ସ୍ଥାନାନ୍ତର: ଗାଁରୁ ସହର

ବିପିନ ବିହାରୀ ମିଶ୍ର
ବୁଦ୍ଧିମତୀ ଅପେକ୍ଷା କରିଛି ଟ୍ରେନ୍‌କୁ ଏବଂ ତା’ ପରି ବହୁ ପୁରୁଷ ଓ ମହିଳା ବ୍ୟାଗ୍‌ରେ ଲୁଗାପଟା ଦିଖଣ୍ଡ ପକେଇ ନୁଖୁରାବାଳ ଥିବା ପିଲାଛୁଆଙ୍କୁ ଧରି ଅନେଇଛନ୍ତି ଟ୍ରେନ୍‌କୁ। ମଝିରେ ମଝିରେ ଦଲାଲ ଆସି ଗାଁ ହିସାବରେ ଲୋକଙ୍କୁ ବସେଇଦେଉଛି ଓ ମୁଣ୍ଡ ଗଣତି କରୁଛି। ଶଙ୍କରା ଚାଲିଯାଉଥିଲା ପରିସ୍ରା କରିବା ପାଇଁ। କିନ୍ତୁ ସର୍ଦ୍ଦାର (ଦଲାଲ) ଚିହିଙ୍କି ଆସିଲା ତା’ ଆଡ଼କୁ ଯେତେବେଳେ ସିଏ ଫେରିଲା, ”ହଇବେ ସମସ୍ତଙ୍କୁ କହିଥିଲି କେହି ନ ଯିବା ପାଇ,ଁ ଯଦି କେହି ଯିବ ମୋ ଅନୁମତି ନେବ ସେମିତି ପଳେଇଲେ ହାତଗୋଡ଼ ଭାଙ୍ଗିଦେବି।“
ସର୍ଦ୍ଦାର ସେମାନଙ୍କୁ ଆଗତୁରା ପଇସା ଦେଇଛି ଓ ଷ୍ଟାମ୍ପ ପେପରରେ ଟିପ ଚିହ୍ନ ନେଇଯାଇଛି। ଟ୍ରକ୍‌ରେ ବୋଝେଇ ହୋଇଯାଉଥିବା ଛେଳିମେଣ୍ଢାଙ୍କ ପରି ଏମାନେ ଜୁଳୁଜୁଳୁ ହୋଇ ଅନେଇ ରହୁଛନ୍ତି। ସମସ୍ତେ ଯିବେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନକୁ ଇଟାଭାଟିରେ କାମ କରିବା ପାଇଁ। ଦିନକୁ ବାରଘଣ୍ଟା ଖଟଣି, ତା’ ପୁଣି ଉତ୍ତପ୍ତ ଅଞ୍ଚଳରେ। ଛୁଆଗୁଡ଼ିକ ଇଆଡ଼େ ସିଆଡ଼େ ବୁଲିବେ ଦିନସାରା। ଖଟଣି ବାରଘଣ୍ଟା ପରେ କୁଡ଼ିଆକୁ ଫେରିଆସିବେ, ଗଣ୍ଡେ ଖାଇବେ ଓ ଶୋଇପଡ଼ିବେ କାଲିର ଖଟଣିକୁ ଅପେକ୍ଷାକରି। ମଝିରେ ମଝିରେ ଇଟାଭାଟି ମାଲିକ ଆସି କାମ ଠିକ୍‌ ହେଉନି କହି କାନତରାଟିକୁ ଧମକାଏ ଓ କାନତରାଟି ରାଗ ଶୁଝାଏ ଏମାନଙ୍କ ଉପରେ। ସାଙ୍ଗରେ ଥିବା ଗୁଣ୍ଡା ହାତ ଉଞ୍ଚାନ୍ତି ମାରିବା ପାଇଁ। ବର୍ତ୍ତମାନ ଚାହିଁଲେ ମଧ୍ୟ ଗାଁକୁ ଫେରିପାରିବେ ନାହିଁ। ସମସ୍ତେ ଶୁଣିଛନ୍ତି ଯେ ତାଙ୍କ ଭଳି ଜଣେ ଦାଦନ ଶ୍ରମିକ ପଳେଇ ଆସୁଥିଲା ଓ ଧରାପଡ଼ିବାରୁ ସର୍ଦ୍ଦାର ତା’ ହାତ କାଟିଦେଲା। ଅଳ୍ପ କିଛି ପାଠ ପଢ଼ିଥିବା ସର୍ଦ୍ଦାର ଏକଦା ଗାଈ ଚରାଉଥିଲା। ଏବେ ମୋଟରସାଇକେଲ ଚଢୁଛି ଓ ଦୁଇଟା କାର୍‌କୁ ଟ୍ୟାକ୍ସି ବ୍ୟବସାୟରେ ଲଗେଇ ଦେଇଛି। ପାଖଆଖ ଅଞ୍ଚଳରେ ତା’ର ପ୍ରବଳ ପ୍ରତିପତ୍ତି। ଲେବରବାବୁ ନେତା ଓ ଛୋଟ ନେତା ଗାଁକୁ ଆସିଲେ ତା’ ଘରେ ଆପ୍ୟାୟିତ ହୁଅନ୍ତି।
ଏଇ ଯେଉଁ ଲୋକମାନେ ଯାଆନ୍ତି ଇଟାଭାଟିକୁ, ତାହା ଅଜଣା ଅଶୁଣା ଜାଗା ଯେଉଁଠି କେହି ତାଙ୍କ ଭାଷା ବୁଝିପାରିବେନି କି ସ୍ଥାନୀୟ ଲୋକଙ୍କ ଭାଷା ଏମାନେ ବୁଝିପାରିବେନି। ବାରମ୍ବାର ମରୁଡ଼ି ପଡ଼ିବା ଦ୍ୱାରା ଫସଲ ନଷ୍ଟ ହୁଏ, ଆକାଶକୁ ଅସହାୟ ହୋଇ ଏମାନେ ଅନାନ୍ତି ଓ ସେଇ ସମୟରେ ତାଙ୍କୁ ସୁନେଲି ସ୍ବପ୍ନ ଦେଖାନ୍ତି ସର୍ଦ୍ଦାରର ଖାସ୍‌ ଲୋକମାନେ। ବଢ଼ିଆ ପଇସା, ବଢ଼ିଆ ଘର, କମ୍‌ ପରିଶ୍ରମ ଇତ୍ୟାଦିର ଲୋଭ ଦେଖାଇ ନେଇଯାଆନ୍ତି ଓ୍ବାରଙ୍ଗଲ, କଡପା, ବିଜୟଓ୍ବାଡା ଇତ୍ୟାଦି ଜିଲାଗୁଡ଼ିକୁ। ୨୦୦ ବର୍ଷ ତଳେ ଉତ୍ତରପ୍ରଦେଶ, ବିହାରରୁ ଯାଉଥିଲେ ଭାରତୀୟମାନେ ପଶ୍ଚିମ ଏସିଆ ଦ୍ୱୀପପୁଞ୍ଜ ରାଜ୍ୟ ଗୁଏନା, ସୁରିନାମ, ଜାମାଇକା ଇତ୍ୟାଦିକୁ ଓ ମାଳୟ, ସିଙ୍ଗାପୁର, ଫିଜି ଦେଶକୁ। ପ୍ରକୃତରେ ସେମାନେ ଯାଉ ନ ଥିଲେ, ସେମାନଙ୍କୁ ରପ୍ତାନି କରାଯାଉଥିଲା ପରମିଟ୍‌ ଖଣ୍ଡେ ଖଣ୍ଡେ ଧରେଇଦେଇ। ପରମିଟ୍‌ରୁ ସେମାନେ ହେଲେ ପରମିଟିଆ ଓ ଅପଭ୍ରଂଶ ହୋଇ ହେଲେ ଗିର୍‌ମିଟିଆ। ଅଶିକ୍ଷିତ ଓ ଭୂଗୋଳ ଜାଣି ନ ଥିବା ଏଇ ଲୋକଗୁଡ଼ିକ କେଉଁଠିକୁ ଯାଉଛନ୍ତି କିଛି ବୁଝିପାରୁ ନ ଥିଲେ। ଅଧିକାଂଶ ଗଲେ ମାଲେସିଆ। ବର୍ତ୍ତମାନ ମାଲେସିଆରେ ଭାରତୀୟ ଅଛନ୍ତି ୩୦ଲକ୍ଷ ପାଖାପାଖି। ମାଲେସିଆରୁ କେହି କେହି ଗଲେ ସିଙ୍ଗାପୁର। ମାଲେସିଆରେ ବର୍ତ୍ତମାନ ଜଣେ ଭାରତୀୟ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ଫିଜିରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ସିଙ୍ଗାପୁରରେ ଦୁଇ ଦୁଇଥର ଭାରତୀୟ ରାଷ୍ଟ୍ରପତି ହୋଇଛନ୍ତି। ଏଇ ଗିର୍‌ମିଟିଆମାନଙ୍କ ମଧ୍ୟରୁ ଅଧିକାଂଶ ଚୁକ୍ତିପତ୍ରରୁ ମୁକ୍ତହେବା ପରେ ଛୋଟ ଛୋଟ ବ୍ୟବସାୟ ଆରମ୍ଭକରି ବଡ଼ ବ୍ୟବସାୟୀ ହୋଇଗଲେ, କେହି କେହି ରାଜନୀତିରେ ମିଶିଲେ। ସ୍ବାଧୀନତା ପୂର୍ବରୁ କାଁ ଭାଁ ଯାଉଥିଲେ କାନାଡା ଓ ଆମେରିକାକୁ, କିନ୍ତୁ ସ୍ବାଧୀନତା ପରେ ବହୁ ସଂଖ୍ୟାରେ ଗଲେ ଇଂଲଣ୍ଡ, ଆମେରିକା ଓ କାନାଡାକୁ। ବର୍ତ୍ତମାନ କାନାଡାରେ କେତେଜଣ ଭାରତୀୟ ସାଂସଦ ଅଛନ୍ତି ଓ ୪ ଜଣ ହୋଇଛନ୍ତି ମନ୍ତ୍ରୀ। ଆମେରିକାରେ ଜଣେ ହୋଇଛନ୍ତି ଗଭର୍ନର (ବବି ଜିନ୍ଦଲ), ଅନେକେ ହୋଇଛନ୍ତି ସାଂସଦ ଓ ପ୍ରଦେଶର ଲୋକପ୍ରତିନିଧି। ସେ ଦେଶରେ ଭାରତୀୟମାନଙ୍କ ସମ୍ମାନ ବହୁତ। ବର୍ତ୍ତମାନ ଇଂଲଣ୍ଡରେ ହୋଇଥିବା ନିର୍ବାଚନରେ ଲେବର ଦଳକୁ ହରେଇବାରେ ଭାରତୀୟଙ୍କର ଅନେକ ଭୂମିକା ଅଛି। ଯେଭଳି ଭାବେ ଭାରତୀୟଙ୍କ ପ୍ରଭାବ ବଢ଼ିଚାଲିଛି ଦିନେ ନା ଦିନେ କେହି ମୂଳ ଭାରତୀୟ ଇଂଲଣ୍ଡ ଓ କାନାଡାରେ ପ୍ରଧାନମନ୍ତ୍ରୀ ଓ ଆମେରିକାରେ ରାଷ୍ଟ୍ରପତି ହୋଇପାରନ୍ତି। ସେହି ତୁଳନାରେ ପାକିସ୍ତାନୀଙ୍କର ଆଦର ନାହିଁ। ଏପରିକି ଅନେକ ସ୍ଥାନରେ ସେମାନେ ଗ୍ରହଣୀୟ ହୁଅନ୍ତି ନାହିଁ। ବର୍ମିଂହାମ୍‌ ପାଖ ଏକ ଗାଁକୁ ଯାଇଥିଲି। ଦେଖିଲି ଜଣେ ବସ୍‌ ଡ୍ରାଇଭର ଓ ତାଙ୍କ ବଢ଼େଇ ଶଳାଙ୍କର ରହିବା ଅବସ୍ଥା। ଉଭୟଙ୍କର ଦୁଇଟି ଲେଖାଏ କାର୍‌, ଦୁଇ ମହଲା କୋଠା ପରସ୍ପରକୁ ଲାଗି ଓ ଘରର ସାଜସଜ୍ଜା ବେଶ୍‌ ଭଲ। ଏମାନେ ଦାଢ଼ି କାଟିଥିବା ଶିଖ୍‌। ବେଶ୍‌ ଭଲରେ ଅଛନ୍ତି ଓ ଇଂଲଣ୍ଡର ନାଗରିକ ହୋଇଯାଇଛନ୍ତି। ସେଇଭଳି ଏକ ଭାରତୀୟ ପରିବାର ଘରକୁ ଯାଇଥିଲି ଓ୍ବାଶିଂଟନରେ। ସେ ଯାଇଥିଲେ ଭିଣେଇଙ୍କ ଦୋକାନରେ ବଢ଼େଇ କାମ କରିବା ପାଇଁ। ଏବେ ପ୍ରାଚୁର୍ଯ୍ୟରେ ଅଛନ୍ତି। ଗଞ୍ଜାମରୁ ଅନେକ ଯାଇଛନ୍ତି ସୁରଟକୁ। ବହୁତ କାମ କରନ୍ତି ବିଭିନ୍ନ ଶିଳ୍ପରେ, ଅନେକ କାମ କରନ୍ତି ହୀରାକଟାଳି ହିସାବରେ। ତା’ ଛଡ଼ା ଓଡ଼ିଆ ପାଇପ ମିସ୍ତ୍ରି ସାରା ଭାରତରେ ଖେଳିଯାଇଛନ୍ତି। ଅନେକେ ଯାଇଛନ୍ତି ହୋଟେଲରେ କାମ କରିବା ପାଇଁ ବମ୍ବେ, ହାଇଦ୍ରାବାଦ, ଚେନ୍ନାଇ। ଲକ୍ଷ ଲକ୍ଷ ଭାରତୀୟ ବିଶେଷତଃ କେରଳ, ଆନ୍ଧ୍ରରୁ ଦୁବାଇ, ଆବୁଧାବୀ, କୁଏଟ୍‌, କାତାର, ସାଉଦି ଆରବରେ କାମ କରୁଛନ୍ତି। ଦୁବାଇରେ ପ୍ରାୟ ଅଧା ସିନେମା ହଲ୍‌ରେ ହିନ୍ଦୀ, ମାଲୟାଲମ, ତେଲୁଗୁ ସିନେମା ଦେଖାଯାଏ। ୮୦ରୁ ୯୦ହଜାର କୋଟି ଡଲାର ଆସେ ବିଦେଶୀ ଭାରତୀୟଙ୍କଠାରୁ ଆମ ଦେଶକୁ। ଆମଦାନି ରପ୍ତାନି ମଧ୍ୟରେ ଯେଉଁ ନିଅଣ୍ଟ ପଡ଼େ (ଆମଦାନି ବେଶି ରପ୍ତାନି କମ୍‌) ତାହା ପୂରଣ ହୋଇଯାଏ ଏମାନଙ୍କ ଟଙ୍କା ଆସିବା ଦ୍ୱାରା। କେରଳରେ ଆସ୍ତେ ଆସ୍ତେ ଗାଁଗୁଡ଼ିକ ସହର ହୋଇଯାଉଛି ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଆସୁଥିବା ଟଙ୍କା ଦ୍ୱାରା। ପଞ୍ଜାବୀମାନେ ବିଶେଷତଃ ଶିଖ୍‌ ଟଙ୍କା ପଠାନ୍ତି ଘରକୁ ଏବଂ ସ୍ବର୍ଣ୍ଣମନ୍ଦିରକୁ। କିନ୍ତୁ ଇଟାଭାଟି କଥା ନିଆରା। ସରକାର ଚେଷ୍ଟାକଲେ ମଧ୍ୟ ବଲାଙ୍ଗୀର, କଳାହାଣ୍ଡିରୁ ସୁଅ ଛୁଟୁଛି। ବହୁ ବର୍ଷ ତଳେ ଓଡ଼ିଶାର ଜଣେ ଝିଅ ରୂପଶ୍ରୀ ଗୋଟିଏ ବୃତ୍ତଚିତ୍ର ହାରଭେଷ୍ଟ ଅଫ୍‌ ହଙ୍ଗର ତିଆରି କରି ରାଷ୍ଟ୍ରପତି ପୁରସ୍କାର ପାଇଥିଲେ।
ଏସବୁ ତଥ୍ୟକୁ ପର୍ଯ୍ୟାଲୋଚନା କଲେ ଆମେ ସ୍ଥାନାନ୍ତରର ବିଭିନ୍ନ କାରଣ ଖୋଜିପାଇବା। ପ୍ରଥମ ହେଲା ବର୍ତ୍ତମାନ ବହୁ ସ୍କୁଲ କଲେଜ ଖୋଲିଗଲାଣି। ମାନ ଉଚ୍ଚ ନ ହେଲେ ମଧ୍ୟ ପିଲାମାନେ କିଛି କିଛି ଜାଣୁଛନ୍ତି। ଗାଁଗୁଡ଼ିକରେ ଟିଭି ଓ ମୋବାଇଲ ଫୋନ୍‌ ବହୁତ ଓ ସମସ୍ତେ ଦେଖୁଛନ୍ତି ସହରୀ ଜୀବନ ଓ ତା’ ସାଙ୍ଗେ ଦେଖୁଛନ୍ତି ସ୍ବପ୍ନ। ପ୍ରତି ଦଶବର୍ଷରେ ହିସାବ କଲେ ଜଣାଯିବ ଯେ ଅଧିକାଂଶ ଚାଲୁଛନ୍ତି ସହରକୁ ଭଲ ଶିକ୍ଷା ଓ ଚିକିତ୍ସାର ସୁଯୋଗ ପାଇଁ। ସମସ୍ତେ ଚାହୁଁଛନ୍ତି କିଭଳି ସେମାନଙ୍କ ପିଲାମାନେ ଭଲ ପଢ଼ନ୍ତୁ ଓ ଭଲ ଚାକିରି କରନ୍ତୁ। ମୁଁ ବହୁ ଜିଲାରେ ଏସ୍‌ପି ଭାବେ କାର୍ଯ୍ୟ କରିଛି ଓ କନଷ୍ଟେବଳମାନଙ୍କ ଘରକୁ ଯାଇଛି। ସମସ୍ତଙ୍କ ଇଚ୍ଛା ଯେ ତାଙ୍କ ପୁଅଟି କେମିତି କନଷ୍ଟେବଳ ହୋଇଯାଉ। ସେ ଯୁଗ ଗଲାଣି ଏବେ ସମସ୍ତେ ଚାହୁଁଛନ୍ତି ପିଲା କେମିତି ପାଠ ପଢୁ ଡାକ୍ତର, ଇଞ୍ଜିନିୟର ହେଉ ଏବଂ ଏସବୁ ହୋଇପାରିବ ସହରକୁ ଗଲେ। ସହରମୁଖୀ ଏଇ ଗ୍ରାମବାସୀଙ୍କ ମଧ୍ୟରୁ ଅଧିକାଂଶ ବମ୍ବେ ଆସିଲେ ରୁହନ୍ତି ଧର୍‌ବିରେ ଓ ଭୁବନେଶ୍ୱରରେ ସାଲିଆସାହି। ଏଇଠି ନାହିଁ ବ୍ରାହ୍ମଣସାହି, ମହାନ୍ତିସାହି, ତନ୍ତିସାହି, ହରିଜନ ବସ୍ତି କିମ୍ବା ତେଲିସାହି। ରହିବାରେ କୌଣସି ବାଛବିଚାର ନାହିଁ। ବନ୍ଧୁତା ହୁଏ ଜାତିକୁ ନ ବାରି। ଏ ଏକ ନୂତନ ସଂସ୍କୃତି ବଢୁଛି ଯଥା କେମିତି ଅଧିକ ଭଲରେ ରହିବୁ। ବସ୍ତି ଅଞ୍ଚଳରେ ସମସ୍ତେ ଥାଆନ୍ତି- ରଙ୍ଗମିସ୍ତ୍ରିଠୁ ଆରମ୍ଭ କରି କାମବାଲୀ ପର୍ଯ୍ୟନ୍ତ। ସହରବାସୀ ନିର୍ଭର କରନ୍ତି ତାଙ୍କ ଉପରେ। ଧର୍‌ବି ବିନା ବମ୍ବେବାସୀ ରହିପାରିବେ ନାହିଁ। ସାଲିଆସାହି ରେଣ୍ଟାଲ କଲୋନୀ ବିନା ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ବରମୁଣ୍ଡାବାସୀ ରହିପାରିବେ ନାହିଁ। ଚାକିରି ସନ୍ଧାନ କରୁଥିବା ଓ ଚାକିରିଆ ଖୋଜୁଥିବା ଉଭୟଙ୍କ ପାଇଁ ଏ ବସ୍ତି ଅଞ୍ଚଳ ହେଲା ସଂଯୋଗର ସ୍ଥାନ। ଆମେ ଆଗରୁ ଶୁଣି ନ ଥିଲୁ ଏମିତି ଏକ ଶବ୍ଦ ଯଥା ମଜୁରିଆ ହାଟ। ମଜୁରି କରୁଥିବା ଲୋକଙ୍କର ହାଟ ବସେ ପ୍ରତିଦିନ ଓ ଆବଶ୍ୟକ ଥିବା ଲୋକମାନେ ତାଙ୍କୁ ନେଇଯାଆନ୍ତି ସା ପର୍ଯ୍ୟନ୍ତ ଖଟେଇବା ପାଇଁ। ଉଭୟେ ଖୁସି। ଗାଁରେ ବର୍ତ୍ତମାନ ଝିଅମାନଙ୍କ ପାଇଁ ବ୍ୟୁଟିପାର୍ଲର ଖୋଲାଗଲାଣି ଓ ପିଲାମାନେ ଜିନ୍ସ ପ୍ୟାଣ୍ଟ ପିନ୍ଧିଲେଣି। ସ୍ବପ୍ନ ଦେଖୁଥିବା ଗ୍ରାମବାସୀ ଯଦି ସ୍ବପ୍ନକୁ ସାକାର କରନ୍ତି ଦେଶ ଆହୁରି ଆଗେଇ ଚାଲିବ।
ପୂର୍ବତନ ପୋଲିସ ଡିଜି, ମୋ-୯୦୪୦୪୧୨୩୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri