ସର୍ବତ୍ର ବିଶୃଙ୍ଖଳା

ରାଧାଶ୍ୟାମ ରାଉଳ

ଶୃଙ୍ଖଳା ଅଭାବରୁ ଆଜି ପାରିବାରିକ ଜୀବନରୁ ରାଷ୍ଟ୍ରୀୟ, ଅନ୍ତଃରାଷ୍ଟ୍ରୀୟ ଜୀବନ ଯାଏ ପ୍ରାୟ ସବୁଠାରେ ବିଶୃଙ୍ଖଳ ଅବସ୍ଥା। କେହି କାହାକୁ ଶୁଣିବାକୁ କି ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ ନୀତି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସ୍ବେଚ୍ଛାଚାରିତା, ଅବ୍ୟବସ୍ଥା, ଅହଙ୍କାର, ଅସହିଷ୍ଣୁତା, ନିୟମଶୂନ୍ୟତା, ଉଚ୍ଛୃଙ୍ଖଳତା, ଅବିମୃଶ୍ୟକାରିତା ସର୍ବତ୍ର କାୟାବିସ୍ତାର କରିଚାଲିଛି।
ଶୃଙ୍ଖଳାଜ୍ଞାନ ପରିବାର ବା ଘରୁ ଆରମ୍ଭ ହୁଏ। ହେଲେ ଆଜିର ସମୟରେ ଘର ଆଉ ଘର ହୋଇ ରହିନାହିଁ। ପାରସ୍ପରିକ ମତ ଓ ମନକୁ ନେଇ ବିରୋଧାଭାସର ଚିତ୍ର ସ୍ପଷ୍ଟ ପ୍ରାୟ ପ୍ରତ୍ୟେକ ପରିବାରରେ। ସ୍ନେହ, ପ୍ରେମ, ଶ୍ରଦ୍ଧା, ସମ୍ମାନ, ଭଲପାଇବା ଏବେ ମିଳିବା ମୁସ୍କିଲ ପରିବାରରୁ। ଉତ୍ତମ ବୁଝାମଣା ରହୁନାହିଁ, ସ୍ବାମୀ ସ୍ତ୍ରୀ, ବାପା ପୁଅ, ଭାଇ ଭାଇ ମଧ୍ୟରେ। ଅପରପକ୍ଷେ ବିବାଦ, ବିତର୍କ, ଯୁକ୍ତିତର୍କ, ଆରୋପ, ପ୍ରତ୍ୟାରୋପ, ଅଶାନ୍ତି ଦେଖାଦେଉଛି। ନିଜ ଜନ୍ମିତ ପିଲାମାନଙ୍କୁ ଆଦର୍ଶ ଛାଞ୍ଚରେ ପକେଇବାର ପ୍ରଚେଷ୍ଟା ରହୁନାହିଁ ଆଜିର ମାଆ ବାପାଙ୍କ ପାଖରେ; ଯାହାଫଳରେ ସଫଳ ଅଭିଭାବକତ୍ୱର ଅଭାବରୁ ପରବର୍ତ୍ତୀ ସମୟରେ ପିଲାମାନେ ହେଉଛନ୍ତି, ସ୍ବେଚ୍ଛାଚାରୀ, ବିଶୃଙ୍ଖଳ, ଉଦ୍‌ଭ୍ରାନ୍ତ, ଅବାଗିଆ, ଜିଦଖୋର୍‌!
ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପରିସ୍ଥିତି ଉପୁଜିବାବେଳକୁ, ସ୍ବାମୀ ସ୍ତ୍ରୀ ପରସ୍ପରକୁ ଦୋଷ ଦିଅନ୍ତି; ‘ପିଲାମାନେ ଠିକ୍‌ ରାସ୍ତାରେ ନ ଯାଇ ଭୁଲ୍‌ ରାସ୍ତା ଧରିବା ପାଇଁ ତୁମେ ହିଁ ଦାୟୀ! ହଁ ହଁ ତୁମେ!’
ମାତ୍ରାଧିକ ବିଶୃଙ୍ଖଳାରୁ ପାଠଶାଠ ପଢ଼ି ଉଚ୍ଚଶିକ୍ଷିତ ହୋଇ ଚାକିରିବାକିରି ନ ପାଇ ପୁଅ ଦୋଷ ଦେଉଛି, ନିଜ ମାଆ ବାପାଙ୍କୁ। ସ୍ତ୍ରୀ ବୁଝିପାରୁନାହାନ୍ତି, ସ୍ବାମୀର ଧୈର୍ଯ୍ୟ, ତ୍ୟାଗ, ସହନଶୀଳତାକୁ। ଅନୁରୂପଭାବରେ ସ୍ବାମୀ ମଧ୍ୟ ବୁଝିପାରୁନାହାନ୍ତି, ସ୍ତ୍ରୀର ଏସବୁ ଗୁଣକୁ। ପିଲାମାନେ ପଥଭ୍ରଷ୍ଟ ହେବା ଦେଖି ମାଆ ବାପା ପ୍ରବଳ ମାନସିକ ଚାପ ଓ ଅପ୍ରମିତ ଦୁଃଖରେ ମ୍ରିୟମାଣ ହୋଇ ଉଚ୍ଚାରିବାକୁ ବାଧ୍ୟ ହେଉଛନ୍ତି; ”ସଂସ୍କାର, ସୁଧାର ଦେବାରେ କେଉଁଠି ଭୁଲ୍‌ ତ୍ରୁଟି ରହିଲା ଯେ, ଦିଅଁ ଗଢ଼ୁଗଢ଼ୁ ମାଙ୍କଡ଼ ଗଢ଼ି ହୋଇଗଲା! ଆମ ସୁଖମୟ ଦାମ୍ପତ୍ୟରେ ଝଡ଼ ସୃଷ୍ଟି ହେଲା?“ଏମିତି ଏମିତି ବିବିଧ ତଥ୍ୟରୁ ଯାହା ଜଣାପଡ଼ୁଛି,ଏବେ ଅଧିକାଂଶ ପରିବାରରେ ବିଶୃଙ୍ଖଳା ଏମିତି କାୟାବିସ୍ତାର କରିଛି ଯେ, ଯାହାର ପ୍ରଭାବରେ ପରସ୍ପର ମଧ୍ୟରେ ସନ୍ଦେହ, ଶତ୍ରୁତା, ଘୃଣା, ଭୁଲ୍‌ ବୁଝାମଣା ବଢ଼ିଚାଲିଛି।
ପରିବାରରୁ ଏବେ ସମାଜକୁ ଯିବା। ସମାଜରେ ମଧ୍ୟ ଅନୁରୂପ ଅବସ୍ଥା। ପଡ଼ୋଶୀ ସମ୍ପର୍କରେ ତିକ୍ତତା। ବିଶୃଙ୍ଖଳାରେ ଭରା ସମଗ୍ର ସାମାଜିକ ବ୍ୟବସ୍ଥା। ବିଶୃଙ୍ଖଳିତ ସାମାଜିକ ବ୍ୟବସ୍ଥାରୁ ସୃଷ୍ଟି ହେଉଛି ଦୁର୍ନୀତି, ଭ୍ରଷ୍ଟାଚାର, ଅପସଂସ୍କୃତି, ଅପରାଧ। ନାହିଁ ସ୍ବଚ୍ଛ, ଅବାଧ, ନିରପେକ୍ଷ ଶାସନ ବ୍ୟବସ୍ଥା। କର୍ମକର୍ତ୍ତା ଓ କାର୍ଯ୍ୟନିର୍ବାହୀ ସମିତି ସଭ୍ୟଙ୍କ ମତ ଓ ବିଚାରକୁ ଅଗ୍ରାହ୍ୟ କରିଦେଇ ପ୍ରିୟାପ୍ରୀତିତୋଷଣ ଓ ଚତୁରେ ଚତୁରେ କୋଳାକୋଳି ନୀତିରେ ନିଷ୍ପତ୍ତି ନିଆଯାଉଛି। ଭାଷାସାହିତ୍ୟ ନାଁରେ ମାତୃଭାଷାର ବିଲୟ, ବିଲୋପ ଘଟୁଛି। ସଂସ୍କୃତି ନାଁରେ ଅପସଂସ୍କୃତି, ସଂସ୍କାର ନାଁରେ ଅପସଂସ୍କାର, ରାଜନୀତି ଓ ଗଣତନ୍ତ୍ର ନାଁରେ ଦୁର୍ନୀତି, ଅନ୍ୟାୟ ଅପରାଧ, ଧର୍ମ ନାଁରେ ହୀନ ରାଜନୀତି ଧସେଇ ପଶୁଛି।
ସେବାୟତମାନଙ୍କର ଅହଙ୍କାର ଓ ଜିଦ୍‌ ପାଇଁ ଶ୍ରୀମନ୍ଦିରରେ ବାରମ୍ବାର ଜଗନ୍ନାଥଙ୍କ ନୀତିକାନ୍ତିରେ ଚରମ ବିଶୃଙ୍ଖଳା, ବିଭ୍ରାଟ ଘଟୁଛି। ଫଳସ୍ବରୂପ ଦିଅଁମାନେ ରହୁଛନ୍ତି ଅନିଦ୍ରା, ଉପବାସ। ଭକ୍ତମାନେ ଦିଅଁମାନଙ୍କର ଦର୍ଶନ ଓ ଆଶୀର୍ବାଦରୁ ବଞ୍ଚିତ ହେଉଛନ୍ତି। ଇଏ ବଡ଼ ଦାରୁଣ ସ୍ଥିତି, ଅଭାବନୀୟ ପରିସ୍ଥିତି।
ସମାଜରେ ବଢ଼ିଚାଲିଛି ଅପହରଣ, ହତ୍ୟା, ଲୁଟତରାଜ ଓ ଗୁଣ୍ଡାରାଜ। ତଦନ୍ତ ପରେ ତଦନ୍ତ ବସୁଛି ହେଲେ ପ୍ରାୟ ସବୁ ତଦନ୍ତ ବାଟବଣା। ‘ବହ୍ବାଡମ୍ବରେ ଲଘୁକ୍ରିୟା’ ପ୍ରାୟେ ସବୁ ଚାଲିଛି ସୁପରିକଳ୍ପିତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଘଟଣା ଘଟୁଛି ପ୍ରକାରେ, ରିପୋର୍ଟ ଦିଆଯାଉଛି ଅନ୍ୟପ୍ରକାର। ମୋଟାମୋଟି ଭାବରେ, ସତ୍ୟକୁ ଚାପି ଦିଆଯାଉଛି। ତଦନ୍ତର ରିପୋର୍ଟ ପାଇଁ ସୁନ୍ଦର ମନଗଢ଼ା କାହାଣୀ ରଚାଯାଉଛି; ଯଦ୍ଦ୍ବାରା ଦୋଷୀ ଅପରାଧୀ ଅଭିଯୁକ୍ତମାନେ ଅନାୟାସରେ ଖସି ଯାଉଥିବା ସ୍ଥଳେ ନିରୀହ, ନିର୍ଦ୍ଦୋଷ ନିରପରାଧମାନେ ଦଣ୍ଡିତ ନିର୍ଯାତିତ, ଅପଦସ୍ଥ ହେଉଛନ୍ତି।
ଏସବୁ ଘଟଣା, ଦୁର୍ଘଟଣା ନିତିପ୍ରତିଦିନ ଘଟୁଛି। ତେଣୁ ଆମେ ଏସବୁ ଜାଣୁଛନ୍ତି, ଦେଖୁଛନ୍ତି, ବୁଝୁଛନ୍ତି; ଏସବୁର ଉତ୍ସ, ଉତ୍ପତ୍ତି କେଉଁଠି, ଏହା କେମିତି ହେଉଛି ଗତିଶୀଳ,ପୁଣି ଏସବୁର ଶେଷ ପରିଣତି ବା ଫଳାଫଳ କ’ଣ ହେଉଛି!
ଏ ସଙ୍କଟ ଓ ସମସ୍ୟାର ସମାଧାନ ପାଇଁ ବ୍ୟକ୍ତିଗତ ଭାବରେ କିଛି ମତ କି ପ୍ରସ୍ତାବ ଦେଲେ କିମ୍ବା କିଛି ଉଦ୍ୟମ କଲେ ସେ ମତ, ପ୍ରସ୍ତାବ ଓ ଉଦ୍ୟମକୁ ସମର୍ଥନ କି ସହଯୋଗ ମିଳେନାହିଁ। ଅଧିକନ୍ତୁ ଅବାଞ୍ଛିତ ଆହାନ ଓ ଅପ୍ରତ୍ୟାଶିତ ବିପଦକୁ ବରଣ କରିବା ସାର ହୁଏ। କାରଣ ଏବେ ସମୟର ସ୍ବର; ବିରୋଧ କି ପ୍ରତିବାଦ ନୁହେଁ ବରଂ ସାଲିସ, ମାଲିସ କରି ବଞ୍ଚିବା ଭଲ।
ତେବେ ଏହା ସତ୍ୟ ଯେ, କ୍ରମବର୍ଦ୍ଧିଷ୍ଣୁ ବିଶୃଙ୍ଖଳାକୁ କେହି ଜଣେ ଏକାଏକା ଦମନ କରିପାରିବେ ନାହିଁ। ଏଥିପାଇଁ ପରିବାର, ସମାଜ, ରାଜ୍ୟ, ଦେଶ; ସବୁ ସ୍ତରରୁ ଐକ୍ୟବଦ୍ଧ ଉଦ୍ୟମ, ସଂଗ୍ରାମର ଆବଶ୍ୟକତା ରହିଛି। ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରି ବିଶୃଙ୍ଖଳାକାରୀମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବିଧାନ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ହେଲେ ଆଜ୍ଞା, ବଡ଼ ଦୁଃଖ ଓ ଅବସୋସର ବିଷୟ, ଏ ସମସ୍ୟା ସମାଧାନର କଥା ଓ ପନ୍ଥା ସମ୍ପର୍କରେ କହିବା କାହାକୁ, ଶୁଣିବେ ଅବା କିଏ ? କାରଣ ‘ଖଜୁରି ଗଛର କି ଗୁଣ ଗାଇବା, ମୂଳରୁ ପାହାଚ ପାହାଚ’ ନ୍ୟାୟରେ ଏବେ ସର୍ବତ୍ର ବିଶୃଙ୍ଖଳା, ବିପର୍ଯ୍ୟସ୍ତ ବିଧିବ୍ୟବସ୍ଥା।
ମର୍କତ ନଗର, କଟକ
ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

ସୃଜନଶୀଳତାର ସତେଜ ଅମ୍ଳଜାନ

ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri