କୋଣସି ନିଷ୍କର୍ଷରେ ପହଞ୍ଚି ପାରିଲେନି ନ୍ୟାୟାଳୟ। କାରଣ ସମ୍ବିଧାନର ୧୩୧ ଧାରା ଅନୁଯାୟୀ ଆନ୍ତଃରାଜ୍ୟ ସୀମା ବିବାଦର ସ୍ଥାୟୀ ସମାଧାନ କେବଳ ସଂସଦ ଦ୍ବାରା ହିଁ ସମ୍ଭବ। ନ୍ୟାୟାଳୟ ଏକଥା ସ୍ପଷ୍ଟ କରିଦେବା ସହିତ ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ (୩୦ା୬ା୨୦୦୬) ଦେଲେ, ଯାହା ଅଦ୍ୟାବଧି ବଳବତ୍ତର।
ସ୍ଥିତାବସ୍ଥା ନିର୍ଦ୍ଦେଶ ପରେ ଆନ୍ଧ୍ର କୋଟିଆ ଗ୍ରାମପୁଞ୍ଜ ଉପରେ ଦଖଲ ସାବ୍ୟସ୍ତ କରିବା ପାଇଁ କେତେବେଳେ ଲୋକଙ୍କୁ ମାଗଣା ଚାଉଳ,ଭତ୍ତା ବାଣ୍ଟିଲା ତ କେତେବେଳେ ରାସ୍ତାରେ ତିଆରି କଲା ଅସ୍ଥାୟୀ ଚେକ୍‌ପୋଷ୍ଟ। ଏହାସହ କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଜାରିକଲା(୨୦୨୧)ବିଜ୍ଞପ୍ତି। ଏତିକିବେଳେ ଭାଙ୍ଗିଲା ଓଡ଼ିଶା ସରକାରଙ୍କ ନିଦ। ନିର୍ବାଚନକୁ ବିରୋଧ କରି ଅଦାଲତ ଅବମାନନା ମାମଲା ଦାଏର କଲା (ଜାନୁଆରୀ ୨୦୨୨), ଯାହା ଏବେ ବିଚାରାଧୀନ। ଏହାକୁ ଭ୍ରୂକ୍ଷେପ ନ କରି ପୁଣିଥରେ କୋଟିଆ ପଞ୍ଚାୟତର ୩ଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଦ୍ବିତୀୟ ଥର ପାଇଁ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ (ଅକ୍ଟୋବର ୨୦୨୬) ବାଧ୍ୟ ହେଲା ଓଡ଼ିଶା। ଆନ୍ଧ୍ର ଅନୁପ୍ରବେଶର ମୂଳ କାରଣ ହେଉଛି ଖଣି। କାରଣ ସତୁରି ଦଶକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଏ ଏଠାରେ ଅବସ୍ଥିତ ଦେଓମାଳି ଓ ଅନ୍ୟାନ୍ୟ ପାହାଡ ତଳେ ରହିଛି ସୀସା, ଲୁହାପଥର, ବକ୍ସାଇଟ ଓ ଅଭ୍ର ଆଦି ମୂଲ୍ୟବାନ ଖଣିଜ ସମ୍ପଦ।
କୋଟିଆର ଇତିହାସ, ଭୂଗୋଳ ତଥା ସରକରୀ ଦସ୍ତାବିଜ କହୁଛି କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ। ତା’ର ସବୁଠୁ ପ୍ରମାଣ ହେଉଛି ୧୯୪୫ରେ ଜାରି ହୋଇଥିବା କୋରାପୁଟ ଜିଲାର ପ୍ରଥମ ଗେଜେଟିୟର ଓ ନକ୍ସା। ବିହାରର ପାଟଣାସ୍ଥିତ ସର୍ଭେ ଅଫିସ ଦ୍ବାରା ପ୍ରସ୍ତୁତ ଏହି ନକ୍ସାରେ ଟର୍ନର ସାହେବଙ୍କ ଦ୍ବାରା ନିର୍ମିତ(୧୮୭୩) ପଟାଙ୍ଗି- ତାଡିଓ୍ବାଲସା ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା ସୀମା ଭିତରେ ରହିଛି ଏବଂ ତାଡିଓ୍ବାଲସାଠାରୁ ଆନ୍ତଃରାଜ୍ୟ ସୀମାର ଦୂରତ୍ୱ ପ୍ରାୟ ୧୦ କି.ମି.। ୧୯୪୫ ନକ୍ସା ଅନୁସାରେ କେବଳ କୋଟିଆ ଗ୍ରାମପୁଞ୍ଜ ନୁହେଁ, ସାରକାହାଟ, ନନ୍ଦାହାଟ, ତୋଡମହାଟ, ଡାଙ୍କିନୀ ଓ ଏଲେଙ୍ଗାଓ୍ବାଲସା ଗ୍ରାମ ମଧ୍ୟ ଓଡି଼ିଶା ସୀମା ମଧ୍ୟରେ ଅବସ୍ଥିତ। ସେଥିପାଇଁ ଡାଙ୍କିନୀ ଓ ଏଲେଙ୍ଗାଓ୍ବାଲସା ଗ୍ରାମର ଜମି କିଣାବିକା ପାଇଁ ଦଲିଲ ଜୟପୁର ରେଜିଷ୍ଟ୍ରେଶନ ଅଫିସରେ ହେଉଥିଲା, ଯାହାର ଏକ ନମୁନା ହେଉଛି ୨୪ା୪ା୧୯୫୬ରେ ସମ୍ପାଦିତ ଦଲିଲ ନଂ. ୫୨/୧୯୫୬।
ସ୍ବତନ୍ତ୍ର ଓଡ଼ିଶା ଗଠନ (୧୯୩୬) ପରେ ଅବିଭାଜିତ ଜୟପୁର ଜମିଦାରୀ ଓ ପଟାଙ୍ଗି ତାଲୁକକୁ ମିଶାଇ ଗଠନ ହେଲା କୋରାପୁଟ ଜିଲା। ସେତେବେଳେ ମାନ୍ଦ୍ରାଜ ପ୍ରେସିଡେନ୍ସିର ଯେଉଁ ଗାଁଗୁଡିକ ଓଡ଼ି଼ିଶାରେ ମିଶିଲା, ତା’ର ଏକ ତାଲିକା ପ୍ରସ୍ତୁତ କରି ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କଲେ ଭାଇଜାକ୍‌ ପାଟନମର ଜିଲାପାଳ। ସେହି ତାଲିକାରେ ପାଚିପେଣ୍ଟା ଜମିଦାରୀ ଥିଲା, ଯାହା ଓଡ଼ିଶାରେ ମିଶିଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା (୨୯ା୧୨ା୧୯୫୨) ଜମିଦାରୀ ପ୍ରଥା ଉଚ୍ଛେଦ ପରେ। ବିଡମ୍ବନାର ବିଷୟ ଓଡି଼ିଶା ସରକାରଙ୍କ ଦ୍ବାରା ପ୍ରକାଶିତ ନକ୍ସାରୁ ଆଶ୍ଚର୍ଯ୍ୟଜନକ ଭାବରେ ଉଭାନ ହୋଇଗଲା ପାଚିପେଣ୍ଟା ଜମିଦାରୀ ଅନ୍ତର୍ଗତ ଗ୍ରାମସମୂହ ଏବଂ ଜୟପୁର ଜମିଦାରୀ ଅଧୀନରେ ଥିବା ୧୩ଟି ଗାଁ। ସେହି ଗାଁଗୁଡ଼ିକ ଏବେ ଆନ୍ଧ୍ରପ୍ରଦେଶ କବ୍ଜାରେ, ଯିଏ ଜନ୍ମ ନେଇଛି(୧୯୫୩) ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ୧୭ବର୍ଷ ପରେ।
କୋଟିଆରେ ରାସ୍ତାଘାଟ, ଶିକ୍ଷା ଓ ସ୍ବାସ୍ଥ୍ୟସେବା ଆଦି ଦୀର୍ଘମିଆଦୀ ବିକାଶ ଉପରେ ଓଡ଼ିଶା ଗୁରୁତ୍ୱ ଦେଉଥିବାବେଳେ ଲୋକଙ୍କୁ ବ୍ୟକ୍ତିଗତ ଆର୍ଥିକ ଫାଇଦା ଦେଉଛି ଆନ୍ଧ୍ର। କୋଟିଆବାସୀ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ସେମାନେ ଉଭୟ ରାଜ୍ୟର କଲ୍ୟାଣକାରୀ ଯୋଜନାର ହିତାଧିକାରୀ ହୋଇ ପାଉଛନ୍ତି ଦ୍ୱୈତ ସୁବିଧା। ଏହା ସେମାନଙ୍କ ସୁବିଧାବାଦୀ ମାନସିକତା ବୋଲି କେହି କହିପାରେ,କିନ୍ତୁ ବାସ୍ତବତା ହେଉଛି ରାଜନୈତିକ ବାଦବିବାଦ ଓ ଛକାପଞ୍ଝାକୁ ନେଇ ସେମାନଙ୍କ ପରିଚୟ ଏବେ ସଙ୍କଟରେ। ସେଠାରେ ଅଧିକାଂଶ ଲୋକଙ୍କ ପାଖରେ ରହିଛି ଉଭୟ ରାଜ୍ୟର ଭୋଟର ପରିଚୟ ପତ୍ର।
ଗଲା ଗୋଟିଏ ଦଶନ୍ଧି ପଛକୁ ଫେରି ଚାହିଁଲେ ଜଳଜଳ କରି ଦିଶେ କୋଟିଆ ପ୍ରତି ଜିଲା ପ୍ରଶାସନର କ୍ରମାଗତ ଅବଜ୍ଞା ଓ ଅବହେଳା। ଏକଦା ଟର୍ନର ସାହେବଙ୍କ ଦ୍ବାରା ନିର୍ମିତ ପଟାଙ୍ଗି- ତାଡିଓ୍ବାଲସା ଶଗଡ଼ ରାସ୍ତାରେ ଯାତାୟାତ କରୁଥିଲା ଶହଶହ ଶଗଡ଼। ସେଥିରେ ଉପକୂଳ ଅଞ୍ଚଳରୁ ଲୁଣ ଓ ଅନ୍ୟାନ୍ୟ ସାମଗ୍ରୀ ଆସୁଥିଲା ଏବଂ ଜୟପୁରରୁ ବାହାରକୁ ଯାଉଥିଲା ସେଠାରେ ଉତ୍ପାଦିତ ଶସ୍ୟ ଓ ବନଜାତ ଦ୍ରବ୍ୟ। ଏହା ଉପରେ ନିର୍ଭର କରି ବଞ୍ଚୁଥିଲେ ଅନେକ ଚାଷୀ, ମୂଲିଆ, ବେପାରୀ ଶଗଡ଼ିଆ। ମୋଟରଗାଡିର ଚଳପ୍ରଚଳ ସାଙ୍ଗକୁ ସୁଙ୍କି ଓ ସାଲୁର ଘାଟିରାସ୍ତା ନିର୍ମାଣ ପରେ ଏହି ଶଗଡଚଲା ରାସ୍ତାଟି ଅବହେଳିତ ହୋଇପଡିଲା ଏବଂ ତା’ର ମରାମତି ଦିଗରେ ଧ୍ୟାନ ଦେଲେନି ଓଡ଼ିଶା ସରକାର। ରାସ୍ତାଟି ଏମିତି ପରିତ୍ୟକ୍ତ ହୋଇପଡିଲା ଯେ ବ୍ଲକ ଓ ତହସିଲ ଅଫିସକୁ ଯିବା ପାଇଁ ଆନ୍ଧ୍ରପ୍ରଦେଶ ଦେଇ ଆସିଥିବା ସାଲୁର ରାସ୍ତା ଉପରେ ନିର୍ଭର କଲେ କୋଟିଆବାସୀ। ପଟାଙ୍ଗିରେ ପହଞ୍ଚିବା ପାଇଁ ୧୫ କି.ମି. ପରିବର୍ତ୍ତେ ସେମାନଙ୍କୁ ଯିବାକୁ ପଡିଲା ୬୯ କି.ମି.ରାସ୍ତା। ଯାତାୟାତ ଅସୁବିଧା ଯୋଗୁ କିଣାବିକା ପାଇଁ ସେମାନେ ପଟାଙ୍ଗି ପରିବର୍ତ୍ତେ ସାଲୁର୍‌ ହାଟ ଉପରେ ନିର୍ଭର କଲେ ଏବଂ ଚିକିତ୍ସା ପାଇଁ ଗଲେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା। ଆଦିବାସୀମାନେ ନୃତ୍ୟ ସଙ୍ଗୀତ ପ୍ରିୟ ହୋଇଥିବାରୁ ଉତ୍ସବ ମାଧ୍ୟମରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ସହିତ ସେମାନଙ୍କର ଭାବଗତ ସମ୍ପର୍କ ଯୋଡିବାକୁ କୋରାପୁଟର ‘ପରବ ମହୋତ୍ସବ’ ଓ ପଲ୍ଲିଶ୍ରୀ ମେଳାର ପରିକଳ୍ପନା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ପରବର୍ତ୍ତୀ ସମୟରେ ଅଣଓଡ଼ିଆ କଲେକ୍ଟର ଓ ଆୟୋଜକମାନେ ଏକଥା ନ ବୁଝିବା ଫଳରେ ସ୍ଥାନୀୟ ଆଦିବାସୀଙ୍କୁ ଅବହେଳା କରି ଆୟୋଜନ ହେଲା ପରବ ମହୋତ୍ସବ।
ସୀମା ବିବାଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସର୍ବଦଳୀୟ ସହମତିର ଅଭାବ ହିଁ ଆମର ଦୁର୍ବଳତା। ସେଥିପାଇଁ ବାରମ୍ବାର ବିଫଳ ହେଉଛି ଆମର ରଣନୀତି। ୧୯୫୨ ସାଧାରଣ ନିର୍ବାଚନଠାରୁ କୋଟିଆବାସୀ ଓଡ଼ି଼ିଶା ସହିତ ରାଜନୈତିକ ଭାବେ ରହିଛନ୍ତି ଏବଂ ଓଡି଼ିଶା ସରକାରଙ୍କଠାରୁ ଭୋଟ ପରିଚୟପତ୍ର, ଆଧାର ଓ ଜମିପଟ୍ଟା ଇତ୍ୟାଦି ପାଇଛନ୍ତି । ସୀମା ବିବାଦକୁ ନେଇ କୋଟିଆ ଆମ ସ୍ବାଭିମାନର ପ୍ରତୀକ। ଏହା ଆମ ଅସ୍ମିତା ସହିତ ଯୋଡ଼ିହୋଇ ରହିଥିବାରୁ ଆନ୍ଧ୍ରର ଅନୁପ୍ରବେଶ କେବଳ ଏକ ପ୍ରଶାସନିକ ଆକ୍ରମଣ ନୁହେଁ, ବରଂ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା, ସାର୍ବଭୌମତ୍ୱ ତଥା ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଏକ ଆହ୍ବାନ। ଭୌଗୋଳିକ ଅଖଣ୍ଡତା ହିଁ ଓଡ଼ିଆ ଅସ୍ମିତାର ପ୍ରକୃତ ପରୀକ୍ଷା। ତେଣୁ କେବଳ ନ୍ୟାୟିକ ଲଢେଇ ନୁହେଁ, କ୍ଷେତ୍ର ସ୍ତରୀୟ ଦୃଢ଼ତା ମଧ୍ୟ ରହିବା ଦରକାର। ଏକଥା ସବୁ ରାଜନୈତିକ ଦଳର ମଗଜକୁ ନ ପଶିଲେ ଆନ୍ଧ୍ରର ଦାଦାଗିରି ଆଗରେ ଦୁର୍ବଳ ହୋଇଯିବ ଓଡ଼ିଶାର ରଣନୀତି।

ଡ.ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ:୬୩୭୧୬୪୨୪୬୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୬ଟି ସ୍ଥାନରେ ଇଡି (ED) ପକ୍ଷରୁ ଚଢ଼ାଉ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ ତଦନ୍ତକାରୀ ଦଳ

ଚଣ୍ଡିଗଡ଼,୨।୧୧: ସୋମବାର ପଞ୍ଜାବରେ ଏକ ବଡ଼ କାର୍ଯାନୁଷ୍ଠାନ ଗ୍ରହଣ କରି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ୮ ବିଭାଗର ଅବଜ୍ଞା

ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟର ସାମଗ୍ରିକ ଓ ସମାବେଶୀ ବିକାଶ ସହ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି ହେଲାଣି। ଏହାର ମୁକାବିଲା ପାଇଁ ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲା ଅନ୍ତର୍ଗତ ଗାଁ ଓ୍ବାଦ୍‌ଜି ଏକ ନୂତନ…

କିଙ୍ଗ୍‌ପିନ୍‌ ଚନ୍ଦ୍ରକର ଓମାନ୍‌ରୁ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ,୨ା୧୧: ବେଆଇନ ବେଟିଂ ସିଣ୍ଡିକେଟ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ମହାଦେବ ଅନ୍‌ଲାଇନ ବୁକ୍‌ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓମାନ୍‌ରୁ ପ୍ରତ୍ୟର୍ପଣ କରାଇଛି।…

ସଂସ୍ଥାଗତ ବିଶ୍ୱସନୀୟତାର ସଙ୍କଟ

ରତରେ ଜନସାଧାରଣଙ୍କ ଚର୍ଚ୍ଚାରେ ‘ଅଭିଯୋଗ, ମହାଭିଯୋଗ ଏବଂ ଖ୍ୟାତି’ ଭଳି ତିନୋଟି ଶବ୍ଦ ମୁଖ୍ୟ ବିଷୟ ହୋଇିଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ…

ହ୍ବାଟ୍‌ସଆପ୍‌ରେ ଇପିଏଫ୍‌ଓ ସେବା ଶୁଭାରମ୍ଭ

ନୂଆଦିଲ୍ଲୀ, ୨ା୧୧: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ଇପିଏଫ୍‌ଓର ହ୍ବାଟ୍ସଆପ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ଇପିଏଫ୍‌ ସଦସ୍ୟମାନଙ୍କୁ ସେମାନଙ୍କ…

ବୁଝିବା କଷ୍ଟକର

ସ୍କୁଲରେ ପିଲାମାନେ ମକ୍‌ ପାର୍ଲାମେଣ୍ଟ ବା ଛାୟା ସଂସଦରେ ଭାଗ ନେଇଥାଆନ୍ତି। ସେଥିରେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଭୂମିକାରେ…

ଓମାର ସରକାରରେ ସଙ୍କଟ

ଶ୍ରୀନଗର,୨ା୧୧: ଜମ୍ମୁ-କଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାର ବଡ଼ ଧରଣର ଆଭ୍ୟନ୍ତରୀଣ ସଙ୍କଟର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ୨୫ ଜଣ ଅସନ୍ତୁଷ୍ଟ ବିଧାୟକ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?