ସ୍ଥିତାବସ୍ଥାରେ ପରିବର୍ତ୍ତନ

ଆକାର ପଟେଲ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଛଅ ବର୍ଷ ହେଲା ଶାସନ କଲେଣି। ନିଜ ଆଦର୍ଶର ପ୍ରତିଷ୍ଠା ପାଇଁ ସେ ଯେଉଁସବୁ ଖେଳ ଖେଳିଚାଲିଛନ୍ତି, ସେଥିରେ ଭାରତର କ୍ଷତି ଘଟୁଛି। ଅତିମାତ୍ରାରେ ଜାତୀୟତାବାଦୀ ଆଦର୍ଶ ମାନେ ଦେଶ ଭିତରେ ସଂଖ୍ୟାଲଘୁଙ୍କ ବିରୋଧରେ ଯିବା ଏବଂ ଦେଶ ବାହାରେ ନିଜର ସାମରିକ ଶକ୍ତି ପ୍ରଦର୍ଶନ। ଆଡଲ୍‌ଫ ହିଟ୍‌ଲର ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଛଅବର୍ଷ ଶାସନ କ୍ଷମତାରେ ଥିଲେ। ଏହି ଛଅବର୍ଷ ଭିତରେ ସେ ଆକ୍ରମଣାତ୍ମକ ଭାବେ ଜର୍ମାନୀର ସାମରିକ ଶକ୍ତି ଓ ଅର୍ଥନୀତିର ବିକାଶ ଘଟାଇଥିଲେ। ତା’ ପରେ ସେ ପୋଲାଣ୍ଡରୁ ଫ୍ରାନ୍ସ ଓ ଡେନ୍‌ମାର୍କରୁ ସିସିଲି ପର୍ଯ୍ୟନ୍ତ ପ୍ରାୟ ସମଗ୍ର ୟୁରୋପ ଜୟ କରିଥିଲେ। ଉକ୍ତ ମହାଦେଶକୁ ତାଙ୍କ ପୂର୍ବରୁ ବା ପରେ ଆଉ କେହି ଏତେ ମାତ୍ରାରେ ନିଜ ନିୟନ୍ତ୍ରଣକୁ ଆଣିପାରି ନ ଥିଲେ। ତା’ପରେ ହିଟ୍‌ଲର ଷ୍ଟାଲିନଙ୍କ ରୁଷିଆ ସହ ଲଢ଼ି ହାରିଗଲେ। ଭାରତର ଦୁଇଟି ଅସମାହିତ ବିବାଦ ଅଛି ଓ ଦୁଇଜଣ ଶତ୍ରୁ ଅଛନ୍ତି। ଗୋଟିଏ ହେଉଛି ଚାଇନା, ଅର୍ଥନୀତିରେ ଯିଏ ଭାରତଠାରୁ ଛଅଗୁଣ ବଡ଼ ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ଯିଏ ସ୍ଥାୟୀ ସଦସ୍ୟ ଅଛି। ଅର୍ଥାତ୍‌ ଭାରତର ଯେକୌଣସି ଗ୍ଲୋବାଲ ଆକ୍ସନ ଉପରେ ଚାଇନା ଭିଟୋ ପ୍ରୟୋଗ କରିପାରିବ। ଚାଇନା ସହ ଆମର ବିବାଦ ଏକପ୍ରକାର ସୁପ୍ତ ଅବସ୍ଥାରେ ରହିଛି, ଏହା ସେତେବେଳେ ଜାଗ୍ରତ ହୁଏ ଯେତେବେଳେ ଚାଇନା ସେନା ଭାରତର ବାୟୁସୀମାରେ ପ୍ରବେଶ କରନ୍ତି ବା ଅରୁଣାଚଳକୁ ନିଜର ବୋଲି ଚାଇନା ଦାବି କରେ। ଭାରତ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ନିଏ ନାହିଁ ଏବଂ ସ୍ଥିତାବସ୍ଥା ବଜାୟ ରହିବାରେ ଖୁସି ଅଛି। ଏ ସ୍ଥିତାବସ୍ଥାକୁ ପରିବର୍ତ୍ତନ କରିବାକୁ ମୋଦିଙ୍କର କୌଣସି କ୍ଷମତା ବା ଆଗ୍ରହ ନାହିଁ। ଭାରତର ଅନ୍ୟ ବିବାଦଟି ଅଛି ପାକିସ୍ତାନ ସହିତ, ଯାହା ପାଇଁ ଭାରତ ବିଭିନ୍ନ ସମୟରେ ବିଦ୍ରୋହ, ଅନୁପ୍ରବେଶ, ଆକ୍ରମଣ, ଯୁଦ୍ଧ ବିରତି ଉଲ୍ଲଂଘନ ଆଦି ସମସ୍ୟାର ସମ୍ମୁଖୀନ ହେଉଛି। ତେଣୁ ସୁରକ୍ଷା ପାଇଁ ଭାରତକୁ ବିପୁଳ ସେନା ମୁତୟନ କରିବାକୁ ପଡ଼ୁଛି। ଏହା ହେଉଛି ବହୁ ବର୍ଷର ପୁରୁଣା ବିବାଦ, ଯାହାର ସମାଧାନ ଭାରତ କରିପାରୁ ନାହିଁ ଏବଂ ଏଥିପାଇଁ ବିପୁଳ ସମ୍ପଦ ଖର୍ଚ୍ଚ ହେଉଛି। ୨୦୨୦ରେ ବି କଶ୍ମୀରର ସମଗ୍ର ନେତୃମଣ୍ଡଳୀକୁ ଭାରତ ଅଟକବନ୍ଦୀ ରଖିବାକୁ ବାଧ୍ୟ ହୋଇଛି- ରାଜ୍ୟକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ। ପାକିସ୍ତାନ ଭାରତଠାରୁ ବହୁତ ଛୋଟ ଦେଶ ଏବଂ ଭାରତର ସାମରିକ ଶକ୍ତି ଓ ଅସ୍ତ୍ରଶସ୍ତ୍ର ଅଧିକ ହେଲେ ମଧ୍ୟ ଏହା ପାକିସ୍ତାନକୁ ଆଜିଯାଏ ଜବତ କରିପାରିନାହିଁ। ତେଣୁ ଦେଶ ବାହାରେ ମାତ୍ରାଧିକ ଜାତୀୟତାବାଦ ଯାହା ଚାହୁଁଛି, ତାହା କରିବାକୁ ଭାରତ କ୍ଷମ ନୁହେଁ। ସୁତରାଂ ଆଭ୍ୟନ୍ତରୀଣ ଜାତୀୟତାବାଦରେ ଭାରତ ହିନ୍ଦୁତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଉଛି।
ଭାରତରେ ହିନ୍ଦୁତ୍ୱ ପରି ନାଜି ଜର୍ମାନୀ ସଂଖ୍ୟାଲଘୁଙ୍କୁ ଘୃଣା କରେ। କିନ୍ତୁ ଇହୁଦୀମାନେ ଥିଲେ (୧୯୩୩ରେ ୫.୬୫ ଲକ୍ଷ) ଜର୍ମାନୀ ଲୋକସଂଖ୍ୟାର ମାତ୍ର ୧ ପ୍ରତିଶତରୁ ବି କମ୍‌। ଅଥଚ ଭାରତରେ ମୁସଲମାନଙ୍କ ସଂଖ୍ୟା ପ୍ରାୟ ୨୦ କୋଟି। ଦେଶର ବଡ଼ ଧରଣର କ୍ଷତି ନ କରି ବା ଦେଶର ସୁନାମରେ ଆଞ୍ଚ ନ ଆଣି ସେମାନଙ୍କୁ କେବେହେଲେ ଉତ୍ପୀଡ଼ିତ ବା ହଇରାଣ କରାଯାଇପାରିବ ନାହିଁ, ଯାହା ଦିଲ୍ଲୀ ଘଟଣାରୁ ସ୍ପଷ୍ଟ ହୋଇଛି। କିନ୍ତୁ ଏମିତି ଚାଲିଲେ ଏହାଦ୍ୱାରା ଦେଶର ବିପୁଳ କ୍ଷତି ହେବ ଏବଂ ଦେଶର ବା କୌଣସି ସମ୍ପ୍ରଦାୟର କିଛି ବି ଲାଭ ହେବ ନାହିଁ।
ମାର୍ଚ୍ଚ ୬ ଶୁକ୍ରବାର ଏକ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ କହିଲେ ଯେ ସେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଚାହାନ୍ତି କିନ୍ତୁ ସରକାରଙ୍କ ବିରୋଧୀମାନେ ତାହା ଚାହାନ୍ତି ନାହିଁ। ଉଦାହରଣ ସ୍ବରୂପ ସେ ତିନୋଟି ଜିନିଷର ତାଲିକା ଦେଇଛନ୍ତି: ତିନି ତଲାକର ଅପରାଧୀକରଣ, ଧାରା ୩୭୦ର ଉଚ୍ଛେଦ ଓ ନାଗରିକତା ସଂଶୋଧନ ଆଇନ। କଥା ହେଉଛି ଏକ ଧର୍ମନିରପେକ୍ଷ ଓ ବହୁସଂଖ୍ୟକବାଦୀ ଦେଶର ସ୍ଥିତାବସ୍ଥାକୁ ପରିବର୍ତ୍ତନ କରି ଏକ କଠୋର ଜାତୀୟତାବାଦୀ ଦେଶରେ ପରିଣତ କରିବାକୁ ଅନ୍ୟ ଭାରତୀୟମାନେ ବିରୋଧ କଲେ। ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ସିଏଏକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ଏହା ବିରୋଧରେ ଏକ ପକ୍ଷ ହେବାକୁ ଇଚ୍ଛା କରିଛନ୍ତି। ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ହିନ୍ଦୁମାନଙ୍କୁ ସକାରାତ୍ମକ କିଛି ଦେଇପାରିବ ନାହିଁ। ଏହା ଚାହେଁ ମୁସଲମାନଙ୍କଠାରୁ ସେମାନଙ୍କ ବାବ୍ରି ମସ୍‌ଜିଦ, ସେମାନଙ୍କ ବ୍ୟକ୍ତିଗତ ଆଇନ, କଶ୍ମୀର ଉପରେ ସେମାନଙ୍କ ସାମ୍ବିଧାନିକ ସ୍ବୟଂଶାସନ କ୍ଷମତା, ସେମାନଙ୍କ ଖାଦ୍ୟ, ସେମାନଙ୍କ ଭୋଟ ଦେବାର ଅଧିକାର ଏବଂ ବର୍ତ୍ତମାନ ସେମାନଙ୍କ ନାଗରିକତ୍ୱ ଛଡ଼ାଇନେବା ପାଇଁ। ଏହା ତା’ର ସମର୍ଥକମାନଙ୍କୁ ସକାରାତ୍ମକ କିଛି ଦେଇପାରିବ ନାହିଁ, କେବଳ ଦେବ ଅସନ୍ତୋଷ ଓ ଘୃଣା। ଏହାକୁ କେବଳ ଅନ୍ୟ ଭାରତୀୟମାନେ ନୁହନ୍ତି ବରଂ ସାରା ବିଶ୍ୱ ବିରୋଧ କରିବା ଉଚିତ ଏବଂ ସ୍ଥିତାବସ୍ଥାରେ ପରିବର୍ତ୍ତନ ଚାହେଁ ବୋଲି କହି ଗର୍ବ କରିବା ଉଚିତ ନୁହେଁ କାରଣ ଏହା ଭାରତକୁ ରସାତଳକୁ ନେଇଯିବ।
ମୋଦି ସରକାର ଅର୍ଥନୈତିକ ପରିଚାଳନାରେ ଦକ୍ଷ ନୁହନ୍ତି। ଭାରତରେ ଆର୍ଥିକ ମାନ୍ଦାବସ୍ଥା ଲାଗିରହିଛି ଏବଂ ଦୁଇବର୍ଷ ହେଲା ପ୍ରତି ତ୍ରିମାସୀରେ ଅଭିବୃଦ୍ଧି ହାର ହ୍ରାସ ପାଉଛି। ଗତ ଦୁଇ ତ୍ରିମାସୀରେ ସରକାରଙ୍କ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବିକ୍ରି ହ୍ରାସ ପାଇଛି, ଯାହା ମାନ୍ଦାବସ୍ଥାକୁ ସୂଚାଉଛି। ଭାରତ ଏକ ବୃହତ୍‌ ଅର୍ଥନୈତିକ ଶକ୍ତି ନୁହେଁ ଏବଂ ନିକଟ ଭବିଷ୍ୟତରେ ବି ହେବନାହିଁ। ମୋଦିଙ୍କ ସମଗ୍ର କାର୍ଯ୍ୟକାଳରେ ରପ୍ତାନି ସ୍ଥାଣୁ ହୋଇଯାଇଛି, ଯାହା ଶୂନ୍ୟ ଅଭିବୃଦ୍ଧିକୁ ସୂଚାଉଛି। ମୋଦିଙ୍କ ଶାସନକାଳରେ ଜିଡିପିକୁ ନିର୍ମାଣ କ୍ଷେତ୍ରର ଅବଦାନ ହ୍ରାସ ପାଇଛି। ବେକାରି ଚରମ ସୀମାରେ ପହଞ୍ଚିଛି। ଏହି ସ୍ଥିତାବସ୍ଥାରେ ପରିବର୍ତ୍ତନ ଆବଶ୍ୟକ, ମୋଦି ଯେଉଁ ସ୍ଥିତାବସ୍ଥା କଥା କହୁଛନ୍ତି ସେଥିରେ ନୁହେଁ। ଅଦୂରଦର୍ଶୀ ପଦକ୍ଷେପମାନ ନେଇ ଅର୍ଥନୀତିକୁ ବିଗାଡ଼ିଦେଲା ପରେ ସେ ଏହାକୁ ସୁଧାରିବା ଚେଷ୍ଟା ଛାଡ଼ିଦେଇଛନ୍ତି। ସେ ସର୍ବନିମ୍ନ ପ୍ରଶାସନ ଲାଗି ପ୍ରତିଶ୍ରୁତି ଦେଇଥିତ୍ଲେ କିନ୍ତୁ ଘରୋଇକରଣ ବଦଳରେ ୟେସ୍‌ ବ୍ୟାଙ୍କ ଓ ପିଏମ୍‌ସି ବ୍ୟାଙ୍କ ରାଷ୍ଟ୍ରାୟତ୍ତ ୟୁନିଟ୍‌ରେ ପରିଣତ ହୋଇଛନ୍ତି। ମୋଦି ମାତ୍ରାଧିକ ଜାତୀୟତାବାଦର ପୁରୋଧା ସାଜିଛନ୍ତି, ଯାହା ଭାରତର ଅଭିବୃଦ୍ଧିକୁ ସଂକୁଚିତ କରିଦେଇଛି ଏବଂ ବାହ୍ୟ ସ୍ଥିତିରେ ପରିବର୍ତ୍ତନ ଆଣିବା ବଦଳରେ ଦେଶ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପକୁ ଆମନ୍ତ୍ରଣ କରିଛି। ଏହା ବର୍ତ୍ତମାନର ବାସ୍ତବ ସ୍ଥିତି ଏବଂ ଏହାକୁ ପ୍ରତିରୋଧ କରାଯିବା ଦରକାର।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri