ଚିନ୍ତାରେ ପକାଉଛି ଭୋଟ ବିଭାଜନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ୨୧ ଲୋକ ସଭା ଏବଂ ୧୪୬ ବିଧାନସଭା ଆସନର ଫଳାଫଳ ଆସିସାରିଛି। ଭାଜପା ଚଳିତ ନିର୍ବାଚନରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ୨୩ ବିଧାନସଭା ଓ ୮ ଲୋକ ସଭା ଆସନରେ ଭାଜପାକୁ ସଫଳତା ମିଳିଛି। ଅନ୍ୟପଟେ ଦୀର୍ଘଦିନ ଧରି ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇ ଆସୁଥିବା କଂଗ୍ରେସ ୯ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ପାଇ ତୃତୀୟ ସ୍ଥାନକୁ ଖସିଛି। ଅପରପକ୍ଷରେ ବିଜେଡି ୧୧୨ ବିଧାନସଭା ଏବଂ ୧୨ ଲୋକ ସଭା ଆସନରେ ବିଜୟୀ ହୋଇଛି। ରାଜ୍ୟରେ ବିଜେଡି ପୂର୍ଣ୍ଣବହୁମତ ପାଇ ଗୁରୁବାର ସରକାର ଗଠନ କରିବ। ତେବେ ୨୦୧୪ ନିର୍ବାଚନରେ ଗୋଟିଏ ଲୋକ ସଭା ଆସନରେ ବିଜୟଲାଭ କରିଥିବା ଭାଜପା ଏଥର ୮ ଆସନରେ ବିଜୟୀ ହୋଇଥିବାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଥିବା କଥାକୁ ଅସ୍ବୀକାର କରି ହେବନାହିଁ। ସେହିପରି ବିଧାନସଭା ନିର୍ବାଚନରେ ଭାଜପା ବିଧାୟକମାନେ ପାଇଥିବା ଭୋଟ ପ୍ରତିଶତକୁ ଦେଖିଲେ ତୃଣମୂଳସ୍ତରରେ ମଧ୍ୟ ଶାସକ ଦଳକୁ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଲୋଚନା ଜୋର ଧରିଛି। ବିଜ଼େଡି ପୁନର୍ବାର ସରକାରକୁ ଫେରିଥିଲେ ମଧ୍ୟ ରାଜ୍ୟରେ ଭୋଟ ବିଭାଜନକୁ ରୋକିପାରି ନାହିଁ। ଯାହାକି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରେ ସରକାର କରିଥିଲା। ସେତେବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାଜପାକୁ ତୃତୀୟ ସ୍ଥାନ ମିଳିଥିଲା। ବିଜେଡି ୪୩.୪ପ୍ରତିଶତ, କଂଗ୍ରେସ ୨୫.୭ ଏବଂ ଭାଜପା ୧୮ପ୍ରତିଶତ ଭୋଟ ପାଇଥିଲା। ଏଥର କିନ୍ତୁ ରାଜ୍ୟ ରାଜନୀତିର ଦୃଶ୍ୟପଟ ବଦଳିଯାଇଛି। ପୂର୍ବଥର ଭାଜପାର ମାତ୍ର ୧୦ ବିଧାୟକ ବିଧାନସଭା ଯାଇଥିବାବେଳେ ଏଥର ୨୩ ବିଧାୟକ ନିର୍ବାଚିତ ହୋଇଛନ୍ତି। ବିଶେଷକରି ଭାଜପାର ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଛି। ପୂର୍ବଥର ୧୮ପ୍ରତିଶତ ଭୋଟ ପାଇଥିବାବେଳେ ଏଥର ବଢି ୩୨.୫ପ୍ରତିଶତ ହୋଇଛି। ସେହିପରି ବିଜେଡିର ପୂର୍ବଥର ଅପେକ୍ଷା ଭୋଟ ପ୍ରତିଶତ ସାମାନ୍ୟ ବୃଦ୍ଧି ପାଇ ୪୪.୭ରେ ପହଞ୍ଚତ୍ଛି। ମାତ୍ର କଂଗ୍ରେସକୁ ବଡ଼ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ିଛି। ଏଥର ମାତ୍ର ୧୬.୧୨ପ୍ରତିଶତ ଭୋଟ କଂଗ୍ରେସକୁ ମିଳିଛି। ବିଧାନସଭା ନିର୍ବାଚନରେ ବିଜେଡିକୁ ମୋଟ ୧କୋଟି ୪ଲକ୍ଷ ୭୦ହଜାର ୯୪୧ ଖଣ୍ଡ ଭୋଟ ମିଳିଥିବା ବେଳେ, ଭାଜପାକୁ ୭୬ ଲକ୍ଷ ୯ହଜାର ୫୮୧ ଏବଂ କଂଗ୍ରେସକୁ ୩୭ଲକ୍ଷ ୭୫ହଜାର ୩୨୦ଖଣ୍ଡ ଭୋଟ ମିଳିଛି। ୧୪୬ ବିଧାନସଭା କ୍ଷେତ୍ର ମଧ୍ୟରୁ ଭାଜପା ୭୬ଟି ଆସନରେ ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛି। ସେହିପରି ୨୧ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୧ଟିରେ ଦ୍ୱିତୀୟ ସ୍ଥାନରେ ରହିଛି।
ଭୁବନେଶ୍ୱର ଓ ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରକୁ ଲକ୍ଷ୍ୟ କଲେ ଭିନ୍ନ ସନ୍ଦେଶ ଆସୁଛି। ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର, ଜଟଣୀ, ଖୋର୍ଦ୍ଧା ଏବଂ ବେଗୁନିଆ ବିଧାନସଭାମଣ୍ଡଳୀରେ ଭାଜପା ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି। ଏଥିରୁ ୬ଟି ଆସନ ବିଜେଡି ଖାତାକୁ ଯାଇଥିଲା ବେଳେ ଗୋଟିଏ କଂଗ୍ରେସ ଖାତାକୁ ଚାଲିଯାଇଛି। ହେଲେ ଭାଜପା ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏଠାରୁ ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସମାନଭାବେ ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭାମଣ୍ଡଳୀ ଯଥା, ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଏବଂ ଝାରସୁଗୁଡ଼ା ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏଥିରୁ ଗୋଟିଏ ବି ଆସନ ଅନ୍ୟ ଦଳ ହାତକୁ ଯାଇନାହିଁ। ବିଜେପୁର ଆସନରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ୱ ସତ୍ତ୍ୱେ ବରଗଡ଼ ଲୋକ ସଭା ଆସନ ଭାଜପା ନିଜ ଅକ୍ତିଆରକୁ ନେଇପାରିଛି।
ସେହିପରି ବିଜେଡିର ବହୁ ବରିଷ୍ଠ ନେତା ଯେଉଁମାନେ ୨୦୧୪ ନିର୍ବାଚନରେ ପ୍ରାୟ ୭୦ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେଇଥିଲେ ସେମାନେ ଏଥର ମାତ୍ର ୧୦ରୁ ୧୫ ହଜାର ଭୋଟରେ ଜିତିଛନ୍ତି। କେନ୍ଦ୍ରରେ ପୁନର୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ହେବାକୁ ଯାଉଥିବାରୁ ଓଡ଼ିଶାରେ ମଧ୍ୟ ଭାଜପାର ପ୍ରଭାବ ରହିବ। ଆସନ୍ତା ୨ମାସ ମଧ୍ୟରେ ପୌର ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ପୌର ନିର୍ବାଚନରେ ଏଥର ଭାଜପାକୁ ସମ୍ମୁଖୀନ ହେବା ବିଜେଡି ପାଇଁ କଷ୍ଟସାଧ୍ୟ ହେବ ବୋଲି ଏବେଠୁ ଆଲୋଚନା ଜୋର୍‌ ଧରିଛି। ଯାହାକୁ ଶାସକ ଦଳର କେତେକ ନେତା ମଧ୍ୟ ସ୍ବୀକାର କରିଛନ୍ତି। ଏଭଳିସ୍ଥିତିରେ ଭୁବନେଶ୍ୱର ସଙ୍ଗଠନ ଦାୟିତ୍ୱ ବିଜେଡି ବର୍ତ୍ତମାନ କାହାକୁ ଦେବ ସେନେଇ ବିଚାର ବିମର୍ଶ ଆରମ୍ଭ କରିଲାଣି। ଏପରି କି ଦଳର ସୁପ୍ରିମୋ ପରାଜିତ ନେତାଙ୍କୁ ଡକାଇ ଦଳର ଖରାପ ପ୍ରଦର୍ଶନ କାରଣ ସମ୍ପର୍କରେ ସମୀକ୍ଷା ଆରମ୍ଭ କରିସାରିଲେଣି। ଅପରପକ୍ଷରେ ଏହି ବିଭାଜିତ ଜନମତରୁ ଆଗାମୀ ଦିନରେ ଭାଜପା କେତେଦୂର ଫାଇଦା ନେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?