ଅପରାଧ ଯଦି ପ୍ରତିନିଧିର ଯୋଗ୍ୟତା ହୁଏ

ସହଦେବ ସାହୁ
ବଳାତ୍କାର ଭଳି ଅପରାଧ କାହିଁକି ବଢୁଛି ବୋଲି ପ୍ରଶ୍ନ କଲେ ଆମେ ନିଜେ ଦାୟୀ ହୋଇଯିବା। କାରଣ ଏବଂ ଉଦାହରଣ ଖୋଜିବା ଲାଗି ଓଡ଼ିଶା କଥା କହିଲେ କାହାର ନା କାହାର ଶତ୍ରୁ ହୋଇଯିବା। ତେଣୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଉଦାହରଣ ନେବା। ବିଚାରାଧୀନ ଅପରାଧୀମାନେ ଯଦି ଆମର ପ୍ରତିନିଧି ହେବେ ଏବଂ ସେମାନଙ୍କୁ ରାଜନୈତିକ ଦଳର ସୁପ୍ରିମୋ ବା ହାଇକମାଣ୍ଡ ଦଳ ତରଫରୁ ପ୍ରାର୍ଥୀ କରାଇବେ ଏବଂ ଆମେ ସେମାନଙ୍କୁ ଭୋଟ୍‌ ଦେବା ତେବେ ଆମେ ଦାୟୀ ନୋହୁଁ କି?
୭ ବର୍ଷ ତଳେ ୨୦୧୨ରେ ରାଞ୍ଚି (ଝାଡ଼ଖଣ୍ଡ)ର ଅକ୍ସଫୋର୍ଡ ପବ୍ଲିକ୍‌ ସ୍କୁଲର ୱାର୍ଡେନ୍‌ ସୁଚିତ୍ରା ମିଶ୍ରଙ୍କୁ ସ୍କୁଲର ଡାଇରେକ୍ଟର ଶଶିଭୂଷଣ ମେହେଟା ହତ୍ୟା କରିଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଧୁରୁଆସ୍ଥ ଗାନ୍ଧୀ ଆଶ୍ରମ ନିକଟ ରାସ୍ତାରୁ ସୁଚିତ୍ରାଙ୍କ ମୃତଦେହ ମିଳିଥିଲା। ସୁଚିତ୍ରା ମିଶ୍ର ବିଧବା ଥିଲେ ଏବଂ ମେହେଟା ତାଙ୍କ ସହିତ ସମ୍ପର୍କ ରଖିଥିଲେ। ସେହି ସମ୍ପର୍କରୁ ଦୂରେଇ ଯିବା ପାଇଁ ସେ ସୁପାରି ଦେଇ ବିଧବାଟିକୁ ହତ୍ୟା କରାଇଥିଲେ। ମେହେଟା ଗିରଫ ହେଲେ, କିନ୍ତୁ ବିଚାର ଏବେ ବି ସରିନାହିଁ, ମେହେଟା ୭ ବର୍ଷ ହେଲା ଜାମିନରେ ଅଛନ୍ତି।
ଏକ ଜନସ୍ବାର୍ଥ ମାମଲାରୁ ଜଣାଯାଏ ଆମ ଦେଶର ବିଧାୟକ ଓ ସାଂସଦମାନଙ୍କ ଉପରେ ପ୍ରାୟ ୪୧୨୨ଟି କେସ୍‌ ଅଛି, ୧୯୯୧ ମସିହାରୁ ବି ଗୋଟିଏ କେସ୍‌ ଅଛି ଯାହାର ଚାର୍ଜଶିଟ୍‌ ଏ ଯାଏ ଦାଖଲ ହୋଇନାହିଁ। ପୁଣି ୨୬୪ ମାମଲାରେ ତ ହାଇକୋର୍ଟ ମୁଲତବୀ ଆଦେଶ ଦେଇଛନ୍ତି। ମୁଲତବୀ ମାନେ ମାମଲା ଚାଲିଥିବା ପର୍ଯ୍ୟନ୍ତ ଅଭିଯୁକ୍ତ ବେଶ୍‌ ଖୁସିରେ ବୁଲିବ। ଅଭିଯୋଗକାରୀ ଉପରେ ଅଭିଯୁକ୍ତ ଦାଉ ସାଧିବାର ସମୟ ପାଇଯିବ, ଯେପରି ଉତ୍ତରପ୍ରଦେଶର ଉନ୍ନାଓ ବଳାତ୍କାର ମାମଲାରେ ଘଟିଥିଲା। ୨୦୧୭ ଜୁନ୍‌ ୪ରେ ୧୭ ବର୍ଷୀୟା ଝିଅଟି ବଳାତ୍କାର ଅଭିଯୋଗ କରିଥିଲା। ସେତେବେଳେ ଅଭିଯୁକ୍ତ କୁଳଦୀପ ସିଂହ ସେଙ୍ଗାର ଭାଜପା ବିଧାୟକ ଥିଲେ। ସେ ମାମଲାଟିକୁ ଚପାଇଦେବା ଲାଗି ଝିଅଟିର ବାପାଙ୍କ ନାଁରେ ମକଦ୍ଦମା କରାଇଦେଲେ, ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ। ବଳାତ୍କାର ମାମଲାରେ ପୋଲିସ କିଛି ନ କରିବାରୁ ଝିଅଟି ୨୦୧୮ ଏପ୍ରିଲ ୮ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ କଲା। ତା’ ପରେ ପରେ ବିଚାରାଳୟ ହାଜତରେ ଝିଅଟିର ବାପାଙ୍କ ମୃତ୍ୟୁ ଘଟିଲା। ମକଦ୍ଦମା ଚାଲିଥିଲା ବେଳେ ୨୦୧୯ ଜୁଲାଇ ୨୮ରେ ଅଭିଯୋଗକାରିଣୀ ଯାଉଥିବା ଗାଡ଼ିରେ ଏକ ଟ୍ରକ୍‌ ଧକ୍କା ଲଗାଇ ପୀଡ଼ିତାକୁ ଗୁରୁତର ଆଘାତ ଦିଆଗଲା, ତା’ର ଦୁଇ ସମ୍ପର୍କୀୟ ମଲେ। ସାରା ଦେଶ ଉତ୍ତେଜିତ ହେବା ପରେ ଜୁଲାଇ ୩୧ରେ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ମାମଲାଟିକୁ ନଜରକୁ ନେଲେ ଏବଂ ଡିସେମ୍ବର ୧୬ରେ ସେଙ୍ଗାର ଆଜୀବନ କାରାଦଣ୍ଡ ପାଇଲେ। ସାରା ଦେଶ ମାତି ନ ଥିଲେ ବିଧାୟକ ପଦରୁ ସେଙ୍ଗାର ତଡ଼ା ଖାଇ ନ ଥାନ୍ତେ, ଦଣ୍ଡ ପାଇବା ତ ଦୂରର କଥା! ଲୋକଙ୍କର ପ୍ରତିନିଧି ହିସାବରେ ଛାତି ଫୁଲେଇ ଖୁଲମ୍‌ଖୁଲା ବୁଲୁଥାନ୍ତେ। ଏ ହେଉଛି ଆମ ଲୋକପ୍ରତିନିଧିମାନଙ୍କ ଏବଂ ସେମାନଙ୍କୁ ପ୍ରାର୍ଥୀ କରାଉଥିବା ଦଳନେତାଙ୍କ କଳାକାରନାମା!
ନିର୍ବାଚନ ରଣାଙ୍ଗନରେ ଠିଆ ହେଉଥିବା ପ୍ରାର୍ଥୀଙ୍କ ଭିତରୁ ଶତକଡା ୨୬ ଫୌଜଦାରି କେସ୍‌ରେ ଏବଂ ଶତକଡା ୧୭ ଗୁରୁତର ଫୌଜଦାରି ମାମଲାରେ ଅଭିଯୁକ୍ତ। ଭାଜପାରୁ ଝାଡ଼ଖଣ୍ଡର ଆଉ ଜଣେ ପ୍ରାର୍ଥୀ ଭାନୁପ୍ରତାପ ସାହିଙ୍କ ନାଁରେ ୧୩୦ କୋଟିର ଔଷଧ କେଳେଙ୍କାରୀ ଅଛି। କେବଳ ଭାଜପା ଭଳି ଗୋଟିଏ ଦଳର ଏ କଥା ନୁହେଁ। ଏଡିଆର୍‌ (ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ) ରିପୋର୍ଟ ଓ ଝାଡ଼ଖଣ୍ଡ ଇଲେକଶନ୍‌୍‌ ୱାଚ୍‌ ତରଫରୁ ପ୍ରକାଶିତ ଏକ ହିସାବ ଅନୁଯାୟୀ ଡିସେମ୍ବର ୭ରେ ହୋଇଥିବା ୨ୟ ପର୍ଯ୍ୟାୟ ଝାଡ଼ଖଣ୍ଡ ବିଧାନ ସଭା ନିର୍ବାଚନରେ ଲଢ଼ିଥିବା କଂଗ୍ରେସ ପ୍ରାର୍ଥୀମାନଙ୍କ ଭିତରୁ ଶତକଡା ୬୭ ଫୌଜଦାରି ମାମଲାରେ ଅଭିଯୁକ୍ତ।
ନିର୍ବାଚନ ଅଧିକାରୀଙ୍କ ପାଖରେ ପ୍ରଦତ୍ତ ଶପଥପାଠରୁ ଜଣାଯାଏ, କଂଗ୍ରେସ ପ୍ରାର୍ଥୀଙ୍କ ଭିତରୁ ଶତକଡା ୬୭, ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କ ଭିତରୁ ଶତକଡା ୫୦, ଏଜେଏସ୍‌ୟୁ ପ୍ରାର୍ଥୀଙ୍କ ଭିତରୁ ଶତକଡା ୪୨, ଭାଜପା ପ୍ରାର୍ଥୀଙ୍କ ଭିତରୁ ଶତକଡା ୪୦ ଏବଂ ଜେଭିଏମ୍‌ପି ପ୍ରାର୍ଥୀଙ୍କ ଭିତରୁ ଶତକଡା ୪୦ ଭାଗ ଫୌଜଦାରି ମକଦ୍ଦମାରେ ଅଭିଯୁକ୍ତ। ଏମାନଙ୍କ ଭିତରେ କଂଗ୍ରେସ ଅଗ୍ରଣୀ। ନାରୀ ସମ୍ପୃକ୍ତି ଥିବା ଫୌଜଦାରି ମକଦ୍ଦମାରେ ୪ ପ୍ରାର୍ଥୀ ଅଛନ୍ତି। ତା’ ଭିତରୁ ଜଣଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଅଛି। ୮ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ଅଭିଯୋଗ ଅଛି। ଆଉ ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଅଛି। ପୁଣି ୩ ଜଣ ପ୍ରାର୍ଥୀ କହିଛନ୍ତି ଯେ, ସେମାନେ ଆଗରୁ ଦଣ୍ଡ ପାଇସାରିଛନ୍ତି ସେମାନଙ୍କ ଅପରାଧ ପାଇଁ।
ଏ ତ ଗଲା ପ୍ରାର୍ଥୀଙ୍କ କଥା। ନିର୍ବାଚିତ ହୋଇଯାଇଥିବା ବ୍ୟକ୍ତିଙ୍କ କଥା ଶୁଣନ୍ତୁ। ୨୦୧୯ ମେ’ରେ ଏଡିଆର୍‌ ରିପୋର୍ଟ ଅନୁଯାୟୀ ଉପସ୍ଥିତ ଲୋକ ସଭା ସଦସ୍ୟମାନଙ୍କ ଭିତରୁ ପ୍ରାୟ ଅଧାଅଧି ଫୌଜଦାରି ମକଦ୍ଦମାରେ ଲିପ୍ତ। ଶତକଡା ୨୯ ଭାଗ ବଳାତ୍କାର, ହତ୍ୟା ଓ ହତ୍ୟା ଉଦ୍ୟମ କିମ୍ବା ନାରୀ-ବିରୋଧୀ ଅପରାଧରେ ଜଡ଼ିତ। ଏଭଳି ଅପରାଧ ୨୦୧୪ ତୁଳନାରେ ଶତକଡା ୨୬ ବଢିଛି। ୫୩୯ ବିଜୟୀ ପ୍ରାର୍ଥୀଙ୍କ ଅନୁଶୀଳନରୁ ଜଣାଯାଇଛି ୨୩୩ ସାଂସଦ ଫୌଜଦାରି ମକଦ୍ଦମାରେ ଅଭିଯୁକ୍ତ। ଦଳ ଅନୁଯାୟୀ ଭାଜପା ସାଂସଦଙ୍କ ଭିତରେ ୧୧୬ ଦାଗୀ ଅଛନ୍ତି, ତାହା ଦଳର ବିଜୟୀ ସାଂସଦଙ୍କ ସଂଖ୍ୟାର ଶତକଡା ୩୯ ଭାଗ। ତା’ ତଳକୁ କଂଗ୍ରେସ। ତା’ର ୨୯ ସାଂସଦ ଅଭିଯୁକ୍ତ, ଯାହା ଦଳର ବିଜୟୀ ପ୍ରାର୍ଥୀଙ୍କ ଭିତରୁ ଶତକଡା ୫୭। ସେହିପରି ଜେଡିୟୁର ୧୩ ସାଂସଦ (୮୧%), ଡିଏମ୍‌କେର ୧୦ ସାଂସଦ (୪୩%) ଏବଂ ତୃଣମୂଳ କଂଗ୍ରେସର ୯ ସାଂସଦ (୪୧%) ଫୌଜଦାରି ମକଦ୍ଦମାରେ ଅଭିଯୁକ୍ତ।
ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡ ନିର୍ବାଚନରେ ମାଓବାଦୀ କମାଣ୍ଡର, ନରହତ୍ୟାକାରୀ, ଯୌନଶୋଷଣକାରୀ ତଥା ଅର୍ଥକେଳେଙ୍କାରୀରେ ଜଡ଼ିତ ଥିବା ବ୍ୟକ୍ତିମାନେ ପ୍ରାର୍ଥୀ ଥିଲେ। ସତେଯେପରି ଅପରାଧୀ ଗୋଷ୍ଠୀ ଓ ରାଜନୈତିକ ଦଳମାନଙ୍କ ଭିତରେ ଏକ ଭିତିରି ବୁଝାମଣା ଅଛି। ଏ କଥା ଆଡଭୋକେଟ୍‌ ରାଜୀବ କୁମାର କହୁଛନ୍ତି- ଝାଡ଼ଖଣ୍ଡ ହେଉଛି ପ୍ରଥମ ପ୍ରଦେଶ ଯେଉଁଠି ରାଜନୈତିକ ଘୋଡ଼ାବେପାର ଘେନି ଏକ ମକଦ୍ଦମା ଚାଲିଛି। ନେତାମାନଙ୍କ ସଫେଇ ବା ଆଳ ଯେ, ଯେ ପର୍ଯ୍ୟନ୍ତ କୋର୍ଟ ସେମାନଙ୍କୁ ଦଣ୍ଡ ନ ଦେଇଛି ସେମାନଙ୍କୁ ଅପରାଧୀ କହିହେବ ନାହିଁ। ଏହା ଏକ ଲୋକଦେଖାଣିଆ ଯୁକ୍ତି। ସମସ୍ତେ ଜାଣନ୍ତି ସାଂସଦ ବା ବିଧାୟକମାନଙ୍କ ନାଁରେ କେସ୍‌ ଥିଲେ ବର୍ଷ ବର୍ଷ ଧରି ମାମଲା ଗଡୁଥିବ, ଦଶ ବାର ବର୍ଷ ତ ସାମାନ୍ୟ କଥା, ସାକ୍ଷୀ ମଲା ଯାଏ କେସ୍‌ ବିଚାର ପରିସରକୁ ଆସୁ ନ ଥିବ। ସାକ୍ଷୀକୁ ସୁରକ୍ଷା ଦିଆଯାଉ ନ ଥିବାରୁ ସେ ମରିବା ନିଶ୍ଚିତ ଏବଂ ମରିଗଲେ ସାକ୍ଷ୍ୟ ଅଭାବରୁ କେସ୍‌ ଅପ୍ରମାଣିତ ହେବା ନିଶ୍ଚିତ। ନ ହେଲେ ଅଭିଯୋଗକାରୀ ମରିଗଲା ଯାଏ ମାମଲା ଚାଲିଥିବ। ତାକୁ ନ୍ୟାୟ ମିଳିବ ନାହିଁ। ତା’ ଛଡା ବିଭିନ୍ନ କାରଣ ଦେଖାଇ ନେତାମାନେ ଖସିଯିବାର ବାଟ ବାହାର କରିନିଅନ୍ତି। ଆଇନରେ ଅଛି ଅଭିଯୁକ୍ତ ଯେ ପର୍ଯ୍ୟନ୍ତ ଦୋଷୀ ବୋଲି ପ୍ରମାଣିତ ନ ହୋଇଛି ସେ ନିରୀହ ଧରାଯିବ ଏବଂ ଯଦି ତା’ ପାଖରେ ଟଙ୍କା ଅଛି ତା’ ନିରୀହପଣିଆ ସେ ବଞ୍ଚିଥିଲା ଯାଏ ରହିଥିବ। ସେ ବଡ଼ ବଡ଼ ଓକିଲ ଲଗାଇ ଏ କୋର୍ଟରୁ ସେ କୋର୍ଟ ଯାଇ ମକଦ୍ଦମାକୁ ସରିବାକୁ ଦେବ ନାହିଁ କିମ୍ବା ମକଦ୍ଦମା କରିଥିବା ଲୋକ ମଲା ପର୍ଯ୍ୟନ୍ତ ମକଦ୍ଦମା ଚଲାଉଥିବ ଏବଂ ମକଦ୍ଦମାକାରୀ ମଲା ପରେ ମକଦ୍ଦମା ଆପେ ଆପେ ଉଭେଇଯିବ, ଅଭିଯୋଗକାରୀ ନ ଥିବାରୁ ସେ ଖଲାସ ହେବା ସହଜ ହୋଇଯିବ।
ଏକ ଜନସ୍ବାର୍ଥ ମାମଲାରେ ଏ ସବୁ କଥା ଜାଣିଲା ପରେ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି- ରାଜନେତାମାନଙ୍କ ଉପରେ ଥିବା ମାମଲାଗୁଡିକର ଶୀଘ୍ର ଶୀଘ୍ର ଶୁଣାଣି ପାଇଁ ସ୍ବତନ୍ତ୍ର କୋର୍ଟମାନ ବସାଯାଉ। ସେଭଳି କୋର୍ଟ ତ ଆମ ପ୍ରତିନିଧିମାନଙ୍କ ସରକାର ବସାଇବେ, ଯେଉଁମାନଙ୍କୁ ଦଳର ସର୍ବୋଚ୍ଚ ନେତା ଏ ଯାଏ ଛତ୍ରଚ୍ଛାୟା ଯୋଗାଇଛନ୍ତି। ଅପରାଧୀଙ୍କୁ ଆମ ପ୍ରତିନିଧି ବୋଲି ବାଛିବାକୁ ଏ ଦଳପତିମାନେ ତ ଆମକୁ ବାଧ୍ୟ କରୁଛନ୍ତି। ଯଦି ଆମେ ଅପରାଧୀଙ୍କୁ ଆମର ପ୍ରତିନିଧି ବାଛିବା ଆମେ ଅପରାଧରେ ସହଯୋଗୀ ବା ଆବେଟର୍‌ ହେଉନାହାନ୍ତି କି? ଅପରାଧୀଙ୍କୁ ଯଦି ପ୍ରତିନିଧି କରିବା ଆମେ ନିଜେ ଅପରାଧୀ କାହିଁକି ନ ହେବା? ବଳାତ୍କାର କରୁଥିବା ଲୋକ ଯଦି ସହଜରେ ପ୍ରତିନିଧି ହୋଇପାରେ ସେହି ମଣ୍ଡଳୀର ଭୋଟର ଓ ତା’ ପିଲା କାହିଁକି ପଛରେ ପଡ଼ିବ?
ଇ-ମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri