ହିଡ଼ର ମାଟି ହିଡ଼େ ନଦିଥିଲେ

ଡା. ବାସୁଦେବ ପ୍ରଧାନ
ବୃତ୍ତି ପାଇଁ ଗାଁଠାରୁ ଦୂରରେ ରହୁଛି। ଭାଇ ଫୋନ୍‌ କରି କହିଲା କାଲି ଗାଁକୁ ଆସ। ଜମି ମାପ ହେବ। ଉପର ଜମିବାଲା କହୁଛି କୁଆଡେ ତା’ ଜମି ଆମ ବିଲକୁ ରହିଛି। ରାତିରେ ଭଲ ନିଦ ହେଲାନି। ସକାଳୁ ଉଠି ଗାଁକୁ ବାହାରିଲି। ଜମିରେ ପହଞ୍ଚିଲା ବେଳକୁ ଜମି ହିଡ଼ରେ ଭଦ୍ର ଲୋକମାନେ ଧାଡ଼ିହୋଇ ବସିଛନ୍ତି। ସମସ୍ତଙ୍କୁ ଯଥାମାନ୍ୟ ଜଣାଇଲି। କିଛି ସମୟ ପରେ ଅମିନ ଆସି ପହଞ୍ଚିଲା। ଜମି ମପାହେଲା। ଦେଖିଲାବେଳକୁ ଉପର ଜମିମାଲିକଙ୍କର ଜମି ଅଧିକ, ମୋ ଜମି କମ୍‌ ଅଛି। ତାଙ୍କ ସପକ୍ଷରେ ଥିବା ଗାଁର ଭଦ୍ରଲୋକମାନେ ମତ ବଦଳେଇଲେ। କହିଲେ, ସେ ତ ସହରରେ ରହୁଛି, ଜମି ଚାଷୀଙ୍କ ହାତରେ। ସେମାନେ କାହିଁକି ହିଡ଼ ହାଣିବେ? କେତେ କ’ଣ ଆଲୋଚନା ହେଲା। ଅମିନ ଚାଲିଗଲେ। ଉପର ଜମିମାଲିକଙ୍କର ମୁହଁ କଳା ପଡ଼ିଗଲା। ମୁଁ କହିଲି ଭାଇ କ’ଣ କରିବା। ସେ କିଛି କହିଲେ ନାହିଁ। ଗାଁର ମୁରବିମାନଙ୍କ ପରାମର୍ଶରେ କିଛି ଯୁବକ ହିଡ଼ ସଜାଡିବା ପାଇଁ ପଥର ପୋତି ଜମିର ଆୟତନ ଠିକ୍‌ କଲେ। ଜମି ମାପ ପାଇଁ ଆସିଥିବା ଭଦ୍ରଲୋକଙ୍କ ପାଖରେ ସେ ଲୋକହସା ହେଲେ। ସମସ୍ତେ ଗାଁକୁ ଫେରିଲେ। ହେଲେ ମୋ ପାଦ ଦୁଇଟି ଆଗକୁ ପଡ଼ିଲାନି। ହିଡ଼ରେ ବସିପଡ଼ିଲି। ପିଲା ବେଳ କଥା ଗୋଟି ଗୋଟି ହୋଇ ମନେ ପଡ଼ିଗଲା। ପିଲାବେଳେ ସେଇ ହିଡ଼ରେ ଚାଲିଛି ବୁଲିଛି। ବଣ ମୁଗ, ହିଡ଼ ବିରି ଖାଇଛି। ବିଲ ପାଣି ପିଇଛି। ବାପାଙ୍କ ସାଙ୍ଗରେ ପଖାଳ ଖାଇଛି। ଯେଉଁ ହିଡ଼ ପିଲାବେଳେ ସୁସ୍ଥ ସବଳ ଥିଲା, ଛାତି ତା’ର ଚଉଡା ଥିଲା, ସେ ଆଜି ସଙ୍କୁଚିତ। ଜାଣିପାରିଲି ମୋ ଚାଷୀ ନୁହେଁ ବରଂ ଉପର ଜମିମାଲିକ ହିଡ଼ ହାଣି ତାର କାୟା ଛୋଟ କରିଛି। ଚଉଡା ହିଡ଼ରୁ କିଛି ହାଣି ତା’ ଜମିରେ ମିଶାଇ ଦେଇଛି। ସେତିକି ନୁହେଁ ତା’ ଜମିର ଉପରମୁଣ୍ଡରେ ଥିବା କେନାଲ ହୁଡ଼ାରୁ ମଧ୍ୟ କିଛି ଅଂଶ ମିଶାଇଦେଇଛି। ତେଣୁ ତା’ ଜମିର ଆୟତନ ବଢ଼ିଛି। ସେଇ ଚଉଡ଼ା ହିଡ଼ରେ ବେଉଷଣ ବେଳେ ଆମ କାଳିଆ କସରା ବଳଦ ବିଶ୍ରାମ କରୁଥିଲେ। ଧାନଗଛ ନ ଖାଇ ବିଲ ହିଡ଼ରେ ଜାତିଜାତିକା ଘାସ ଖାଇବାକୁ ସେମାନେ ଭାରିି ଭଲ ପାଆନ୍ତି।
ବିଲ ହଡ଼ରେ ବହୁ କଥା ଲୁଚି ରହିଛି। ଘରକୁ ଲାଗିଥିବା ହିଡ଼, ଗହୀର ହିଡ଼ ଆଉ ପାହାଡ଼ ପାଖ ବିଲ ହିଡ଼ ଭିତରେ କିଛି କିଛି ଫରକ ରହିଛି। ପାହାଡ଼ ପାଖ ବିଲ ହିଡ଼ରେ ବାପା ଜେଜେ ଭାଡ଼ି ପକାଉଥିଲେ ଫସଲ ଜଗିବା ପାଇଁ। ଘର ଛାଡ଼ି ଭାଡ଼ିରେ ଶୋଉଥିଲେ। ଜଙ୍ଗଲୀ ପଶୁମାନେ କ୍ଷେତକୁ ଆସି ଫସଲ ଯେତିକି ଖାଆନ୍ତି ତା’ଠାରୁ ଦଳିଚକଟି ଅଧିକ ନଷ୍ଟ କରନ୍ତି। ତେଣୁ ଭାଡ଼ି ପକାଇ ଜଗିବାକୁ ପଡ଼େ। ହେଲେ ଗହୀର ବିଲ ହିଡ଼ ଆଉ ଘରକୁ ଲାଗିଥିବା ଜମି ହିଡ଼ରେ ଭାଡ଼ି ପଡେ ନାହିଁ। ହେଲେ ସମସ୍ତ ହିଡ ମୋ ପରି ଚାଷୀର ସାହା ଭରସା। ଋତୁ ଅନୁସାରେ ତା’ର ରୂପ ବଦଳେ। ବର୍ଷା ଦିନେ ସବୁଜ ଘାସରେ ଲୁଚିଯାଏ। ଖରାଦିନେ ଟାଙ୍ଗରା। ବର୍ଷା ଋତୁରେ କାକୁଡି, ଭେଣ୍ଡିର ତ ହାଟ ବସେ। ପରିବା ପାଇଁ ହାଟକୁ ଯିବାକୁ ପଡେନି। ଜହ୍ନି, ଭେଣ୍ଡି ଯାହାକୁ ଯେତେ। ଆଉ ଶୀତଦିନେ ହିଡ ବିରି ପେନ୍ଥି ପେନ୍ଥି ହୋଇ ଝୁଲେ। ଧାଡ଼ି ଧାଡ଼ି ଗେଣ୍ଡୁଫୁଲରେ ଗଭା ଖୋସେ। ଖୁବ୍‌ ସୁନ୍ଦର ଦିଶେ ବିଲ ହିଡ। ହିଡରେ ସାରୁ, ଖମ୍ବଆଳୁ ପୋତି ଦିଆଯାଏ। ହିଡରେ ଥିବା ବବୁଲ ଗଛର ଡାଙ୍ଗ ଦାନ୍ତକାଠି କାମରେ ଲାଗେ। ଶିମ୍ବଲତା ସେଇ ଗଛକୁ ଆଶ୍ରୟ କରି ଫଳେ। ଆଗେ ବଡ଼ ଧାନ ଚାଷ କରାଯାଉଥିଲା। ବିଲ ହିଡରେ ଗଲେ ମୁଣ୍ଡ ବି ଲୁଚିଯାଏ। ଏବେ ବିଲରେ ଆଣ୍ଠୁଏ ଆଣ୍ଠୁଏ ଧାନ। ବିଲ ହିଡରେ ଗର୍ଭଣା ସଂକ୍ରାନ୍ତିରେ ମାଟିହାଣ୍ଡି ବସାଇ ଖିରି କରାଯାଏ। ଚାଷ କାମ କରି ଥକିପଡିଲେ ବାପା ହିଡ଼ରେ ବିଶ୍ରାମ ନିଅନ୍ତି। ହିଡ଼ ଜମିକୁ ସୁରକ୍ଷିତ ରଖେ। ଜମିଠାରୁ ଜମିକୁ ଅଲଗା କରେ। ପାଣି ସାଇତି ରଖେ। ଧାନକଟା ସମୟରେ ବର୍ଷା ଅଧିକ ହେଲେ ବାପା ଧାନ କାଟି ବିଲ ହିଡରେ ଶୁଖାନ୍ତି। ଧାନକଟା ସମୟରେ ହିଡରେ ଧାଡି ଧାଡି କଳେଇ ରଖାଯାଏ। ଶଗଡରେ ଖଳାକୁ ବୁହାଯାଏ। ମୂଷା ଧାନ କେଣ୍ଡା କାଟି ହିଡ ଭିତରେ ତା’ର ଖାଦ୍ୟ ବର୍ଷକ ପାଇଁ ସାଇତି ରଖେ। ସେହିପରି ବର୍ଷାଦିନେ ଆଉ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ବିଲୁଆମାନେ କଙ୍କଡା ଗାତରେ ଲାଞ୍ଜ ପୂରାଇଥାନ୍ତି। କଙ୍କଡା ଲାଞ୍ଜକୁ ଜାବୁଡି ଧରିଲେ ବିଲୁଆ ଉପରକୁ ଟାଣିଆଣେ। କିଛି ଖାଏ କିଛି ଛାଡିଯାଏ। ସେଇ ଦରଖିଆ କଙ୍କଡା ଖାଇବାକୁ କାଉମାନେ ବିଲ ହିଡରେ ଜଗି ବସନ୍ତି। ବଗ ଜଗିଥାଏ ମୀନ ଖାଇବାକୁ। ହିଡ ଫେରରେ ମୁଗୁରା ବସାଯାଇ ମାଛ ଧରାଯାଏ। ଫେର ମାଟିକୁ ଜାବୁଡିଧରେ ବେଣାର ଗୁଚ୍ଛ ଚେର। ବେଣାର ବହୁ ଉପକାର ରହିଛି। ବେଣା ଚେରରେ ତାଟି ତିଆରି କରି ଝରକାରେ ଝୁଲାଯାଏ। ପାଣି ଢଳାଯାଏ। ଆଜିକାଲି ସେଇ ଚେର କୁଲରରେ ବ୍ୟବହାର ହେଉଛି। ଏହି ଚେରରୁ ସୁବାସ ବାହାରେ ପାଣି ସଂସ୍ପର୍ଶରେ ଆସିଲେ ମଧ୍ୟ ସହଜରେ ଶଢେ ନାହିଁ। ଗ୍ରୀଷ୍ମ ଦାଉରୁ ରକ୍ଷା ମିଳେ। ଘର ଶୀତଳ ରହେ। ପାକଳ ବେଣା ଗଛରୁ କାଣ୍ଡ ବାହାରେ। କାଣ୍ଡ ଶେଷରେ ଖଇରିଆ ରଙ୍ଗର ଚଅଁର ବାହାରିଥାଏ। ତା’ କାଣ୍ଡକୁ କାଇଁଚ କୁହାଯାଏ। ଏଥିରେ ସୁନ୍ଦର ସୁନ୍ଦର ଭୋଗେଇ, ଚାଙ୍ଗୁଡି, ଆସନ, ପଟି, ଘର ଉପକରଣ ତିଆରି ହୁଏ। ବେଣା ମୂଳ ବିଲୁଆମାନଙ୍କର ବାସସ୍ଥାନ। ରାତି ଅଧରେ ସେମାନେ ହୁକେ ହୋ ହୁକେ ହୋ ରଡି ଛାଡନ୍ତି। ବିଲ ହିିଡ ଗାଁକୁ ଗାଁ ଯୋଡିବାର ସମ୍ପର୍କର ସେତୁ। କେବେ ମାମୁ ଘରକୁ ତ କେବେ ପିଉସୀ ଘରକୁ ରାସ୍ତା ଦେଖାଏ। ଗାଁକୁ ଗାଁ ଦୂରତା କମାଏ। ଆଗ କାଳରେ ସବୁ ଗାଁରେ ସ୍କୁଲ ନ ଥିଲା। ପିଲାମାନେ ହିଡ ଦେଇ ଅନ୍ୟ ଗାଁ ସ୍କୁଲରେ ପହଞ୍ଚୁଥିଲେ। କ୍ଷେତର ଧାନ, ମୁଗ, ବିରି ଆର୍ଥିକ ଅନଟନ ଦୂର କରେ। ସେଇମିତି ହିଡର ପନିପରିବା, ବିରି, କୋଳଥ, ହରଡ ଚାଷ କୃଷି ଅର୍ଥନୀତିକୁ ସୁଦୃଢ଼ କରେ। ନିଜର ବୁଝିବାପଣର ଅଭାବରୁ ହିଡହଣା କଳି ସୃଷ୍ଟି ହୁଏ। ଲୋକେ କୋର୍ଟକଚେରି ଯାଆନ୍ତି। ବିଲ ହିଡ଼ ବେଳେ ବେଳେ ଔଷଧର ପେଡି ପରି ରୋଗବୈରାଗ ଦୂର କରେ। ବଣ ଭେଣ୍ଡି, ବଣ ମୁଗ, ମୁଥା, ବେଣା ପ୍ରଭୃତି ବିନା ଯତ୍ନରେ ହିଡରେ ବଢ଼ିଥାନ୍ତି। ବଣ ମୁଗ ଏକ ଶ୍ରେଷ୍ଠ ବଳକାରୀ ଖାଦ୍ୟ। ଯେତେ ପୁରୁଣା ନାଳରକ୍ତ ଝାଡ଼ା ହେଉନା କାହିଁକି ମୁଥା ଦୂର କରେ। ସେହିପରି ଅନିଦ୍ରା, ରକ୍ତଚାପ, ପରିସ୍ରା ଜଳାପୋଡ଼ା ଅନେକ ସ୍ବାସ୍ଥ୍ୟ ସମସ୍ୟା ବେଣା ଦୂର କରେ। ହିଡ କେବଳ ବିଲକୁ ସୁରକ୍ଷା ଦିଏନି, ଆମର ଖାଦ୍ୟ ଓ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ। ଭାଇ ଭିନେ ହେଲା ପରେ ଜମି ଭାଗ କରାଯାଇ ନୂଆ ହିଡ ଟଣାଯାଏ। ଚକବନ୍ଦୀରେ ବହୁ ହିଡ଼ ଉଠାଇ ଛୋଟ ଛୋଟ ବିଲକୁ ବଡ କରାଯାଇଛି। କଥାରେ ଅଛି- ଏଣୁତେଣୁ କରି ପନ୍ଦର ଦିନ, ଚାକିରି ପଇସା ମାସେ, ହିଡ଼ର ମାଟି ହିଡ଼େ ନଦିଥିଲେ ବସି ଖାଉଥା ବରଷେ।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା ଛକ, ଭୁବନେଶ୍ୱର, ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri