ରାଜ୍ୟପାଳ ଓ ସରକାରିଆ କମିଶନ

ରବିନାରାୟଣ ସାମଲ

କେନ୍ଦ୍ର-ରାଜ୍ୟ ସଂଘୀୟ ବ୍ୟବସ୍ଥା ଭିତରେ ରାଜ୍ୟପାଳଙ୍କ ଭୂମିକା ବିବଦମାନ। ବିରୋଧୀ ଦଳ ଶାସିତ ରାଜ୍ୟରେ କେନ୍ଦ୍ର ଦ୍ୱାରା ନିଯୁକ୍ତ ରାଜ୍ୟପାଳମାନେ ପରୋକ୍ଷ ଭାବରେ କେନ୍ଦ୍ର ନିର୍ଦ୍ଦେଶରେ ପରିଚାଳିତ ହେଉଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟର ହିତକୁ ବିଚାରକୁ ନ ନେଇ ରାଜ୍ୟପାଳମାନେ ଯଥେଚ୍ଛାଚାରିତା ନୀତି ଅବଲମ୍ବନ କରୁଛନ୍ତି। ଫଳରେ ଏ ସଂକ୍ରାନ୍ତରେ ଏକାଧିକ ମାମଲା ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ବିଚାରାଧୀନ ଅଛି।
ରାଜ୍ୟର ସୁପରିଚାଳନା ପାଇଁ ସାଧାରଣତଃ ରାଜ୍ୟ ସରକାର ବିଧାନସଭାରେ ବିଲ୍‌ ଆଗତ କରିଥାନ୍ତି। ବିଧାନସଭାରେ ତାହା ଗୃହୀତ ହେବା ପରେ ରାଜ୍ୟପାଳଙ୍କ ସ୍ବୀକୃତି ପାଇଁ ପଠାଯାଇଥାଏ। ରାଜ୍ୟପାଳ ସେହି ବିଲ୍‌କୁ ସ୍ବୀକୃତି ଦେଇଥାନ୍ତି, ପୁନର୍ବିଚାର ପାଇଁ ବିଧାନସଭାକୁ ଫେରାଇ ପାରନ୍ତି କିମ୍ବା ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରନ୍ତି। ସମ୍ବିଧାନର ଧାରା ୨୦୦ରେ ରାଜ୍ୟପାଳଙ୍କ ଏହି କ୍ଷମତା ଲିପିବଦ୍ଧ ହୋଇ ରହିଛି। ଉଲ୍ଲେଖଯୋଗ୍ୟ ଯେ ‘ଯେତେ ଶୀଘ୍ର ସମ୍ଭବ’ ପୁନର୍ବିଚାର ପାଇଁ ରାଜ୍ୟପାଳ ବିଲ୍‌ଟିକୁ ବିଧାନସଭାକୁ ଫେରାଇଦେଇ ପାରିବେ। ମାତ୍ର ଏହି ନୀତି ଆଦୌ କାର୍ଯ୍ୟକାରୀ ହେଉନାହିଁ। ରାଜ୍ୟପାଳମାନେ ବିଲ୍‌କୁ ପକାଇ ରଖୁଛନ୍ତି।
ତାମିଲନାଡୁ ସରକାର ୨୦୨୦ରେ ୧୧ଟି ବିଲ୍‌ ବିଧାନସଭାରେ ପାସ୍‌ କରାଇ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ମାତ୍ର ରାଜ୍ୟପାଳ ଆର୍‌.ଏନ୍‌. ରବି ଏଯାବତ୍‌ ସେଗୁଡ଼ିକୁ ନିଜ ପାଖରେ ପକାଇ ରଖିଛନ୍ତି। ପଞ୍ଜାବ ରାଜ୍ୟପାଳ ବଓ୍ବଁରିଲାଲ ପୁରୋହିତ ରାଜ୍ୟ ସରକାରଙ୍କ ୪ଟି ବିଲ୍‌କୁ ସ୍ବୀକୃତି ଦେଇନାହାନ୍ତି। ସେହିପରି କେରଳ ସରକାରଙ୍କ ବାରମ୍ବାର ଦାବି ସତ୍ତ୍ୱେ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ୮ଟି ବିଲ୍‌କୁ ନିଜ ପାଖରେ ରଖିଛନ୍ତି। ଫଳରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗରେ ବିଶ୍ୱବିଦ୍ୟାଳୟର ଭାଇସ୍‌-ଚାନ୍‌ସେଲର୍‌ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ଅଧ୍ୟାଦେଶ ଆଗତ କରିଥିଲେ। ମାତ୍ର ରାଜ୍ୟପାଳ ସି.ଭି.ଆନନ୍ଦ ବୋଷ୍‌ ଏହି ଅଧ୍ୟାଦେଶରେ ସ୍ବାକ୍ଷର କରୁନାହାନ୍ତି। ପ୍ରସଙ୍ଗତଃ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ଝାଡ଼ଖଣ୍ଡରେ ‘ଆଦିବାସୀ ଉପଦେଷ୍ଟା ପରିଷଦ’ରେ ମୁଖ୍ୟମନ୍ତ୍ରୀ ଚେୟାରମ୍ୟାନ୍‌ ହେବାକୁ ଏକ ବିଲ୍‌ ବିଧାନସଭାରେ ଆଗତ ହୋଇଥିଲା। ମାତ୍ର ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ୍‌ ଏହାକୁ ବିରୋଧ କରି ସ୍ବୀକୃତି ଦେଇନାହାନ୍ତି।
୨୦୨୨ ଜୁଲାଇରେ ମହାରାଷ୍ଟ୍ରରେ ଉଦ୍ଧବ ଠାକେର୍‌ଙ୍କ ମନ୍ତ୍ରିମଣ୍ଡଳରୁ ଏକନାଥ ଶିନ୍ଦେ ସମର୍ଥନ ପ୍ରତ୍ୟାହାର କରିନେଇ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ପଦକ୍ଷେପ ନେଇଥିଲେ। ସେତେବେଳେ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀ ଏକନାଥ ଶିନ୍ଦେଙ୍କୁ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ସୁଯୋଗ ଦେଇଥିଲେ ଏବଂ ଭାଜପା ସଭ୍ୟ ରାହୁଲ ନଭେରକର୍‌ଙ୍କୁ ବାଚସ୍ପତି କରାଇଥିଲେ। ଏଥିରେ ରାଜ୍ୟପାଳଙ୍କ ଭୂମିକା ଅତ୍ୟନ୍ତ ବିବାଦୀୟ ହୋଇପଡ଼ିଥିଲା।
ଦିଲ୍ଲୀ, ଲଦାଖ, ଜମ୍ମୁ-କଶ୍ମୀର, ଆଣ୍ଡାମାନ ନିକୋବର ଓ ପୁଡୁଚେରୀରେ କେନ୍ଦ୍ର ସରକାର ଉପରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ଦିଲ୍ଲୀରେ ଦ୍ୱୈତ ଶାସନ। ସେଠାରେ ସରକାର ଗଢ଼ିବ ରାଜ୍ୟ, ଶାସନ କରିବ କେନ୍ଦ୍ର। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ରାଜ୍ୟର ‘ଶିଶୁ ସୁରକ୍ଷା ଅଧିକାର କମିଶନ’କୁ ପାଣ୍ଠି ଯୋଗାଣ ବନ୍ଦ କରିଦେଇଛନ୍ତି। ମାମଲା ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ପାଖରେ ରହିଛି।
୨୦୧୮ ନଭେମ୍ବର ୨୧ରେ ଜମ୍ମୁ-କଶ୍ମୀରର ତତ୍କାଳୀନ ଉପ-ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାଜ୍ୟ ବିଧାନସଭାକୁ ହଠାତ୍‌ ନିଲମ୍ବନ କରିଦେଲେ। ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ କରିବାକୁ ପଥ ପରିଷ୍କାର ହୋଇଗଲା। ବର୍ତ୍ତମାନ ଜମ୍ମୁ-କଶ୍ମୀର୍‌ ଭାଗ ହୋଇ କେନ୍ଦ୍ର ସରକାରଙ୍କ ଅଧୀନକୁ ଚାଲିଯାଇଛି। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଜମ୍ମୁ-କଶ୍ମୀର୍‌ରେ ନିର୍ବାଚନ ଶେଷ କରିବାକୁ ମାନ୍ୟବର ସୁପ୍ରିମ୍‌କୋର୍ଟ ନିର୍ବାଚନ କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ଘଟଣାଗୁଡ଼ିକରୁ ଏକଥା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ରାଜ୍ୟପାଳ ଓ ଉପ-ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭଳି କାମ କରୁଛନ୍ତି। ସେଠି ଗଣତାନ୍ତ୍ରିକତା-ଅଗଣତାନ୍ତ୍ରିକତାର ବାଛବିଚାର ରହୁନାହିଁ। କେବଳ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଶାସନରେ ରାଜ୍ୟପାଳ- ଉପରାଜ୍ୟପାଳମାନେ ନିଜ କ୍ଷମତାର ଅପପ୍ରୟୋଗ କରୁଛନ୍ତି ତାହା ନୁହେଁ, କଂଗ୍ରେସ ସରକାରଙ୍କ ଶାସନକାଳରେ ଏପରି ଘଟଣା ମଧ୍ୟ ଘଟୁଥିଲା। ଫଳରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଅଧିକାଂଶ ସମୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏହାର ସମାଧାନ ପାଇଁ ୧୯୬୬ ରେ ମୋରାର୍‌ଜୀ ଦେଶାଇଙ୍କ ନେତୃତ୍ୱରେ ପ୍ରଶାସନିକ ସଂସ୍କାର ନିମିତ୍ତ ଏକ ୬ ଜଣିଆ କମିଟି ଗଠିତ ହୋଇଥିଲା। ତାହା ଅପୂର୍ଣ୍ଣାଙ୍ଗ ରହିଗଲା। ପୁନଶ୍ଚ ୧୯୮୩ରେ ନ୍ୟାୟମୂର୍ତ୍ତି ଆର୍‌.ଏସ୍‌.ସରକାରିଆଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ସମ୍ବନ୍ଧରେ ଏକ କମିଶନ ୧୯୮୭ ଅକ୍ଟୋବର ୨୭ରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ। ସମ୍ବିଧାନର ୧୫୫ ଧାରାରେ ରାଷ୍ଟ୍ରପତି ରାଜ୍ୟପାଳଙ୍କୁ ନିଯୁକ୍ତି ଦେବାର ବିଧି ରହିଛି। ମାତ୍ର ସରକାରିଆ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଥିଲେ ଯେ, ଉପରାଷ୍ଟ୍ରପତି ଓ ଲୋକ ସଭାର ବାଚସ୍ପତିଙ୍କ ସହ ପ୍ରଧାନମନ୍ତ୍ରୀ ମନ୍ତ୍ରଣା କରି ରାଜ୍ୟପାଳଙ୍କୁ ନିଯୁକ୍ତି ଦେବେ।
ସମ୍ବିଧାନର ୧୫୭ ଓ ୧୫୮ ଧାରାରେ ରାଜ୍ୟପାଳଙ୍କ ଯୋଗ୍ୟତା ସମ୍ପର୍କରେ ଉଲ୍ଲେଖ ରହିଛି। ତଦନୁଯାୟୀ ଶାସକ ଦଳର ଜଣେ ସକ୍ରିୟ ସଭ୍ୟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଉଛି। ସେମାନେ ରାଜ୍ୟର ସ୍ବାର୍ଥ ଅପେକ୍ଷା କେନ୍ଦ୍ର ସ୍ବାର୍ଥକୁ ଅଗ୍ରାଧିକାର ଦେଉଛନ୍ତି। ଫଳରେ ରାଜ୍ୟ-କେନ୍ଦ୍ର ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ହେଉଛି। ସରକାରିଆ କମିଶନ ଏହି ଧାରା ଦୁଇଟିରେ ସଂଶୋଧନ ନିମିତ୍ତ ପ୍ରସ୍ତାବ ଦେଇଥିଲେ। କମିଶନଙ୍କ ପ୍ରସ୍ତାବ ଅନୁଯାୟୀ ରାଜ୍ୟପାଳ ପଦବୀ ନିମିତ୍ତ ଜଣେ ଯୋଗ୍ୟ ବ୍ୟକ୍ତି ରାଜ୍ୟ ବାହାରର ସମ୍ମାନସ୍ପଦ ବ୍ୟକ୍ତି ହୋଇଥିବେ, ରାଜନୀତିରେ ସକ୍ରିୟ ନ ଥିବେ, ରାଜ୍ୟ ରାଜନୀତିର ଊର୍ଦ୍ଧ୍ୱରେ ରହିବେ, ଶାସକ ଦଳର ସଭ୍ୟ ହୋଇ ନ ଥିବେ ଏବଂ କାର୍ଯ୍ୟକାଳ ପରେ ଆଉ କୌଣସି ପଦପଦବୀରେ ରହିବେ ନାହିଁ। ଇତିମଧ୍ୟରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଅତିବାହିତ ହୋଇଗଲାଣି। ସରକାରିଆ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ ହୋଇପାରିଲା ନାହିଁ।
ବିଳମ୍ବ ସତ୍ତ୍ୱେ ଏବେ ବି ସମୟ ଅଛି। ସରକାର ସରକାରିଆ କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରି ଦେଶର ସଂଘୀୟ ବ୍ୟବସ୍ଥାକୁ ଅତୁଟ ରଖନ୍ତୁ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri