ଓଡ଼ିଆ ସାହିତ୍ୟରେ ପାଠକ ସମସ୍ୟା

ଡ. ଅନ୍ତର୍ଯ୍ୟାମୀ ମିଶ୍ର
ସଶ୍ରଦ୍ଧ ପାଠକ ହିଁ ସାହିତ୍ୟ ସମୃଦ୍ଧିର ଉତ୍ତମ ସହାୟକ। ପାଠକୀୟ ଶ୍ରଦ୍ଧା ସାହିତ୍ୟକୁ ଲୋକପ୍ରିୟ କରିଥାଏ। ଯେଉଁ ସାହିତ୍ୟର ପାଠକ ସଂଖ୍ୟା ଯେତେ ଅଧିକ ସେହି ସାହିତ୍ୟ ସେତିକି ଉନ୍ନତ। ଦୁଃଖର ବିଷୟ ସମ୍ପ୍ରତି ସାହିତ୍ୟ ଆଉ ପାଠକର ଆଦରର ବସ୍ତୁ ହୋଇନାହିଁ। କ୍ରମେ ସ୍ରଷ୍ଟା ଓ ପାଠକଙ୍କ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବାକୁ ଲାଗୁଛି। ଏହି ଗୁରୁତର ସମସ୍ୟା ପ୍ରତି କାହାର ନିଘା ନାହିଁ। ଆମେ ସାହିତ୍ୟ ସୃଷ୍ଟି କରିବା ନିମିତ୍ତ ଯେତିକି ବ୍ୟଗ୍ର ପାଠକ ସଚେତନତା ସୃଷ୍ଟି ନିମିତ୍ତ ସେତିକି ତତ୍ପର ନୋହୁ।
ପାଠକ ହିଁ ସାହିତ୍ୟର ମୁଖ୍ୟ ପୃଷ୍ଠପୋଷକ। ସାହିତ୍ୟ ସର୍ବଦା ପାଠକଙ୍କ ନିକଟରେ ନିତ୍ୟନୂତନ। ସାହିତ୍ୟ ପାଠକଙ୍କୁ ଜ୍ଞାନ ଓ ଆନନ୍ଦ ପ୍ରଦାନ କରିଥାଏ। ସାହିତ୍ୟର ଭାଷା, ଭାବ, ସତେଜ ଅନୁଭୂତି, ବ୍ୟଞ୍ଜନା ଓ ରସ ପାଠକର ବୌଦ୍ଧିକ ବିକାଶ ଘଟାଇଥାଏ। ବର୍ଣ୍ଣାଡ’ଶଙ୍କ ଭାଷାରେ, ”books are in fact cheapest of all the pleasures.“ ଅର୍ଥାତ୍‌ ପୁସ୍ତକ ପ୍ରକୃତରେ ସହଜଲଭ୍ୟ ଆନନ୍ଦର ଉତ୍ସ। ପୁସ୍ତକରୁ କେବଳ ଆନନ୍ଦ ମିଳେନାହିଁ, ଜୀବନମୁକ୍ତିର ପଥ ମଧ୍ୟ ଉପଲବ୍ଧ ହୋଇଥାଏ। ପୁସ୍ତକଟି ସଦ୍ୟ ପ୍ରକାଶିତ ହେଉ ବା ଦୁଇଶହ ବର୍ଷ ତଳର ପୁସ୍ତକ ହେଉ, ତାହା ସବୁ ଯୁଗର ପାଠକଙ୍କ ନିମିତ୍ତ ନିତ୍ୟନୂତନ। ଅମୃତତ୍ୱ ହେଉଛି ପୁସ୍ତକର ସହଜାତ ଧର୍ମ, ଯାହା ମନୁଷ୍ୟକୁ ଚିରକାଳ ଶାଶ୍ୱତ ଆନନ୍ଦ ଓ ବିମଳ ଜ୍ଞାନ ପ୍ରଦାନ କରିଥାଏ। ଏହି ଦୃଷ୍ଟିରୁ ଆମର ଅନ୍ୟାନ୍ୟ ଆବଶ୍ୟକତା ସହିତ ପୁସ୍ତକ ପଠନର ଏକାନ୍ତ ଆବଶ୍ୟକତା ରହିଛି। ଅଥଚ ଆମେ ଅନ୍ନ, ବସ୍ତ୍ର, ବାସଗୃହ ପ୍ରଭୃତି ମୌଳିକ ଆବଶ୍ୟକତା ସହିତ ପୁସ୍ତକ ପଠନକୁ ବିଚାରକୁ ନେଇନାହେଁ।
ପୁସ୍ତକ ପଠନ ନିମିତ୍ତ ସମୟ ଏକ ଗୁରୁତର ସମସ୍ୟା। ପ୍ରତ୍ୟହ କିଛି ସମୟ ପୁସ୍ତକ ପଠନରେ ବିନିଯୋଗ କରିବା ନିମିତ୍ତ ଅନେକେ ପ୍ରସ୍ତୁତ ନୁହନ୍ତି। ଆମ ଦୈନନ୍ଦିନ ଜୀବନଚର୍ଯ୍ୟାରେ ପୁସ୍ତକ ପଠନ କୌଣସି ସ୍ଥାନ ଅଧିକାର କରିପାରି ନାହିଁ। ଅନ୍ୟ ଭାଷାରେ କହିଲେ, ଜୀବନ ଗଠନରେ ସାହିତ୍ୟର ଭୂମିକାଟି ଆମର ବିସ୍ମୃତ ହୋଇଯାଇଛି। ନିରିଖେଇ ଅନୁଧ୍ୟାନ କଲେ ଜଣାଯାଏ, ଆମେ ବାଜେ ଗପ ଓ ଆମୋଦପ୍ରମୋଦରେ ଯେତିକି ସମୟ ବିତାଉଛେ, ସେହି ସମୟରେ ଅନ୍ତତଃ ଖଣ୍ଡିଏ ଭଲ ବହି ପଢିପାରନ୍ତେ। ଏହା ସତ୍ୟ ଯେ, ସାମାଜିକ ଚେତନା ସୃଷ୍ଟି ନିମିତ୍ତ ସାହିତ୍ୟର ଆଭିମୁଖ୍ୟକୁ ଆମେ ଭୁଲିଯାଉଛେ। ସମ୍ପ୍ରତି ଆମ ଭିତରୁ ଅନେକେ ସାହିତ୍ୟ ସାଧନା, ସାହିତ୍ୟାନୁରାଗ ଓ ସାହିତ୍ୟ ପଠନକୁ ଅଳସୁଆଙ୍କ କାର୍ଯ୍ୟ ଭାବେ ବିବେଚନା କଲେଣି। କିନ୍ତୁ ଏହା ସୁସ୍ଥ ମତ ନୁହେଁ। ସେମାନେ ଜୀବନର ପ୍ରତି ମୁହୂର୍ତ୍ତକୁ ଚତୁର ବେପାରୀ ସଦୃଶ ବିନିଯୋଗ କରିବାକୁ ଶ୍ରେୟସ୍କର ମଣନ୍ତି, ଜ୍ଞାନାର୍ଜନକୁ ହେୟ ମଣନ୍ତି।
ଓଡ଼ିଆ ଭାଷାରେ ଅସଂଖ୍ୟ ଗୁଣାତ୍ମକ ମାନସମ୍ବଳିତ ପୁସ୍ତକ ପ୍ରକାଶିତ ହେଉଥିଲେ ହେଁ ଖୁବ୍‌ ସ୍ବଳ୍ପ ସଂଖ୍ୟକ ପୁସ୍ତକ ବିକ୍ରି ହୋଇଥାଏ। ପୁସ୍ତକର ମୂଲ୍ୟବୃଦ୍ଧି ଏହାର କାରଣ ନୁହେଁ। ସାମ୍ପ୍ରତିକ ସ୍ଥିତିରେ ପ୍ରତ୍ୟେକ ପଦାର୍ଥର ମୂଲ୍ୟବୃଦ୍ଧି ଘଟିଛି। ଅଥଚ ବଜାରରେ ପଦାର୍ଥର ଅଭାବ। ଅସଲ କଥାଟି ହେଉଛି ଆମେ ଅନ୍ୟାନ୍ୟ ପଦାର୍ଥକୁ ଯେତିକି ଦରକାରୀ ବିବେଚନା କରୁଛେ, ପୁସ୍ତକକୁ ସେତିକି ଚିନ୍ତା କରୁନାହେଁ। ଅବଶ୍ୟ ମୁଦ୍ରଣ ପରିପାଟୀ ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ପୁସ୍ତକର ମୂଲ୍ୟ ପୂର୍ବାପେକ୍ଷା ବୃଦ୍ଧିପାଇଛି, କିନ୍ତୁ ଅନ୍ୟାନ୍ୟ ପଦାର୍ଥର ମୂଲ୍ୟବୃଦ୍ଧି ତୁଳନାରେ ତାହା କମ୍‌। ଆମେ ବିଳାସବ୍ୟସନରେ ଯେତିକି ଅର୍ଥ ବିନିଯୋଗ କରୁ, ପୁସ୍ତକ କ୍ରୟରେ ତା’ଠାରୁ କମ୍‌ ମଧ୍ୟ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନୋହୁ। ସାଧାରଣ ପାଠକଙ୍କ କଥା ଛାଡନ୍ତୁ। ବିଜ୍ଞ ତଥା ବୁଦ୍ଧିଜୀବୀମାନେ ବହି କିଣି ପଢିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଅନେକେ ଓଡ଼ିଆ ବହି ଅପେକ୍ଷା ଇଂଲିଶ ଓ ହିନ୍ଦୀ ବହି କିଣିବାକୁ ପସନ୍ଦ କରିଥାନ୍ତି। ଅନେକ ପାଠକ କେବଳ ପୁରସ୍କାରପ୍ରାପ୍ତ ଲେଖକଙ୍କ ବହି ପଢିବାକୁ ଭଲ ପାଆନ୍ତି। ପରିତାପର ବିଷୟ, ବହୁ ପୁରସ୍କାର ଲେଖକଙ୍କୁ ଦିଆଯାଏ, ଲେଖାକୁ ନୁହେଁ। ଏହି କାରଣରୁ ଅନେକ ପୁରସ୍କୃତ ପୁସ୍ତକ ନିମ୍ନମାନର। ପୁରସ୍କୃତ ଲେଖକଙ୍କ ଅପେକ୍ଷା ଅନ୍ୟ ଲେଖକଙ୍କର ଚେତନଶୀଳ ପୁସ୍ତକ ପାଠକୀୟ ଶ୍ରଦ୍ଧାରୁ ବଞ୍ଚିତ ହୋଇଥାଏ। ସାମ୍ପ୍ରତିକ ପୁରସ୍କାର ଚୟନ ପଦ୍ଧତିରେ ଅନେକ ଉଚ୍ଚକୋଟୀର ପୁସ୍ତକ ପୁରସ୍କାର ପାଏ ନାହିଁ। ଏହି ଦୃଷ୍ଟିକୋଣରୁ କେବଳ ପୁରସ୍କାରପ୍ରାପ୍ତ ପୁସ୍ତକ ନ ପଢି ଅନ୍ୟାନ୍ୟ ଉନ୍ନତମାନର ପୁସ୍ତକ ପଢିଲେ ପାଠକ ସ୍ରଷ୍ଟାଙ୍କର ଭାଷା, ଭାବ, ଲୁକ୍କାୟିତ ବର୍ଣ୍ଣବୈଭବ, ଅନ୍ତର୍ନିହିତ ସତ୍ୟ ଓ ବୌଦ୍ଧିକ କଳାକୌଶଳ ପ୍ରଭୃତି ଆହରଣ କରିପାରିବ। ଅନେକେ ଖ୍ୟାତନାମା ଲେଖକଙ୍କ ମୂଲ୍ୟବାନ ପୁସ୍ତକ ଆଲମାରୀରେ ସଜାଇ ରଖନ୍ତି, ଅଥଚ ପଢନ୍ତି ନାହିଁ ବା ସେମାନଙ୍କର ପଠନାଭ୍ୟାସ ନ ଥାଏ। ପୁସ୍ତକସ୍ଥିତ ଜ୍ଞାନକୁ ନିଜର କରିବାକୁ ସେମାନେ ସେହିସବୁ ପୁସ୍ତକ ସହିତ ଏକାତ୍ମତା ସ୍ଥାପନ କରିପାରନ୍ତି ନାହିଁ। କେବଳ ପୁସ୍ତକ ସଜାଇ ରଖିବାକୁ ସେମାନେ ଆଭିଜାତ୍ୟ ମନେକରନ୍ତି। ପଠନାଭ୍ୟାସ ଅବସରକାଳୀନ ଜୀବନରେ ଏକାନ୍ତ ଲୋଡା। ବୃଦ୍ଧ ଓ ନିଃସଙ୍ଗ ଅବସ୍ଥାରେ ଜଣେ ବ୍ୟକ୍ତି ଯେତେବେଳେ ପରିବାର ଓ ସ୍ବଜନଙ୍କ ଦ୍ୱାରା ଅଲୋଡା ହୋଇଯିବ ପୁସ୍ତକ ହିଁ ତାକୁ ନିଃସଙ୍ଗତାରୁ ମୁକ୍ତି ଦେଇପାରିବ। ଏହି ଦୃଷ୍ଟିକୋଣରୁ ପୁସ୍ତକ ହେଉଛି ମନୁଷ୍ୟର ପରମ ବନ୍ଧୁ।
ଆମର ଅଶୀ ଶତାଂଶ ବ୍ୟକ୍ତି ଗ୍ରାମାଞ୍ଚଳରେ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ପୁସ୍ତକ ପଠନରେ ଆଗ୍ରହୀ। ପୁସ୍ତକ ପାଠ କରିବା ନିମିତ୍ତ ସେମାନଙ୍କ ନିକଟରେ ସମୟ ଥାଏ ଓ ଇଚ୍ଛା ଥାଏ। ଅଥଚ ଅର୍ଥାଭାବରୁ ସେମାନେ ପୁସ୍ତକ କ୍ରୟ କରିପାରନ୍ତି ନାହିଁ। ଗ୍ରାମାଞ୍ଚଳରେ ମଧ୍ୟ ପାଠାଗାରର ସେପରି ସୁବିଧା ନାହିଁ। ପାଠକୀୟ ସଚେତନତା ସୃଷ୍ଟି ନିମିତ୍ତ ପୁସ୍ତକମେଳା ଏକ ଅଭିନନ୍ଦନୀୟ ପଦକ୍ଷେପ ହେଲେ ହେଁ ଗ୍ରାମାଞ୍ଚଳକୁ ଏହା ଆଶାନୁରୂପ ଭାବେ ବ୍ୟାପ୍ତ ହୋଇନାହିଁ। ବ୍ୟାପକ ସଂଖ୍ୟାରେ ପତ୍ରପତ୍ରିକା ମଧ୍ୟ ଗ୍ରାମାଞ୍ଚଳରେ ଉପଲବ୍ଧ ନୁହେଁ। ଫଳରେ ଏକ ବୃହତ୍‌ ପାଠକଗୋଷ୍ଠୀ ପାଠକୀୟ ଶ୍ରଦ୍ଧାରୁ ବଞ୍ଚିତ ହୋଇଥାନ୍ତି।
ସମ୍ପ୍ରତି ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ପାଠକୀୟ ରୁଚିକୁ ବ୍ୟାହତ କରୁଛି। ଆଜିର ଜଞ୍ଜାଳଗ୍ରସ୍ତ ମନୁଷ୍ୟ ଟିକିଏ ଅବସର ପାଇଲେ ବୈଦ୍ୟୁତିକ ଗଣମାଧ୍ୟମରୁ କ୍ଷଣିକ ସୁଖଲାଭ କରିବାକୁ ଲାଳାୟିତ। ଫଳରେ ପୁସ୍ତକ ଓ ପାଠକ ମଧ୍ୟରେ ଦୂରତ୍ୱ ବୃଦ୍ଧିପାଉଛି। ସାଧାରଣତଃ ଶିଶୁ, କିଶୋର ଓ ଛାତ୍ରୀଛାତ୍ର ବୈଦ୍ୟୁତିକ ଗଣମାଧ୍ୟମ ଯୋଗୁ ପୁସ୍ତକଠାରୁ ଦୂରେଇ ଯାଉଛନ୍ତି। ଆମ ଦେଶ ଅପେକ୍ଷା ବାହାର ଦେଶଗୁଡ଼ିକରେ ବୈଦ୍ୟୁତିକ ଗଣମାଧ୍ୟମର ବହୁଳ ବ୍ୟବହାର ସତ୍ତ୍ୱେ ସେହିସବୁ ଦେଶରେ ଛାତ୍ରୀଛାତ୍ରଙ୍କର ପଠନାଭ୍ୟାସ ଦେଖିଲେ ଆମକୁ ବିସ୍ମିତ ହେବାକୁ ପଡ଼େ। ଆମ ପିଲାମାନେ ଅନ୍ୟ ବହି କଥା ଛାଡନ୍ତୁ, ପାଠ୍ୟପୁସ୍ତକ ମଧ୍ୟ ପଢନ୍ତି ନାହିଁ। ଏପରି କି ଆମର ଅଗଣିତ ଛାତ୍ରୀଛାତ୍ର ମୂଳ ପାଠ୍ୟପୁସ୍ତକ ନ ପଢି କେବଳ ଅଭିଜ୍ଞଙ୍କ ଦ୍ୱାରା ପ୍ରଣୀତ ସାରାଂଶ ପୁସ୍ତିକା ପାଠକରି ପରୀକ୍ଷା ଦେଇଥାନ୍ତି। ଏତାଦୃଶ ଭାବରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କର ବୌଦ୍ଧିକ ବିକାଶ ଘଟିପାରେ ନାହିଁ, କେବଳ ପରୀକ୍ଷାରେ ପାସ କରିବା ହିଁ ସାର ହୁଏ। ଏହି ଶତାବ୍ଦୀରେ ଲିଖିତ ସାହିତ୍ୟ ଲୋପ ପାଇବାର ଆଶଙ୍କା ଅଧିକ। ତେଣୁ ବେଳହୁଁ ସାବଧାନ ହେବାକୁ ପଡିବ। ଆଜିର ବିଷୟାସକ୍ତ ସମାଜ ନିମିତ୍ତ ପୁସ୍ତକପ୍ରେମର ଏକାନ୍ତ ଉପାଦେୟତା ରହିଛି। ଶିଶୁଠାରୁ ବୃଦ୍ଧ ସକଳ ଅନ୍ତରରେ ପୁସ୍ତକପ୍ରେମ, ପୁସ୍ତକାନୁରାଗ, ପଠନ ରୁଚି ସୃଷ୍ଟି ନିମିତ୍ତ ସୁଚିନ୍ତିତ ଯୋଜନାବଦ୍ଧ ପ୍ରୟାସ ଏକାନ୍ତ ଆବଶ୍ୟକ।
ଆନନ୍ଦ ନଗର, କାଠଗଡା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri