ସତ୍ୟପାଠର ସତ୍ୟତା

ହରିଶଙ୍କର ମିଶ୍ର

ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ୨୦୧୮ ମସିହାରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୫ ବର୍ଷ ଓ ଛବିଶଟି ଶୁଣାଣି ପରେ ବନ୍ଦ କରିଦେଲେ। ମାମଲା ଦାଏର ପରେ କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଜିଲା ଜଜ୍‌ଙ୍କ ଦ୍ୱାରା ଦାଖଲ ରିପୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ବଂଶାନୁକ୍ରମିକ ସେବା ଉଚ୍ଛେଦ, ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀଜୀଉଙ୍କ ନାମରେ ଜମିଜମା ଓ ଭକ୍ତଙ୍କ ସୁବିଧା ପାଇଁ ଅନେକ ପ୍ରସ୍ତାବକୁ କୋର୍ଟ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ତାହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୯ ନଭେମ୍ବରରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଦାଖଲ ସତ୍ୟପାଠ ପରେ ମୂଳ ମାମଲା ସହ ଏକାଧିକ ମାମଲା ବନ୍ଦ କରାଗଲା। କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ସେହି ସତ୍ୟପାଠର ସତ୍ୟତା ଉପରେ ସନ୍ଦେହ କରି ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ କରିଥିବା ଅନୁରୋଧ ମଧ୍ୟ ଗ୍ରହଣ କରାଗଲା ନାହିଁ। ଅବଶ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଆବଶ୍ୟକ ସ୍ଥଳେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ମାମଲା ପାଇଁ ନିର୍ଦ୍ଦେଶ ଦେବା ସହ କୋର୍ଟ ଆଦେଶ ପରିପାଳନର ଅନୁଧ୍ୟାନ ପାଇଁ ଉଚ୍ଚ ନ୍ୟାୟାଳୟକୁ ଜଣାଇଛନ୍ତି। କିନ୍ତୁ କୋର୍ଟଙ୍କର କିଛି ଟିପ୍ପଣୀ ନ୍ୟାୟିକ ବ୍ୟବସ୍ଥା ପରିବର୍ତ୍ତେ ବ୍ୟକ୍ତିଗତ ଭାବାବେଗର ଚାପକୁ ସ୍ପଷ୍ଟ କରୁଛି। ବିଶେଷତଃ ରତ୍ନଭଣ୍ଡାର ଖୋଲିବା ପାଇଁ ଆଦେଶରେ ବ୍ୟକ୍ତିଗତ ଧାର୍ମିକ କ୍ଷତିର ଆଶଙ୍କା ପ୍ରକାଶ କରାଯିବା ନ୍ୟାୟିକ ବ୍ୟବସ୍ଥାର ପରିପନ୍ଥୀ ମନେହୁଏ।
ମାମଲାର ଶୁଣାଣି ଅବଧି ମଧ୍ୟରେ ପୁରୀରେ ଶ୍ରୀମନ୍ଦିର ସମ୍ପର୍କିତ ବହୁ ହାଇଡ୍ରାମା ଦେଖିବାକୁ ମିଳିଥିଲା। ପ୍ରଥମେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ କ୍ଷେତ୍ର ପରିଦର୍ଶନ ବେଳେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତତୁଲ୍ୟ ପ୍ରାତଃ ସମୟରେ ଏକାକୀ ଶ୍ରୀଜୀଉଙ୍କୁ ଦର୍ଶନ କରି ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ସେବକମାନଙ୍କୁ ସୁଧୁରି ଯିବାକୁ ପରାମର୍ଶ ଦେଇ ନିଜେ ଦାୟିତ୍ୱରୁ ଓହରି ଗଲେ। ରତ୍ନଭଣ୍ଡାର ଖୋଲିବା ପାଇଁ ସର୍ପ ଧରାଳି, ଆମ୍ବୁଲାନ୍ସ, ଦମକଳ ଗାଡ଼ିର ବ୍ୟବସ୍ଥା କରି ଜିଲାପାଳଙ୍କର ସତର ଜଣିଆ ଗୋଷ୍ଠୀଙ୍କୁ ନେଇ ମନ୍ଦିର ପ୍ରବେଶ, ଶ୍ରୀଲୋକନାଥଙ୍କ ପ୍ରସାଦ ଛୁଇଁ କୌଣସି ତଥ୍ୟ ବାହାରେ ପ୍ରକାଶ ନ କରିବାକୁ ଶପଥ ନେଲେ। ଜନୈକ ଅଧିକାରୀ ଆଘାତ ପାଇ ରକ୍ତାକ୍ତ ହେବା ପ୍ରଚାର ସେଇ ହାଇଡ୍ରାମାର ଦୃଶ୍ୟ ହିଁ ଥିଲା। ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଲେ ଶ୍ରୀଜୀଉଙ୍କର ମହାସ୍ନାନ ହୁଏ, କିନ୍ତୁ ସେଦିନ ମହାସ୍ନାନ ହୋଇ ନ ଥିବା ଯୋଗୁ ପ୍ରଚାରର ମୂଳ ଉଦ୍ଦେଶ୍ୟ ଅନୁମେୟ। ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ଦିନର ବିଶୃଙ୍ଖଳା ମଧ୍ୟ ପୂର୍ଣ୍ଣ ପ୍ରାୟୋଜିତ ଥିବାର ଆଲୋଚନା ହୋଇସାରିଛି। ଜିଲାପାଳମାନେ କାର୍ଯ୍ୟରେ ଯୋଗଦାନ ଦିନ ଜିଲା ଟ୍ରେଜେରିର ଦାୟିତ୍ୱ ନେଇଥା’ନ୍ତି। ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀ ଭାବେ ଜିଲାପାଳଙ୍କ ଏତାଦୃଶ ନାଟକୀୟ ଆଚରଣ, ପରଦିନ ଟ୍ରେଜେରି ପରିବର୍ତ୍ତେ ଜିଲା କାର୍ଯ୍ୟାଳୟରୁ ଚାବି ମିଳିବା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ଆଦି ଯେତିକି ରହସ୍ୟମୟ, ଖୋଦ୍‌ ରାଜ୍ୟ ସରକାର ଏହା ଉପରେ କୌଣସି ପ୍ରାଥମିକ ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ତଦନ୍ତ କମିଶନ ଗଠନ କରିବା ଏବଂ ପ୍ରାୟ ଚବିଶ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ରିପୋର୍ଟ ଉପରେ କୌଣସି ପଦକ୍ଷେପ ନିଆନଯିବା ତତୋଽଧିକ ରହସ୍ୟମୟ। ଏହିସବୁ ହାଇଡ୍ରାମା ସହ ରତ୍ନଭଣ୍ଡାର ଲୁଟି ଓ ତନ୍ମଧ୍ୟରେ ସାତ ମୁଣ୍ଡିଆ ସାପ ଥିବାର ପ୍ରଚାର ଯେ ବିଚାର ପ୍ରକ୍ରିୟାକୁ ଅନୁପ୍ରବେଶ କରିନାହିଁ, ତାହା ସ୍ବତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ଏବଂ ଆନନ୍ଦ ବଜାରରେ ସୁବନ୍ଦୋବସ୍ତର ପ୍ରଚାର ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧିର କାରଣ ହୋଇଛି। ଅପରପକ୍ଷରେ ଶ୍ରୀମନ୍ଦିର ଭିତରେ ଦର୍ଶନାର୍ଥୀଙ୍କ ଦୁରବସ୍ଥା ସହ ଆନନ୍ଦ ବଜାରରେ ଅକଥନୀୟ ଦୁଃଖ ଓ ଶୋଷଣ ଶିକାରର ତିକ୍ତ ଅନୁଭୂତିକୁ ପ୍ରଶାସନ ନଜର ଅନ୍ଦାଜ କରିଚାଲିଛି। ଶତାଧିକ ବର୍ଷରୁ ଜାଗା କିଣି ସ୍ଥିତିବାନ ସ୍ବତ୍ୱ ପାଇଥିବା ପୁରୀ ସହରର ଅଶୀ ଶତାଂଶ ଓ ଓଡ଼ିଶାର ବହୁ ସହସ୍ର ବ୍ୟକ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଗୋଟିଏ ଆଦେଶରେ ଜମିର ମାଲିକାନା ସ୍ବତ୍ୱ ହରାଇଛନ୍ତି। ଏବଂ ଜମିର ମାଲିକାନା ଶ୍ରୀଜଗନ୍ନାଥଙ୍କ ନାମକୁ ଚାଲିଯାଇଛି। ଜମି ଭୋଗ କରୁଥିବା ବ୍ୟକ୍ତି ଝିଅ ବିଭାଘର ବା କୌଣସି ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଜମି ବିକ୍ରି ବା ହସ୍ତାନ୍ତର କରିପାରୁନାହାନ୍ତି। ଶ୍ରୀମନ୍ଦିରକୁ ଜମିର ଧାର୍ଯ୍ୟମୂଲ୍ୟ ଦେଇ ପୁନଃ କ୍ରୟ ପାଇଁ ସେମାନଙ୍କ ଆଶା ମଧ୍ୟ ଆଇନର ଜାଲରେ ଛନ୍ଦି ହେଉଛି।
ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଧାଡ଼ି ବ୍ୟବସ୍ଥାରେ ଦର୍ଶନାର୍ଥୀ ଯେମିତି ଅତିଷ୍ଠ ନିୟମିତ ଶ୍ରୀ ଜୀଉଙ୍କ ଦର୍ଶନାର୍ଥୀଙ୍କ ମନର ଅବସ୍ଥା ତତୋଽଧିକ ଦୁଃଖଦ ହୋଇସାରିଛି। ଐତିହ୍ୟକୁ ମାଟିରେ ମିଶାଇ ଐତିହ୍ୟ କରିଡର ନିର୍ମାଣ ପରି ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳ କେବଳ ଭ୍ରମାତ୍ମକ ପ୍ରଚାର ସର୍ବସ୍ବ ଆଭିଧାନିକ ଶବ୍ଦରେ ସୀମିତ। ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ଓ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହ ରାଜ୍ୟ ପ୍ରଶାସନିକ ମଧୁଚନ୍ଦ୍ରିକାର ମାୟାଜାଲ ଭେଦ କରିବା ମଧ୍ୟ ଦୁରୂହବ୍ୟାପାର। ପନ୍ଦର ଫୁଟ ମୂଳଦୁଆ ସତ୍ତ୍ୱେ ଶୌଚାଳୟ ନିର୍ମାଣର ସତ୍ୟପାଠ ଏବଂ ଏ ସମ୍ପର୍କୀୟ ବିଭାଗୀୟ ଅନୁମତିର ସତ୍ୟତା ଉପରେ ଲୋକ ସଭାରେ ଆଲୋଚନା ମଧ୍ୟ ଶ୍ରୀମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ କୌଣସି ସୁବ୍ୟବସ୍ଥା ପୂର୍ଣ୍ଣାଙ୍ଗ ହୋଇନାହିଁ। ବରଂ ଏହା ସତ୍ୟ ଯେ ଦର୍ଶନାର୍ଥୀଙ୍କ ଅନୁଭବ, ବାସ୍ତବ ଅବସ୍ଥା ଏବଂ ସ୍ଥାନୀୟ ଜନସାଧାରଣଙ୍କ ଉଦ୍‌ବେଗ ସହ ପ୍ରଶାସନିକ ଲୁଚକାଳି ଖେଳ ସମ୍ପର୍କିତ ପ୍ରକୃତ ତଥ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚତ୍ପାରି ନାହିଁ। ପହଞ୍ଚାଇ ଦିଆଯାଇନାହିଁ । ଐତିହ୍ୟ ଧ୍ବଂସୀ ନିର୍ମାଣ ସହ ଶ୍ରୀମନ୍ଦିର ଇଲାକାରେ ପାର୍କର ଭ୍ରମକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନାପସନ୍ଦ ମଧ୍ୟ ଗୁରୁତ୍ୱହୀନ ହୋଇଗଲା। ଏବେ ମଧ୍ୟ ଅନେକେ ସେଇ ମାମଲା ପଛରେ କେହି ଅଦୃଶ୍ୟ ନାୟକ ଥିବା ଦ୍ୱନ୍ଦ୍ୱରେ ଅଛନ୍ତି। କରୋନା ସଂକ୍ରମଣ ପରଠାରୁ ‘ସବୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା’ର ପ୍ରଚାର ଶ୍ରୀମନ୍ଦିରର ବ୍ୟୟକୁ ବହୁଗୁଣ ବଢ଼ାଇ ଦେଇଛି, ହେଲେ ଉପକୃତ ବ୍ୟକ୍ତି କିନ୍ତୁ କେବଳ ସେବକ ଓ ଠିକାଦାରଙ୍କ ମଧ୍ୟରେ ସୀମିତ।
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଏହି ଆଦେଶ ଯୋଗୁ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟାପାରର ପ୍ରାଥମିକ ଶୁଣାଣି ରାଜ୍ୟ ଉଚ୍ଚ ନ୍ୟାୟାଳୟ ବା ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାର ପରିସରଭୁକ୍ତ, ତାହା ବିଗତ ଦିନର କିଛି ଅଦାଲତି ଆଦେଶ ଯୋଗୁ ଅନେକଙ୍କୁ ଦ୍ବନ୍ଦ୍ୱରେ ରଖୁଛି। ଅପରପକ୍ଷରେ ଶ୍ରୀମନ୍ଦିର ଓ ଜିଲା ପ୍ରଶାସନ ଦ୍ବାରା ଭିଭିଆଇପି ସଂସ୍କୃତିକୁ ଗୁରୁତ୍ୱ ଦେଇ ମହାପ୍ରଭୁଙ୍କ ଖଣ୍ଡୁଆ ପାଟରେ ସ୍ବାଗତ ଓ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାର କଳେବର ବଢ଼ିଚାଲିଛି। ପୁରୀକୁ ପର୍ଯ୍ୟଟନ ସହର ମାନ୍ୟତାର ସରକାରୀ ମାନସିକତା ମଧ୍ୟ ସ୍ପଷ୍ଟ ହେଉଛି। ଶ୍ରୀମନ୍ଦିର ଯେ ଦିନେ ଭକ୍ତି ପାଇଁ ନିଷିଦ୍ଧ ଇଲାକା ହେବ ଏବଂ ଏହାର ଅସୁରକ୍ଷିତ ରତ୍ନଭଣ୍ଡାର ରହସ୍ୟ ମଧ୍ୟରେ ରହିଯିବ ଏ ପ୍ରଶ୍ନ ସ୍ବତଃ ସୃଷ୍ଟି ହେଉନାହିଁ କି ?
୧୧୩- ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri