ମାରୁଛି ଗୁଜବ

କରୋନା ଭୂତାଣୁର ଜନ୍ମପୀଠ ଚାଇନାର ଉହାନ ହୋଇଥିଲେ ମଧ୍ୟ ଏହା ସମଗ୍ର ବିଶ୍ୱକୁ ବ୍ୟାପି ସାରିଲାଣି। ଭାରତରେ ୩୨୪ ଜଣଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୯,୦୦୦ ଅତିକ୍ରମ କରିଛି। ଦେଶର ରାଜଧାନୀ ଦିଲ୍ଲୀ ଅନ୍ୟତମ ହଟ୍‌ସ୍ପଟ୍‌ ଇଲାକା ହୋଇଥିବାରୁ ସେଠାରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଅନେକ ପଦକ୍ଷେପ ନିଆଯାଉଛି। ଏଭଳି ସମୟରେ କେତେକ ଲୋକ କରୋନା ଭୂତାଣୁକୁ ପ୍ରକୃତିର ରୋଷ ବା ଭଗବାନଙ୍କ ଅଭିଶାପ ଭାବେ ପୃଥିବୀପୃଷ୍ଠକୁ ପଠାଯାଇଥିବା କହୁଛନ୍ତି। ଭାରତରେ ସାଧାରଣତଃ ଦେଖାଯାଇଛି ଯେ, କୌଣସି ବିପତ୍ତି ବା ମହାମାରୀ ଆସି ଲୋକଙ୍କ ଜୀବନ ନେଇଗଲେ ଅନେକେ ଭବିଷ୍ୟବକ୍ତା ପାଲଟିଯାଆନ୍ତି। ଆଜିର ସୋସିଆଲ ମିଡିଆ ଯୁଗରେ ଅସତ୍ୟ ଖବର ପ୍ରସାର କରିବା ଅତ୍ୟନ୍ତ ସହଜ ହୋଇପଡ଼ିଛି। ଏହାର ସଦ୍ୟତମ ଦୃଷ୍ଟାନ୍ତ ଦିଲ୍ଲୀ ଓ ଆଖାପାଖ ଅଞ୍ଚଳରେ ୧୨ ଏପ୍ରିଲରେ ହୋଇଥିବା ଭୂକମ୍ପକୁ ନିଆଯାଇପାରେ। ୩.୫ ତୀବ୍ରତା ବିଶିଷ୍ଟ ଏହି ମୃଦୁ ଭୂମିକମ୍ପ ଯୋଗୁ କାହାରି ମୃତ୍ୟୁ ଘଟି ନ ଥିବା ବେଳେ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇନାହିଁ। କିନ୍ତୁ ଏହା ପୂର୍ବରୁ ସୋସିଆଲ ମିଡିଆରେ ମେସେଜ୍‌ ଭାଇରାଲ ହୋଇଥିଲା ଯେ, ଆମେରିକାର ମହାକାଶ ସଂସ୍ଥା ‘ନାସା’ ଅନୁମାନ ଲଗାଇଛି ଦିଲ୍ଲୀରେ ୭ ଏପ୍ରିଲରୁ ୧୫ ଏପ୍ରିଲ ମଧ୍ୟରେ ଭୂମିକମ୍ପ ହେବ। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ସଂଯୋଗବଶତଃ ୧୨ ଏପ୍ରିଲରେ ଦିଲ୍ଲୀରେ ଭୂକମ୍ପ ହୋଇଯାଇଥିବାରୁ କରୋନା ଭୂତାଣୁ ସଂକ୍ରମଣ ସହ ଏହାକୁ ଯୋଡ଼ାଯାଇ କୁହାଯାଉଛି ଯେ, ଦେଶକୁ ଅଧିକ ବିପତ୍ତି ମାଡ଼ିଆସୁଛି। ବାସ୍ତବରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ୪ ନମ୍ବର ଭୂକମ୍ପ ପ୍ରବଣ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ସେହି ଦୃଷ୍ଟିରୁ ଦେଖିଲେ ଏଭଳି ଭୂକମ୍ପ ହେବା ନୂଆ କଥା ନୁହେଁ। ଅଥଚ ‘ତିଳକୁ ତାଳ କରିବା’ ଭଳି ମିଥ୍ୟା ଖବର ପ୍ରଚାର କରାଯିବା ଦ୍ୱାରା ଲୋକଙ୍କ ମନରେ ଶଙ୍କା ପଶିବା ସ୍ବାଭାବିକ। ସେହିଭଳି ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଅନେକ ଗୁଜବ ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ଭବିଷ୍ୟଦ୍ରଷ୍ଟା ଅଚ୍ୟୁତାନନ୍ଦଙ୍କ ରଚିତ ‘ମାଳିକା’ ବିଷୟରେ ଅନେକ ଅବାଞ୍ଛିତ କଥା କୁହାଯାଉଛି। ଦୁନିଆରେ ପାପର ଭାର ବଢ଼ିଗଲେ ଲୋକଙ୍କୁ ବିନାଶ କରିବା ପାଇଁ ଭଗବାନ କୁଆଡ଼େ ‘କଳ୍‌କୀ’ ରୂପରେ ଆସିବା ପୂର୍ବରୁ ଏଭଳି ଅନିଷ୍ଟ କଲେଣି ବୋଲି ଚର୍ଚ୍ଚା ହେଉଛି।
ବାସ୍ତବରେ ଉପରଲିଖିତ ବିଷୟକୁ ତର୍ଜମା କଲେ ସତ୍ୟତା ପରଖିବା କଷ୍ଟକର ନୁହେଁ। ଗୁଜବ ବା ମିଥ୍ୟା ଖବର ପ୍ରସାର କରାଯିବା ଦ୍ୱାରା ଚାରିଆଡ଼େ ଭୟ ଖେଳିଯାଉଛି। କରୋନା ଭୂତାଣୁ ଆସିବା ପୂର୍ବରୁ କଲେରା ବା ହଇଜା, ହାଡ଼ଫୁଟି, ବସନ୍ତ ଭଳି ଅନେକ ରୋଗ ଲୋକଙ୍କୁ ବେମାରରେ ପକାଇ ଜୀବନ ନେଇଛି। ସମୟ ବ୍ୟବଧାନରେ ଏହିସବୁ ରୋଗ ପୁଣି ପୃଥିବୀର କେଉଁଠି ନା କେଉଁଠିକୁ ଆସୁଛି। ଲକ୍‌ଡାଉନ ଅବଧି ଶେଷ ହେବା ପରେ କୋଭିଡ୍‌-୧୯ ଯେ ପୃଥିବୀପୃଷ୍ଠରୁ ଲୋପ ପାଇଯିବ ଭାବିବା ଠିକ୍‌ ନୁହେଁ। କାରଣ ଏହା ଏକ ମନୁଷ୍ୟକୃତ ଭୂତାଣୁ ହୋଇଥିବାରୁ ମଝିରେ ମଝିରେ ଫେରିବ। କେତେକେ କହିଲେଣି ପ୍ରକୃତିର କ୍ରୋଧରୁ ଏହା ଉତ୍ପନ୍ନ ହୋଇଛି। କିନ୍ତୁ ଏହାର କୌଣସି ପ୍ରକୃତିଗତ ଆଧାର ନାହିଁ। ଚାଇନାର ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରୁ କରୋନା ବାହାରିଥିବା ନେଇ ଯେଉଁ ରିପୋର୍ଟ ପୂର୍ବରୁ ପ୍ରକାଶ ପାଇଥିଲା, ଗବେଷକମାନେ ତାହା ଉପରେ ଜୋରଦାର ଅନୁଧ୍ୟାନ କରୁଛନ୍ତି। ଅତୀତକୁ ଦେଖିଲେ କଲେରା ଅନେକ ଲୋକଙ୍କ ଜୀବନ ନେଇଥିଲା। ସମସ୍ତେ ଭାବୁଥିଲେ ଏହା ଆଉ ଫେରିବ ନାହିଁ। କିନ୍ତୁ ଆଫ୍ରିକାର ଅନେକ ଅଞ୍ଚଳରେ ଏବେ ମଧ୍ୟ ଏହା ଲୋକଙ୍କ ପ୍ରାଣ ନେଉଛି। ଭାରତରେ ଆଜି ମଧ୍ୟ ଅନେକ ସ୍ଥାନରେ ବିଭିନ୍ନ ଅଚିହ୍ନା ରୋଗ ଯୋଗୁ ଲୋକଙ୍କ ପ୍ରାଣହାନି ଘଟୁଛି। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅଚିହ୍ନା ରୋଗକୁ ସାଧାରଣରେ ଭୟ କରିବା କଥା। କିନ୍ତୁ ତା’ ପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ କିମ୍ବା କୌଣସି ସତର୍କତା ଅବଲମ୍ବନ କରନ୍ତି ନାହିଁ। ଗଣମାଧ୍ୟମର ଆଧୁନିକ ପ୍ରଣାଳୀ ଯୋଗୁ କୋଭିଡ-୧୯ ଏକ ବହୁଳ ଆଲୋଚିତ ବିଷୟ ପାଲଟିଛି। ୟୁରୋପରୁ ଜନ୍ମିଥିବା ସ୍ପାନିଶ ଫ୍ଲୁ ଯୋଗୁ ଭାରତରେ ସେତେବେଳେ ପ୍ରାୟ ୧ କୋଟି ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ୱେ ବିଂଶ ଶତାବ୍ଦୀର ଆରମ୍ଭରେ ଗଣମାଧ୍ୟମର ପ୍ରସାର ଅତ୍ୟନ୍ତ ସୀମିତ ଥିବା ହେତୁ ଆଜିର କୋଭିଡ୍‌-୧୯ ଭଳି ଭୟ ସେତେବେଳେ ଜଣାପଡ଼ି ନ ଥିଲା। ସ୍ପାନିଶ ଫ୍ଲୁ ସମୟରେ ପ୍ରବଳ ଭୟ ସୃଷ୍ଟି ହୋଇ ନ ଥିଲା ବୋଲି ସେହି ସମୟର ଅନେକ ଲେଖାରୁ ବୁଝାପଡୁଛି। ଉଲ୍ଲେଖଯୋଗ୍ୟ ଯେ, ସ୍ପାନିଶ ଫ୍ଲୁରେ ସେତେବେଳେ ପୃଥିବୀରେ ୫ କୋଟି ଲୋକଙ୍କର ପ୍ରାଣହାନି ଘଟିଥିଲା। ଅଦ୍ୟାବଧି କୋଭିଡ୍‌-୧୯ ଯୋଗୁ ବିଶ୍ୱରେ ୧ ଲକ୍ଷ ୧୩ ହଜାର ଲୋକଙ୍କ ଜୀବନ ଯାଇଛି।
ଏକବିଂଶ ଶତାବ୍ଦୀରେ ଜଣେ ନାଗରିକଙ୍କ ମୃତ୍ୟୁ ଗୁରୁତ୍ୱ ରଖିଥାଏ। ଅପରପକ୍ଷରେ ଆମ ଦେଶରେ ରାସ୍ତା ଦୁର୍ଘଟଣାରେ ପ୍ରତ୍ୟେକ ବର୍ଷ ଘଟୁଥିବା ମୃତ୍ୟୁ ସଂଖ୍ୟା କୋଭିଡ୍‌-୧୯ ଠାରୁ ଯଥେଷ୍ଟ ଅଧିକ। ତଥାପି ଆମ ଦେଶବାସୀ ସତର୍କତାର ସହ ଗାଡ଼ି ଚଳାଇବା କଥା ଚିନ୍ତା କରନ୍ତି ନାହଁ। କୌଣସି ମୃତ୍ୟୁକୁ ନୂ୍ୟନ କରି ଦେଖାଇବାର ଉଦ୍ଦେଶ୍ୟ ରଖାଯାଇ ନ ଥିଲେ ମଧ୍ୟ ଭାରତର ଜନସଂଖ୍ୟାକୁ ଦେଖିଲେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ରୋଗୀ ଏବଂ ତନ୍ମଧ୍ୟରୁ ମୃତ୍ୟୁସଂଖ୍ୟାର ପ୍ରତିଶତ ଅତ୍ୟନ୍ତ ନଗଣ୍ୟ ବୋଲି ଜଣାପଡୁଛି। ତାହା ତୁଳନାରେ ସୃଷ୍ଟି ହୋଇଥିବା ଭୟ ଅଧା ଲୋକଙ୍କୁ ମାରି ସାରିଲାଣି। ଏହି ଭୟ ସୃଷ୍ଟି କରିବା ପାଇଁ ନିଶ୍ଚିତ ଭାବେ ଗୋଷ୍ଠୀବଦ୍ଧ ହୋଇ କେତେକ ସ୍ବାର୍ଥପର ଶକ୍ତି ଏଭଳି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଦେଶବାସୀ ଭୟଭୀତ ହୋଇ ରହିଲେ ଅର୍ଥନୀତିର ମଙ୍ଗ ଧରିବାଠାରୁ ଆରମ୍ଭକରି ସେମାନଙ୍କ ଉପରେ ଶାସନ କରିବା ସହଜ ହୋଇଯାଉଛି। ଏହି ଭିତିରି କଥାକୁ ସାଧାରଣ ନାଗରିକ ବୁଝିବାକୁ ଅସମର୍ଥ। କେହି ବୁଝାଇବାକୁ ଚାହିଁଲେ ମଧ୍ୟ ତାହାକୁ ଶୁଣିବା ପାଇଁ କେହି ପ୍ରସ୍ତୁତ ନାହାନ୍ତି। ଶେଷରେ ଏତିକି କୁହାଯାଇପାରିବ ଯେ, ଲକ୍‌ଡାଉନ୍‌ ଶେଷ ହେବା ପରେ ମଧ୍ୟ କୋଭିଡ୍‌-୧୯ ଜୀବିତ ରହିବ ଏବଂ କେଉଁଠାରେ କାହାକୁ ଗ୍ରାସ କରିବ କହିବା କଷ୍ଟକର। ଅପରପଟେ ଲକ୍‌ଡାଉନ୍‌ ଉଠିବା ପରେ ଦେଶର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଅସମ୍ଭାଳ ହୋଇପଡ଼ିବ। ସେ ଦିଗକୁ ଧ୍ୟାନ ଦେବା ପାଇଁ ସମସ୍ତେ ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri