ସଚେତନତାରେ ସୀମିତ ‘ରାବଣଛାୟା’

ପାଲଲହଡା,୧୮।୧ – କଳାର ରାଜ୍ୟ ଓଡ଼ିଶାରେ ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା ଲୋକକଳା ରାବଣଛାୟା। ଅନୁଗୋଳ ଜିଲା ପାଲଲହଡ଼ା ଗଡ଼ଜାତରୁ ଦିନେ ଏହା ଦେଶବିଦେଶରେ ପହଞ୍ଚି ପାରିଥିଲା। ପୋଥି, ପୁରାଣମନସ୍କ ସେତେବେଳର ମଣିଷଙ୍କୁ ଆହୁରି ସଂସ୍କୃତିସମ୍ପନ୍ନ କରିବାରେ ଏହା ବେଶ୍‌ ସହାୟକ ହୋଇପାରିଥିଲା। କେବଳ ରାଜାରାଜୁଡ଼ା ଅମଳ ନୁହେଁ, ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷରେ ମଧ୍ୟ ରାବଣଛାୟାର ଆଦର ସର୍ବତ୍ର ଥିଲା। ଖାସ୍‌ ଏହି କାରଣରୁ ନବେ ଦଶକରେ ଏହା ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ ଉକ୍ତ ଲୋକକଳାକୁ ଆହୁରି ଆଗକୁ ନେବାକୁ ପ୍ରୟାସ ଆରମ୍ଭ ହୋଇଥିଲା। ଗୁରୁମାନଙ୍କୁ ତାଲିମ ସହ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଇଥିଲା। କିନ୍ତୁ ଧୀରେ ଧୀରେ ଅନୁପ୍ରବେଶ କରୁଥିବା ଆଧୁନିକ ତଥା ପାଶ୍ଚାତ୍ୟ ସଂସ୍କୃତି ସହ ସମକକ୍ଷ ଅଭାବରୁ ଏହି ପୁରାତନ ଲୋକକଳା ଏବେ ନିଜ ଜନ୍ମମାଟିରେ ମଧ୍ୟ ଚମକହୀନ ହୋଇପଡ଼ିଛି। ସରକାରୀ ପ୍ରୋତ୍ସାହନ ଆଦୌ ନ ଥିବାରୁ ଏହାକୁ ନିଶା ବା ପେସା କରିବାକୁ ଆଉ କୌଣସି କଳାକାର ଆଗ୍ରହ ପ୍ରକାଶ କରୁନାହାନ୍ତି। କେବଳ କେତୋଟି ସରକାରୀ ସତେଚତନା କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ବାକି କେଉଁଠାରେ ବି ଲୋକକଳା ରାବଣଛାୟାକୁ ଖୋଜାପଡ଼ୁନି କି ଲୋଡ଼ାପଡ଼ୁନି।


ପାଲଲହଡ଼ାର ଗୁରୁ ଖଗେଶ୍ୱର ପ୍ରଧାନଙ୍କ କହିବା ଅନୁଯାୟୀ, ଗଡ଼ଜାତ ବେଳେ ଓଡ଼ିଶାରେ ପ୍ରଚଳିତ ଛାୟା ନାଟକ ହିଁ ରାବଣଛାୟା ଭାବେ ପରିଚିତ ଥିଲା। ରାମାୟଣର କଥାବସ୍ତୁକୁ ନେଇ ଏହା ପ୍ରସ୍ତୁତ ହେଉଥିବାରୁ ଏବଂ ନାଟକରେ ରାବଣ ମୁଖ୍ୟ ଭୂମିକା ନେଉଥିବାରୁ ଏହାର ନାମକରଣ ଏପରି ହୋଇଥିଲା। କେତେଜଣ ଲୋକକଳା ଗବେଷକଙ୍କ ମତରେ ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ ବେଳେ ସମୁଦ୍ରଜଳରେ ରାବଣର ଛାୟା ସୀତାଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଏହି ଲୋକକଳାକୁ ‘ରାବଣଛାୟା’ ନାମରେ ନାମିତ କରାଯାଇଥିଲା। ପାଲଲହଡା ଉପଖଣ୍ଡ ଖମାର ଥାନା ଓଡ଼ଶ ଗଁ।ରେ ଆଠମଲ୍ଲିକରୁ ଆସିଥିବା ଭଟ୍ଟ ସମ୍ପ୍ରଦାୟର କଳାକାର ବାସୁଦେବ ଦାସ ଏବଂ ତାଙ୍କ ପୁଅ କାଠିନନ୍ଦ ଦାସ ପ୍ରଥମେ ଏହି ଲୋକକଳା ଆରମ୍ଭ କରିଥିଲେ। ଏକ ଧଳା ରଙ୍ଗର ଧୋତି ଏବଂ ଚମଡା ତିଆରି ମୂର୍ତ୍ତି ସାହାଯ୍ୟରେ ଡିବିରି ଆଲୁଅରେ ଏହା ପରିବେଷଣ କରାଯାଉଥିଲା। ବାସୁଦେବଙ୍କ ମୃତ୍ୟୁ ପରେ ରାବଣଛାୟାର ଦାୟିତ୍ୱ ନେଇଥିଲେ ଅଣଭଟ୍ଟ ସମ୍ପ୍ରଦାୟର ଶିଷ୍ୟ କୋହ୍ଲ ଚରଣ ସାହୁ। ସେ ରାବଣ ଛାୟାକୁ ଆଧୁନିକ ରୂପ ଦେବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଏହା ଅଧିକ ଆଦରଣୀୟ ହୋଇପାରିଥିଲା। ୧୯୮୮ରେ ପାଲଲହଡା ବିଧାୟକ ଥିବା ବିଭୁଧେନ୍ଦ୍ର ପ୍ରତାପ ଦାସଙ୍କ ସହଯୋଗରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରାବଣଛାୟାର ଉନ୍ନତି ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ମାଧ୍ୟମରେ ୧.୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏଥିସହ ପୁରାତନ ଲୋକକଳାକୁ ଯୁଗୋପଯୋଗୀ କରିବା ପାଇଁ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ କଳାକାରଙ୍କ ତାଲିମ ବ୍ୟବସ୍ଥା କରାଇଥିଲେ। ସେଠାରେ ନାଟ୍ୟଗୁରୁ କୋହ୍ଲ ଚରଣ ସାହୁ, ଖଗେଶ୍ୱର ପ୍ରଧାନ, ମହେଶ୍ୱର ସାହୁ, କରୁଣାକର ପ୍ରଧାନ, ପର୍ଶୁରାମ ପ୍ରଧାନ, ସୌଦାଗର ଦାସ, ଭୀମସେନ ସାହୁ, ପ୍ରଫୁଲ୍ଲ ପ୍ରଧାନ, ପଞ୍ଚୁ ସାହୁ ପ୍ରମୁଖ ୧୦ ଜଣ କଳାକାର ତାଲିମ ନେଇଥିଲେ। ଏହାପରେ ସେମାନେ ଦିଲ୍ଲୀରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଜାତୀୟ ପୁତ୍ତଳିକା ଉତ୍ସବରେ ଭାଗ ନେବା ସହ ଦେଶ ବାହାରେ ଲୋକକଳା ପ୍ରଦର୍ଶନ କରି ବହୁ ପ୍ରଶଂସା ସାଉଣ୍ଟିଥିଲେ। ୨୦୦୬ ଜାନୁୟାରୀ ୬ରେ ନାଟ୍ୟଗୁରୁ କୋହ୍ଲ ଚରଣଙ୍କ ମୃତ୍ୟୁ ପରେ ତାଙ୍କ ପଟ୍ଟଶିଷ୍ୟ ଭାବେ ସେ ଦାୟିତ୍ୱ ନେଇଥିଲେ ବୋଲି ଖଗେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି। କାଳକ୍ରମେ ଏହି ଲୋକକଳାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସକାଶେ ‘ଗାନ୍ଧୀଙ୍କ ସତ୍ୟାଗ୍ରହ’, ‘ଚିଲିକା’, ‘କାଞ୍ଚି ଅଭିଯାନ’ ଆଦି ପରିବେଷଣ ହେଉଥିଲା। ବର୍ତ୍ତମାନ ଏହି ଲୋକକଳା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଆଉ ନୂତନ କଳାକାର ମିଳୁନାହାନ୍ତି। ନୂତନ ପିଢ଼ି ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି। ମାତ୍ର ୮ ଜଣ କଳାକାରଙ୍କୁ ନେଇ ଏହି ବିଲୁପ୍ତପ୍ରାୟ ଲୋକକଳା ଏବେ କେବଳ ସରକାରୀ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଶିକ୍ଷା ଅଧିକାର, ସୂଚନା ଅଧିକାର ଆଇନ, କନ୍ୟା ଭ୍ରୂଣହତ୍ୟା, ନିଶାସେବନର କୁପରିଣତି ଆଦି ବିଷୟରେ ଲୋକଙ୍କୁ ସଚେତନତାରେ ଅଟକି ଯାଇଛି। ତାଙ୍କ ବୟସ ୮୦ ଟପିଯାଇଥିବାରୁ ଆଗାମୀ ଦିନରେ ରାବଣଛାୟାର ଭବିଷ୍ୟତ ନେଇ ସେ ସନ୍ଦିହାନ ହୋଇପଡ଼ିଥିବା ଗୁରୁ ଖଗେଶ୍ୱର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri