ସମ୍ପାଦକୀୟ/ ଭାରତମୁହଁା ଆଇଏସ୍‌

ନିକଟରେ ଶ୍ରୀଲଙ୍କାରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ବଡ଼ ଧରଣର ଆକ୍ରମଣ କରିଥିବା ଦାବି କରିଥିଲା। ଏବେ ଏହି ଆତଙ୍କବାଦୀ ସଙ୍ଗଠନ ଭାରତରେ ଏକ ପ୍ରୋଭିନ୍ସ ବା ପ୍ରଦେଶ ଗଠନ କରିଥିବା କହିଛି। ଇସ୍‌ଲାମିକ୍‌ ଷ୍ଟେଟ୍‌ ଜମ୍ମୁ ଓ କଶ୍ମୀର (ଜେକେଆଇଏସ୍‌)ର ଇଶ୍‌ଫାକ୍‌ ସୋଫି ଓରଫ ଅବଦୁଲ୍ଲା ଭାଇଙ୍କୁ ନିପାତ କରାଯାଇଥିବା ନେଇ ଭାରତୀୟ ସେନା ପକ୍ଷରୁ କୁହାଯିବାର ଦିନକ ପରେ ଆଇଏସ୍‌ ଏଭଳି ଦାବି କରିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲା ଆମ୍‌ସିପୋରା ଗ୍ରାମରେ ୧୦ ମେ’ରେ ଭାରତୀୟ ସେନା ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଥିଲା। ଏଥିରେ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଜାକିର ମୁସାଙ୍କ ଘନିଷ୍ଠ ସହଯୋଗୀ ଇଶ୍‌ଫାକ୍‌ ସୋଫି ନିହତ ହୋଇଥିଲେ। ଆତଙ୍କବାଦୀଙ୍କୁ ହତ୍ୟା କରି ବାହାବା ନେବାକୁ ସେନା ଚେଷ୍ଟା କରିବାରୁ ଆଇଏସ୍‌ ସିଧାସଳଖ ତାହାକୁ ଚ୍ୟାଲେଞ୍ଜ କରି ଓ୍ବିଲାୟାହ ଅଫ୍‌ ହିନ୍ଦ୍‌ (ଭାରତରେ ଆଇଏସ୍‌ର ଏକ ପ୍ରଦେଶ) ଗଠନ କରିଛି ବୋଲି କହିଛି।
ମଧ୍ୟପ୍ରାଚ୍ୟରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ବ୍ୟାପକ ନରସଂହାର କରିବା ପରେ ନିରାପତ୍ତା ଦୃଷ୍ଟିରୁ ଦୁର୍ବଳ ଥିବା ରାଷ୍ଟ୍ରଗୁଡ଼ିକୁ ଏବେ ଟାର୍ଗେଟ୍‌ କରିବାର ସଙ୍କେତ ଶ୍ରୀଲଙ୍କା ଆକ୍ରମଣରୁ ବୁଝାପଡ଼ିଯାଉଛି। ଏହି ପରିପ୍ରେକ୍ଷୀରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ବ୍ୟସ୍ତ ଲାଗିବା ସ୍ବାଭାବିକ। କାରଣ ଏ ଦେଶରେ ନିରାପତ୍ତା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସେଭଳି କୌଣସି ପଦକ୍ଷେପ ନିଆଯାଇପାରୁ ନାହିଁ। ସବୁ କଥାରେ ରାଜନୈତିକ ମୋଡ଼ ଦିଆଯାଉଥିବାରୁ କାର୍ଯ୍ୟ ହାସଲ ସମ୍ଭବପର ହେଉନାହିଁ। ଏପରି କି ସେନାକୁ ନେଇ ରାଜନୀତି ପ୍ରବଳ ମାତ୍ରାରେ ଚାଲିଛି। ସାଧାରଣ ନିର୍ବାଚନ ଥିବାରୁ ଭୋଟ ହାତେଇବା ପାଇଁ କେନ୍ଦ୍ରରେ ଭାଜପା ସରକାର ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ କରିଥିବା ବାଲାକୋଟ୍‌ କାର୍ଯ୍ୟାନୁଷ୍ଠାନକୁ ଅସ୍ତ୍ର ଭାବେ ବ୍ୟବହାର କରିଛି। ଭାଜପାର କେତେକ ନେତା ଭାରତୀୟ ସେନାକୁ ‘ମୋଦି ସେନା’ ଆଖ୍ୟା ଦେଉଥିବା ବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ନିଜେ ନିଜକୁ ପ୍ରଶଂସା କରି ଏକ ଟେଲିଭିଜନ ଚ୍ୟାନେଲରେ କୌତୂହଳପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୋସିଆଲ ମିଡିଆରେ ବହୁଳ ଭାବେ ନିନ୍ଦିତ ହେଉଥିବା ଏହି ସାକ୍ଷାତ୍‌କାରରେ ମୋଦି କହିଛନ୍ତି, ବାଲାକୋଟ୍‌ ଉପରେ ଆକ୍ରମଣ କରିବାକୁ ଭାରତର ପ୍ରତିରକ୍ଷା ବିଶେଷଜ୍ଞମାନେ ଦ୍ୱନ୍ଦ୍ୱ ପ୍ରକାଶ କରି କହୁଥିଲେ ଯେ, ଅନୁକୂଳ ପାଗ ନ ଥିବାରୁ ବିମାନ ଆକ୍ରମଣର ସଫଳତା ସନ୍ଦେହଜନକ। ଏଭଳି ମନ୍ତବ୍ୟକୁ ନିଜେ ପ୍ରଧାନମନ୍ତ୍ରୀ ଏଡ଼ାଇ ଦେଇ କୁଆଡ଼େ ନିଷ୍ପତ୍ତି ନେଲେ ଯେ, ଘନବାଦଲ ଥିବା ହେତୁ ପାକିସ୍ତାନ ରାଡାରରେ ଭାରତୀୟ ବିମାନ ଧରାପଡ଼ିବ ନାହିଁ। ମୋଦିଙ୍କ ଏହି ମନ୍ତବ୍ୟ ସମାଲୋଚନାର ଶରବ୍ୟ ହେଲା, କାରଣ ରାଡାରର କାର୍ଯ୍ୟକୁ ବାଦଲ ବାଧା ଦିଏନାହିଁ।
ଦେଖିବାକୁ ଗଲେ ଦେଶରେ ଉତ୍ତର ଓ ଦକ୍ଷିଣ ଭାରତୀୟଙ୍କ ମଧ୍ୟରେ ବିଦ୍ୱେଷଭାବ ରହିଛି। ଉତ୍ତର-ପୂର୍ବାଞ୍ଚଳବାସୀଙ୍କୁ ଅନେକେ ଭାରତୀୟ ବୋଲି ଭାବୁ ନାହାନ୍ତି। ସେହିପରି ପୁଲ୍‌ଓ୍ବାମା ଆକ୍ରମଣ ପରେ ଦେଶର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା କଶ୍ମୀରୀମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଇ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ଭାରତରେ ଯେତେବେଳେ ବି ଆତଙ୍କବାଦୀ ଆକ୍ରମଣ ହୋଇଛି, ମୁସଲମାନ ସମ୍ପ୍ରଦାୟ ସନ୍ଦେହର ବଳୟ ମଧ୍ୟକୁ ଟଣା ହୋଇଆସୁଛନ୍ତି। ଅସହିଷ୍ଣୁତା ଦେଶର ସାମାଜିକ ସଦ୍‌ଭାବକୁ ବିଗାଡ଼ିବାରେ ଲାଗିଛି। ଏଭଳି ଦେଶରୁ ଆଭ୍ୟନ୍ତରୀଣ ବିଭେଦର ଫାଇଦା ନେବାକୁ ଯାଇ ଆଇଏସ୍‌ ବିଭିନ୍ନ ସ୍ଥାନରେ ତା’ର ଶିବିର ସ୍ଥାପନ କରିବାକୁ ଉଦ୍ୟମ କରୁଛି। ଆଇଏସ୍‌ର ଏଭଳି ମନ୍ଦ ଉଦ୍ଦେଶ୍ୟ କାର୍ଯ୍ୟକାରୀ ହେବା କଷ୍ଟକର ନ ହୋଇପାରେ। କଶ୍ମୀର ଉପତ୍ୟକାରେ ଆଇଏସ୍‌ର ଉପସ୍ଥିତିକୁ ସୁରକ୍ଷା ସଂସ୍ଥାଗୁଡ଼ିକ ଅସ୍ବୀକାର କରୁଥିବା ବେଳେ ଜମ୍ମୁ-କଶ୍ମୀରକୁ ଏହି ସଙ୍ଗଠନ ପ୍ରୋଭିନ୍ସ ବୋଲି ଦାବି କରିବା ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି। କାରଣ ପ୍ରାୟ ଶୁକ୍ରବାର ନମାଜ ପାଠ ବେଳେ ଖୋଦ୍‌ ଶ୍ରୀନଗରରେ ଇସ୍‌ଲାମିକ୍‌ ଆଦର୍ଶ ପ୍ରତି ଅନୁପ୍ରାଣିତ ଉଦ୍‌ଭ୍ରାନ୍ତ ଯୁବକମାନେ ଆଇଏସ୍‌ ପତାକା ଦେଖାଇବାର ଅନେକ ନଜିର ରହିଛି। ଏହା ସିଧାସଳଖ ଆଇଏସ୍‌କୁ ସମର୍ଥନ ଦେଉଥିବା ବେଳେ ସ୍ବରାଷ୍ଟ୍ର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଏସବୁ ପରିସ୍ଥିତିକୁ ଦେଖିଲେ ବିଭାଜନ ରାଜନୀତି ଆଜି ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି। ରାଜରାଜୁଡ଼ା ଅମଳରୁ ଦେଖାଯାଇଛି ଯେ, ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଘଟିଲେ ବାହ୍ୟଶତ୍ରୁ ଆକ୍ରମଣ କରିଥାଆନ୍ତି। ଅନ୍ୟପକ୍ଷରେ ଦେଶର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିଲେ ଆତଙ୍କବାଦୀ ଆକ୍ରମଣ ସହଜ ହୋଇ ନ ଥାଏ। ଏହି ପରିପ୍ରେକ୍ଷୀରେ ଆମେରିକାରେ ୯/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମନେପକାଯାଇପାରେ। ଗୋଇନ୍ଦା ଓ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯିବା ପରେ ସେଠାରେ ଆଉ ବଡ଼ ଧରଣର ଆକ୍ରମଣ ଘଟିନାହିଁ। ଭାରତକୁ ଗୋଇନ୍ଦା ବିଫଳତା ବାରମ୍ବାର ଆକ୍ରମଣ ମୁହଁକୁ ଠେଲିଦେଇଛି। ତେଣୁ ଆଇଏସ୍‌ର ପ୍ରଦେଶ ଗଠନ ଦାବିକୁ ହାଲୁକା ଭାବେ ନିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri