ସମ୍ପାଦକୀୟ/ ଶିଶୁଙ୍କ ଶୋ’ରେ ବୟସ୍କ

ଭାରତରେ ଘରୋଇ ଟେଲିଭିଜନ ଚ୍ୟାନେଲ ଟେଲିଭିଜନ ରେଟିଂ ପଏଣ୍ଟ (ଟିଆର୍‌ପି)କୁ ବଢ଼ାଇବା ଲକ୍ଷ୍ୟରେ ବିଭିନ୍ନ ସମୟରେ ସମାଚାର, ପ୍ରସଙ୍ଗଭିତ୍ତିକ ମତଠାରୁ ଆରମ୍ଭକରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ ବେଳେ ଅତିରଞ୍ଜିତ ସ୍ତରକୁ ଚାଲିଯାଇଥାଆନ୍ତି। ସମାଚାର ପ୍ରସାରଣ ବେଳେ ସମ୍ବେଦନଶୀଳ ଖବରକୁ ଏଭଳି ବନେଇଚୁନେଇ ଦର୍ଶକଙ୍କ ଆଗରେ ବାଢ଼ିଦିଆଯାଏ ଯେ, ମନେହୁଏ ଯେମିତି ଉପସ୍ଥାପିକା ବା ଉପସ୍ଥାପକ ଘଟଣାକୁ ପ୍ରତ୍ୟକ୍ଷ ଭାବେ ଦେଖୁଛନ୍ତି। ଏହାଦ୍ୱାରା ଖବର ତା’ର ମୌଳିକତା ହରାଇ ବସିଥାଏ। ସେହିଭଳି ପ୍ରସଙ୍ଗଭିତ୍ତିକ ବିତର୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ବେଳେ ନ୍ୟୁଜ୍‌ରୁମ୍‌ ଅନେକ ସମୟରେ କୋର୍ଟରୁମ୍‌ରେ ପରିଣତ ହୋଇଯାଉଥିବା ଦେଖିବାକୁ ମିଳୁଛି। ଯିଏ ଯେତେବଡ଼ ପାଟିକରି ନିଜ ମତ ରଖିପାରିଲେ, ସେ ସେତେ ବିଦ୍ୱାନ୍‌ ଦେଖେଇ ହୋଇଥାଆନ୍ତି। ସମ୍ପୃକ୍ତ ଚ୍ୟାନେଲଗୁଡ଼ିକ ଏସବୁୁ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପଛରେ ଟିଆର୍‌ପି ବୃଦ୍ଧି ମୁଖ୍ୟ ଲକ୍ଷ୍ୟ ହୋଇଥାଏ ବୋଲି କୁହାଯାଉଛି। ଅନୁରୂପ ଭାବେ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ କଥା ଆଲୋଚନା କଲେ ଘରୋଇ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଅଶିଷ୍ଟତାର ସବୁ ସୀମାସରହଦ ଅତିକ୍ରମ କଲାଭଳି ଦୃଶ୍ୟମାନ ହେଉଛି। କେତେକ କାର୍ଯ୍ୟକ୍ରମ ଏଭଳି ପ୍ରସାରଣ କରାଯାଉଛି ଯେ ପରିବାରର ସବୁ ସଦସ୍ୟ ଏକସଙ୍ଗେ ବସି ତାହାକୁ ଦେଖିବା ଅସମ୍ଭବ ମନେହେଉଛି। ଏବେ ଆଉ ଏକ ସମ୍ବେଦନଶୀଳ କ୍ଷେତ୍ର ପ୍ରତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ନଜରକୁ ଆସିଛି। ଶିଶୁମାନଙ୍କ ନୃତ୍ୟଭିତ୍ତିକ ରିୟଲିଟି ଶୋ’ରେ ଅଶ୍ଳୀଳ ଓ ହିଂସା ବଢ଼ାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ଚ୍ୟାନେଲ ଉପରେ ରୋକ ଲଗାଯାଇଛି। ଦେଖାଯାଉଛି ବୟସ୍କଙ୍କ ସକାଶେ ଉଦ୍ଦିଷ୍ଟ ଗୀତ ଓ ନାଚରେ ଶିଶୁମାନେ ରିୟଲିଟି ଶୋ’ରେ ଭାଗ ନେବା ବେଳେ ବଡ଼ମାନଙ୍କ ଭଳି ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଛନ୍ତି। ଫଳରେ ସେମାନଙ୍କ କୋମଳ ମନରେ ଏସବୁ ଖରାପ ପ୍ରଭାବ ପକାଇବା ସ୍ବାଭାବିକ। ଘରୋଇ ଚ୍ୟାନେଲଗୁଡ଼ିକ ଏଥିପ୍ରତି ଦୃଷ୍ଟି ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରି ବା ନିର୍ଦ୍ଦେଶନାମା ଜାରି ହେବା ସ୍ବାଗତଯୋଗ୍ୟ ପଦକ୍ଷେପ।
କେବୁଲ୍‌ ଟେଲିଭିଜନ ନେଟ୍‌ଓ୍ବର୍କସ (ରେଗୁଲେଶନ) ଆଇନ ଅନୁଯାୟୀ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ସେମାନଙ୍କୁ କଳଙ୍କିତ ବା ନିନ୍ଦା ଆଣିବା ଭଳି ଦୃଶ୍ୟ ପ୍ରସାରଣ କରାଯିବା ଉଚିତ ନୁହେଁ। କାର୍ଯ୍ୟକ୍ରମରେ ଖରାପ ଭାଷା ବ୍ୟବହାର ଓ ହିଂସାତ୍ମକ ଦୃଶ୍ୟମାନ ଯେଭଳି ପ୍ରସାରଣ ନ ହେବ ସେଥିପ୍ରତି ଟେଲିଭିଜନ ଚ୍ୟାନେଲଗୁଡ଼ିକ ସଚେତନ ହେବେ। ହେଲେ ଟିଆର୍‌ପିକୁ ଆଖିରେ ରଖି ଏବେ ଅଧିକାଂଶ ମନୋରଞ୍ଜନଧର୍ମୀ ଚ୍ୟାନେଲ ପିଲାଙ୍କୁ ଦୃଷ୍ଟି ଦେଇ ସ୍ବାଭାବିକ ଭାବେ ଉକ୍ତ ଆଇନକୁ ଭଙ୍ଗ କରୁଛନ୍ତି। ସାଧାରଣରେ ଶିଶୁମାନଙ୍କ କାର୍ଯ୍ୟକ୍ରମ ସହ ସିଧାସଳଖ ଭାବେ ମାତାପିତା ଓ ଅଭିଭାବକମାନେ ଅସଂଖ୍ୟ ଭାବେ ଜଡ଼ିତ ଥିବାରୁ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ଅଧିକ ଦର୍ଶକ ହେଲେ ବିଜ୍ଞାପନ ଦର ସେହି ଅନୁଯାୟୀ ବଢ଼ିଥାଏ। ତେଣୁ ଶିଶୁମାନଙ୍କ କାର୍ଯ୍ୟକ୍ରମକୁ ଅଧିକ ଲୋକପ୍ରିୟ କରାଇବା ଲାଗି ପ୍ରସାରଣ ନିୟମକୁ ନ ମାନି ଅନେକ ଚ୍ୟାନେଲ ଅତି ନିମ୍ନ ସ୍ତରକୁ ଚାଲିଯାଉଛନ୍ତି। ଏପରିକି ରିୟଲିଟି ଶୋ’ରେ ଗୀତ କିମ୍ବା ନାଚ କାର୍ଯ୍ୟକ୍ରମ ଲାଗି ଅଡିଶନ ଦେବାକୁ ଯାଇଥିବା ପିଲାଙ୍କୁ ରାତି ଅଧଯାଏ ଅଟକାଇ ରଖାଯାଇଥାଏ। କେତେକ ଚ୍ୟାନେଲ ସକାଳ ସମୟରେ ଅଡିଶନ ଆରମ୍ଭ ହେବ ବୋଲି ବିଜ୍ଞାପନ ଦେଉଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭ କଲା ବେଳକୁ ଅପରାହ୍ନ ଗଡ଼ିଯାଇଥାଏ। ମାତାପିତା ନିଜ ପିଲାକୁ ସେଲିବ୍ରିଟି ସ୍ତରରେ ଦେଖିବାର ଲକ୍ଷ୍ୟ ରଖି ଅଡିଶନ ହେଉଥିବା ସ୍ଥାନରେ ଅନେକ ଘଣ୍ଟା ଅପେକ୍ଷାରେ ରହିଥାଆନ୍ତି। ଏମିତି ଦେଖାଗଲାଣି କେତେକ କମ୍ପାନୀ ନିଜ ପ୍ରଡକ୍ଟ ବିକ୍ରି କରିବାକୁ ଯାଇ ଘରୋଇ ଚ୍ୟାନେଲରେ ଶିଶୁ କାର୍ଯ୍ୟକ୍ରମ ପାଇଁ ପ୍ରାୟୋଜକ ପାଲଟି ଯାଉଛନ୍ତି। ସେଭଳି ସ୍ଥଳେ ଶିଶୁଙ୍କ ପ୍ରତିଭା ତଉଲିବାର ମାପଦଣ୍ଡ କେଉଁ ଆଡ଼କୁ ଚାଲିଯାଉଛି ଭୁକ୍ତଭୋଗୀ ଅନୁଭବ କରିପାରୁଥିବେ।
ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ିତୋଳିବା ଲାଗି ବୟସ୍କମାନଙ୍କ ଭୂମିକା ସର୍ବାଗ୍ରେ ରହିବା କଥା। ଟେଲିଭିଜନ ଏକ ବଳିଷ୍ଠ ଗଣମାଧ୍ୟମ ହୋଇଥିବାରୁ ଏଥିରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ। ପ୍ରଗତିଶୀଳ ହେବା ଲାଗି ଶୃଙ୍ଖଳିତ ଭାବେ ସମାଜକୁ ଗଢ଼ାଯିବା ଦରକାର। ଶିଶୁମାନଙ୍କ କାର୍ଯ୍ୟକ୍ରମ କଥା ବିଚାର କଲେ ସେଥିରେ ଶିକ୍ଷା, ମନୋରଞ୍ଜନ ସହ ନୂତନ ଚିନ୍ତାଧାରା ସ୍ଥାନ ପାଇଲେ ସେମାନଙ୍କ ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରାଯାଇପାରିବ। ବିକୃତ ଚରିତ୍ର ପୋଷଣ କଲେ ଶିଶୁମାନଙ୍କ ଉପରେ କୁପ୍ରଭାବ ପଡ଼ିବ। ସେଥିପାଇଁ କେବଳ ଗଣମାଧ୍ୟମ ବିଶେଷକରି ଟେଲିଭିଜନ ଚ୍ୟାନେଲ ନୁହେଁ, ମାତାପିତା ମଧ୍ୟ ଏଭଳି ବଦ୍‌କାର୍ଯ୍ୟରେ ସ୍ବଇଚ୍ଛାରେ ସମ୍ପୃକ୍ତ ହୋଇଯିବା ଦୁଃଖଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri