ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଜମା ଟଙ୍କା

ନଟବର ଖୁଣ୍ଟିଆ

ଭାରତ ୧୯୯୨ରେ ଉଦାରୀକରଣ ଅର୍ଥନୀତି ଗ୍ରହଣ କରିବା ପରେ ସରକାରୀ କ୍ଷେତ୍ର ବ୍ୟାଙ୍କ ପ୍ରତି ଗୁରୁତ୍ୱ ନ ଦେଇ ଘରୋଇ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଦିଆଗଲା। କୁହାଗଲା ଯେ, ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ପ୍ରତିଯୋଗିତା ସୃଷ୍ଟିକରି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବେ। ରିଜର୍ଭ ବ୍ୟାଙ୍କ ନୂଆ ଘରୋଇ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଲାଇସେନ୍ସ ଦେବା ଆରମ୍ଭ କଲା। ଏହି ନୂଆ ଘରୋଇ ବ୍ୟାଙ୍କମାନଙ୍କୁ ନୂଆ ପିଢ଼ିର ଘରୋଇ ବ୍ୟାଙ୍କ କୁହାଗଲା। ନୂଆ ପିଢ଼ିର ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଅଗ୍ରଣୀ ବ୍ୟାଙ୍କଗୁଡ଼ିକ ହେଲେ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ୟେସ୍‌ ବ୍ୟାଙ୍କ। ଏହି ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କର ମାନ୍ୟତାପ୍ରାପ୍ତ ତଫସିଲଭୁକ୍ତ ବାଣିଜି୍ୟକ ବ୍ୟାଙ୍କ।
ୟେସ୍‌ ବ୍ୟାଙ୍କ ୨୦୦୪ରେ ରାଣା କପୁରଙ୍କ ମୁଖ୍ୟ ଭାଗୀଦାରରେ ପ୍ରତିଷ୍ଠା ହୋଇଥିଲା। ସେ ମୂଳରୁ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ୟେସ୍‌ ବ୍ୟାଙ୍କକୁ ଏକ ବିଶ୍ୱ ସ୍ତରୀୟ ବ୍ୟାଙ୍କରେ ପରିଣତ କରିବାର ସ୍ବପ୍ନ ଦେଖି ରାଣା କପୁର ୟେସ୍‌ ବ୍ୟାଙ୍କ ପରିଚାଳନା କ୍ଷେତ୍ରରେ ଅନେକ ଆକ୍ରମଣାତ୍ମକ ନୀତି ଅନୁସରଣ କରି ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ଦେଖିଲେ। ରିଜର୍ଭ ବ୍ୟାଙ୍କର ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ ଆକ୍ଟର ଗଳିବାଟ ଦେଇ ସେ ଏପରି ସବୁ ପରିଚାଳନା ନୀତିକୁ ଆପଣେଇଲେ ଯେ, ଯେପରି ଜମାକାରୀମାନେ ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆଗଭର ହେବେ। ୧୯୯୨ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଯାହା ଜମା ଓ ଋଣ ସୁଧହାର ନିର୍ଣ୍ଣୟ କରୁଥିଲେ, ବ୍ୟାଙ୍କମାନେ ଠିକ୍‌ ସେହି ହାରରେ ଜମା ସଂଗ୍ରହ କରୁଥିଲେ ଓ ଋଣ ଦେଉଥିଲେ। କିନ୍ତୁ ଉଦାରୀକରଣ ପରେ ନିୟମ ବଦଳିଗଲା। ଜମା ଓ ଋଣ ସୁଧହାର ନିର୍ଣ୍ଣୟ କରିବା ବ୍ୟାଙ୍କର ପରିଚାଳନା ବୋର୍ଡ ହାତରେ ଛାଡ଼ି ଦିଆଗଲା। ଅବଶ୍ୟ ମୋଟାମୋଟି ଭାବରେ କେତେକ ନୀତି ସୁଧ ନିର୍ଣ୍ଣୟ କରିବାରେ ଧାର୍ଯ୍ୟ କରାଗଲା। ତାହାରି ମଧ୍ୟରେ ୟେସ୍‌ ବ୍ୟାଙ୍କ ସରକାରୀ କ୍ଷେତ୍ର ବ୍ୟାଙ୍କର ଉଭୟ ମିଆଦୀ ଜମା ଓ ସେଭିଙ୍ଗସ୍‌ ବ୍ୟାଙ୍କ ଆକାଉଣ୍ଟ ସୁଧ ତୁଳନାରେ ଅଧିକ ସୁଧ ଦେଲା, ଯାହାଫଳରେ ଜମାକାରୀମାନେ ଅଧିକ ସୁଧ ପାଇଁ ୟେସ୍‌ ବ୍ୟାଙ୍କରେ ଜମା କରିବାକୁ ଆଗଭର ହେଲେ ।
ୟେସ୍‌ ବ୍ୟାଙ୍କର ଜମା ହୁ ହୁ ହୋଇ ବୃଦ୍ଧି ପାଇବାରୁ ଅଳ୍ପଦିନ ମଧ୍ୟରେ ଏହି ବ୍ୟାଙ୍କ ବ୍ୟବସାୟ କ୍ଷେତ୍ରରେ ପଞ୍ଚମ ସ୍ଥାନ ଅଧିକାର କଲା। ଏହାର ଋଣ ପରିମାଣ ୨.୫ ଲକ୍ଷ କୋଟି ଟଙ୍କା ଛୁଇଁଲା। ଶେୟାର ବଜାରରେ ଶେୟାରର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଲା। ରାଣା କପୁର ଅଳ୍ପଦିନ ମଧ୍ୟରେ ଅରବପତି ହୋଇଗଲେ। ବ୍ୟାଙ୍କ ମୁଖ୍ୟତଃ ଅଣ-ବ୍ୟାଙ୍କିଙ୍ଗ୍‌ ଅର୍ଥନୈତିକ ସଂସ୍ଥା, ରିଏଲ ଇଷ୍ଟେଟ୍‌, ନିର୍ମାଣ କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଆଶାନୁରୂପ ନ ହେବାରୁ ଏହି କ୍ଷେତ୍ରରେ ଦିଆଯାଇଥିବା ଋଣର ପରିଶୋଧ ଠିକ୍‌ ସମୟରେ ହେଲା ନାହିଁ। ୟେସ୍‌ ବ୍ୟାଙ୍କର ଅଣଉପାର୍ଜନକାରୀ ସମ୍ପତ୍ତି ଯାହାକୁ ଏନ୍‌ପିଏ କୁହାଯାଏ ତାହା ବୃଦ୍ଧି ପାଇଲା। ଏହି ଏନ୍‌ପିଏ ହୋଇଗଲା ୪୩,୦୦୦ କୋଟିରୁ ଊର୍ଦ୍ଧ୍ୱ। ଏହା ଜଣାପଡ଼ିବା ପରେ ଶେୟାର ବଜାରରେ ୟେସ୍‌ ବ୍ୟାଙ୍କର ଶେୟାର ମୂଲ୍ୟ ଅସମ୍ଭବ ଭାବରେ ହ୍ରାସ ପାଇଲା। ୨୦୧୯ ଜାନୁୟାରୀ ମାସରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପଦରୁ ରାଣାଙ୍କୁ ବହିଷ୍କାର କରାଗଲା। ପରେ ଜଣାପଡ଼ିଲାଣି ଯେ, ରାଣା ଅତି କୋହଳ ନୀତିରେ କେତେକ କମ୍ପାନୀକୁ ଋଣ ଦେଇ କିକ୍‌ ବ୍ୟାକ୍‌ ପାଇଛନ୍ତି। ନିଜ ସ୍ତ୍ରୀ ଓ କନ୍ୟାଙ୍କ ନାମରେ ଋଣ ବେନିୟମ ଭାବରେ ନେଇଛନ୍ତି। ଏବେ ତାଙ୍କ ନାମରେ ଅନେକ ଅଭିଯୋଗ। ସେ ଗିରଫ ହୋଇ ଇଡିଙ୍କ ଜେରାର ସମ୍ମୁଖୀନ ହେଉଛନ୍ତି।
ପରିଶେଷରେ ୨୦୨୦ ମାର୍ଚ୍ଚ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କର ଏପରି ଆର୍ଥିକ ସ୍ଥିତି ଦେଖି ପ୍ରଥମେ ୩୦ ଦିନ ପାଇଁ ଗ୍ରାହକମାନଙ୍କର ଅଧିକାର (ମୋରାଟୋରିୟସ୍‌) ଛିନ୍ନ କରିଥିଲେ। କୌଣସି ଗ୍ରାହକ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ବ୍ୟାଙ୍କରୁ ଉଠାଇପାରିବେ ନାହିଁ। ସର୍ବତ୍ର ହାହାକାର ସୃଷ୍ଟି ହେଲା। ଅବଶ୍ୟ ରିଜର୍ଭ ବ୍ୟାଙ୍କ ଓ ବିତ୍ତମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଲେ, ଅପ୍ରିଲ ୩ ତାରିଖ ସୁଦ୍ଧା ଏସବୁ ଅଧିକାର ଗ୍ରାହକମାନେ ଫେରିପାଇବେ। ଏତେ ବଡ଼ ଘରୋଇ ବ୍ୟାଙ୍କର ଏପରି ସ୍ଥିତି ଦେଖିଲେ ଜମାକାରୀ ଓ ଜନସାଧାରଣଙ୍କର ବ୍ୟାଙ୍କ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିଯିବା ଭୟରେ ସରକାର ରିଜର୍ଭ ବ୍ୟାଙ୍କ ସହଯୋଗରେ ୟେସ୍‌ ବ୍ୟାଙ୍କକୁ ରକ୍ଷା କରିବାକୁ ଉଦ୍ୟମ କଲେ। ମାର୍ଚ୍ଚ ୧୯ ତାରିଖରୁ ୟେସ୍‌ ବ୍ୟାଙ୍କର ବ୍ୟବସାୟ ପୂର୍ବପରି ଆରମ୍ଭ ହୋଇଛି। କିନ୍ତୁ ଭବିଷ୍ୟତ କହିବ ୟେସ୍‌ ବ୍ୟାଙ୍କ କ’ଣ ତା’ର ପୂର୍ବ ସ୍ଥିତି ଫେରିପାଇବ ?
ୟେସ୍‌ ବ୍ୟାଙ୍କର ଏହି ସ୍ଥିତି ଦେଖି ଓଡ଼ିଶାର ସାଧାରଣ ଜନତା, ଜମାକାରୀ, ରାଜନୈତିକ ଦଳମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ମିଆଦୀ ଜମା ରୂପେ ଜମା ହୋଇଥିଲା। ମୋରାଟୋରିୟମ ଘୋଷଣା ପରେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଟଙ୍କା ଉଠାଇବାକୁ ଲଗାରୁ ଆଇନ ଅନୁଯାୟୀ ଟଙ୍କା ଉଠାଯାଇପାରିବ ନାହିଁ ବୋଲି ଜାଣିଲା ପରେ ଚର୍ଚ୍ଚା ଚାଲିଲା। ରାଜ୍ୟ ଅର୍ଥମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟଙ୍କା ଫେରିପାଇବା ପାଇଁ। ଅର୍ଥସଚିବ ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କୁ ମଧ୍ୟ ଚିଠି ଲେଖିଲେ। ରାଜ୍ୟ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ ହେଲା ଗଭର୍ନରଙ୍କୁ ଭେଟି ମନ୍ଦିର ଜମା ଟଙ୍କା ଫେରି ପାଇବା ପାଇଁ ଚାପ ସୃଷ୍ଟି କରିବାକୁ। ମୋରାଟୋରିୟମ ନ ଉଠିଥିଲେ ଯେତେ ଯାହା ଚିଠି ଲେଖିଲେ ବି ଜମା ଟଙ୍କା ମିଳି ନ ଥାନ୍ତା। ଯାହାହେଉ ମାର୍ଚ୍ଚ ୧୮ ତାରିଖରେ ମୋରାଟୋରିୟମ ଉଠିଗଲା ଆଉ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଗତ ୧୯ ତାରିଖରେ ୩୮୯ କୋଟି ଟଙ୍କାର ମିଆଦୀ ଜମା ସୁଧ ସହ ଫେରିପାଇଲେ। ଆଉ ୧୫୬ କୋଟି ଟଙ୍କା ଦେଲେ ନାହିଁ, ଯେହେତୁ ଜମାର ମିଆଦ ପୂର୍ଣ୍ଣ ହୋଇ ନ ଥିଲା। ସାଧାରଣତଃ ମିଆଦ ପୂର୍ଣ୍ଣ ନ ହେଲେ ବି ଜମାକାରୀ ଜମା ଉଠାଇ ପାରିବ କିନ୍ତୁ ୧ ପ୍ରତିଶତ ସୁଧ ହରାଇବାକୁ ପଡ଼ିବ। ତାହା ବି ହେଲା ନାହିଁ, ତାହା ମିଳିବ ମାର୍ଚ୍ଚ ୩୦ ତାରିଖରେ। ଉପରୋକ୍ତ ସ୍ଥିତିରେ ଆସନ୍ତୁ ଆଲୋଚନା କରିବା ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିରର ଜମା ରଖିବାର ଯଥାର୍ଥତା କେତେଦୂର ଗ୍ରହଣଯୋଗ୍ୟ।
ପ୍ରଥମ କଥା ହେଲା ମନ୍ଦିରର ପାଣ୍ଠି ଜମା କରି ସୁଧ ଆଦାୟ କରିବା ମୁଖ୍ୟ ଲକ୍ଷ୍ୟ ନୁହେଁ। ଶ୍ରୀମନ୍ଦିର ଟେମ୍ପଲ ଆକ୍ଟ ୧୯୫୫ର ଧାରା ୨୮ସି (୩)ରେ କୁହାଯାଇଛି ଯେ, ଶ୍ରୀଜଗନ୍ନାଥ ଟେମ୍ପଲ ଫାଉଣ୍ଡେଶନ ଫଣ୍ଡ ଦୀର୍ଘକାଳୀନ ମିଆଦୀ ଜମାରେ ବ୍ୟାଙ୍କରେ ନିବେଶ କରାଯିବ, ଯେଉଁ ବ୍ୟାଙ୍କକୁ ରାଜ୍ୟ ସରକାର ମଞ୍ଜୁର କରିବେ। ଏଠି ସ୍ବତଃ ପ୍ରଶ୍ନ ଉଠେ ତାହାହେଲେ ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା ପାଇଁ କ’ଣ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ଯଦି ହଁ, ତେବେ କିଏ ସେ ଅଧିକୃତ ଅଧିକାରୀ- ଯଦି ନା, ତେବେ ଏହା କିପରି ସମ୍ଭବ ହେଲା ୫୪୫ କୋଟି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ଜମା କରିବା ପାଇଁ ? ଏହାର ତଦନ୍ତ ହୋଇ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବା ଆବଶ୍ୟକ।
ଏଠି ଗୋଟିଏ ପ୍ରଶ୍ନ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ସର୍ବସାଧାରଣଙ୍କ ଦାନ ଅବା ସରକାରୀ ଅନୁଦାନରୁ ସୃଷ୍ଟି। ଏହି ପାଣ୍ଠିରୁ ଅଧିକ ସୁଧ ଆଦାୟ କରି ଆୟ ବୃଦ୍ଧି କରିବା ପାଇଁ ନୁହେଁ। ଆଇନ ଅନୁସାରେ ଏହି ଅର୍ଥ ମନ୍ଦିରର ବିକାଶ, ସେବାୟତଙ୍କୁ ସାହାଯ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ସଂପ୍ରସାରଣ ପାଇଁ ବ୍ୟୟ ହେବା ଉଦ୍ଦିଷ୍ଟ। ଏପରି ନିର୍ଦ୍ଦେଶ ସତ୍ତ୍ୱେ ୟେସ୍‌ ବ୍ୟାଙ୍କ ଅଧିକ ସୁଧ ଦେଉଛି ବୋଲି ସମସ୍ତ ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖିବା କେତେଦୂର ଗ୍ରହଣୀୟ। ଯେଉଁଠି ପାଣ୍ଠି ସୁରକ୍ଷିତ ରହିବ ଏବଂ ଆବଶ୍ୟକ ବେଳେ ଉଠାଇ ଆଣି ହେବ ସେଠି ଜମା କରାଯିବା ଉଚିତ ନୁହେଁ କି ? ବର୍ଷକ ତଳୁ ୟେସ୍‌ ବ୍ୟାଙ୍କର ସ୍ଥିତି ସଙ୍କଟଜନକ ବୋଲି ଜାଣିବା ପରେ କିପରି ଗତ ୨୦୧୯ ମାର୍ଚ୍ଚ ମାସରେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଏତେଗୁଡ଼ାଏ ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା କଲେ ?
ମିଆଦୀ ପୂରିବା ପୂର୍ବରୁ ୧ ପ୍ରତିଶତ ସୁଧ କମ୍‌ରେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ୫୪୫ କୋଟି ଟଙ୍କା ଉଠାଇ ଆଣିଲେ ନାହିଁ କାହିଁକି ? ଏହିସବୁ ପ୍ରଶ୍ନ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ୟେସ୍‌ ବ୍ୟାଙ୍କରୁ ଟଙ୍କା ପାଇବା ପରେ ସାମାନ୍ୟ କେତେ ଅଧିକ ସୁଧ ଏକ ନିର୍ଦ୍ଦିଷ୍ଟ ସରକାରୀ କ୍ଷେତ୍ର ବ୍ୟାଙ୍କରୁ ପାଇବାରୁ ସେଠି ସମସ୍ତ ଟଙ୍କା ରଖିବେ। ସାମାନ୍ୟ ସୁଧ କମ୍‌ ପାଇଲେ ବି ବିଭିନ୍ନ ସରକାରୀ କ୍ଷେତ୍ର ବ୍ୟାଙ୍କରେ ଭାଗ ଭାଗ କରି ରଖିବେ ନାହିଁ କାହିଁକି ? ଏହି ଲେଖା ପ୍ରସ୍ତୁତ କଲାବେଳେ ଗଣମାଧ୍ୟମରୁ ଜଣାଗଲା ଯେ, କୁଆଡ଼େ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ସେହି ନିଷ୍ପତ୍ତିକୁ ସ୍ଥଗିତ କରିଛନ୍ତି।
ଉପରୋକ୍ତ ସ୍ଥିତିରେ ରାଜ୍ୟ ବିଧାନସଭାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରାଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେଉଁ ବ୍ୟାଙ୍କରେ କେତେ ଟଙ୍କା ରଖିଛନ୍ତି ତାହାର ଅନୁସନ୍ଧାନ ହେଉ ଏବଂ ସରକାରୀ କ୍ଷେତ୍ର ବ୍ୟାଙ୍କରେ ଜମା ନ ରଖି ଘରୋଇ ବ୍ୟାଙ୍କରେ ଜମା ରଖିବାର ଯଥାର୍ଥତା କ’ଣ ତାହା ଜାଣନ୍ତୁ। ସରକାରଙ୍କର ଯଦି ସରକାରୀ କ୍ଷେତ୍ର ବ୍ୟାଙ୍କ ପ୍ରତି ବିଶ୍ୱାସ ନ ରହିବ, ତେବେ ସରକାରୀ କ୍ଷେତ୍ର ବ୍ୟାଙ୍କ ରହିବାର ଯଥାର୍ଥତା କାହିଁ ?
ପୂର୍ବତନ ବରିଷ୍ଠ ବ୍ୟାଙ୍କ ଅଧିକାରୀ
ଏ୫୦୨, ମୋତି ବ୍ଲକ୍‌, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର, ମୋ:୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri