‘ସାଇନିଂ ଇଣ୍ଡିଆ’ ବନାମ ‘ମୋଦି କୀ ଗ୍ୟାରେଣ୍ଟି’

ସୌଭାଗ୍ୟ ସୁନ୍ଦରରାୟ

ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ୨୦୦୪ ମସିହାରେ ଭାରତୀୟ ଜନତା ପାର୍ଟି (ଭାଜପା) ନିର୍ବାଚନୀ ବିଜ୍ଞାପନର ସ୍ଲୋଗାନ ଥିଲା ‘ସାଇନିଂ ଇଣ୍ଡିଆ’ ବା ଚମକୁଥିବା ଭାରତ। ତେବେ ଏହି ନିର୍ବାଚନରେ ଦଳ ୧୪୪ ଆସନରେ ବିଜୟୀ ହେଲା। କଂଗ୍ରେସ ପାଇଥିଲା ୧୫୯ ଆସନ। ଫଳରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ପୁନର୍ବାର କ୍ଷମତାକୁ ଫେରିପାରି ନଥିଲା। ୨୦୨୪ ନିର୍ବାଚନ ପାଇଁ ଦଳର ବିଜ୍ଞାପନ ସ୍ଲୋଗାନ ରହିଛି ’ମୋଦି କୀ ଗ୍ୟାରେଣ୍ଟି’ ବା ମୋଦିଙ୍କ ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତି ହେଉଛି ଦେଶର ଗରିବ ଜନସାଧାରଣଙ୍କୁ ୫ ବର୍ଷ ପାଇଁ ମାଗଣା ଚାଉଳ ଯୋଗାଣ ଓ ବିକଶିତ ଭାରତର ସ୍ବପ୍ନ। ୨୦୦୪ ମସିହା ସାଇନିଂ ଇଣ୍ଡିଆ ସ୍ଲୋଗାନରେ ମଧ୍ୟ ଏକ ବିକାଶଶୀଳ ଭାରତବର୍ଷର ପ୍ରତିଛବି ନିହିତ ରହିଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସ୍ବର୍ଣ୍ଣ ଚତୁର୍ଭୁଜ, ସର୍ବନିମ୍ନ ଗୃହଋଣ, ନିୟନ୍ତ୍ରିତ ଦରଦାମ୍‌କୁ ନେଇ ଏହି ସ୍ଲୋଗାନର ପରିକଳ୍ପନା କରାଯାଇଥିଲା।
୨୦୧୪ ମସିହାରୁ ଦୁଇ ଥର କ୍ଷମତାକୁ ଆସିସାରିବା ପରେ ୨୦୨୪ ମସିହାରେ ତୃତୀୟ ପାଳି କ୍ଷମତାକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ଅତ୍ୟନ୍ତ ଆତ୍ମବିଶ୍ୱାସ ଏହି ବିଜ୍ଞାପନରେ ନିହିତ ରହିଥିବା ପରି ଜଣାପଡୁଛି। ତେବେ ଏଠାରେ ଭାରତୀୟ ଜନତା ପାର୍ଟିର ପ୍ରଥମ ଦୁଇ ପାଳି ସ୍ଲୋଗାନ ଆଲୋଚନାର ଆବଶ୍ୟକତା ରହିଛି। ପ୍ରଥମ ପାଳି କ୍ଷମତାକୁ ଆସିବା ସମୟରେ ସ୍ଲୋଗାନ ଥିଲା ‘ଅଛେ ଦିନ୍‌ ଆୟେଗା’। ବିଦେଶରେ ରହିଥିବା ଦେଶର ବିପୁଳ କଳାଟଙ୍କା ଦେଶକୁ ଫେରିବ। ଏହା ଗରିବ ଜନସାଧାରଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏ ଗ୍ୟାରେଣ୍ଟି ଥିଲା ଭାଜପାର। ତେବେ ୧୦ ବର୍ଷ ପରେ ମଧ୍ୟ ଦେଶବାସୀ ଏହାର ଉତ୍ତର ପାଇପାରିଲେ ନାହିଁ। ଖାଉଟି ବଜାର ଅନିୟନ୍ତ୍ରିତ ଅବସ୍ଥାରେ ରହିଛି। ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଦୁର୍ବିଷହ ଅବସ୍ଥାରେ ରହିଛନ୍ତି। ପ୍ରଥମ ପାଳିରେ ୨୦୧୬ ନଭେମ୍ବରରେ ଦେଶରେ ବିମୁଦ୍ରୀକରଣ କରାଯିବା ସମୟରେ କଳାଟଙ୍କା ହ୍ରାସ ପାଇ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି କୁହାଗଲା। କିନ୍ତୁ ଦେଖାଗଲା କୌଣସିଟି ଠିକ୍‌ ହେଲା ନାହିଁ। ବରଂ ସରକାରଙ୍କ ସେହି ପାଳିରେ ୨୦୧୯ ଫେବୃଆରୀରେ ଭାରତୀୟ ସେନାଙ୍କୁ ନେଇ ଯାଉଥିବା ଜମ୍ମୁ-ଶ୍ରୀନଗର ରାଜପଥର ପୁଲୱାମା ନିକଟରେ ଆତଙ୍କବାଦୀ ବିସ୍ଫୋରଣରେ ୪୦ ଜଣ ସିଆର୍‌ପିଏଫ ଯବାନ ପ୍ରାଣ ହରାଇଥିଲେ। ୨୦୧୬ ସେପ୍ଟେମ୍ବର ୧୮ରେ ଉରି ସ୍ଥିତ ସେନା ବ୍ରିଗେଡ ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣରେ ୧୯ ଜଣ ଭାରତୀୟ ସେନା ନିହତ ହୋଇଥିଲେ। ସେହି ମାସରେ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ଏହାର ପର ନିର୍ବାଚନ ୨୦୧୯ ମସିହା ବେଳକୁ ଭାରତୀୟ ଜନତା ପାର୍ଟିର ସ୍ଲୋଗାନ ହେଲା ‘ଫିର୍‌ ଏକ ବାର୍‌ ମୋଦି ସରକାର’। ସଦ୍ୟ ପୁଲ୍‌ୱମା ଆକ୍ରମଣ ଓ ଉରି ଆକ୍ରମଣ ପରବର୍ତ୍ତୀ ସର୍ଜିକାଲ ଷ୍ଟ୍ରାଇକରୁ ଫାଇଦା ନେଇ ଭାଜପା ନିଜକୁ ରାଷ୍ଟ୍ରଭକ୍ତ ଦଳ ଭାବେ ଉପସ୍ଥାପିତ କରି ପୁଣି ଥରେ ମୋଦି ସରକାରଙ୍କୁ ଜିତାଇବାକୁ ଭୋଟରଙ୍କୁ ନିବେଦନ କରିଥିଲା ଏବଂ ଏଥିରେ ସଫଳ ହୋଇଥିଲା। ଏହି ସମୟ ବେଳକୁ ଦଳ ଅଛେ ଦିନ୍‌ ସ୍ଲୋଗାନ ଭୁଲି ଯାଇଥିଲା। ନିର୍ବାଚନ ପ୍ରଚାରରେ ମୁଖ୍ୟତଃ ଆତଙ୍କବାଦ ଓ ପାକିସ୍ତାନ ବିଷୟ ଉଠାଇ ରାଷ୍ଟ୍ରବାଦର ପରିବେଶ ସୃଷ୍ଟି କରିପାରିଥିଲା।
ଦିଲ୍ଲୀରେ ରହିଛି ଏକ ନିର୍ବାଚିତ ସରକାର। ଏହି ସରକାରକୁ କେନ୍ଦ୍ର ଏକ ପ୍ରକାର ଅଚଳ କରି ରଖିଛି। ଦିଲ୍ଲୀ ଅମଲାତନ୍ତ୍ର ନିୟନ୍ତ୍ରଣ ନିର୍ବାଚିତ ସରକାରଙ୍କ ଉପରେ ନ୍ୟସ୍ତ ନିମନ୍ତେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ରାୟ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ବଳରେ ଏହି ରାୟକୁ ଅକାମୀ କରିଥିଲେ। ଏହି ଆଚରଣ ନିର୍ବାଚିତ ସରକାର ବା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବେଖାତିର ମନୋଭାବ ସଦୃଶ ହୋଇଛି। ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନରେ ରିଟର୍ନିଂ ଅଫିସର ଦାୟିତ୍ୱ ତୁଲାଇଥିବା ଭାଜପା କର୍ପୋରେଟର ୮ଟି ଭୋଟ ବିକୃତ କରିଥିଲେ। ପରେ ଏହାକୁ ରଦ୍ଦ କରି ଭାଜପା ସପକ୍ଷରେ ମେୟର ପଦବୀ ନେଇଥିଲେ। ମାମଲା ସୁପ୍ରିମକୋର୍ଟ ଆସିଲା। ଅଦାଲତ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ଦର୍ଶାଇ ମେୟର ପଦବୀରେ ଆମ୍‌ ଆଦମୀ ପାର୍ଟି କର୍ପୋରେଟରଙ୍କୁ ବସାଇଥିଲେ। ୧୦୧୭ ମସିହାରେ ପ୍ରଥମ ପାଳିରେ ସରକାର ଅର୍ଥ ବିଲ୍‌ରେ ନିର୍ବାଚନୀ ବଣ୍ଡ ପ୍ରଚଳନ କଲେ। ଏହା ଏପରି ଏକ ବଣ୍ଡ୍‌, ଯେଉଁଥିରେ ରାଜନୈତିକ ଦଳକୁ ଦାନ ଦେଉଥିବା ଦାତାଙ୍କ ନାମ ଗୋପନ ରଖାଯିବାର ବ୍ୟବସ୍ଥା ରହିଥିଲା। ଏପରି ଏକ ବ୍ୟବସ୍ଥାକୁ ଅସାମ୍ବିଧାନିକ ଦର୍ଶାଇ ସମସ୍ତ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବଣ୍ଡ୍‌ ପ୍ରଚଳନ ସମୟରେ ଭାରତୀୟ ନିର୍ବାଚନ କମିଶନ ମଧ୍ୟ ଏଥିସହ ଏକମତ ନଥିଲେ।
ଚଳିତ ନିର୍ବାଚନ ପାଇଁ ଯେଉଁ ଗ୍ୟାରେଣ୍ଟି ବିଷୟ ଉଠୁଛି ସେଥିରେ ‘ଇସ୍‌ ବାର୍‌ ୪୦୦ ପାର୍‌’ ମଧ୍ୟ ସଂଯୋଜିତ ହୋଇ ରହିଛି। ତେବେ ଏହି ଚାରସୋ ପାର୍‌ ନେଇ ଖୋଦ୍‌ ଦଳ ଆଶଙ୍କାରେ ରହିଥିବା ମନେହୁଏ। ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଦଳ ‘ଇସ୍‌ ବାର୍‌ ୨୦୦ ପାର୍‌’ ସ୍ଲୋଗାନ ଦେଇଥିଲା। କିନ୍ତୁ ବିଜୟୀ ହେଲା ୭୭ଟି ଆସନରେ। ଏହି ୭୭ ଆସନ ମଧ୍ୟ ଦଳ ପାଇଁ ବେଶ୍‌ ସଫଳତା ଥିଲା। କାରଣ ପୂର୍ବ ନିର୍ବାଚନରେ ଦଳ ମାତ୍ର ୩ଟି ଆସନ ପାଇଥିଲା। ତେବେ ଏତେ ଅଧିକ କରି ସ୍ଲୋଗାନ କ’ଣ ପାଇଁ ? ଏହା ସାଧାରଣ ଜନତାଙ୍କୁ ଭ୍ରମିତ କରିବା ପାଇଁ। ସାଧାରଣ ଜନତାଙ୍କ ମନରେ ଦଳ ସପକ୍ଷରେ ହାୱା ବହୁଥିବା ଧାରଣା ସୃଷ୍ଟି କରିବା ଏପ୍ରକାର ନାରାର ଉଦ୍ଦେଶ୍ୟ। ଚଳିତ ନିର୍ବାଚନ ପାଇଁ ଦଳ ମନରେ ଯେଉଁ ଆଶଙ୍କା ରହିଛି ତାହା ହେଲା ମହାରାଷ୍ଟ୍ରରେ ଗତ ନିର୍ବାଚନରେ ଶିବସେନା ସହ ଦଳ ମେଣ୍ଟ କରି ମୋଟ ୪୮ଟି ଆସନ ଲାଭ କରିଥିଲା। ସେଥିମଧ୍ୟରୁ ଶିବସେନା ୧୮ଟି ଲୋକ ସଭା ଆସନରେ ବିଜୟୀ ହୋଇଥିବାବେଳେ ଭାଜପା ୨୩ଟି ଆସନରେ ବିଜୟୀ ହୋଇଥିଲା। କିନ୍ତୁ ଚଳିତ ଥର ଶିବସେନା ବିଭାଜିତ ହୋଇଛି। ତେଣେ ଏନ୍‌ସିପି ମଧ୍ୟ ବିଭାଜିତ ହୋଇଛି। ଏଣୁ ରାଜ୍ୟରେ ବ୍ୟାପକ ଭାବେ ଭୋଟ ବିଭାଜନ ହେବା ଆଶଙ୍କା ରହିଛି। ଗତ ନିର୍ବାଚନରେ ଉତ୍ତରପ୍ରଦେଶର ୮୦ଟି ଆସନ ମଧ୍ୟରୁ ଭାଜପା ୫୨ ଆସନରେ ବିଜୟ ଲାଭ କରିଥିଲା। ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ବେଶ୍‌ ସଫଳତା ହାସଲ କରିଛି। ଭାଜପା ପୂର୍ବ ବିଧାନସଭା ନିର୍ବାଚନରେ ୩୨୫ ଆସନ ପାଇଥିବାବେଳେ ୨୦୨୨ ନିର୍ବାଚନରେ ଆସନ ସଂଖ୍ୟା ୨୫୫କୁ ହ୍ରାସ ପାଇଥିଲା। ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକ ସଭା ଆସନ ଗତ ଥର ଭାଜପା ସପକ୍ଷରେ ଯାଇଥିବାବେଳେ ଚଳିତ ଥର ଦିଲ୍ଲୀରେ କଂଗ୍ରେସ-ଆପ୍‌ ମେଣ୍ଟ ଭାଜପା ପାଇଁ ଅଡ଼ୁଆ ସୃଷ୍ଟି କରିପାରେ। ବିହାରରେ ଗତ ଲୋକ ସଭା ନିର୍ବାଚନରେ ମୋଟ ୪୦ ଆସନ ମଧ୍ୟରୁ ଭାଜପା ୧୭ଟି ଓ ଜନତା ଦଳ (ୟୁ) ୧୬ଟି ଆସନରେ ବିଜୟୀ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜେଡି(ୟୁ) ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ରାଜ୍ୟରେ ଜନତା ଦଳ (ୟୁ) ପାଇଁ ଦ୍ୱାର ବନ୍ଦ ବୋଲି ଏକଦା କହିଥିବା ଭାଜପା ଲୋକ ସଭା ଆସନ ସ୍ଥିତି ନେଇ କିଛି ଆଶଙ୍କା କରି ପୁଣି ଜେଡି (ୟୁ) ସହ ମେଣ୍ଟ କରିବାକୁ ରାଜି ହୋଇଛି। ହିମାଚଳରେ ମୋଟ ୪ଟି ଯାକ ଲୋକ ସଭା ଆସନ ଭାଜପାକୁ ଯାଇଥିବାବେଳେ ଚଳିତ ଥର ହିମାଚଳପ୍ରଦେଶ ବିଧାନସଭାରେ କଂଗ୍ରେସ ସରକାର ଗଠନ କରିଛି। ପଞ୍ଜାବରେ ଆପ୍‌ ସରକାର ରହିଛି। ତେଲଙ୍ଗାନାରେ କଂଗ୍ରେସ ସରକାର ରହିଛି। ଗୁଜରାଟରେ ଆପ୍‌ର ଅନୁପ୍ରବେଶ ଘଟିଛି। କର୍ନାଟକରେ ଏବେ କଂଗ୍ରେସ ସରକାର ଗଠନ ହୋଇଛି। ଓଡ଼ିଶାରେ ଶାସକ ଦଳ ସହ ମେଣ୍ଟ ପାଇଁ ଭାଜପା ଇଚ୍ଛୁକ। ମୁହଁରେ କହୁଥିଲେ ମଧ୍ୟ ଭାଜପା ମନରେ ଆସନ ନେଇ ଶଙ୍କା ରହିଛି। ଏହି କାରଣରୁ ଏକଦା ଏନ୍‌ଡିଏ ହାତ ଛାଡ଼ିଥିବା ଦଳଗୁଡ଼ିକ ସହ ପୁନର୍ବାର ମେଣ୍ଟ ପାଇଁ ଭାଜପା ପ୍ରସ୍ତୁତ ଥିବା ଜଣାଯାଉଛି।
ମୋ-୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri