ହଜି ଯାଉଥିବା ସୁରଝଙ୍କାର

ଦୁର୍ଗାପ୍ରସାଦ ଆଚାର୍ଯ୍ୟ

ଆମର ଜୀବନବୀଣାକୁ ଦିନେ ଝଙ୍କୃତ କରୁଥିବା ଅନେକ ସ୍ବର କାହିଁ କେବେଠାରୁ ହଜିଗଲେଣି। ଯେଉଁ କେତୋଟି ସ୍ବର ନାନା ପ୍ରତିକୂଳତା ସତ୍ତ୍ୱେ ଏବେ ତିଷ୍ଠି ରହି ସମୟେ ସମୟେ ଆମ ମନ ପ୍ରାଣ ହୃଦୟରେ ମଧୁର ଭାବତରଙ୍ଗ ସୃଷ୍ଟି କରି ଚାଲିଛନ୍ତି, ସେସବୁ ବର୍ତ୍ତମାନର ଏହି ଉଗ୍ର, ଉଚ୍ଛୃଙ୍ଖଳ ଓ ନାନା ବିକୃତି – ସଂକ୍ରମିତ ଆବହାୱାରେ ଦ୍ରୁତ ଅପସୃୟମାଣ ହେବାରେ ଲାଗିଛନ୍ତି। ବଡ଼ ନିର୍ମମ, ନିଷ୍କରୁଣ ଭାବରେ ସମୟ ଗଡ଼ିଚାଲିଛି ଏକମୁହଁା। ପଛକୁ ପଛ ଆଡ଼ ହୋଇ ଯାଉଛନ୍ତି କେତେ କେତେ ରୋମାଞ୍ଚକ, ଚିତ୍ତ ଉଲ୍ଲାସକ ସୁର, ରାଗ ଓ ରାଗିଣୀ। ଯେଉଁଗୁଡ଼ିକ ଦିନେ ମଣିଷକୁ ତା’ର ସୀମାହୀନ ଜୀବନ ଯନ୍ତ୍ରଣା ଭିତରେ କିଛି କିଛି ଅମୃତ ଅନୁଭବ ଦେଉଥିଲା ଓ ସେ ସହଜ, ସରଳ, ଭାବ ଅନୁରାଗରେ ସ୍ପନ୍ଦିତ ହୋଇଉଠୁଥିଲା, ଜୀବନ ପ୍ରତି ଶ୍ରଦ୍ଧା ଆନୁଗତ୍ୟରେ ପୂରି ଉଠୁଥିଲା ତା’ର ମନହୃଦୟ, ସେଥିରୁ ଅନେକ ଏବେ ସ୍ମୃତିର ଯାଦୁଘରେ ନିଜ ନିଜ ଥାକ ସବୁ ବାଛି ନେଲେଣି।
ଲୋକକଥା, ଲୋକକାହାଣୀ ଓ ଢଗଢ଼ମାଳିରେ ଗୁଞ୍ଜରିତ ହେଉଥିବ ନମ୍ର କମ୍ର ଲଳିତସ୍ବର କେବେଠାରୁ ନୀରବ ହୋଇଗଲାଣି। ନୀରବ ହୋଇଗଲାଣି ନାତିନାତୁଣୀଙ୍କୁ କୋଳରେ ଧରି ଝୁଲାଉଥିବା ବୁଢ଼ୀମା’ର ”ଆ ଜହ୍ନ ମାମୁ ସରଗଶଶୀ/ମୋ କାହ୍ନୁ ହାତରେ ପଡ଼ରେ ଖସି“ରେ ଆଚ୍ଛନ୍ନ କରି ଦେଉଥିବା ସୁରଲହରି। ଅତୀତ ହୋଇଗଲା ଯୋଗୀ କଣ୍ଠରେ ଲହରିତ ହେଉଥିବା ‘ଭଜୁ କିନା ରାମ ନାମରେ କୁମର’ର ଛଳଛଳ ଭାବବୈରାଗ୍ୟ। ଆଶ୍ୱିନ ମାସର ଶାରଦୀୟ ଚନ୍ଦ୍ରାଲୋକରେ ପଲ୍ଲୀ ଦାଣ୍ଡରେ ‘ଚକା ଭଉଁରି’ ବା ‘ଠିଆ ପୁଚି ନାରଙ୍ଗ’ ଖେଳି ଖେଳି ଅନୂଢ଼ା କିଶୋରୀ ତା’ର କଣ୍ଠରୁ ଝରାଉ ନାହିଁ ‘କୁଆଁର ପୂନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ’ର ଲାବଣ୍ୟ ଝଙ୍କାର। ଆଉ ‘ଠୋ, ଠା ଫୁଟୁ ନାହାନ୍ତି ଜହ୍ନିଫୁଲ’ କି ‘କେଉଁ ଗୁଣ୍ଡୁଚି ମୂଷା କୁମାରୀର କାନରେ କହୁନାହିଁ ରଖିଦେବାକୁ ତା’ର ଚାଉଳମୁଠା।“ ଗାଁ ଦାଣ୍ଡରେ ବାଗୁଡ଼ି ଖେଳରେ ନାଗରା ବାଜାର ତାଳେ ତାଳେ ରାହା ଧରି ଡେଉଁନାହାନ୍ତି କେହି ଯୁବା ଭେଣ୍ଡା। ତାଳପତ୍ର ଛତାର ଛତ୍ରତୋଳି କେଉଁ ଦାତା ବା ଅଦାତାଙ୍କ ଦାଣ୍ଡ ଦ୍ୱାରରେ ଆଶୀର୍ବଚନ କି କୌତୁକ-ବ୍ୟଞ୍ଜିତ ଲଘୁ ଅଭିସମ୍ପାତ ବର୍ଷି ଦେଇ ଯାଉନାହାନ୍ତି ଚକୁଳିଆ ପଣ୍ଡା। ‘କଂସର ଘରଣୀ ପଦ୍ମାବତୀ ରାଣୀ’ ପାଲଟି ଗଲାଣି ସାତସମୁଦ୍ର ପରପାରର ସୁରତରଙ୍ଗ। ଜଳଦ ଗମ୍ଭୀର ସ୍ବରରେ କେଉଁ ଭାଟ ମହାଶୟ ଆସି ଅନର୍ଗଳ ଆବୃତ୍ତି କରୁନାହାନ୍ତି ସ୍ତୋତ୍ର, ଶ୍ଳୋକ ଓ ନାମାବଳୀ। ଏମିତି, ଏମିତି ଅପସରି ଗଲେଣି ଶହ ଶହ ସୁର, ଶହ ଶହ ନାମ ରୂପ – ଯେଉଁଗୁଡ଼ିକ ଥିଲେ ଆମ ପ୍ରାଚୀନ ସଂସ୍କୃତିର ଓ ଐତିହ୍ୟର ପ୍ରତିଭୂ, ଦ୍ୟୋତକ। ଦରଦୀ, ଆତ୍ମୀୟତାଭରା ମାନବିକ ସ୍ନେହ ସୌହାର୍ଦ୍ଦ୍ୟ, ଆଶା ଆକାଂକ୍ଷା, ପୁଲକ ବା ବିଶାଦର ବର୍ଣ୍ଣାଳୀ ସୃଷ୍ଟି କରୁଥିବା ବହୁ ଭାବଭାବନା ଆଜି ହୁଏତ ସମ୍ପୂୂର୍ଣ୍ଣ ଅବଲୁପ୍ତ କିମ୍ବା ଦ୍ରୁତ ମରଣୋନ୍ମୁଖୀ।
ଅବଶ୍ୟ ଆଜିର ଏଇ ଡିଜିଟାଲ୍‌ ଯୁଗରେ ଆମେ ଦୂରଦର୍ଶନ ଓ ସିନେମାର ପରଦାରେ ଓ ସ୍ମାର୍ଟଫୋନରେ, ନେଟ୍‌ରେ ଆପ୍ରାଣ ଚେଷ୍ଟା କରି କରିଚାଲିଛୁ ବଞ୍ଚାଇ ରଖିବାକୁ ଆମ ଅତୀତର ସୁର- ଆମ ଅତୀତର ଭାବଭାଷା, କଳା ସାହିତ୍ୟ ଓ ଜୀବନ ଦୃଷ୍ଟି ଦର୍ଶନ। କିନ୍ତୁ ବିମର୍ଷକର ଭାବରେ ସବୁକିଛିରୁ ଚାଲିଯାଇଛି ସହଜ ସରଳ ଗ୍ରାମ୍ୟ ପୁଲକ, ହଜିଯାଇଛି ଉଚ୍ଛଳ ଭାବ ଅନୁରାଗର ସ୍ପର୍ଶ। କୌଣସିଥିରେ ଆଉ ନାହିଁ କାବ୍ୟମୟ, ଛନ୍ଦମୟ ଜୀବନର ମଧୁର ନିସ୍ବନ। ସବୁକିଛି ଆଜି ‘ଡିଜେ’ ବାଦ୍ୟପରି ବା ‘ରକ୍‌’, ‘ପପ୍‌’ ନୃତ୍ୟଗୀତ ପରି ଉଗ୍ର, ଉତ୍ତେଜକ, ଭୀତିସଂଚାରକ। ମନ ହୃଦୟକୁ ଶତଧା ବିଦୀର୍ଣ୍ଣ କରିଦେଉଥିବା ଓ ଚକ୍ଷୁପଟଳକୁ ବିଦ୍ଧକରି ଅନ୍ତରକୁ ଅଶ୍ଳୀଳ ଅନ୍ଧକାରରେ ଭରି ଦେଉଥିବା ନୃତ୍ୟ, ଗୀତ ଓ ଚିତ୍ରସମ୍ଭାରର ପ୍ରଦର୍ଶନୀରେ ଆଜି ପୁରପଲ୍ଲୀ, ସହର ନଗର ସବୁକିଛି ପ୍ରଦୂଷିତ। ଦିନଥିଲା ଯେତେବେଳେ କେତେକେତେ ଶାସ୍ତ୍ରୀୟ ରାଗରାଗିଣୀଙ୍କ ମୃଦୁମନ୍ଦ ଝଙ୍କାରର ଅମିୟ ଭାବଫଲ୍‌ଗୁରେ ଆମର ମନପ୍ରାଣ ହୃଦୟ ଶୁଦ୍ଧ ବୁଦ୍ଧ ପୁଲକ ଉଚ୍ଛ୍ବାସର ନମ୍ର ପ୍ଳାବନରେ ସ୍ନାତ ହୋଇଯାଉଥିଲା। ଦିନ ଥିଲା, ଯେତେବେଳେ ଛନ୍ଦହୀନ, ରାଗରାଗିଣୀହୀନ, ଅଥଚ ଛଳଛଳ ଭାବଜର୍ଜର ପଲ୍ଲୀଗୀତର ଅମିୟ ପୁଲକରେ ଆମ ଦେହ ମନ ଚେତନାରେ ରୋମାଞ୍ଚ ସୃଷ୍ଟି ହେଉଥିଲା। ଏବେ କିନ୍ତୁ ସବୁ ସୁନ୍ଦର, କୋମଳ, ଉଚ୍ଚାଙ୍ଗ ରାଗରାଗିଣୀ ବିକଳ, ବିକୃତ ହୋଇଚାଲିଛନ୍ତି; ବିକଳାଙ୍ଗ ହୋଇ ଚାଲିଛନ୍ତି ଆମ ଆଗରେ ପରଷା ଯାଉଥିବା ଉଚ୍ଛୃଙ୍ଖଳ ଧ୍ୱନି – ସର୍ବସ୍ବ କୋଳାହଳମୟତାରେ। ପଲ୍ଲୀ ଗୀତମାଧୁରୀ ଆଜି ଅପହୃତ ଓ ଅପହୃତ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତର ଗାନ୍ଧାର ଗାମ୍ଭୀର୍ଯ୍ୟ। କୃତ୍ରିମତା ଓ ଯାନ୍ତ୍ରିକତାର ରାହୁଗ୍ରାସରେ ଜୀବନ ହରାଇଚାଲିଛି ମଧୁସ୍ରାବୀ ଗୀତିମୟତା।
ମଣିଷ ଆଜି ଖୋଜୁଛି ତା’ର ନିରୁପଦ୍ରବ ଅଥଚ ମାଦକତାଭରା ଅତୀତ। ମଣିଷ ଆଜି ଖୋଜୁଛି ସେଇ ସବୁ ସୁର ଯାହା ଦିନେ ଅମୃତ ଫଲ୍‌ଗୁ ଖେଳାଇଦେଇ ତା’ର ଜୀବନବୀଣାରେ ସୃଷ୍ଟି କରୁଥିଲା ଅପୂର୍ବ ଝଙ୍କାର। ତେବେ, ମଣିଷ ଯେ ଅମୃତର ସନ୍ତାନ! ତା’ର ଅନ୍ତରାତ୍ମା ସର୍ବଦା ସତ୍ୟ ଶିବ ସୁନ୍ଦର – ଦିବ୍ୟ, ମଙ୍ଗଳମୟ ଭାବଦର୍ଶନର ଅନ୍ବେଷୀ। ତେଣୁ ଏହା ମଧ୍ୟ ସତ୍ୟ – ମଣିଷର ଏଇ ଲୋଡ଼ିବା, ଏଇ ଖୋଜିବା, ଏଇ ରୋମନ୍ଥନ ଓ ଅତୀତର ନିରୁପଦ୍ରବ ଜୀବନର ସ୍ମୃତିଚାରଣ ଆମକୁ ଆଶାନ୍ବିତ କରିଥାଏ ଯେ ଆମ ଅନ୍ତର୍ଚେତନାର ପବିତ୍ରତା ଏବେ ବି ଅତୁଟ ଓ ଆମର ଶାଶ୍ୱତ ପ୍ରଜ୍ଞା ଏବେ ବି ଆମ ଭାବଲୋକରେ ଇନ୍ଦ୍ରଧନୁ ସୃଷ୍ଟି କରିବାକୁ ସକ୍ଷମ।
ଅବସରପ୍ରାପ୍ତ ଇଂଲିଶ ପ୍ରାଧ୍ୟାପକ,
କୋତିଆଁ ବାରଙ୍ଗ, ଜଗତ୍‌ସିଂହପୁର
ମୋ: ୯୮୫୩୩୫୫୧୦୭


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri