ସ୍ବାସ୍ଥ୍ୟ ଓ ଶ୍ରୀଅନ୍ନ

ଡ. ପ୍ରଫୁଲ୍ଲ କୁମାର ସାହୁ

ଏବେ ପୁଷ୍ଟିଶସ୍ୟକୁ କୁହାଯାଉଛି ଶ୍ରୀଅନ୍ନ। ଭାରତରେ ସେହି ନାମ ସହିତ ‘ଶ୍ରୀ’ ଯୋଡ଼ାଯାଏ, ଯେଉଁଠି ଥାଏ ସମୃଦ୍ଧି ଓ ସମଗ୍ରତା। ଶ୍ରୀଅନ୍ନର ନାମକରଣକୁ ନେଇ ବିଶ୍ବ ପୁଷ୍ଟିଶସ୍ୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଅନୁଯାୟୀ ପୁଷ୍ଟିଶସ୍ୟ ଯେ କେବଳ କ୍ଷୁଦ୍ରଚାଷୀଙ୍କ ସମୃଦ୍ଧିରେ ସହାୟକ ହୋଇଛି ତା’ ନୁହେଁ, ବରଂ ଖାଦ୍ୟ ସୁରକ୍ଷା ଦିଗରେ ସଂଘର୍ଷ କରୁଥିବା ସମଗ୍ର ବିଶ୍ବପାଇଁ ଏହା ଏକ ବରଦାନ ସଦୃଶ। ତେଣୁ ଏହାକୁ ଶ୍ରୀଅନ୍ନ ବୋଲି ନାମକରଣ କରିଛି ଭାରତ। ଖାଦ୍ୟ ସୁରକ୍ଷା ଅର୍ଥ କେବଳ କ୍ଷୁଧାମୁକ୍ତି ନୁହେଁ, ଏଥିସହିତ ଯୋଡ଼ିହୋଇ ରହିଛି ପୌଷ୍ଟିକ ନିରାପତ୍ତା। ତେଣୁ ୨୦୩୦ ସୁଦ୍ଧା ପୃଥିବୀକୁ କ୍ଷୁଧାମୁକ୍ତ କରିବା ପାଇଁ ଜାତିସଂଘ ଯେଉଁ ଘୋଷଣାନାମା ଜାରି କରିଛି, ସେଥିରେ ଥିବା ଅନ୍ୟାନ୍ୟ ୧୭ଟି ବିକାଶ ଲକ୍ଷ୍ୟ ମଧ୍ୟରେ ସର୍ବାଗ୍ରେ ସ୍ଥାନ ପାଇଛି ପୁଷ୍ଟିସାଧନ। ଏହି ବୈଶ୍ବିକ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଣୀ ଭୂମିକା ନେଉଛି ଭାରତ। କାରଣ ଭାରତ ହେଉଛି ବିଶ୍ବର ସର୍ବବୃହତ୍‌ ଶ୍ରୀଅନ୍ନ ଉତ୍ପାଦକ ଓ ଦ୍ବିତୀୟ ବୃହତ୍‌ ରପ୍ତାନିକାରୀ ରାଷ୍ଟ୍ର। ଭାରତର ପ୍ରସ୍ତାବ କ୍ରମେ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବରେ ପାଳନ କରୁଛି ଜାତିସଂଘ।
କ୍ଷୁଦ୍ରଦାନା ବିଶିଷ୍ଟ ଶସ୍ୟ ମାଣ୍ଡିଆ ହେଉଛି ପୌଷ୍ଟିକତାର ଶକ୍ତିକେନ୍ଦ୍ର ବା ପାୱାର ହାଉସ ଅଫ୍‌ ନ୍ୟୁଟ୍ରିଶନ୍‌। ଏଥିରେ ରହିଛି ସହଜରେ ହଜମ ହେଲାଭଳି ପୁଷ୍ଟିସାର, ଆମିନୋଏସିଡ୍‌ ଓ ଅଳ୍ପ ପରିମାଣର ସର୍କରା। ବିଶେଷକରି ହାଡ଼କୁ ଶକ୍ତ କରିବା ପାଇଁ ଏଥିରେ ପ୍ରଚୁର କ୍ୟାଲ୍‌ସିୟମ ରହିଛି, ଯାହା ଦୁଗ୍ଧଠାରୁ ତିନିଗୁଣ ଅଧିକ। ଆୟୁର୍ବେଦ ଅନୁସାରେ ମାଣ୍ଡିଆ କଷାଟିଆ, ତୃପ୍ତିଦାୟକ ଓ ବଳବର୍ଦ୍ଧକ ତଥା ତ୍ରିଦୋଷନାଶକ। ଅର୍ଥାତ୍‌ ମାଣ୍ଡିଆରେ କେବଳ ପୋଷକ ତତ୍ତ୍ବ ନୁହେଁ, ଏଥିରେ ରହିଛି ଚମତ୍କାର ଔଷଧୀୟ ଗୁଣ।
ମାଣ୍ଡିଆ ଏକ ଗରମ ଦିନିଆ ଫସଲ। ବର୍ଷାକ୍ଳିଷ୍ଟ ଶୁଷ୍କ ମାଟିରେ ଚାଷ କରୁଥିବା ଚାଷୀର ଏହା ମାନସ ସନ୍ତାନ, ଯାହାକୁ କୁହାଯାଏ ଶୁଷ୍କ ମାଟିର ସୁନା। ଏହା ଏମିତି ଏକ ଲଘୁ ଶସ୍ୟ, ଯାହା ଗୋଟିଏ ଜମିରେ ବାରମ୍ବାର ଚାଷ ହେଲେ ମଧ୍ୟ ଆଦୌ କମିଯାଏନି ମାଟିର ଉର୍ବରତା। ତା’ର ଲୁଣା ସହିଷ୍ଣୁତା ଯେମିତି ଅଦମ୍ୟ, ବଦଳୁଥିବା ଜଳବାୟୁର ଆହ୍ବାନକୁ ମୁକାବିଲା କରିବାର ଶକ୍ତି ସେମିତି ଅସୀମ। ପୁଣି ରୋଗପୋକ ସହନଶୀଳ ହୋଇଥିବାରୁ ଏହା ବିଷମୁକ୍ତ ଚାଷର ଏକ ବୃହତ୍‌ ଆଧାର। ଏହା ଜନଜାତି ମଣିଷର ଅତି ପ୍ରିୟ ଖାଦ୍ୟ। କେବଳ ଖାଦ୍ୟ ନୁହେଁ, ଏହାକୁ ସେମାନେ ପାନୀୟ ଭାବରେ ବି ଗ୍ରହଣ କରନ୍ତି ଏବଂ ସକାଳୁ ଉଠି କାମକୁ ବାହାରିବା ପୂର୍ବରୁ ବେଲାଏ ମାଣ୍ଡିଆ ପେଯ ବା ବୁରୁଂ ପିଇବା ସେମାନଙ୍କର ଅଭ୍ୟାସ। ଆହାର ତତ୍ତ୍ବ କହେ, ମାଣ୍ଡିଆ ହେଉଛି ଏକ ପରିବେଶ ଉପଯୋଗୀ ଖାଦ୍ୟ।
ଆମ ଦେଶରେ ଓଡ଼ିଶା, କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟରେ ଶ୍ରୀଅନ୍ନ ଉତ୍ପାଦନ ହୁଏ, ଯାହା ସାରା ପୃଥିବୀରେ ଉତ୍ପାଦନ ହେଉଥିବା ଶ୍ରୀଅନ୍ନର ୪୦ ପ୍ରତିଶତ। ଏହା ସତ୍ତ୍ବେ ଜାତୀୟ ଖାଦ୍ୟ ଝୁଡ଼ିରେ ଶ୍ରୀଅନ୍ନର ଅବଦାନ ମାତ୍ର ୫.୬ ପ୍ରତିଶତ। ପରିବର୍ତ୍ତିତ ପରିବେଶରେ ଏହି ପରିମାଣର ଦ୍ରୁତ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି ଦେଶର ନୀତି ଆୟୋଗ। କାରଣ ସବୁଜ ବିପ୍ଳବର ସୁଖଦ ଅନୁଭୂତି ବଦଳରେ ଆମକୁ ପରିଶୋଧ କରିବାକୁ ପଡିଛି ଅନେକ ମୂଲ୍ୟ। ହ୍ରାସ ପାଇଛି ଭୂତଳ ଜଳସ୍ତର। ନଷ୍ଟ ହୋଇଛି ପରିବେଶ ଓ ଜୈବ ବିବିଧତା। ବିଗିଡି ଯାଇଛି ମୃତ୍ତିକାର ସ୍ବାସ୍ଥ୍ୟ। ବିଶ୍ବତାପନ ତଥା ଜଳବାୟୁର ଘନଘନ ପରିବର୍ତ୍ତନ ଯୋଗୁଁ ବଢ଼ିଚାଲିଛି ଅନିୟନ୍ତ୍ରିତ ଦୁର୍ବିପାକ। ଏହାର ପ୍ରତିକୂଳ ପ୍ରଭାବକୁ ସାମ୍ନା କରୁଥିବା କୃଷିକ୍ଷେତ୍ର ଆବଶ୍ୟକ କରୁଛି ଅଧିକରୁ ଅଧିକ ଲଘୁ ଶସ୍ୟ ଚାଷ। କେବଳ ଚାଷ ନୁହେଁ, ଜଳବାୟୁ ପରିବର୍ତ୍ତନ ସହିତ ତାଳଦେଇ ଆମ ଖାଦ୍ୟରୁଚି ବଦଳିବା ମଧ୍ୟ ବିଜ୍ଞାନସମ୍ମତ। ତେଣୁ ଆମ ଖାଦ୍ୟଥାଳିରେ ଶ୍ରୀଅନ୍ନର ବହୁଳ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି ଜାତୀୟ ଖାଦ୍ୟ ସୁରକ୍ଷା ମିଶନ।
ହଜାର ହଜାର ବର୍ଷ ଧରି ଆମ ସଂସ୍କୃତି ସହିତ ଶ୍ରୀଅନ୍ନ ଯୋଡ଼ି ହୋଇ ରହିଛି, ଯା’ର ଏକ ଦୃଷ୍ଟାନ୍ତ ହେଉଛି ଲୋକପ୍ରିୟ ଶିଶୁଗୀତ-”ଧୋ’ରେ ବାଇଆ ଧୋ, ଯେଉଁ କିଆରିରେ ଗହଳ ମାଣ୍ଡିଆ ସେଇ କିଆରିରେ ଶୋ“। ତଥ୍ୟ କହେ ସମଗ୍ର ଦେଶରେ ଯେତେ ପରିମାଣରେ ମାଣ୍ଡିଆ ଉତ୍ପାଦନ ହୁଏ, ତା’ର ୩୬ ପ୍ରତିଶତ ଅମଳ ହୁଏ ଓଡ଼ିଶାର ଆଦିବାସୀ ବହୁଳ ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ। ୨୦୧୭-୧୮ ବର୍ଷରୁ ଉଭୟ ଚାଷଜମି ଓ ଖାଦ୍ୟଥାଳିରେ କ୍ଷୁଦ୍ର ଶସ୍ୟର ପୁନଃସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ବାରା ଆରମ୍ଭ ହୋଇଛି ଓଡ଼ିଶା ମିଲେଟ୍ସ ମିଶନ କାର୍ଯ୍ୟକ୍ରମ। ପାରିବେଶିକ ଉପାଦେୟତା ତଥା ଲୋକ ସଂସ୍କୃତିର ସଂଶ୍ଳିଷ୍ଟତାକୁ ଗୁରୁତ୍ୱ ଦେଇ ରାଜ୍ୟର ୧୯ ଜିଲାର ୧୪୨ଟି ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ ବଡ଼ ମାଣ୍ଡିଆ, ସାନ ମାଣ୍ଡିଆ, ଭୌରବୀ, ନାଲି ମାଣ୍ଡିଆ ଇତ୍ୟାଦି ପାରମ୍ପରିକ ବିହନ ବଦଳରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି କୁନ୍ଦ୍ରାବତୀ, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଓ ଗୁପ୍ତେଶ୍ୱର ଭାରତୀ ଆଦି ଚାରି କିସମର ଆଦର୍ଶ ବିହନ। ବିପଣନ ପାଇଁ ମାଲକାନଗିରି ଭଳି ଜିଲାରେ ଖୋଲିଲାଣି ମାଣ୍ଡିଆ ମଣ୍ଡି। ପରବର୍ତ୍ତୀ ସମୟରେ ତାହା ଅନ୍ୟ ଜିଲାକୁ ସମ୍ପ୍ରସାରିତ ହେଲେ ଆଉ ରହିବନି ଅଭାବୀ ବିକ୍ରି ସମସ୍ୟା। ମାଣ୍ଡିଆ ଚାଷକୁ ସର୍ବାଧିକ ଗୁରୁତ୍ୱ ଦେଇ ସରକାରଙ୍କ ନିଷ୍ପତ୍ତିକ୍ରମେ ମାର୍ଗଶିର ମାସ ପ୍ରଥମ ଗୁରୁବାର ଦିନ ମାଣ୍ଡିଆ ଦିବସ ପାଳନ ହେଉଛି ଏବଂ ଜନ ସଚେତନତା ପାଇଁ ରାଜ୍ୟରେ ଗଡ଼ୁଛି ‘ମାଣ୍ଡିଆ ରଥ’।
ଓଡ଼ିଶାରେ ପୁଷ୍ଟିହୀନ ଆଦିବାସୀ ଶିଶୁଙ୍କ ସଂଖ୍ୟା ସାଧାରଣ ବର୍ଗର ଶିଶୁଙ୍କ ଆନୁପାତିକ ସଂଖ୍ୟାଠାରୁ ଅଧିକ। ତଥ୍ୟ କହେ ଆମ ରାଜ୍ୟରେ ୪୨ ପ୍ରତିଶତ ଶିଶୁ ଅଳ୍ପ ବହୁତେ ପୁଷ୍ଟିହୀନତାର ଶିକାର। ତେଣୁ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ୧୧ଟି ଆଦିବାସୀ ବହୁଳ ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା ଜରିଆରେ ଓ ଅଗ୍ରାଧିକାର ଭିତ୍ତିରେ ପିଲାଙ୍କୁ ଯୋଗାଇ ଦିଆଯାଉଛି ପୌଷ୍ଟିକ ଆହାର। ୨୦୨୦ରୁ କେନ୍ଦୁଝର ଜିଲାରେ ୩୩୫ଟି ଅଙ୍ଗନଓ୍ବାଡି କେନ୍ଦ୍ରରେ ପିଲାଙ୍କ ସକାଳ ଜଳଖିଆରେ ସାମିଲ ହୋଇଛି ମାଣ୍ଡିଆ ଲଡ଼ୁ। ସାରା ରାଜ୍ୟର ପିଲାଙ୍କ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆକୁ ସାମିଲ କରିବା ପାଇଁ ସରକାରୀ ସ୍ତରରେ ଚାଲିଛି ପ୍ରସ୍ତୁତି। ତୁଳନାତ୍ମକ ଭାବେ ଏହା ଅଣ୍ଡା ତୁଳନାରେ ଶସ୍ତା। ବର୍ତ୍ତମାନର ବଜାରରେ ପ୍ରକ୍ରିୟାକରଣ ହୋଇ ନ ଥିବା ମାଣ୍ଡିଆର ମୂଲ୍ୟ ୨୦ ଟଙ୍କା ବା ତା’ଠାରୁ କମ୍‌। ତେଣୁ ପିଲାମାନଙ୍କ ପୁଷ୍ଟିହୀନତା ଦୂର କରିବା ପାଇଁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଅନ୍ତତଃ ଶହେ ଗ୍ରାମ ଓଜନର ଏକ ମାଣ୍ଡିଆ ଲଡ଼ୁ ସାମିଲ ହେବା ଉଚିତ।
ଆଗେ ମାଣ୍ଡିଆର ବ୍ୟବହାର ସୀମିତ ଥିଲା କେବଳ ପେଯ ଓ ଯାଉ ଭିତରେ। ଏବେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଏଥିରେ ପ୍ରସ୍ତୁତ ହେଲାଣି ଭଳିକି ଭଳି ନମକିନ ଖାଦ୍ୟ। ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଅତିଥିମାନଙ୍କ ଖାଦ୍ୟଥାଳିରେ ମିଲେଟ୍‌ ସୁପ୍‌ ଓ ମିଲେଟ୍‌ ଖିରି ପରଷା ଯିବା ପରେ କେବଳ ଆମ ରାଜ୍ୟ କିମ୍ବା ଦେଶ ନୁହେଁ, ସାରା ବିଶ୍ୱରେ ବାସୁଛି ମିଲେଟ୍‌ ମିଶନର ମହକ। ଚାରିଆଡ଼େ ଶୁଭୁଛି ଶ୍ରୀଅନ୍ନ ସଫଳତାର ଗୀତ। ସମ୍ପ୍ରସାରିତ ହେଉଛି ମିଲେଟ୍‌ ବଜାର। ଏହାଦ୍ୱାରା ଅଢ଼େଇ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ମୁହଁରେ ହସ ଫୁଟିବା ସହିତ ଦେଶର ବିକାଶ କ୍ରମରେ ଯୋଡ଼ିହେବ ଆଉ ଏକ ନୂଆ ଅଧ୍ୟାୟ। ସାରା ବିଶ୍ବରେ କୋଟି କୋଟି ଲୋକଙ୍କ ପୋଷଣର କର୍ଣ୍ଣଧାର ତଥା ବିକାଶର ମାଧ୍ୟମ ହେବ ଶ୍ରୀଅନ୍ନ। ଏହି ଦୃଷ୍ଟିଭଙ୍ଗୀ ନେଇ ମିଲେଟ୍‌ ମିଶନକୁ ଏକ ବୈଶ୍ବିକ ଆନ୍ଦୋଳନରେ ପରିଣତ କରିବା ପାଇଁ ନିରନ୍ତର ଉଦ୍ୟମ କରୁଛି ଭାରତ। ତେଣୁ ଭାରତରେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ରୀଅନ୍ନ ଗବେଷଣା ପ୍ରତିଷ୍ଠାନ।
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri