ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଅଣସର

ଡା. ଅଂଶୁମାନ୍‌ କର

ପିଲାଟି ଦିନୁ ପ୍ରତି ଓଡ଼ିଆର ପ୍ରାଣର ବିନ୍ଦୁ ଭାବେ ଯେଉଁ ଜଗନ୍ନାଥଙ୍କୁ ଏ ଜାତି ଜାଣିଛି, ସେଇ ଜଗନ୍ନାଥ ହେଉଛନ୍ତି ଏ ଜାତିର ପ୍ରତିଟି ଘରର ଏକ ସଦସ୍ୟ। ଶ୍ରାଦ୍ଧ କଲା ସମୟରେ ଯଦି ପିତୃପୁରୁଷଙ୍କ ବଂଶାବଳୀ ଜ୍ଞାତ ନ ଥାଏ ତେବେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନାମରେ ପିଣ୍ଡଦାନ କରି ପ୍ରତିଟି ଓଡ଼ିଆ ସନ୍ତାନ ନିଜର କର୍ତ୍ତବ୍ୟ ପାଳନ କରେ। ଏତେ ମାନବୀୟ ପ୍ରଭୁଙ୍କ ପାଖରେ ମଧ୍ୟ କଳିଯୁଗର ପରମ ସତ୍ତା ଲୁଚିରହିଛି, ତାହା ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ। ୧୦୮ ଗରା ଜଳରେ ସ୍ନାନ କରି ଯେଉଁ ଠାକୁର ଜ୍ୱାରାକ୍ରାନ୍ତ ହୋଇ କେବଳ ପଣା-ପାଣି ଗ୍ରହଣ କରନ୍ତି, ସେଇ ପ୍ରଭୁ ପୁଣି ‘ବଲ୍ଲଭ ପିଣ୍ଡି’ର ତାଟିରେ ଲାଗିଥିବା ପୂର୍ଣ୍ଣକାୟ ପଟିଦିଅଁଙ୍କ ରୂପରେ ଅନ୍ନ ଆଦି ବ୍ୟଞ୍ଜନର ମହାଭୋଗ ଗ୍ରହଣ କରନ୍ତି। ସାରଳା ଦାସ ମହାଭାରତରେ ଏହି ଦେବତାଙ୍କ ସମ୍ବନ୍ଧରେ ଲେଖିଛନ୍ତି-
”ବୋଲନ୍ତି ମାଧବ ସାବଧାନେ ଶୁଣ,
ମୁହିଁ ଯେ ଅନାଦି ନାଥ ଶବରୀ ନାରାୟଣ।“
ଶବରମାନେ ବୃକ୍ଷକୁ ‘ଜଗନ୍ତ’ ଭାବେ ପୂଜା କରୁଥିଲେ। ଜଗନ୍ତ ଅର୍ଥାତ୍‌ ଜଗତ ଦେବତା। ସ୍କନ୍ଦ ପୁରାଣ ଅନୁସାରେ ପରବର୍ତ୍ତୀ ସମୟରେ ଶବରମାନେ ଜଗନ୍ନାଥଙ୍କୁ ଶବରୀ ନାରାୟଣ ଭାବେ ଆରାଧନା କରିଛନ୍ତି। ଜଗତରେ ଯେତେ ରୂପ ଅଛି, ସେ ମଧ୍ୟରୁ ଯଦି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରୂପ ଗ୍ରହଣ କରିଥାନ୍ତେ, ତେବେ ମହାପ୍ରଭୁ ଜଗନ୍ନାଥ ବୋଲାଇ ପାରି ନ ଥାନ୍ତେ। ସୃଷ୍ଟିକର୍ତ୍ତା ହିଁ ଜଗନ୍ନାଥ ବୋଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଛନ୍ତି-
”ବନ୍ଦଇ ଦୀନବାନ୍ଧବ ହରି
ଯେ ତମଚକ୍ର ଖଣ୍ଡନକାରୀ
ସଦା କମଳାନନ୍ଦ ବିସ୍ତାରି
ସ୍ବଭାବେ ଈନ ଯେ।“
(ବୈଦେହୀଶ ବିଳାସ)
ରାଜା ଇନ୍ଦ୍ରଭୁତି ତାଙ୍କ ଜ୍ଞାନସିଦ୍ଧି ଗ୍ରନ୍ଥରେ ଜଗନ୍ନାଥଙ୍କୁ ସର୍ବଜୀନ ଓ ବୁଦ୍ଧମୟ କହି ଲେଖିଛନ୍ତି-
”ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜୀନ ବରାର୍ଚ୍ଚିତଂ।
ସର୍ବବୁଦ୍ଧିମୟଂ ସିଦ୍ଧିଂ ବ୍ୟାପିନୋ ଗଗନୋପମ।“
ତାନ୍ତ୍ରିକମାନଙ୍କ ଅନୁସାରେ, ”ନୀଳାଚଳେ ଜଗନ୍ନାଥଃ ସ୍ବୟଂ ଦକ୍ଷିଣକାଳିକା’ ପୁଣି ତନ୍ତ୍ରଶାସ୍ତ୍ରରେ ମଧ୍ୟ ସେଇ ଜଗନ୍ନାଥଙ୍କୁ କୁହାଗଲା- ”ଉତ୍କଳେ ନାଭିଦେଶଶ୍ଚ ବିରଜାକ୍ଷେତ୍ରମୁଚ୍ୟତେ। ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବଃ।“
ଜଗନ୍ନାଥଙ୍କୁ ଅବତାରୀ ଭାବେ ବଳରାମ ଦାସ ତାଙ୍କର ‘ବେଦାନ୍ତସାର ଗୁପ୍ତଗୀତା’ରେ ଲେଖିଛନ୍ତି- ”ସର୍ବଦା ନୀଳାଦ୍ରିରେ ସ୍ଥିତି। ଏଥୁ ସକଳ ଜାତ ହୋନ୍ତି।ା ସମସ୍ତ ଅବତାର ମାନ। ଜାତ ହୋଇଣ ପଶେ ପୁଣ।ା“
ପତିତମାନଙ୍କ କଲ୍ୟାଣ କରିବାକୁ ହେଲେ ପ୍ରଭୁଙ୍କୁ ସ୍ବୟଂ ପତିତମାନଙ୍କ ସ୍ତରକୁ ଆସି ସମସ୍ୟା ବୁଝିବାକୁ ହେବ। ଜଗନ୍ନାଥ ତେଣୁ ଖରାରେ ବ୍ୟତିବ୍ୟସ୍ତ ହୋଇ ୧୦୮ ଗରା ଥଣ୍ଡା ଜଳରେ ସ୍ନାନ କରନ୍ତି। ଅଧିକ ଥଣ୍ଡା ଜଳରେ ସ୍ନାନ କଲେ ସାଧାରଣ ବ୍ୟକ୍ତିକୁ ଯେପରି ଜ୍ୱର ବା ଥଣ୍ଡା ହୁଏ ପ୍ରଭୁ ତାହାକୁ ମଧ୍ୟ ଭୋଗ କରନ୍ତି। ତେବେ ସ୍ନାନ ଓ ଶ୍ରୀଗୁଣ୍ଡିଚାର ମଧ୍ୟବର୍ତ୍ତିକାଳୀନ ଏକ ବିଧାନ ହେଉଛି ଅଣସର। ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ବା ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦରଦିନ କାଳ ଠାକୁରମାନେ ଅଣସର ପିଣ୍ଡିରେ ବିଜେ କରନ୍ତି। ଏହି ସମୟରେ ଠାକୁର ଦର୍ଶନ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ। ଏହି ପନ୍ଦର ଦିନ ପୂଜାରେ ବିଶ୍ୱାବସୁଙ୍କର ବଂଶଧର ଦଇତାପତିମାନଙ୍କର ଅଖଣ୍ଡ ଅଧିକାର। ମାତ୍ର ପ୍ରଭୁଙ୍କ ଲୀଳା ଯେମିତି ରହସ୍ୟମୟ ତାଙ୍କର ଏହି ଅଣସର ଅବକାଶ ମଧ୍ୟ ସେହିପରି ଲୀଳାମୟ। ଅଣସର ବା ଅନବସରର ତିନିଗୋଟି ମୌଳିକ ତାତ୍ପର୍ଯ୍ୟ ବିଦ୍ୟମାନ।
ପ୍ରଥମତଃ ପୌରାଣିକ ମତରେ ଭକ୍ତ ଶବର ବିଶ୍ୱାବସୁର ସ୍ମୃତିଚାରଣ ଏବଂ ତା’ ବଂଶଧର ଦଇତାପତିମାନଙ୍କୁ ଏକ ବିଶେଷ ସେବା ଅଧିକାର ବା ପରିଚୟ ଦେବା ଲାଗି ଏହା ପ୍ରଭୁଙ୍କର ଏକ ଲୀଳା।
ଦ୍ୱିତୀୟତଃ ଅଣସର ସମୟର ଅନ୍ୟ ଏକ ପ୍ରାସଙ୍ଗିକ କାରଣ ହେଲା ଠାକୁରଙ୍କ ରଙ୍ଗ ବୋଳା ପାଇଁ ସମୟ ଓ ସୁଯୋଗ ସୃଷ୍ଟି କରିବା। ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରାଯିବାରୁ ରଙ୍ଗ ସବୁ ଛାଡିଯାଏ। ତେଣୁ ନୀଳାଦ୍ରି ମହୋଦୟ ଅନୁଯାୟୀ ଅଣକ+ସର ବା ଅଣସର ପ୍ରଭୁଙ୍କୁ ଲାଗି କରାଯାଏ। ଅଣସରରେ ବିଦ୍ୟାପତି ବଂଶଧର ଶୁଦ୍ଧ ସୁଆରମାନେ ରୋଷଘରେ ମୁଗ ରଗଡି ଅଟକାଳି କରି ତାହାକୁ ଠାକୁରଙ୍କ ଶ୍ରୀଅଙ୍ଗରେ ଲେପନ କରନ୍ତି। ଏହି ମୁଗ ବାଟଣା ବା ଲେପ ଘଷିବା ଦ୍ୱାରା ପ୍ରଭୁଙ୍କ ଶ୍ରୀଅଙ୍ଗରେ ଏକ ବୋଳ (coating) ବସିଯାଏ, ଫଳରେ ପୂର୍ଣ୍ଣାଙ୍ଗ ରଙ୍ଗ କାମ କରିବା ପାଇଁ ସୁବିଧା ହୋଇଥାଏ। କୁହାଯାଏ ସ୍ନାନ ପରେ ଯେତେବେଳେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ସମସ୍ତ ବସନ ବାହାର କରାଯାଏ, ସଦା ଲୁକ୍କାୟିତ ଥିବା ପ୍ରଭୁଙ୍କ ଦିବ୍ୟ ମୂର୍ତ୍ତି ପରିଲକ୍ଷିତ ହୁଏ। ଉତ୍କଳରେ ପୁରାଣ ଓ ଗ୍ରନ୍ଥମାନେ ଏହି ଗୋପନୀୟ ମୂର୍ତ୍ତିଙ୍କୁ ନଗ୍ନ ଭାବରେ ଦେଖିବା ପାପ ବୋଲି କହିଛନ୍ତି।
”ନାନାଳଙ୍କାର ରୁଚିରାଂ ନାନା ଭଙ୍ଗି ବିଭାଗଶଃ।
ନିମ୍ବର୍ଦ୍ଦାରୁସ୍ବରୂପେଣ ଦୃଷ୍ଟା ସ୍ୟୁଃ ପାପହେତବଃ।ା“
ତେଣୁ ସ୍ନାନ ପୂର୍ଣ୍ଣିମାରେ ବଡ଼ଦେଉଳକୁ ଫେରି ଚନ୍ଦନ ଅର୍ଗଳି ନିକଟରେ ଅଣସର ପିଣ୍ଡି ବା ବଲ୍ଲଭ ପିଣ୍ଡିରେ ତ୍ରିମୂର୍ତ୍ତି ଅବସ୍ଥାନ କରନ୍ତି। ମୂର୍ତ୍ତିମାନଙ୍କୁ ଅଣସର ପଟି ବା ଡୋରା ଦ୍ୱାରା ଆବୃତ କରି ରଖାଯାଏ ଏବଂ ଚିତ୍ରକାରମାନେ ନେତ୍ରୋତ୍ସବ ପର୍ଯ୍ୟନ୍ତ ମୂର୍ତ୍ତିର ରଙ୍ଗ କରିଥାନ୍ତି। ତେବେ ଅଣସର ଅବକାଶର ଏହି କାରଣଟି ଅଧିକ ଯୁକ୍ତିଯୁକ୍ତ ଲାଗେ। ଏଥିରେ ବି କିମ୍ବଦନ୍ତୀ କହେ ଯେ ମୂର୍ତ୍ତିକାରମାନଙ୍କ ଦ୍ୱାରା ରଙ୍ଗଦାନ ପର୍ଯ୍ୟାୟଟି ଅତୀତର ଇନ୍ଦ୍ରଦ୍ୟୁମ୍ନ, ରାଣୀ ଗୁଣ୍ଡିଚା ଓ ବିଶ୍ୱକର୍ମାଙ୍କ ସ୍ମୃତିକୁ ମନେ ପକାଇ ଦେଇଥାଏ।
ତୃତୀୟତଃ ଲୋକଶ୍ରୁତି ଅନୁସାରେ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଠାକୁରମାନେ ଅଜସ୍ର ସ୍ନାନ କରି ଜ୍ୱରାକ୍ରାନ୍ତ ହୁଅନ୍ତି। ତାଙ୍କ ରୋଗର ଉପଶମ ନିମନ୍ତେ ରାଜବୈଦ୍ୟଙ୍କ ନିର୍ଦ୍ଦେଶ କ୍ରମେ ଦଇତାପତିମାନେ ଦଶମୂଳ ପାଚନ ଓ ନାନାବିଧ ଚେରମୂଳି ଔଷଧ ପ୍ରୟୋଗ କରିଥାନ୍ତି। ୧୦ ପ୍ରକାରର ମୂଳ ଯଥା ବେଲ, ଗନ୍ଧଣା, ଠଣଠଣା, ଅଗିବଧୁ, ପାଟଳି, ଶାଳପତ୍ରି, କୃଷ୍ଣପତ୍ରି, ନବାଙ୍କୁଡ, ଅଙ୍କରାନ୍ତି ଓ ଗୋଖରା ଗଛର ଚେରକୁ ଏକତ୍ର ଛେଚି ମୋଦକ ପ୍ରସ୍ତୁତ କରାଯାଏ। ଏହି ଧନ୍ବନ୍ତରୀ ବ୍ୟବସ୍ଥା ଓଡ଼ିଶାରେ ବହୁଦିନରୁ ପ୍ରଚଳିତ। ଏହି ସମୟରେ ବୈଦ୍ୟଙ୍କ ଆଦେଶ କ୍ରମେ ପ୍ରସ୍ତୁତ କରାଯାଇ ବା ଫୁଲୁରି ତେଲ ଯାହା ଏକବର୍ଷ କାଳ ମାଟିତଳେ ରଖାଯାଇଥାଏ, ତାହା ପ୍ରଭୁଙ୍କ ଶ୍ରୀଅଙ୍ଗର ପୀଡ଼ା ଦୂର କରିବାକୁ ଲଗାଯାଇଥାଏ। ତେବେ ଏହି ସମୟରେ ଶ୍ରୀଜୀଉଙ୍କ ପାଖରେ ଆମ୍ବ, ପଣସ, ଛେନା, କ୍ଷୀର, ସର, ରାବିଡି, ପଣା ଆଦି ଭୋଗ ଲାଗୁଥିବା ବେଳେ କୌଣସି ପ୍ରକାରର ଆଡମ୍ବରପୂର୍ଣ୍ଣ କାର୍ଯ୍ୟ କରାଯାଏ ନାହିଁ। ଭୋଗ ସମୟରେ ଘଣ୍ଟ ବାଜେ ନାହିଁ। ଅଣସର ଗୃହରେ ଠାକୁରମାନଙ୍କୁ ଧଳାବସ୍ତ୍ର, ସୁବାସହୀନ ଧଳାଫୁଲ ଲଗାଯାଏ ଏବଂ ଦଇତା ଓ ପତି ମହାପାତ୍ର ସେବକମାନେ ମଧ୍ୟ ଏକବସ୍ତ୍ରୀ ଧଳାବସ୍ତ୍ର ପରିଧାନ କରନ୍ତି। ଏହି ସମୟରେ ଅନ୍ୟ କୌଣସି ସେବକ ଅଣସର ଗୃହରେ ପ୍ରବେଶ କରିବା ନିଷେଧ। ତେଣୁ ଯଥାର୍ଥରେ କୁହାଗଲା-
”ସର୍ବରହସ୍ୟଂ ପୁରୁଷୋତ୍ତମସ୍ୟ
ଦେବା ନ ଜାନନ୍ତି କୁତୋ ମନୁଷ୍ୟାଃ।“
ଅର୍ଥାତ୍‌ ପୁରୁଷୋତ୍ତମଙ୍କର ସମସ୍ତ ରହସ୍ୟ ଦେବତାମାନେ ମଧ୍ୟ ଜାଣନ୍ତି ନାହିଁ, ମଣିଷ ବା କି ଛାର!
ଅଣସରର ପନ୍ଦରଦିନ ପ୍ରଭୁଙ୍କର ବର୍ଷାବଧି ଲାଗି ରହିଥିବା କାର୍ଯ୍ୟାବଳୀର ଏକ ଅନନ୍ୟ ଓ ଅତ୍ୟନ୍ତ ଗୂଢ ବ୍ୟତିକ୍ରମ। ଦେବତାକୁ ମାନବ କରି ତା’ ସହିତ ସୁଖଦୁଃଖରେ ଭାଗୀ ହେବା ଲାଗି ଭକ୍ତ ପାଇଥାଏ ଏକ ଚରମ ସୁଯୋଗ। ପ୍ରତି ଓଡ଼ିଆର ଚଳନ୍ତି ବିଷ୍ଣୁ ବିଶ୍ୱଦେବତା ହେବା ଲାଗି ସୁଯୋଗ ଏଥିରେ ସୃଷ୍ଟି ହୋଇଥାଏ। ତେବେ ଅଣସର ସମୟରେ ବିଶ୍ରାମ କରିବା ଉଦ୍ଦେଶ୍ୟରେ ହେଉ ଅବା ବିଶ୍ୱାବସୁର ଅମର ଭକ୍ତିର ଜୟଗୀତିର ସ୍ମୃତି ହେଉ ବା ସ୍ନାନରେ ଲିଭି ଯାଇଥିବା ରଙ୍ଗକୁ ପୂର୍ଣ୍ଣାଙ୍ଗ କରିବା ଉଦ୍ଦେଶ୍ୟରେ ହେଉ ପ୍ରଭୁ ନିଜକୁ ମାନବର ଅତି ନିକଟତର କରି ପାରୁଛନ୍ତି। ସେ ପ୍ରଭୁଙ୍କ ଲୀଳା ଅପାର। ଜଗନ୍ନାଥ ଦାସ ଭାଗବତରେ ଲେଖିଛନ୍ତି-
ନମସ୍ତେ ପ୍ରଭୁ ଜଗନ୍ନାଥ। ଅନାଥ ଲୋକଙ୍କର ନାଥ।
ନମସ୍ତେ ପ୍ରଭୁ ବାସୁଦେବ। ଭକତ ଜନଙ୍କ ବାନ୍ଧବ।
ନମସ୍ତେ ପ୍ରଭୁ ହୃଷୀକେଶ। ଭକତ ଜନଙ୍କ ବିଶ୍ୱାସ।
ନମସ୍ତେ ପ୍ରଭୁ ବିଶ୍ୱରୂପୀ। ସକଳ ହୃଦେ ଅଛୁ ବ୍ୟାପି।
ଏ-୧/୧୮୩, ନୂଆପଲ୍ଲୀ, ଭୁବନେଶ୍ୱର,
ମୋ-୯୭୭୮୦୩୦୪୯୪


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri