ସତ୍ୟପଥର ବିରଳ ଯାତ୍ରୀ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ଦୁଇ ବନ୍ଧୁଙ୍କର ଯୁକ୍ତିଯୁଦ୍ଧକୁ ମନ ଓ ବିବେକର ଯୁଦ୍ଧ ବୋଲି ଧରି ନିଆଯାଉ। ‘ସତରେ ଥିଲେ ରାତିଅଧରେ ଭାତ ମିଳେ’- ଏମିତି ଏକ ଗାଉଁଲି ଢଗ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ପ୍ରଥମ ବନ୍ଧୁ କହିଲେ, ”ଏ ସବୁ ନିହାତି ବାଜେ କଥା। କେବଳ ଅଯୋଗ୍ୟ ନିକମା ଲୋକ ହିଁ ସତ୍ୟଧର୍ମ କଥା କହି ନିଜ ଦାୟିତ୍ୱରୁ ଖସିଯିବାକୁ ଚାହାନ୍ତି। ସତ୍ୟ, ଧର୍ମ ଆଦି ମିଥ୍ୟା ଆଦର୍ଶବାଦକୁ ଅଣ୍ଟିରେ ବାନ୍ଧି ଏମାନେ ବହୁ ପଛରେ ପଡିଯାଉଥିଲା ବେଳେ ଏମାନଙ୍କ ପ୍ରତିପକ୍ଷ ଅସଦାଚାରୀମାନେ ସତ୍ୟ ସଦାଚାରକୁ ଅବଜ୍ଞା କରି ନାନାପ୍ରକାର ଅସତ୍ୟ ଅଧର୍ମରେ ଲିପ୍ତ ରହି ବହୁ ଉପରକୁ ଉଠିଯାନ୍ତି।“ ଦ୍ୱିତୀୟ ବନ୍ଧୁ ପ୍ରତିବାଦ କଲେ। କହିଲେ, ”ସବୁକାଳରେ ଅସତ୍ୟ ଅଧର୍ମରେ ଓ ଅନାଚାରରେ ଆତଯାତ ହେଉଥିବା ଲୋକମାନେ ବେଶି ଆଲୋକିତ ବୋଲି ପ୍ରତୀୟମାନ ହୁଅନ୍ତି ସିନା, ମାତ୍ର ପ୍ରକୃତ ପକ୍ଷେ ଘନ ଅନ୍ଧକାର ମଧ୍ୟରେ ନିପତିତ ହୋଇ ସେମାନେ ଚିରକାଳ ପରାଭବ ଭୋଗୁଥାନ୍ତି। କିନ୍ତୁ ସତ୍ୟ ଓ ଧର୍ମ ପଥରେ ଚାଲିବାକୁ ଜୀବନର ବ୍ରତ କରିଥିବା ଲୋକ ଲାଭକ୍ଷତିର ହିସାବ ରଖେନା କି ଅନ୍ଧାର ଆଲୋକର ପ୍ରଭେଦ ଦେଖେନା। କେବଳ ସତ୍ୟ ଓ ଧର୍ମ ପଥରେ ଚାଲିବାରେ ହିଁ ତାଙ୍କର ଆନନ୍ଦ, ତେଣିକି ଲାଭ ହେଉ କି କ୍ଷତି, ଅନ୍ଧାର ମିଳୁ କି ଆଲୋକ!“ ଅସତ୍ୟ, ଅନାଚାର ରାସ୍ତାରେ ଦ୍ରୁତ ଗତିରେ ବାଟ ଚାଲୁଥିବା ଲୋକ ଯାବତୀୟ ପ୍ରାପ୍ତିର ପାହାଚ ପରେ ପାହାଚ ଅତିକ୍ରମ କରି ଉତ୍ତରଣର ଉତ୍ତୁଙ୍ଗ ଶିଖରରେ ପହଞ୍ଚି ପାରୁଥିବା ବେଳେ ସକଳ ଅପ୍ରାପ୍ତିର ବୋଝ ମୁଣ୍ଡାଇ କଣ୍ଟକିତ ପଥରେ ଧୀର ଗତିରେ ପାଦ ପକାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଆଶା ହରାଇ ବସନ୍ତି ସତ୍ୟ ଓ ଧର୍ମକୁ ଛାଡିପାରୁ ନ ଥିବା ଲୋକମାନେ। ଏ ଯୁକ୍ତି ସପକ୍ଷରେ ବହୁ ଦୃଷ୍ଟାନ୍ତ ଥାଇପାରେ। ମାତ୍ର ଏହାର ବିପକ୍ଷ ଦୃଷ୍ଟାନ୍ତ ସଂଖ୍ୟାରେ ଯେତେ କମ୍‌ ହେଲେ ବି ମାନବୀୟ ଚେତନାକୁ ଏକ ମୁଗ୍ଧ ଅନୁଭବରେ ଜଡସଡ କରିଦିଏ। ସେମିତି ଦୃଷ୍ଟାନ୍ତ ମଧ୍ୟରୁ ଛୋଟ ଦୁଇଟି ଦୃଷ୍ଟାନ୍ତକୁ ଲକ୍ଷ୍ୟ କରାଯାଉ।
ପ୍ରଥମ ଦୃଷ୍ଟାନ୍ତଟି ଆମ ଓଡିଶାର, ଯାହା ଅବିଶ୍ୱସନୀୟ ମନେ ହେଲେ ବି ଏକାନ୍ତ ସତ୍ୟ। ଉତ୍ତର ବାଲେଶ୍ୱର ଅଞ୍ଚଳର ଚାଳିଶବର୍ଷ ତଳର ଜଣେ ଗରିବ ବାଳକ ଏବେ କଲିକତା ମହାନଗରୀରେ ଜଣେ ବଡ଼ ହୋଟେଲ ବ୍ୟବସାୟୀ। ନିଜ ପରିବାର ଭୋଗୁଥିବା ଚରମ ଦାରିଦ୍ର୍ୟରୁ ମୁକ୍ତି ପାଇବା ପାଇଁ ପନ୍ଦରବର୍ଷର ବାଳକ ଜୀବନ ଦାସ ଚାଳିଶବର୍ଷ ତଳେ ଦିନେ ଘର ଛାଡି କଲିକତା ଚାଲିଯାଇଥିଲା। ପେଟ ପାଇଁ ଖାଦ୍ୟ ଖୋଜୁ ଖୋଜୁ ଭାଗ୍ୟ ତାକୁ ପହଞ୍ଚାଇ ଦେଇଥିଲା ଗୋଟିଏ ହୋଟେଲରେ। ହୋଟେଲ ମାଲିକ ତାକୁ ଦୟା ଦେଖାଇ ନିଯୁକ୍ତି ଦେଇଥିଲେ ଅଇଁଠା ବାସନ ମାଜୁଥିବା ହୋଟେଲର କନିଷ୍ଠତମ କର୍ମଚାରୀ ପଦରେ। ନିଜର କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରି ଦୁଇବର୍ଷ ମଧ୍ୟରେ ଜୀବନ ପରିବେଷଣକାରୀ ଭଳି ଅପେକ୍ଷାକୃତ ଏକ ସମ୍ମାନଜନକ ପଦବୀକୁ ପଦୋନ୍ନତି ପାଇଥିଲା। ମାସ ଶେଷରେ ବେତନକୁ ତା’ ଘରକୁ ପଠାଇଦେଲା ପରେ ତା’ ଜୀବନର ଆଉ କିଛି ସ୍ବପ୍ନ ଅଛି ବୋଲି ସେ କେବେ ବି ମନେ କରୁ ନ ଥିଲା।
ଏହି ସମୟରେ ସେଇ ଘଟଣାଟି ଘଟିଗଲା, ଯାହା ଜୀବନ ଦାସର ଜୀବନକୁ ଏକ ଭିନ୍ନ ମୋଡରେ ପହଞ୍ଚାଇ ଦେଲା। ଥରେ ହୋଟେଲ ମାଲିକ ଜୀବନ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ଜିମାରେ ତାଙ୍କ ଘର ଛାଡି ସପରିବାର ଦିଲ୍ଲୀ ଯାଇଥିଲା ବେଳେ ଘରୁ ସବୁକିଛି ଲୁଟିନେବା ପାଇଁ ଯୋଜନା କଲେ ଅନ୍ୟ ଦୁଇଜଣ। ମାତ୍ର ସତ୍ୟପଥରୁ ବିଚ୍ୟୁତ ହେବାକୁ ଚାହିଁଲାନି ଜୀବନ। ସେ ଏହାର ବିରୋଧ କଲା ଓ ବଦଳରେ ସାଥୀ ଦୁହିଁଙ୍କଠାରୁ ଭୋଗିଲା ରକ୍ତାକ୍ତ ପରିଣତି। ତାକୁ ଆକ୍ରମଣ କରି ଅର୍ଦ୍ଧମୂର୍ଚ୍ଛିତ ଅବସ୍ଥାରେ ଛାଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଣ୍ଠନ କରି ସେମାନେ ଚାଲିଗଲେ। ପରଦିନ ହୋଟେଲ ମାଲିକ ଫେରିଆସି ଜୀବନର ଜୀବନ ପ୍ରତି ଭିନ୍ନ ଦୃଷ୍ଟିକୋଣ ସମ୍ପର୍କରେ ଅବଗତ ହେଲେ। ନିଜ ସତ୍ୟନିଷ୍ଠା ଓ ପ୍ରଭୁପ୍ରୀତି ପାଇଁ ଗୃହସ୍ବାମୀଙ୍କ ହୃଦୟ ଜୟ କରି ହୋଟେଲ ବୟ ସହ ଜୀବନ ପାଲଟିଗଲା ସେଇ ପରିବାରର ଜଣେ ସଦସ୍ୟ। ପରେ ପରେ ହୋଟେଲଠୁ ଆଉ ଏକ ବଡ ବ୍ୟବସାୟ ଆରମ୍ଭ କରି ହୋଟେଲକୁ ଜୀବନର ପରିଚାଳନାରେ ଛାଡିଦେଲେ ସେଇ ମାଲିକ। ଦୁଇବର୍ଷ ପରେ ପରିଚାଳକ ଜୀବନ ମୁଣ୍ଡରେ ମାଲିକର ମୁକୁଟ ପିନ୍ଧାଇ ନିଜେ ଅବ୍ୟାହତି ନେଇଥିଲେ ସେ।
ନିଜ ମଇଳା ଅତୀତର ସେଇ ଉଜ୍ଜ୍ୱଳ ଅଧ୍ୟାୟଟି ପଢି ସେଦିନ ଜୀବନ ତାଙ୍କର ଜଣେ ବାଲ୍ୟବନ୍ଧୁଙ୍କୁ କହୁଥିଲେ। ସେଦିନ ସେ ଦୁହିଁଙ୍କ କଥାରେ ପଡି ଲୁଣ୍ଠନରେ ସାମିଲ ହୋଇଥିଲେ ମୋ ଭାଗରେ ଅତି ବେଶିରେ ଚାଳିଶ ପଚାଶ ହଜାର ଟଙ୍କା ପଡିଥାନ୍ତା। ସେଇ କେଇ ହଜାରକୁ ପୁଞ୍ଜି କରି ଅସତ୍ୟ ଓ ଅଧର୍ମର ଜୟଯାତ୍ରା ମୋତେ କେବେ ବି ଏଠି ଆଣି ପହଞ୍ଚାଇ ପାରି ନ ଥାନ୍ତା।“ ସମସ୍ତ ଅର୍ଥ ବହନ କରି ନିଜ ଗାଁରେ ଗଢାଇଥିବା ଏକ ମନ୍ଦିରକୁ ଲକ୍ଷ୍ୟ କରି ସେ କହୁଥିଲେ ଏ କଥା। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ସତ୍ୟପଥରୁ ବାଟ ଭାଙ୍ଗି ଚାଲିଯାଉ ନ ଥିବା ସବୁ ଯାତ୍ରୀଙ୍କ କାହାଣୀ ଏହିଭଳି। ଏ ପ୍ରସଙ୍ଗରେ ଆଉ ଏକ ବଳିଷ୍ଠ ଦୃଷ୍ଟାନ୍ତ।
ଅଜିତ ଦତ୍ତ କଲିକତା ଟ୍ରାଫିକ୍‌ ପୋଲିସର ଜଣେ ନିମ୍ନ ବେତନଭୋଗୀ ଗୃହରକ୍ଷୀ। ବୟସ ବୟାଳିଶ, ବେତନ ଦିନକୁ ମାତ୍ର ଚାରିଶହ ପଚାଶ ଟଙ୍କା। ପୋଷିବାକୁ ବଡ଼ ଏକ ପରିବାର। ବାପା, ମାଆ, କ୍ୟାନ୍‌ସର ଭୋଗୁଥିବା ପତ୍ନୀ, ଜନ୍ମ ବେଳେ ହୃତ୍‌ପିଣ୍ଡରେ ଏକ ଛିଦ୍ର ନେଇ ସଂସାରକୁ ଆସିଥିବା କୋଡିଏ ବର୍ଷର କନ୍ୟା ଓ ପ୍ରଚଣ୍ଡ ମେଧା ନେଇ ଜନ୍ମ ହୋଇଥିବା ଷୋଳ ବର୍ଷର ପୁଅ। ପ୍ରତିଦିନ ପ୍ରାୟ ୫୦ କିମି ଯିବା ଆସିବା କରି ସେ କଲିକତାରେ ଟ୍ରାଫିକ୍‌ ସେବାରେ ନିୟୋଜିତ ଥିଲାବେଳେ ଥରେ ରାସ୍ତା ଉପରେ ଗୋଟିଏ ବ୍ୟାଗ୍‌ ପଡିଥିବାର ଦେଖିଲେ। ଖୋଲି ଦେଖିଲେ ତା’ ଭିତରେ ବଣ୍ଡଲ ବଣ୍ଡଲ ପାଞ୍ଚଶହ ଟଙ୍କିଆ ନୋଟ୍‌। ମୁହୂର୍ତ୍ତକ ମଧ୍ୟରେ ସେ ନିଜ କର୍ତ୍ତବ୍ୟ ସ୍ଥିର କରିନେଲେ। ଥାନାରେ ଯାଇ ବ୍ୟାଗ୍‌ଟିକୁ ଜମା ଦେଲା ପରେ ଗଣନା କରି ଦେଖାଗଲା ପାଞ୍ଚଲକ୍ଷ ଟଙ୍କା, ଅଜିତଙ୍କ ପ୍ରାୟ ଚାରିବର୍ଷର ଦରମା।
ବ୍ୟାଗ୍‌ ଭିତରେ ଥିବା ପ୍ରମାଣ ସନ୍ତକରୁ ତା’ ମାଲିକଙ୍କୁ ଠାବ କରାଗଲା। ସର୍ଦ୍ଦାର ପ୍ରତାପ ସିଂହ ନାମକ ଜଣେ ବ୍ୟବସାୟୀ ସ୍କୁଟରରେ ଯାଉଥିଲା ବେଳେ ଟଙ୍କା ବ୍ୟାଗ୍‌ଟି ରାସ୍ତାରେ ଖସି ପଡିଥିଲା। ଫେରି ପାଇବାର ଆଶା ହରାଇ ବସିଥିବା ସର୍ଦ୍ଦାର ଅଜିତଙ୍କ ନିର୍ଲୋଭତା ଦେଖି ତାଙ୍କୁ ଆଲିଙ୍ଗନ କରି କହିଲେ, ”ମୁଁ ବିଶ୍ୱାସ କରିପାରୁନି ଏ ସଂସାରରେ ତୁମ ପରି ସାଧୁଲୋକ ଅଛନ୍ତି ବୋଲି!“ ପ୍ରକୃତରେ ସାଧୁତାର ସ୍ବୀକୃତି ଚିରକାଳ ଏମିତି। ସାମ୍ପ୍ରତିକ ଅସୁସ୍ଥ ସମାଜରେ ଧନଧାନ୍ୟ ମାନସମ୍ମାନ ଓ ପଦପଦୀର ଉଚ୍ଚ ଆସନରେ ଥାଇ ବି ଲକ୍ଷେ ଟଙ୍କିଆ ମଣିଷଙ୍କର ତଥାପି ଶହେ କି ହଜାରେ ହାତେଇ ନେବା ପାଇଁ କି ବ୍ୟାକୁଳତା! ଅଥଚ ସେହି ତୁଳନାରେ ନାହିଁ ନାହିଁର ଜୀବନ ବଞ୍ଚୁଥିବା ଟିକି ବାମନଟି ଟ୍ରାଫିକ୍‌ ହୋମଗାର୍ଡ ଅଜିତ ଦତ୍ତ। ମାତ୍ର କି ସ୍ବାର୍ଥତ୍ୟାଗ ତାଙ୍କର! କି ଅବିଶ୍ୱସନୀୟ ନିର୍ଲୋଭତା!!
ସହଜଲବ୍ଧ ସେହି ବିପୁଳ ଧନରାଶି ଅଜିତଙ୍କୁ ଯଥେଷ୍ଟ ପରିମାଣରେ ବୋଝମୁକ୍ତ କରିପାରିଥାନ୍ତା। ଅସୁସ୍ଥ ପତ୍ନୀ ଓ କନ୍ୟାଙ୍କର ଚିକିତ୍ସା କରି ପାରିଥାନ୍ତା। କଲେଜରେ ପଢି ପାରୁ ନ ଥିବା ପୁଅଟିର ଶିକ୍ଷା ଅଧାବାଟରେ ବନ୍ଦ ହୋଇଯାଇ ନ ଥାନ୍ତା। ଅଥଚ ସେ କଥା ଆଦୌ ଚିନ୍ତା ନ କରି ନିଜ ବିରଳ ସାଧୁତାରୁ ସେ ପାଇଲେ କ’ଣ? କିନ୍ତୁ ଏହା ମଧ୍ୟରେ ବହୁତ କିଛି ପାଇ ପାରିଛନ୍ତି ଅଜିତ। ତାଙ୍କ ସାଧୁତାର ଖବର କଲିକତାର ପ୍ରମୁଖ ଖବରକାଗଜରେ ପ୍ରକାଶ ପାଇଲା ପରେ ଜଗତଯାକର ସମ୍ମାନ ଓ ସମ୍ବେଦନା ଅଜାଡି ପଡିଛି ତାଙ୍କ ଉପରେ। ପଶ୍ଚିମବଙ୍ଗ ସରକାର ତାଙ୍କୁ ପଦୋନ୍ନତି ଦେବାପାଇଁ ଘୋଷଣା କରିଛନ୍ତି। ଦେଶର ଏକ ପ୍ରମୁଖ ବ୍ୟବସାୟିକ ସଂସ୍ଥା ତାଙ୍କ ରୁଗ୍‌ଣ ପତ୍ନୀ ଓ ଝିଅଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କଥା ଦେଇଛି। କଲିକତାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତାଙ୍କ ପୁଅର ପଢା ଶେଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ସଙ୍କଳ୍ପ କରିଛନ୍ତି। ସାଧୁତାର ପରାକାଷ୍ଠା ପାଇଁ ପୁଣି ଏତେ ପୁରସ୍କାର!
ଅଜିତଙ୍କ ପାଇଁ ଏ ସବୁ ପୁରସ୍କାର କିନ୍ତୁ ମହତ୍ତ୍ୱହୀନ, ଯେମିତି କି ଏ ସବୁର ହକ୍‌ଦାର ନୁହନ୍ତି ସେ। ପରବର୍ତ୍ତୀ ଖବରରେ ପ୍ରକାଶ ପାଇଥିଲା ତାଙ୍କ ବିନମ୍ର ପ୍ରତିକ୍ରିୟା। ସେ କହିଥିଲେ, ମୁଁ କ’ଣ ଗୋଟାଏ ବଡ଼ କାମ କରିଛି ଯେ! ବାସ୍‌, ଯାହାଙ୍କ ଟଙ୍କା ତାହା ସେ ଫେରିପାଇଲେ, ଏତିକରେ ମୁଁ ଖୁସି। କେବଳ ଗୋଟିଏ କଥା ମୋତେ ସବୁଠୁ ବେଶି ଆନନ୍ଦ ଦେଇଛି। ମୋ ଭଳି ଜଣେ ମାମୁଲି ଗୃହରକ୍ଷୀ ସହ କଲିକତାର ପୋଲିସ କମିଶନର ସାହେବ ହାତ ମିଳାଇବା ଓ ମୋ ପିଠି ଥାପୁଡାଇଦେବା ସାରା ଜୀବନ ପାଇଁ ମୁଁ ଭୁଲିପାରିବି ନାହିଁ।“ ଛୋଟ ମଣିଷଟିର କେଡେ ଛୋଟ ସନ୍ତୋଷଟିଏ ସତେ!
ସତ୍ୟପଥର ଅଭିଯାତ୍ରୀ ଅଜିତଙ୍କ ସାଧୁତା ଓ ସ୍ବାର୍ଥତ୍ୟାଗର ଖବର ସମଗ୍ର ରାଜ୍ୟରେ ବ୍ୟାପିଗଲା ପରେ କଲିକତାର ଜଣେ ଯୁବ ଇଞ୍ଜିନିୟର ପୋଲିସ କମିଶନରଙ୍କ ନିକଟକୁ ପାଞ୍ଚହଜାର ଟଙ୍କାର ଏକ ଚେକ୍‌ ପଠାଇ ବିଚିତ୍ର ଅନୁରୋଧଟିଏ କରିଛନ୍ତି। ସେ ଲେଖିଛନ୍ତି, ”ମହାଶୟ! ଏଇ ଟଙ୍କାରେ ଅଜିତଙ୍କ ସାଧୁତା ଓ ପରବର୍ତ୍ତୀ କାଳରେ ସେଥିପାଇଁ ପାଇଥିବା ବିରଳ ପୁରସ୍କାର ସମୂହର ଖବର ପ୍ରକାଶ ପାଇଥିବା ଖବରକାଗଜଗୁଡ଼ିକ କିଣି, ରାଜ୍ୟର ସମସ୍ତ ଥାନାକୁ ଖଣ୍ଡିଏ ଲେଖାଏ କପି ଯୋଗାଇଦେବେ।“ ମାତ୍ର କେବଳ ପଶ୍ଚିମବଙ୍ଗ ପୋଲିସ କାହିଁକି, ଯେତେ ପ୍ରଚାର କଲେ ବି, ଯେତେ ପୁରସ୍କାରର ପ୍ରଲୋଭନ ଦେଖାଇଲେ ମଧ୍ୟ ଏବକାର ସମାଜରେ, ଯେକୌଣସି ବୃତ୍ତିରେ ଅଜିତଟିଏ ଖୋଜି ପାଇବା ଏତେ ସହଜ ନୁହେଁ। ଅଜିତଙ୍କର ଜୟ ହେଉ! ତାଙ୍କ ସଂଖ୍ୟା ଏକରେ ସୀମିତ ନ ରହୁ!!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣୀ, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri