ଭାରତୀୟ ସଂସ୍କୃତି ଓ ମହାମାରୀ

ଡା. ଗୋପାଳ ଚନ୍ଦ୍ର ଦାଶ

ବିଗତ କିଛି ମାସ ଧରି ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି। ପ୍ରଭାବଶାଳୀ ଚାଇନା, ସ୍ପେନ୍‌, ଫ୍ରାନ୍ସ, ଆମେରିକା, ଇଟାଲୀ ଓ ଜର୍ମାନୀ ଆଦି ଦେଶଗୁଡ଼ିକରେ ଏହା ଖୁବ୍‌ ଜୋରରେ ବ୍ୟାପିବାରେ ଲାଗିଛି। ଚାଇନାରୁ ଆରମ୍ଭ ହୋଇ ଏହି ଭୂତାଣୁ ସମଗ୍ର ବିଶ୍ୱକୁ ଗ୍ରାସ କରି ସାରିଲାଣି। ଭାରତ ଭଳି ବିକାଶଶୀଳ ଦେଶ ଏଥିରୁ ବର୍ତ୍ତିପାରି ନାହିଁ। ସେଥିପାଇଁ ସରକାର କଠୋର ପଦକ୍ଷେପ ନେଇ ଲକ୍‌ଡାଉନ୍‌ ପନ୍ଥା ଅବଲମ୍ବନ କରିଛନ୍ତି। ସ୍ବାସ୍ଥ୍ୟସେବାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି।ବର୍ତ୍ତମାନ କରୋନା ରୋଗ ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଛି।
ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଭାରତରେ ଏହି ରୋଗର ସଂକ୍ରମଣ ଗତି ୟୁରୋପ ଦେଶ ଭଳି ସେତେ ପ୍ରଖର ଗତିର ହୋଇପାରି ନାହିଁ। ଆମ ଭାରତୀୟ ସଂସ୍କୃତି ଏହି ରୋଗ ନ ବ୍ୟାପିବାର କେତେକାଂଶରେ ଫଳପ୍ରଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତୀୟ ସଂସ୍କୃତି ଓ ଚଳଣି ସର୍ବଶ୍ରେଷ୍ଠ। ଅତିଥିଙ୍କୁ ସ୍ବାଗତ କରିବା ବେଳେ ବିଦେଶୀମାନେ ହାତ ମିଳାଇବା, ଆଲିଙ୍ଗନ କରିବା ଓ ଚୁମ୍ବନ ଦେବା ବେଳେ ଭାରତୀୟମାନେ ହାତଯୋଡ଼ି ନମସ୍କାର କରିଥାଆନ୍ତି। ଅଙ୍ଗ ସ୍ପର୍ଶ ନ ହେବାରୁ ରୋଗ ବ୍ୟାପିବାର ଆଶଙ୍କା କମ୍‌ ରହିଥାଏ। ପରୋକ୍ଷରେ ବର୍ତ୍ତମାନ କୁହାଯାଉଥିବା ସୋସିଆଲ୍‌ ଡିଷ୍ଟାନ୍ସିଂ ଭଳି ଏହା କାମ କରିଥାଏ। ମୃତ ଶରୀରକୁ ପୋତିବା ବଦଳରେ ଭାରତୀୟମାନେ ପୋଡ଼ିଥାଆନ୍ତି। ରୋଗଗ୍ରସ୍ତ ମୃତ ଶରୀରକୁ ପୋଡ଼ିବା ଦ୍ୱାରା କୀଟାଣୁଗୁଡ଼ିକ ପୋଡ଼ିହୋଇ ଭସ୍ମ ହୋଇଯାଆନ୍ତି। ତେଣୁ ପରିବେଶରେ ଏହି କୀଟାଣୁ ସଂକ୍ରମିତ ହୋଇ ପାରି ନ ଥାଏ। ମାତ୍ର ବିଦେଶର ମୃତ ରୋଗୀକୁ ପୋତିବା ଦ୍ୱାରା ମାଟି ଓ ଭୂତଳ ଜଳ ସଂକ୍ରମିତ ହୋଇଥାଏ। ରୋଗ ବ୍ୟାପିବାର ଆଶଙ୍କା ଅଧିକ ଥାଏ। ପରିବାରର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଘରକୁ ଲିପାପୋଛା କରାଯାଇଥାଏ। ଲୁଗାପଟାଗୁଡ଼ିକ ଧୁଆଯାଇଥାଏ। ଏହି ବ୍ୟବସ୍ଥା ମଧ୍ୟ ପର୍ବପର୍ବାଣି ଯଥା ବିବାହ ଓ ବ୍ରତରେ କରାଯାଇଥାଏ। ଏହାଦ୍ୱାରା ବିଶୋଧନ ପ୍ରକ୍ରିୟା କ୍ରମାଗତ ଚାଲୁ ରହିଥାଏ। ବସନ୍ତ ଓ ହାଡ଼ଫୁଟି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଠାକୁରାଣୀ ଲାଗନ୍ତି ବୋଲି କହି ଅଲଗା ଘରେ ରଖି ଉପଚାର, ପିଲା ଜନ୍ମରେ ପ୍ରସୂତି ଓ ଶିଶୁକୁ ଅନ୍ତୁଡ଼ିଶାଳରେ ୧୦ ଦିନ ପର୍ଯ୍ୟନ୍ତ ଅଲଗା ରଖିବା ଓ ଶ୍ମଶାନରେ ଶବଦାହ କରିଥିବା ଭାଇ କୁଟୁମ୍ବମାନଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଅଲଗା ରହିବା ଆଦି ପଦ୍ଧତିଗୁଡ଼ିକୁ ବର୍ତ୍ତମାନ ସମାଜ ଅନ୍ଧ ବିଶ୍ୱାସ ଭାବୁଥଲେ ମଧ୍ୟ ଏହି ସାମାଜିକ ବାସନ୍ଦ (ସୋସିଆଲ୍‌ ଆଇସୋଲେଶନ)କୁ ଧାର୍ମିକ ପଦ୍ଧତି ସହିତ ଯୋଡ଼ି ପରିବାର ଓ ସମାଜକୁ ରୋଗମୁକ୍ତ କରାଯାଉଥିଲା। ଉଦାହରଣ ସ୍ବରୂପ ସ୍ବୟଂ ଜଗନ୍ନାଥଙ୍କୁ ଜ୍ୱର ହେବାରୁ ୧୪ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବାକୁ ପଡ଼ୁଥିଲା।
ଆମ ସଂସ୍କୃତି ଶୁଦ୍ଧ ଶାକାହାର ଭୋଜନ ପାଇଁ ମାନ୍ୟତା ପ୍ରଦାନ କରେ। ଶାକାହାର ଖାଦ୍ୟ ବଦଳରେ ମାଂସାହାର ଏହି ଭୂତାଣୁଜନିତ ରୋଗ ବ୍ୟାପିବାରେ ସାହାଯ୍ୟ କରୁଛି। ଘୁଷୁରିଠାରୁ ସ୍ବାଇନ୍‌ ଫ୍ଲୁ, କୁକୁଡ଼ାଠାରୁ ବାର୍ଡ ଫ୍ଲୁ ଓ ସାପ, ବେଙ୍ଗ, ମୂଷା, ବାଦୁଡ଼ିଠାରୁ ଅନ୍ୟ ଭୂତାଣୁ ରୋଗ ବ୍ୟାପୁଛି। ଏହି ଜୀବଜନ୍ତୁଗୁଡ଼ିକର ପାଳନ ଓ ମାଂସ ସେବନ ଦ୍ୱାରା ସମାଜରେ ରୋଗ ବ୍ୟାପୁଛି। ପଦାରେ ବୁଲି ଆସିବା ପରେ ଚପଲକୁ ବାହାରେ ରଖିବା, ଗୋଡ଼ ଧୋଇ ଘରକୁ ପ୍ରବେଶ କରିବା ଓ ନିୟମିତ ଭାବରେ ଲୁଗାପଟାକୁ ଧୋଇ ଖରାରେ ପକାଇବା ଦ୍ୱାରା ଘର ଭିତରକୁ ବାହାରୁ କୌଣସି ସଂକ୍ରମଣ ପ୍ରବେଶ କରିପାରି ନ ଥାଏ। ନିୟମିତ ଭାବରେ ସନ୍ଧ୍ୟା ସମୟରେ ପ୍ରତି ଘରେ ଘରେ ଘିଅ ଦୀପ ଜାଳିବା, ସଂକ୍ରାନ୍ତି, ଅମାବାସ୍ୟା ଓ ଅନ୍ୟ ପର୍ବପର୍ବାଣିରେ ହୋମଯଜ୍ଞ ଦ୍ୱାରା ଘରର ବାତାବରଣ ଶୁଦ୍ଧ ହୋଇଥାଏ। ସଂକ୍ରମଣ ରୋକାଯାଇ ଥାଏ। ଶୀତତାପ ନିୟନ୍ତ୍ରିତ ଘର ବଦଳରେ ଚାଳଘରେ ରହିବା ଓ ଗାଡ଼ି ବଦଳରେ ଖରାରେ ଚାଲିବା ଦ୍ୱାରା ଶରୀରରେ ସୂର୍ଯ୍ୟ କିରଣରୁ ଭିଟାମିନ ଡି ସୃଷ୍ଟି ହୋଇ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଡାଇନିଂ ଟେବୁଲ ବଦଳରେ ତଳେ ବସି ଖାଇବା, ନିୟମିତ ବ୍ୟବଧାନରେ ଉପବାସ କରିବା, ଖାଲି ପେଟରେ ହଳଦୀ, ନିମ୍ବ ପତ୍ର ଓ ବେଲ ପତ୍ର ରସ ସେବନ କରିବା, ପ୍ରତିଦିନ ସ୍ନାନ କରିବା, ଶୋଇବା ପୂର୍ବରୁ ପାଦରେ ତେଲ ଲଗାଇବା, ପୂଜାଘର ଘିଅ, କର୍ପୂର ଓ ଝୁଣା ଦ୍ୱାରା ଆଳତି କରିବା ଇତ୍ୟାଦି ଆମ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ, ଯାହା ସୁସ୍ଥ ଓ ନୀରୋଗ ରହିବାରେ ସାହାଯ୍ୟ କରିଥାଏ। ଘର ଆଗରେ ଗାଈ ଗୁହାଳ ନିର୍ମାଣ ଦ୍ୱାରା ଗୋମୂତ୍ର ଓ ଗୋବରରୁ ଆସୁଥିବା ଗନ୍ଧ ପରିବେଶକୁ ଜୀବାଣୁମୁକ୍ତ କରିଥାଏ।
ମାଟି ପାତ୍ରରେ ରନ୍ଧନ, ତମ୍ବା ପାତ୍ର ଓ ସୁରେଇ ଜଳ ସେବନ ଶରୀରରେ ରୋଗ ନିରୋଧକ ଶକ୍ତି ସୃଷ୍ଟି କରିଥାଏ। ପଶୁପକ୍ଷୀଙ୍କୁ ମାରି ଖାଇବା ବଦଳରେ ବିଭିନ୍ନ ପର୍ବପର୍ବାଣିରେ ପୂଜନ ଓ ଅଗଣାରେ ବେଲ, ଲିମ୍ବ, ତୁଳସୀ ଗଛ ରୋପଣ କରି ପୂଜା କରିବା ଆଦି ପଦ୍ଧତି ଜୀବତନ୍ତ୍ର ଓ ବୃକ୍ଷଲତା ପ୍ରତି ସମ୍ମାନ ପ୍ରଦାନ କରିବା ସହିତ ପରିବେଶ ସନ୍ତୁଳନ ରଖିଥାଏ। ବର୍ତ୍ତମାନ ଜମିରେ, ଖାଦ୍ୟରେ ଅପମିଶ୍ରଣ, ସବୁଜ ପନିପରିବାରେ ବିଷାକ୍ତ ରଙ୍ଗ, ଶସ୍ୟ ଉତ୍ପାଦନ ଓ ସଂରକ୍ଷଣ ବେଳେ କୀଟନାଶକର ପ୍ରୟୋଗ ଖାଦ୍ୟର ଗୁଣବତ୍ତାକୁ ନଷ୍ଟ କରିଥାଏ। ସିନ୍ଥେଟିକ୍‌ ପନିର, ପୋଡ଼ା ମୋବିଲ ଓ ଡିଟର୍‌ଜେଣ୍ଟରୁ ଉତ୍ପାଦିତ ଦୁଗ୍ଧ, ନକଲି ମିଠା, କଳକାରଖାନାରୁ ନିଷ୍କାସିତ ଆବର୍ଜନାରେ ଭରପୂର ଜଳରାଶି, ରେଷ୍ଟୁରାଣ୍ଟରେ ପୋଡ଼ା ତେଲରେ ପ୍ରସ୍ତୁତ ଖାଦ୍ୟ, ବାରମ୍ବାର ଗରମ କରି ଫ୍ରିଜ୍‌ରେ ରଖାଯାଇଥିବା ଖାଦ୍ୟ, ବଡ଼ ବଡ଼ ଫୁଡ୍‌ ପ୍ଲାଜାରେ ଡିପ୍‌ ଫ୍ରିଜ୍‌ରେ ଦୀର୍ଘଦିନ ଧରି ରହିଥିବା ଖାଦ୍ୟ ସେବନ ଦ୍ୱାରା ଶରୀରର ପାଚନ ଶକ୍ତି କ୍ଷୟ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି।
ସଂସ୍କୃତି ଓ ସଭ୍ୟତା ପରସ୍ପରର ପରିପୂରକ। ଆଧୁନିକ ସଭ୍ୟତା ନାମରେ ଆମର ପୁରାତନ ସଂସ୍କୃତିକୁ ଅନ୍ଧବିଶ୍ୱାସ ଓ ଅବୈଜ୍ଞାନିକ ମାନ୍ୟତା ଦେଇ ପରିତ୍ୟାଗ କରିବା ଦ୍ୱାରା ଦେଶରେ ମହାମାରୀର ପ୍ରକୋପ ବ୍ୟାପିବାରେ ଲାଗୁଛି। ବର୍ତ୍ତମାନଠାରୁ ସାବଧାନ ନ ହେଲେ ଆଗାମୀ ଦିନଗୁଡ଼ିକ ଜନ ସମାଜ ପାଇଁ ଦୁର୍ବିଷହ ହୋଇଉଠିବ।

ଚିକିତ୍ସା ନିର୍ଦ୍ଦେଶକ, ପୂର୍ବତଟ ରେଲ୍‌ଓ୍ବେ
ମୋ: ୮୪୫୫୮୮୭୫୦୧


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri