ସମ୍ପାଦକୀୟ/କୋଚିରୁ ଶିକ୍ଷା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେରଳର କୋଚିସ୍ଥିତ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟକୁ ଏବେ ମାଟିରେ ମିଶାଇ ଦିଆଯାଇଛି। ମାରାଡୁ ମ୍ୟୁନିସିପାଲିଟିରେ ଥିବା ଏହିସବୁ ଉଚ୍ଚ ଅଟ୍ଟାଳିକା କୋଷ୍ଟାଲ ରେଗୁଲେଶନ ଜୋନ୍‌ ନର୍ମସ ବା ଉପକୂଳ ନିୟନ୍ତ୍ରଣ ଜୋନ୍‌ ନିୟମକୁ ଉଲ୍ଲଂଘନ କରିଥିବାରୁ ସେଗୁଡ଼ିକୁ ଧୂଳିସାତ୍‌ କରାଯାଇଛି। କେରଳ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଓ ସମ୍ପୃକ୍ତ ଅଧିକାରୀଙ୍କ ତତ୍‌କ୍ଷଣାତ୍‌ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଜନସାଧାରଣ ଓ ପରିବେଶ ପାଇଁ ଏହା ଉତ୍ତମ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏଠାରେ ମନେପଡ଼େ ୨୦୧୮ରେ କେରଳରେ ଘଟିଥିବା ବନ୍ୟା ବିଭୀଷିକା ଦୃଶ୍ୟ। ପାହାଡ଼ ପାଦଦେଶ, ନଦୀ ତଟବର୍ତ୍ତୀ ଅଞ୍ଚଳ କେନାଲ ଓ ଡ୍ରେନ୍‌ଗୁଡ଼ିକୁ ପୋତାଯାଇ ସେଠାରେ ପର୍ଯ୍ୟଟନର ବିକାଶ କରିବା ଲାଗି ଅଟ୍ଟାଳିକା ନିର୍ମାଣ କରାଯାଇଥିଲା। ଏପରି କି ଘରୋଇ ଆପାର୍ଟମେଣ୍ଟ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଗଢ଼ି ଉଠିଥିଲା। ଫଳରେ ବର୍ଷାଋତୁରେ ଠିକ୍‌ ଭାବେ ଜଳ ନିଷ୍କାସନ ହୋଇ ନ ପାରି ଜନବସତିଗୁଡ଼ିକୁ ଜଳମଗ୍ନ କରି ଦେଇଥିଲା। ଏଥିଯୋଗୁ ଶହ ଶହ ଲୋକଙ୍କ ଜୀବନ ଯିବା ସହ ଘରଦ୍ୱାର ଭାଙ୍ଗିରୁଜି ଯାଇଥିଲା। ଅନୁରୂପ ଘଟଣା ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରକୃତି ରଚିଥିବା ତାଣ୍ଡବଲୀଳାରୁ ଦେଖିବାକୁ ମିଳିଥିଲା। ଛୋଟଛୋଟ ଜଳବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା କରିବା ଲାଗି ଉପକୂଳ ଅଞ୍ଚଳର ନଦୀ କଡ଼ରେ ଥିବା ଅସଂଖ୍ୟ ଗଛକୁ କାଟି ଦିଆଯାଇଥିଲା। ଏହିଭଳି ଅନେକ ପ୍ରକୃତିବିରୋଧୀ କାର୍ଯ୍ୟ ଯୋଗୁ ଲୋକେ ଦେଶର ବିଭିନ୍ନ ଭାଗରେ ବିପତ୍ତି ଭୋଗୁଥିଲେ ମଧ୍ୟ ତାହାକୁ ଭଲ ଭାବେ ହୃଦୟଙ୍ଗମ କରିପାରୁନାହାନ୍ତି।
ଓଡ଼ିଶା କଥା ଦେଖିଲେ, ଏଠାରେ ପୁରୀଠାରୁ ଆରମ୍ଭ କରି ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ କୋଷ୍ଟାଲ ରେଗୁଲେଶନ ଜୋନ୍‌ ନର୍ମସକୁ ବାରମ୍ବାର ଉଲ୍ଲଂଘନ କରାଯାଉଛି। ଯେତେ ପ୍ରକାର କଟକଣା କରାଗଲେ ମଧ୍ୟ ସେଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ପୁରୀ ବେଳାଭୂମି ଅଞ୍ଚଳକୁ ଦେଖିଲେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ସମୁଦ୍ରଆଡ଼କୁ ମାଡ଼ି ଚାଲିଛନ୍ତି। ପୁରୀ ସହରର ନିର୍ମାଣ କ୍ଷେତ୍ରର ଢାଞ୍ଚା ଦିନକୁ ଦିନ ବଦଳିବାରେ ଲାଗିଛି। ପରିବେଶ ନିୟମକୁ ଉଲ୍ଲଂଘନ କରାଯାଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ ପରେ ଗୋଟିଏ ଓଡ଼ିଶାକୁ ମାଡ଼ି ଆସୁଛି। ଗତବର୍ଷ ବାତ୍ୟା ଫନୀ ଉପକୂଳ ବିଶେଷକରି ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ରଚିଥିବା ବିଭୀଷିକାକୁ ଲୋକେ ମର୍ମେ ମର୍ମେ ଅନୁଭବ କରିଛନ୍ତି। କେବଳ ପୁରୀ ନୁହେଁ, ଗଞ୍ଜାମର ଗୋପାଳପୁରଠାରୁ ବାଲେଶ୍ୱର ଯାଏ ଉପକୂଳ ଅଞ୍ଚଳରେ ଉପକୂଳ ନିୟନ୍ତ୍ରଣ ଜୋନ୍‌ ନିୟମକୁ ଖୋଲାଖୋଲି ବେଖାତିର କରାଯାଉଛି। ସେହିପରି କଟକ ଓ ଭୁବନେଶ୍ୱରରେ ଯିଏ ଯେଉଁଠି ପାରୁଛନ୍ତି ନିର୍ମାଣର ପସରା ମେଲାଇ ଦେଉଛନ୍ତି। ଏପରିକି ଛୋଟ ଛୋଟ କେନାଲକୁ ପୋତି ଦିଆଯାଉଛି। ଡ୍ରେନ୍‌କୁ ସଙ୍କୁଚିତ କରାଯାଇ ତା’ କଡ଼ରେ ଘର ନିର୍ମାଣ କରାଯାଉଥିବାରୁ ଜଳ ନିଷ୍କାସନ ହୋଇ ନ ପାରି ତାହା ସହର ଭିତରକୁ ପ୍ରବେଶ କରୁଛି। କଟକର ଭୌଗୋଳିକ ସ୍ଥିତି ଦେଖିଲେ ସେଠାରେ ସାମାନ୍ୟ ବର୍ଷାରେ ନାଳନର୍ଦ୍ଦମା ପୂରି ଉଠିଥାଏ। ହେଲେ କିଛିବର୍ଷ ହେବ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳ ବାରମ୍ବାର ଜଳମଗ୍ନ ହୋଇଯାଉଛି। ଚାରିଚକିଆ ଛୋଟିଆ ଗାଡ଼ିଗୁଡ଼ିକ ଭାସି ଯାଉଥିବାର ଦୃଶ୍ୟ ଗଣମାଧ୍ୟମରୁ ଦେଖିବାକୁ ମିଳିଛି। ଏପରି କି ସହର ଭିତରେ ନର୍ଦ୍ଦମା ସହିତ ସଂଯୋଗ କରୁଥିବା ଗାତରେ ପଡ଼ି ଲୋକଙ୍କ ମୃତ୍ୟୁ ଘଟିଛି। ଉଦାହରଣ ଖୋଜିଲେ ଅନେକ ମିଳିବ।
ଆଜି ଓଡ଼ିଶାର ସହରଗୁଡ଼ିକର ଏପରି ଅବସ୍ଥା ହେବା ପଛରେ ରହିଛି ବେଆଇନ ଅଟ୍ଟାଳିକା ନିର୍ମାଣ। ଭୁବନେଶ୍ୱର ଏକ ଯୋଜନାବଦ୍ଧ ସହର ବୋଲି କୁହାଯାଏ। କେବଳ ସେତିକି ନୁହେଁ, ଏହା ସ୍ମାର୍ଟସିଟିର ମଧ୍ୟ ମାନ୍ୟତା ପାଇଛି। ଅନେକ ବିଲ୍‌ଡର ବା ନିର୍ମାଣକାରୀ ସଂସ୍ଥା ନିୟମ ଉଲ୍ଲଂଘନ କରିବା ଅସ୍ବାଭାବିକ ପରିସ୍ଥିତି ଉପୁଜାଉଛି। ଅବଶ୍ୟ ଏଥିଲାଗି ପ୍ରଥମତଃ ଦାୟୀ ବିଡିଏ, ବିଏମ୍‌ସି, ସିଡିଏ ଭଳି ନଗର ଉନ୍ନୟନ କର୍ତ୍ତୃପକ୍ଷ। ଏମାନଙ୍କ ଅନୁମତି ବିନା ନିର୍ମାଣ କାର୍ଯ୍ୟ ଆଗେଇବା ଅସମ୍ଭବ। ସବୁ ବେନିୟମ କାମ ଏହି କର୍ତ୍ତୃପକ୍ଷଙ୍କ ଜାଣତରେ ହୁଏ ବୋଲି ସମସ୍ତେ ଜାଣନ୍ତି। ଭୁଲ୍‌ ପାଇଁ ସର୍ବକ୍ଷମା ଯୋଜନା ରହୁଛି। ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ନିୟମ ସୁହାଇଲା ଭଳି ମନେହେଉଛି। କୋଚିର ମାରାଡୁ ଅଞ୍ଚଳରେ ବେଆଇନ ଆପାର୍ଟମେଣ୍ଟଗୁଡ଼ିକୁ ବିସ୍ଫୋରଣ କରାଯାଇ ଧ୍ୱଂସ କରାଯିବା ଦେଶର ପ୍ରଥମ ଘଟଣା ହୋଇଥିବାରୁ ତାହାକୁ ଦୃଷ୍ଟାନ୍ତ ଭାବେ ନିଆଯିବା ଉଚିତ। ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ଉପରେ ନିର୍ମାଣ ଶିଳ୍ପର ବଡ଼ବଡ଼ିଆଙ୍କ ଚାପ ହେଉ ବା ଲାଞ୍ଚ ଯୋଗୁ ବେନିୟମ କାର୍ଯ୍ୟ ଆଇନରେ ପରିଣତ ହୋଇଯାଉଥିବା ବାରମ୍ବାର ଅଭିଯୋଗ ହୋଇଥାଏ।
ଆଜିର ପରିସ୍ଥିତିକୁ ଦେଖିଲେ ଯେଭଳି ଭାବେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି, ସେଭଳି ସ୍ଥଳେ ମଣିଷ ବେଆଇନ କାର୍ଯ୍ୟ କରି ପ୍ରକୃତି ବିରୋଧୀ ହୋଇଗଲେ ଏହାର କୁଫଳ ମାନବ ସମାଜକୁ ଭୋଗିବାକୁ ପଡ଼ିବ। ତେଣୁ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ। କିଛି ଲୋକଙ୍କ ବେପରୁଆ ବ୍ୟବହାର ଯୋଗୁ ସମସ୍ତଙ୍କୁ ପ୍ରକୃତିର କ୍ରୋଧ ସହିବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri