ଭଦ୍ରକ, ୨୧।୪(ସନାତନ ରାଉତ): ବିହାର ରାଜ୍ୟରୁ ଯାଜପୁରରୋଡ଼ ଷ୍ଟେଶନ ଅଭିମୁଖେ ଯାଉଥିବା ୧୪ ନାବାଳକଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲଡ ଲାଇନ ଓ ରେଳବାଇ ପୋଲିସ l ଜନ ଶତାବ୍ଦୀ ଏକ୍ସପ୍ରେସରେ ସନ୍ଦେହଜନକ ଭାବେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଶିଶୁମାନଙ୍କୁ ଟ୍ରେନ ଯୋଗେ ନିଆଯାଉଥିବା ବେଳେ ସୋମବାର ରାତିରେ ଭଦ୍ରକ ଆରପିଏଫ ସହଯୋଗରେ ଯାଜପୁରରୁ ଚାଇଲଡ ହେଲ୍ପ ଲାଇନ ଉଦ୍ଧାର କରିଛି । ସେମାନଙ୍କୁ ଜଣେ ବ୍ୟକ୍ତି ବିହାର ରାଜ୍ୟରୁ ଟ୍ରେନ ଯୋଗେ ନେଉଥିବାର ରାଜ୍ୟ ଶିଶୁ ସୁରକ୍ଷା ୟୁନିଟ ବିଶେଷ ସୂତ୍ରରୁ ଖବରପାଇ ସେମାନେ ଭଦ୍ରକ ଚାଇଲ୍ଡ ହେଲ୍ପ ଲାଇନକୁ ଜଣାଇଥିଲେ । ଚାଇଲ୍ଡ ହେଲ୍ପ ଲାଇନ ପକ୍ଷରୁ ଭଦ୍ରକ ରେଳବାଇ ପୋଲିସକୁ ଜଣାଇଥିଲେ। ତେବେ ଭଦ୍ରକ ରେଳ ଷ୍ଟେଶନରେ ଜନ ଶତାବ୍ଦୀ ଟ୍ରେନରେ ସେମାନେ ସେହି ଶିଶୁମାନଙ୍କୁ ଖୋଜୁଥିବା ବେଳେ ଟ୍ରେନ ଛାଡି ଦେଇଥିଲା। ସେମାନେ ସେହି ଟ୍ରେନରେ ଯାଜପୁର ପର୍ଯ୍ୟନ୍ତ ଯାଇ ବଗି ପରେ ବଗି ଖୋଜି ସେମାନଙ୍କୁ ସେଠାରୁ ଉଦ୍ଧାର କରି ଭଦ୍ରକ ଆଣିଛନ୍ତି। ପ୍ରକୃତରେ ସେମାନେ କୁଆଡେ ଯାଉଥିଲେ ଏବଂ କ’ଣ କରିବା ପାଇଁ ଯାଉଥିଲେ ସେମାନଙ୍କୁ କିଏ ଏଠାକୁ ଆଣୁଥିଲା , ସେ ସବୁ ବିଷୟରେ ଅଧିକ ତଦନ୍ତ ରେଳବାଇ ପୋଲିସ ଏବଂ ଚାଇଲ୍ଡ ହେଲ୍ପ ଲାଇନ ଆରମ୍ଭ କରିଛି ।

