ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଜମା ଟଙ୍କା

ନଟବର ଖୁଣ୍ଟିଆ

ଭାରତ ୧୯୯୨ରେ ଉଦାରୀକରଣ ଅର୍ଥନୀତି ଗ୍ରହଣ କରିବା ପରେ ସରକାରୀ କ୍ଷେତ୍ର ବ୍ୟାଙ୍କ ପ୍ରତି ଗୁରୁତ୍ୱ ନ ଦେଇ ଘରୋଇ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଦିଆଗଲା। କୁହାଗଲା ଯେ, ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ପ୍ରତିଯୋଗିତା ସୃଷ୍ଟିକରି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବେ। ରିଜର୍ଭ ବ୍ୟାଙ୍କ ନୂଆ ଘରୋଇ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଲାଇସେନ୍ସ ଦେବା ଆରମ୍ଭ କଲା। ଏହି ନୂଆ ଘରୋଇ ବ୍ୟାଙ୍କମାନଙ୍କୁ ନୂଆ ପିଢ଼ିର ଘରୋଇ ବ୍ୟାଙ୍କ କୁହାଗଲା। ନୂଆ ପିଢ଼ିର ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଅଗ୍ରଣୀ ବ୍ୟାଙ୍କଗୁଡ଼ିକ ହେଲେ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ୟେସ୍‌ ବ୍ୟାଙ୍କ। ଏହି ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କର ମାନ୍ୟତାପ୍ରାପ୍ତ ତଫସିଲଭୁକ୍ତ ବାଣିଜି୍ୟକ ବ୍ୟାଙ୍କ।
ୟେସ୍‌ ବ୍ୟାଙ୍କ ୨୦୦୪ରେ ରାଣା କପୁରଙ୍କ ମୁଖ୍ୟ ଭାଗୀଦାରରେ ପ୍ରତିଷ୍ଠା ହୋଇଥିଲା। ସେ ମୂଳରୁ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ୟେସ୍‌ ବ୍ୟାଙ୍କକୁ ଏକ ବିଶ୍ୱ ସ୍ତରୀୟ ବ୍ୟାଙ୍କରେ ପରିଣତ କରିବାର ସ୍ବପ୍ନ ଦେଖି ରାଣା କପୁର ୟେସ୍‌ ବ୍ୟାଙ୍କ ପରିଚାଳନା କ୍ଷେତ୍ରରେ ଅନେକ ଆକ୍ରମଣାତ୍ମକ ନୀତି ଅନୁସରଣ କରି ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ଦେଖିଲେ। ରିଜର୍ଭ ବ୍ୟାଙ୍କର ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ ଆକ୍ଟର ଗଳିବାଟ ଦେଇ ସେ ଏପରି ସବୁ ପରିଚାଳନା ନୀତିକୁ ଆପଣେଇଲେ ଯେ, ଯେପରି ଜମାକାରୀମାନେ ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆଗଭର ହେବେ। ୧୯୯୨ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଯାହା ଜମା ଓ ଋଣ ସୁଧହାର ନିର୍ଣ୍ଣୟ କରୁଥିଲେ, ବ୍ୟାଙ୍କମାନେ ଠିକ୍‌ ସେହି ହାରରେ ଜମା ସଂଗ୍ରହ କରୁଥିଲେ ଓ ଋଣ ଦେଉଥିଲେ। କିନ୍ତୁ ଉଦାରୀକରଣ ପରେ ନିୟମ ବଦଳିଗଲା। ଜମା ଓ ଋଣ ସୁଧହାର ନିର୍ଣ୍ଣୟ କରିବା ବ୍ୟାଙ୍କର ପରିଚାଳନା ବୋର୍ଡ ହାତରେ ଛାଡ଼ି ଦିଆଗଲା। ଅବଶ୍ୟ ମୋଟାମୋଟି ଭାବରେ କେତେକ ନୀତି ସୁଧ ନିର୍ଣ୍ଣୟ କରିବାରେ ଧାର୍ଯ୍ୟ କରାଗଲା। ତାହାରି ମଧ୍ୟରେ ୟେସ୍‌ ବ୍ୟାଙ୍କ ସରକାରୀ କ୍ଷେତ୍ର ବ୍ୟାଙ୍କର ଉଭୟ ମିଆଦୀ ଜମା ଓ ସେଭିଙ୍ଗସ୍‌ ବ୍ୟାଙ୍କ ଆକାଉଣ୍ଟ ସୁଧ ତୁଳନାରେ ଅଧିକ ସୁଧ ଦେଲା, ଯାହାଫଳରେ ଜମାକାରୀମାନେ ଅଧିକ ସୁଧ ପାଇଁ ୟେସ୍‌ ବ୍ୟାଙ୍କରେ ଜମା କରିବାକୁ ଆଗଭର ହେଲେ ।
ୟେସ୍‌ ବ୍ୟାଙ୍କର ଜମା ହୁ ହୁ ହୋଇ ବୃଦ୍ଧି ପାଇବାରୁ ଅଳ୍ପଦିନ ମଧ୍ୟରେ ଏହି ବ୍ୟାଙ୍କ ବ୍ୟବସାୟ କ୍ଷେତ୍ରରେ ପଞ୍ଚମ ସ୍ଥାନ ଅଧିକାର କଲା। ଏହାର ଋଣ ପରିମାଣ ୨.୫ ଲକ୍ଷ କୋଟି ଟଙ୍କା ଛୁଇଁଲା। ଶେୟାର ବଜାରରେ ଶେୟାରର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଲା। ରାଣା କପୁର ଅଳ୍ପଦିନ ମଧ୍ୟରେ ଅରବପତି ହୋଇଗଲେ। ବ୍ୟାଙ୍କ ମୁଖ୍ୟତଃ ଅଣ-ବ୍ୟାଙ୍କିଙ୍ଗ୍‌ ଅର୍ଥନୈତିକ ସଂସ୍ଥା, ରିଏଲ ଇଷ୍ଟେଟ୍‌, ନିର୍ମାଣ କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଆଶାନୁରୂପ ନ ହେବାରୁ ଏହି କ୍ଷେତ୍ରରେ ଦିଆଯାଇଥିବା ଋଣର ପରିଶୋଧ ଠିକ୍‌ ସମୟରେ ହେଲା ନାହିଁ। ୟେସ୍‌ ବ୍ୟାଙ୍କର ଅଣଉପାର୍ଜନକାରୀ ସମ୍ପତ୍ତି ଯାହାକୁ ଏନ୍‌ପିଏ କୁହାଯାଏ ତାହା ବୃଦ୍ଧି ପାଇଲା। ଏହି ଏନ୍‌ପିଏ ହୋଇଗଲା ୪୩,୦୦୦ କୋଟିରୁ ଊର୍ଦ୍ଧ୍ୱ। ଏହା ଜଣାପଡ଼ିବା ପରେ ଶେୟାର ବଜାରରେ ୟେସ୍‌ ବ୍ୟାଙ୍କର ଶେୟାର ମୂଲ୍ୟ ଅସମ୍ଭବ ଭାବରେ ହ୍ରାସ ପାଇଲା। ୨୦୧୯ ଜାନୁୟାରୀ ମାସରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପଦରୁ ରାଣାଙ୍କୁ ବହିଷ୍କାର କରାଗଲା। ପରେ ଜଣାପଡ଼ିଲାଣି ଯେ, ରାଣା ଅତି କୋହଳ ନୀତିରେ କେତେକ କମ୍ପାନୀକୁ ଋଣ ଦେଇ କିକ୍‌ ବ୍ୟାକ୍‌ ପାଇଛନ୍ତି। ନିଜ ସ୍ତ୍ରୀ ଓ କନ୍ୟାଙ୍କ ନାମରେ ଋଣ ବେନିୟମ ଭାବରେ ନେଇଛନ୍ତି। ଏବେ ତାଙ୍କ ନାମରେ ଅନେକ ଅଭିଯୋଗ। ସେ ଗିରଫ ହୋଇ ଇଡିଙ୍କ ଜେରାର ସମ୍ମୁଖୀନ ହେଉଛନ୍ତି।
ପରିଶେଷରେ ୨୦୨୦ ମାର୍ଚ୍ଚ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କର ଏପରି ଆର୍ଥିକ ସ୍ଥିତି ଦେଖି ପ୍ରଥମେ ୩୦ ଦିନ ପାଇଁ ଗ୍ରାହକମାନଙ୍କର ଅଧିକାର (ମୋରାଟୋରିୟସ୍‌) ଛିନ୍ନ କରିଥିଲେ। କୌଣସି ଗ୍ରାହକ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ବ୍ୟାଙ୍କରୁ ଉଠାଇପାରିବେ ନାହିଁ। ସର୍ବତ୍ର ହାହାକାର ସୃଷ୍ଟି ହେଲା। ଅବଶ୍ୟ ରିଜର୍ଭ ବ୍ୟାଙ୍କ ଓ ବିତ୍ତମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଲେ, ଅପ୍ରିଲ ୩ ତାରିଖ ସୁଦ୍ଧା ଏସବୁ ଅଧିକାର ଗ୍ରାହକମାନେ ଫେରିପାଇବେ। ଏତେ ବଡ଼ ଘରୋଇ ବ୍ୟାଙ୍କର ଏପରି ସ୍ଥିତି ଦେଖିଲେ ଜମାକାରୀ ଓ ଜନସାଧାରଣଙ୍କର ବ୍ୟାଙ୍କ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିଯିବା ଭୟରେ ସରକାର ରିଜର୍ଭ ବ୍ୟାଙ୍କ ସହଯୋଗରେ ୟେସ୍‌ ବ୍ୟାଙ୍କକୁ ରକ୍ଷା କରିବାକୁ ଉଦ୍ୟମ କଲେ। ମାର୍ଚ୍ଚ ୧୯ ତାରିଖରୁ ୟେସ୍‌ ବ୍ୟାଙ୍କର ବ୍ୟବସାୟ ପୂର୍ବପରି ଆରମ୍ଭ ହୋଇଛି। କିନ୍ତୁ ଭବିଷ୍ୟତ କହିବ ୟେସ୍‌ ବ୍ୟାଙ୍କ କ’ଣ ତା’ର ପୂର୍ବ ସ୍ଥିତି ଫେରିପାଇବ ?
ୟେସ୍‌ ବ୍ୟାଙ୍କର ଏହି ସ୍ଥିତି ଦେଖି ଓଡ଼ିଶାର ସାଧାରଣ ଜନତା, ଜମାକାରୀ, ରାଜନୈତିକ ଦଳମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ମିଆଦୀ ଜମା ରୂପେ ଜମା ହୋଇଥିଲା। ମୋରାଟୋରିୟମ ଘୋଷଣା ପରେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଟଙ୍କା ଉଠାଇବାକୁ ଲଗାରୁ ଆଇନ ଅନୁଯାୟୀ ଟଙ୍କା ଉଠାଯାଇପାରିବ ନାହିଁ ବୋଲି ଜାଣିଲା ପରେ ଚର୍ଚ୍ଚା ଚାଲିଲା। ରାଜ୍ୟ ଅର୍ଥମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟଙ୍କା ଫେରିପାଇବା ପାଇଁ। ଅର୍ଥସଚିବ ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କୁ ମଧ୍ୟ ଚିଠି ଲେଖିଲେ। ରାଜ୍ୟ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ ହେଲା ଗଭର୍ନରଙ୍କୁ ଭେଟି ମନ୍ଦିର ଜମା ଟଙ୍କା ଫେରି ପାଇବା ପାଇଁ ଚାପ ସୃଷ୍ଟି କରିବାକୁ। ମୋରାଟୋରିୟମ ନ ଉଠିଥିଲେ ଯେତେ ଯାହା ଚିଠି ଲେଖିଲେ ବି ଜମା ଟଙ୍କା ମିଳି ନ ଥାନ୍ତା। ଯାହାହେଉ ମାର୍ଚ୍ଚ ୧୮ ତାରିଖରେ ମୋରାଟୋରିୟମ ଉଠିଗଲା ଆଉ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଗତ ୧୯ ତାରିଖରେ ୩୮୯ କୋଟି ଟଙ୍କାର ମିଆଦୀ ଜମା ସୁଧ ସହ ଫେରିପାଇଲେ। ଆଉ ୧୫୬ କୋଟି ଟଙ୍କା ଦେଲେ ନାହିଁ, ଯେହେତୁ ଜମାର ମିଆଦ ପୂର୍ଣ୍ଣ ହୋଇ ନ ଥିଲା। ସାଧାରଣତଃ ମିଆଦ ପୂର୍ଣ୍ଣ ନ ହେଲେ ବି ଜମାକାରୀ ଜମା ଉଠାଇ ପାରିବ କିନ୍ତୁ ୧ ପ୍ରତିଶତ ସୁଧ ହରାଇବାକୁ ପଡ଼ିବ। ତାହା ବି ହେଲା ନାହିଁ, ତାହା ମିଳିବ ମାର୍ଚ୍ଚ ୩୦ ତାରିଖରେ। ଉପରୋକ୍ତ ସ୍ଥିତିରେ ଆସନ୍ତୁ ଆଲୋଚନା କରିବା ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିରର ଜମା ରଖିବାର ଯଥାର୍ଥତା କେତେଦୂର ଗ୍ରହଣଯୋଗ୍ୟ।
ପ୍ରଥମ କଥା ହେଲା ମନ୍ଦିରର ପାଣ୍ଠି ଜମା କରି ସୁଧ ଆଦାୟ କରିବା ମୁଖ୍ୟ ଲକ୍ଷ୍ୟ ନୁହେଁ। ଶ୍ରୀମନ୍ଦିର ଟେମ୍ପଲ ଆକ୍ଟ ୧୯୫୫ର ଧାରା ୨୮ସି (୩)ରେ କୁହାଯାଇଛି ଯେ, ଶ୍ରୀଜଗନ୍ନାଥ ଟେମ୍ପଲ ଫାଉଣ୍ଡେଶନ ଫଣ୍ଡ ଦୀର୍ଘକାଳୀନ ମିଆଦୀ ଜମାରେ ବ୍ୟାଙ୍କରେ ନିବେଶ କରାଯିବ, ଯେଉଁ ବ୍ୟାଙ୍କକୁ ରାଜ୍ୟ ସରକାର ମଞ୍ଜୁର କରିବେ। ଏଠି ସ୍ବତଃ ପ୍ରଶ୍ନ ଉଠେ ତାହାହେଲେ ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା ପାଇଁ କ’ଣ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ଯଦି ହଁ, ତେବେ କିଏ ସେ ଅଧିକୃତ ଅଧିକାରୀ- ଯଦି ନା, ତେବେ ଏହା କିପରି ସମ୍ଭବ ହେଲା ୫୪୫ କୋଟି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ଜମା କରିବା ପାଇଁ ? ଏହାର ତଦନ୍ତ ହୋଇ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବା ଆବଶ୍ୟକ।
ଏଠି ଗୋଟିଏ ପ୍ରଶ୍ନ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ସର୍ବସାଧାରଣଙ୍କ ଦାନ ଅବା ସରକାରୀ ଅନୁଦାନରୁ ସୃଷ୍ଟି। ଏହି ପାଣ୍ଠିରୁ ଅଧିକ ସୁଧ ଆଦାୟ କରି ଆୟ ବୃଦ୍ଧି କରିବା ପାଇଁ ନୁହେଁ। ଆଇନ ଅନୁସାରେ ଏହି ଅର୍ଥ ମନ୍ଦିରର ବିକାଶ, ସେବାୟତଙ୍କୁ ସାହାଯ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ସଂପ୍ରସାରଣ ପାଇଁ ବ୍ୟୟ ହେବା ଉଦ୍ଦିଷ୍ଟ। ଏପରି ନିର୍ଦ୍ଦେଶ ସତ୍ତ୍ୱେ ୟେସ୍‌ ବ୍ୟାଙ୍କ ଅଧିକ ସୁଧ ଦେଉଛି ବୋଲି ସମସ୍ତ ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖିବା କେତେଦୂର ଗ୍ରହଣୀୟ। ଯେଉଁଠି ପାଣ୍ଠି ସୁରକ୍ଷିତ ରହିବ ଏବଂ ଆବଶ୍ୟକ ବେଳେ ଉଠାଇ ଆଣି ହେବ ସେଠି ଜମା କରାଯିବା ଉଚିତ ନୁହେଁ କି ? ବର୍ଷକ ତଳୁ ୟେସ୍‌ ବ୍ୟାଙ୍କର ସ୍ଥିତି ସଙ୍କଟଜନକ ବୋଲି ଜାଣିବା ପରେ କିପରି ଗତ ୨୦୧୯ ମାର୍ଚ୍ଚ ମାସରେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଏତେଗୁଡ଼ାଏ ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା କଲେ ?
ମିଆଦୀ ପୂରିବା ପୂର୍ବରୁ ୧ ପ୍ରତିଶତ ସୁଧ କମ୍‌ରେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ୫୪୫ କୋଟି ଟଙ୍କା ଉଠାଇ ଆଣିଲେ ନାହିଁ କାହିଁକି ? ଏହିସବୁ ପ୍ରଶ୍ନ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ୟେସ୍‌ ବ୍ୟାଙ୍କରୁ ଟଙ୍କା ପାଇବା ପରେ ସାମାନ୍ୟ କେତେ ଅଧିକ ସୁଧ ଏକ ନିର୍ଦ୍ଦିଷ୍ଟ ସରକାରୀ କ୍ଷେତ୍ର ବ୍ୟାଙ୍କରୁ ପାଇବାରୁ ସେଠି ସମସ୍ତ ଟଙ୍କା ରଖିବେ। ସାମାନ୍ୟ ସୁଧ କମ୍‌ ପାଇଲେ ବି ବିଭିନ୍ନ ସରକାରୀ କ୍ଷେତ୍ର ବ୍ୟାଙ୍କରେ ଭାଗ ଭାଗ କରି ରଖିବେ ନାହିଁ କାହିଁକି ? ଏହି ଲେଖା ପ୍ରସ୍ତୁତ କଲାବେଳେ ଗଣମାଧ୍ୟମରୁ ଜଣାଗଲା ଯେ, କୁଆଡ଼େ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ସେହି ନିଷ୍ପତ୍ତିକୁ ସ୍ଥଗିତ କରିଛନ୍ତି।
ଉପରୋକ୍ତ ସ୍ଥିତିରେ ରାଜ୍ୟ ବିଧାନସଭାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରାଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେଉଁ ବ୍ୟାଙ୍କରେ କେତେ ଟଙ୍କା ରଖିଛନ୍ତି ତାହାର ଅନୁସନ୍ଧାନ ହେଉ ଏବଂ ସରକାରୀ କ୍ଷେତ୍ର ବ୍ୟାଙ୍କରେ ଜମା ନ ରଖି ଘରୋଇ ବ୍ୟାଙ୍କରେ ଜମା ରଖିବାର ଯଥାର୍ଥତା କ’ଣ ତାହା ଜାଣନ୍ତୁ। ସରକାରଙ୍କର ଯଦି ସରକାରୀ କ୍ଷେତ୍ର ବ୍ୟାଙ୍କ ପ୍ରତି ବିଶ୍ୱାସ ନ ରହିବ, ତେବେ ସରକାରୀ କ୍ଷେତ୍ର ବ୍ୟାଙ୍କ ରହିବାର ଯଥାର୍ଥତା କାହିଁ ?
ପୂର୍ବତନ ବରିଷ୍ଠ ବ୍ୟାଙ୍କ ଅଧିକାରୀ
ଏ୫୦୨, ମୋତି ବ୍ଲକ୍‌, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର, ମୋ:୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri