ସରକାର ବିଳମ୍ବ ନ କରନ୍ତୁ

ତତ୍ତ୍ୱ ଓ ତର୍କ/ବିମଳ ପାଣ୍ଡିଆ

ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୨୩ ଭିତରେ ଭାରତର ପ୍ରମୁଖ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ‘ସେନ୍ସେକ୍ସ’ ୪୧,୩୯୯ରୁ ୨୫,୯୮୧କୁ ଖସି ସାରିଥିଲା। ମାସକ ଭିତରେ ନିବେଶକାରୀଙ୍କ ୩୭% ପୁଞ୍ଜି ଡୁବି ସାରିଥିଲା। ଆକ୍ସିସ ବ୍ୟାଙ୍କ, ରିଲାଏନ୍ସ ଭଳି ବିଶାଳ କମ୍ପାନୀର ଶେୟାର ଦର ଏହି ମାସକ ମଧ୍ୟରେ ଅଧା ହୋଇଗଲାଣି। ସିନେମା ଥିଏଟର, ନିର୍ମାଣ, ହୋଟେଲ, ପର୍ଯ୍ୟଟନ ଓ ପରିବହନ ଭଳି କ୍ଷେତ୍ରରେ ଥିବା କମ୍ପାନୀଙ୍କ କଥା ନ କହିବା ଭଲ। ସିଏନ୍‌ବିସି ଟିଭି ୧୮ ମାର୍ଚ୍ଚ ୨୦ ତାରିଖରେ ଏକ ରିପୋର୍ଟ ପ୍ରକାଶ କରିଛି ଯେ, ସମ୍ଭବତଃ ଇପିଏଫ୍‌ ଏହି ଆର୍ଥିକ ବର୍ଷରେ ୮.୫%ର ଘୋଷିତ ସୁଧ ଦେବାରେ ସକ୍ଷମ ହେବ ନାହିଁ। ମାର୍ଚ୍ଚ ୧୯ ତାରିଖରେ ଇଣ୍ଡିଆ ଟୁଡେର ପ୍ରକାଶିତ ଖବର ଅନୁସାରେ ଭାରତୀୟ ରେଳ ୧୬୮ଟି ଟ୍ରେନ୍‌ ବାତିଲ କରି ସାରିଥିଲା। ଯାତ୍ରୀ ନ ହେବା କାରଣରୁ ତାହା ବାତିଲ କରାଯାଇଥିଲା। ପରେ ୨୨ ମାର୍ଚ୍ଚରୁ ସମସ୍ତ ରେଳଗାଡ଼ିକୁ ସ୍ବାସ୍ଥ୍ୟ ବିପଦ କାରଣରୁ ବାତିଲ କରାଯାଇ ସାରିଛି। ଟାଇମ୍ସ ଅଫ୍‌ ଇଣ୍ଡିଆରେ ମାର୍ଚ୍ଚ ୧୭ ତାରିଖରେ ପ୍ରକାଶିତ ଏକ ଖବରର ଶୀର୍ଷକ ଥିଲା ‘ସରକାର କିଛି ନ କଲେ ମେ ମାସ ବେଳକୁ ଅଧିକାଂଶ ବିମାନ କମ୍ପାନୀ ଦେବାଳିଆ ହୋଇସାରିଥିବେ’। ୨୪ ମାର୍ଚ୍ଚରୁ ସବୁ ବିମାନ ଉଡିବା ବନ୍ଦ ହୋଇସାରିଛି। ଆଗରୁ କେବେଳ ବଡ଼ ଦୋକାନ ବନ୍ଦ କରାଯାଇଥିଲା, ଏବେ ଜରୁରୀ ଆବଶ୍ୟକତାକୁ ଛାଡିଦେଲେ ପ୍ରାୟ ସବୁ ବ୍ୟବସାୟ ବନ୍ଦ ହୋଇସାରିଛି। ବଡ ବ୍ୟବସାୟୀ ଓ କମ୍ପାନୀମାନେ ପ୍ରବଳ କ୍ଷତିର ଚିନ୍ତାରେ ତ୍ରସ୍ତ ହୋଇସାରିଥିବା ବେଳେ ଗରିବ ଓ ମଧ୍ୟମବର୍ଗ ଆୟ ହରାଇସାରିଲେଣି ବା ହରାଇବାର ଦ୍ୱାରରେ ଅଛନ୍ତି।
ଖାଲି ଭାରତର ନୁହେଁ ବିଶ୍ୱର ଅର୍ଥନୀତି ଏକ ଭୟଙ୍କର ମାନ୍ଦାବସ୍ଥା ଆଡକୁ ତୀବ୍ର ଗତିରେ ଧାଉଁଛି। ଆମେରିକା, ସମସ୍ତ ୟୁରୋପୀୟ ଦେଶ ତଥା ଜାପାନ, କୋରିଆ, ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶ ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ପ୍ରତିଦିନ କିଛି ନା କିଛି ନୂଆ ପଦକ୍ଷେପ ନେଉଛନ୍ତି। ସ୍ଥିତି ଏତେ ବିକଟ ଯେ ମାସେ ମଧ୍ୟରେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ସୁଧହାରରେ ଦୁଇଥର ବ୍ୟାପକ ହ୍ରାସ କରି ପ୍ରାୟ ଶୂନ ପ୍ରତିଶତକୁ ଖସାଇ ଦେଇଛି। ଆମେରିକାର ରାଷ୍ଟ୍ରପତି ଅଧରାତିରେ ବି ବଡ ନିଷ୍ପତ୍ତି ନେଉଛନ୍ତି। ମାର୍ଚ୍ଚ ୧୮ତାରିଖରେ ଟ୍ରମ୍ପ ଏକ ନୂଆ ଆଇନରେ ଦସ୍ତଖତ କରିଛନ୍ତି। ଅର୍ଥନୀତିକୁ ଉଦ୍ଧାର କରିବା ଲକ୍ଷ୍ୟରେ ଟ୍ରମ୍ପଙ୍କ ତାହା ଥିଲା ସପ୍ତାହେ ମଧ୍ୟରେ ସେହିଭଳି ଦ୍ୱିତୀୟ ବଡ ଉଦ୍ୟମ। ଏହି ଆଇନ ଅନୁସାରେ ଛୁଟିରେ ରହିଲେ ମଧ୍ୟ ଦରମା, ବେକାରୀ ଭତ୍ତା, ପୁଷ୍ଟି ସହାୟତା ଓ ରୋଗ ପରୀକ୍ଷା ପାଇଁ ଅଧିକ ସହାୟତାର ବ୍ୟବସ୍ଥା ଅଛି। ୨୪ ମାର୍ଚ୍ଚରେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ କିଣିବାର ଐତିହାସିକ ନିଷ୍ପତ୍ତି ନେଇଛି। ୧୯୨୦ ଦଶକର ଡିପ୍‌ ଡିପ୍ରେସନ ବେଳେ ମଧ୍ୟ ଫେଡେରଲ ରିଜର୍ଭ ସେମିତି ପଦକ୍ଷେପ ନେଇ ନ ଥିଲା। ଆମେରିକାର ରାଷ୍ଟ୍ରପତି ଆଉ ଏକ ବିଶାଳ ପ୍ୟାକେଜ୍‌ ଆଣିବାକୁ ଯାଉଛନ୍ତି ଯାହା ଏକ ଟ୍ରିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୭୫ ଲକ୍ଷ କୋଟି ଟଙ୍କାର ହେବ ବୋଲି କୁହାଯାଉଛି। ଆମେରିକାର ସେହି ପ୍ୟାକେଜ୍‌ ଭାରତ ସରକାରଙ୍କ ମୋଟ ବଜେଟର ଦୁଇଗୁଣରୁ ବି ଅଧିକ ହେବାକୁ ଯାଉଛି। ଏମିତି ବଡ଼ ନିଷ୍ପତ୍ତି ନେଇ ଅର୍ଥନୀତିକୁ ସମ୍ଭାଳିବା ସଙ୍ଗେସଙ୍ଗେ ଲୋକଙ୍କ ଦୁଃସ୍ଥତାକୁ ପ୍ରତିହତ କରିବା ପାଇଁ ଦୃଢ ନିଷ୍ପତ୍ତି ନେବାରେ ଆମେରିକା ଏକା ନାହିଁ। ଜର୍ମାନୀ ସରକାର କରୋନାରେ ଆକ୍ରାନ୍ତ ହୋଇପଡିଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ ୧୫୬ ବିଲିୟନ ୟୁରୋ ବା ପ୍ରାୟ ୧୨ ଲକ୍ଷ ୮୭ ହଜାର ଟଙ୍କାର ଅତିରିକ୍ତ ବଜେଟ ଆଣୁଛନ୍ତି। ଜର୍ମାନୀର ଜନସଂଖ୍ୟା ଆମର ୧୬ ଭାଗରୁ ଭାଗେ। ଏହିଭଳି ପ୍ୟାକେଜ୍‌ମାନଙ୍କରେ ଆୟ ଓ ରୋଜଗାର ହରାଉଥିବା ବା ରୋଗରେ ପୀଡିତ ବ୍ୟକ୍ତି ଓ ପରିବାରକୁ ପ୍ରତ୍ୟକ୍ଷ ଅର୍ଥ ପ୍ରଦାନ, ଛୋଟ ବ୍ୟବସାୟ ପାଇଁ ଋଣ, ଇନ୍‌କମ ଟ୍ୟାକ୍ସ ଛାଡ, ବଡ ବ୍ୟବସାୟ ପାଇଁ ଋଣ ସହାୟତା ଆଦି ପ୍ରାବଧାନ ରହିବ ବୋଲି ସୂଚନା ମିଳୁଛି। ଅର୍ଥନୀତି ଯେମିତି ଧ୍ୱସ୍ତ ହୋଇ ନ ଯିବ ଏବଂ ଆୟ ହରାଉଥିବା ଲୋକେ ଯେମିତି ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ ନ ହେବେ ସେଥିପାଇଁ ବିଶ୍ୱର ପ୍ରମୁଖ ଦେଶର ସରକାରମାନେ ଲାଗିପଡ଼ିଛିନ୍ତି।
ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ଆର୍ଥିକ ମାନ୍ଦାବସ୍ଥାରୁ ତ୍ରାହି ପାଇବା ପାଇଁ ଗୋଟିଏ ପରେ ଗୋଟିଏ ପୁଟୁଳା ଫିଟାଇ ଚାଲିଥିବା ବେଳେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାରତର ସରକାର କିନ୍ତୁ ନିଷ୍କ୍ରିୟତାର ଗାଢ଼ ନିଦ୍ରାରେ ଥିବା ଭଳି ମନେ ହୁଏ। କରୋନାର ପ୍ରସାର ରୋକିବା ପାଇଁ ଅବଶ୍ୟ ସରକାର ଅନେକ ଦୃଢ ପଦକ୍ଷେପ ନେଇଛନ୍ତି। ପ୍ରାୟ ସମଗ୍ର ଦେଶରେ ଏବେ ଲକ୍‌ ଡାଉନ ହୋଇସାରିଛି। ତେବେ ଅର୍ଥନୀତିକୁ ସୁଧାରିବା ପାଇଁ ଭାରତ ସରକାର ବା ରିଜର୍ଭ ବ୍ୟାଙ୍କ ଗୋଟିଏ ବି ବଡ ପଦକ୍ଷେପ ୨୩ ମାର୍ଚ୍ଚ ଯାଏ ନେଇ ନାହାନ୍ତି। ଗୋଟିଏ ଦିନ ପୂର୍ବରୁ ଯେତେବେଳେ ଘୋଷଣା ହେଲା ଯେ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୧୯ତାରିଖ ରାତି ୮ଟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ, ସେତେବେଳେ ଅନେକେ ଆଶା କରିଥିଲେ ଯେ କରୋନାର ପ୍ରତିରୋଧ ସହ ତୀବ୍ରଗତିରେ ଡୁବୁଥିବା ଅର୍ଥନୀତିକୁ ଉଦ୍ଧରିବା ପାଇଁ ସେ କିଛି ଠୋସ୍‌ ଘୋଷଣା କରିବେ। କିନ୍ତୁ, ପ୍ରଧାନମନ୍ତ୍ରୀ ରହିଗଲେ କେବଳ ଜନତା କର୍ଫ୍ୟୁ ଓ ଘଣ୍ଟି ଥାଳି ବଜାଇବା ଭଳି ପ୍ରତୀକତା ପାଳନ କରିବାର ଆହ୍ବାନ ଦେବାରେ। ସେହିଭଳି ପ୍ରତୀକତାର ଆବଶ୍ୟକତା ନିଶ୍ଚିତ ଅଛି। ମାତ୍ର ବିକଟ ଆର୍ଥିକ ପରିସ୍ଥିତିର ମୁକାବିଲା ପାଇଁ ଅନେକ କିଛି କରିବା ଦରକାର। ସେହି ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅର୍ଥନୀତିର ଆହ୍ବାନକୁ ମୁକାବିଲା କରିବା ପାଇଁ ଏକ ଟାସ୍କ ଫୋର୍ସ୍‌ ଗଠନ ହୋଇଛି। ପ୍ରତିଦିନ ସମସ୍ୟା ଜଟିଳ ହୋଇଚାଲିଥିବା ବେଳେ ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ସେହି ଟାସ୍କ ଫୋର୍ସ ଗୋଟିଏ ବି ବଡ ଘୋଷଣା କରି ନ ଥିଲା। ଭାରତ ଦୃଢ ପଦକ୍ଷେପ ନେବାରେ ବହୁତ ବିଳମ୍ବ କରିସାରିଲାଣି ଯାହା ଖୁବ୍‌ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ରହିଛି।
ଶେୟାରରେ ପୁଞ୍ଜି ନିବେଶ କରିଥିବା ଲୋକେ ତ ତାଙ୍କର ପ୍ରାୟ ଅଧା ସମ୍ପତ୍ତି ମାସକ ମଧ୍ୟରେ ହରାଇ ସାରିଲେଣି କିନ୍ତୁ ତାହା ଅର୍ଥନୀତିକୁ ଗ୍ରାସି ଚାଲିଥିବା ସର୍ବଗ୍ରାସୀ ବିପଦର କାଣିଚାଏ ବି ନୁହେଁ। ପ୍ରଧାନମନ୍ତ୍ରୀ ଯେଉଁ ଦିନ ତାଙ୍କ ଭାଷଣରେ କାହାରି ଦରମା କାଟନ୍ତୁ ନାହିଁ ବୋଲି କମ୍ପାନୀମାନଙ୍କୁ ଆହ୍ବାନ ଦେଲେ, ସେହି ଦିନ ହିଁ ଭାରତର ସବୁଠାରୁ ବଡ ବିମାନ କମ୍ପାନୀ ଇଣ୍ଡିଗୋ ବ୍ୟାପକ ଦରମା କାଟର ଘୋଷଣା କଲା। ପରିବହନ, ପର୍ଯ୍ୟଟନ, ହୋଟେଲ, ନିର୍ମାଣ, ସିନେମା, ଥିଏଟର ଭଳି ଶିଳ୍ପ ଓ କମ୍ପାନୀ ସ୍ଥାଣୁ ହୋଇ ସାରିଲେଣି। ସେମାନେ କର୍ମଚାରୀଙ୍କ ଦରମା କାଟ କଲେଣି ବା ବିନା ଦରମାରେ କର୍ମଚାରୀଙ୍କୁ ଛୁଟିରେ ପଠାଇବା ଆରମ୍ଭ କଲେଣି। ଋଣ କିସ୍ତି ଖିଲାପ ହେବାର ଆଶଙ୍କା ଢେର ବଢ଼ିଗଲାଣି। ଅଣ-ସଂଗଠିତ କ୍ଷେତ୍ରର ଅବସ୍ଥା ଆହୁରି ଖରାପ। ଆୟ ଭୀଷଣ ଭାବରେ ପ୍ରଭାବିତ ହେଲାଣି। ଲୋକେ ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି। ଅନେକଙ୍କ ପାଖରେ ଏବେ ପଇସା ନାହିଁ ବା ଖୁବ୍‌ ଶୀଘ୍ର ସରିଯିବ। ଏପଟେ କରୋନାର ଭୟ, ସେପଟେ ବିକଟ ହୋଇଚାଲିଛି ଆମ ଅର୍ଥନୀତି। ନିଜକୁ ସୁରକ୍ଷିତ ରଖିବା ପାଇଁ ବ୍ୟକ୍ତିଗତ, ସାମୂହିକ, ସାଙ୍ଗଠନିକ ଓ ସରକାରୀ ସ୍ତରରେ ବ୍ୟାପକ ସତର୍କତା ପ୍ରଥମ ଆବଶ୍ୟକତା ନିଶ୍ଚୟ କିନ୍ତୁ ଆମକୁ ଅର୍ଥବ୍ୟବସ୍ଥାର ସ୍ଖଳନକୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ବି କିଛି କମ୍‌ ନୁହେଁ। ପ୍ରତୀକାତ୍ମକତା ରହୁ କିନ୍ତୁ ଅର୍ଥନୀତିକୁ ପତନରୁ ରକ୍ଷା କରିବା ପାଇଁ ଦୃଢ ପଦକ୍ଷେପ ଆହୁରି ଜରୁରୀ। ଏଥିରେ ବିଳମ୍ବ ନ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri