ବ୍ୟକ୍ତିକୈନ୍ଦ୍ରିକ ନିର୍ବାଚନ

ବିଚିତ୍ର ବିଶ୍ୱାଳ
ନିର୍ବାଚନ ଆମ ଗଣତନ୍ତ୍ରର ମହାପର୍ବ। ନିର୍ବାଚନକୁ ଅବାଧ, ଭୟମୁକ୍ତ ଓ ନିରପେକ୍ଷ କରିବା ପାଇଁ ଆମ ଦେଶର ନିର୍ବାଚନ କମିଶନଙ୍କ ତରଫରୁ ଗତ ଦଶବର୍ଷ ମଧ୍ୟରେ ନିର୍ବାଚନ ପରିଚାଳନାରେ ଅନେକ ସଂସ୍କାର ଅଣାଯାଇଛି। ବାଲଟ ପେପର ବଦଳରେ ଭୋଟିଂ ମେଶିନ ବ୍ୟବହାର ହେଉଛି। ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଇଛି ଓ ଏହାର ପାଳନକୁ କଡ଼ାକଡ଼ି କରାଯାଉଛି। ନିର୍ବାଚନ ପ୍ରଚାର ସମୟ ସୀମାକୁ ସୀମିତ କରାଯାଇଛି। ପ୍ରାର୍ଥୀମାନଙ୍କ ପ୍ରଚାର, ଭାଷଣ ଓ ସାକ୍ଷାତ୍‌କାର ଆଦି ଉପରେ କଡ଼ା ନଜର ରଖାଯାଉଛି। ନିର୍ବାଚନରେ ପ୍ରାର୍ଥୀମାନଙ୍କର ଖର୍ଚ୍ଚକୁ ସୀମିତ କରାଯାଇଛି। ଏପରି କି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀମାନେ ନିର୍ବାଚନ ପୂର୍ବରୁ ନିଜର ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧ ରେକର୍ଡ ଆଦି ଘୋଷଣା କରୁଛନ୍ତି। ଏତେ ସବୁ ସତ୍ତ୍ୱେ ଆମ ଦେଶରେ ନିର୍ବାଚନ ଅବାଧ ଓ ନିରପେକ୍ଷ ଭାବେ ହେଉଛି ବୋଲି ଅନେକେ ଅସହମତ ହୋଇପାରନ୍ତି। କାରଣ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ବିଭିନ୍ନ ଫନ୍ଦିଫିକର କରି ଲୋକମାନଙ୍କୁ ଟଙ୍କାର ଲୋଭ ଦେଖାଇବାରେ ସଫଳ ହୋଇଯାଉଛନ୍ତି ଓ କେତେକ କ୍ଷେତ୍ରରେ ବଳ ପ୍ରୟୋଗ କରି ମଧ୍ୟ ଭୋଟ ହାତେଇ ନେଉଛନ୍ତି। ସାଧାରଣ ଲୋକ ଓ ଶାସନ ବ୍ୟବସ୍ଥା ଏକନିଷ୍ଠଭାବେ ଚାହିଁଲେ ଏସବୁ ଅବଶ୍ୟ ଧୀରେଧୀରେ ଦୂର ହୋଇପାରିବ।
ନିର୍ବାଚନୀ ବ୍ୟବସ୍ଥାରେ ଏତେ ସବୁ ସଂସ୍କାର ଆସିବା ସତ୍ତ୍ୱେ ନିର୍ବାଚନ ଧୀରେ ଧୀରେ ତା’ର ଅସଲ ଉଦ୍ଦେଶ୍ୟରୁ ଦୂରେଇ ଯାଉଥିବା ପରି ଦେଖାଯାଉଛି। ସମ୍ବିଧାନର ନିୟମ ଅନୁସାରେ ଜଣେ ଲୋକ ନିଜ ନିର୍ବାଚନମଣ୍ଡଳୀରେ ଯୋଗ୍ୟ ପ୍ରାର୍ଥୀ ଦେଖି ନିଜ ବିଚାରସମ୍ମତ ଭୋଟ ଦେବା ଓ ବିଜେତା ପ୍ରାର୍ଥୀ ଅର୍ଥାତ୍‌ ବିଧାୟକ ବା ଏମ୍‌ପିମାନେ ପରେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିବା କଥା। ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଲୋକମାନେ ନିଜ ପସନ୍ଦ ଅନୁସାରେ ପ୍ରାର୍ଥୀଙ୍କୁ ଭୋଟ ଦେବେ, ଯିଏ ତାଙ୍କ ସୁବିଧା ଅସୁବିଧାରେ ଠିଆ ହେବ ବା ତାଙ୍କ ଅଞ୍ଚଳକୁ ବିକାଶ ଦିଗରେ ବାଟ କଢ଼େଇ ନେବାରେ ସହାୟକ ହେବ। ଏହାର ଅର୍ଥ ଭିନ୍ନ ଭିନ୍ନ ନିର୍ବାଚନମଣ୍ଡଳୀର ଲୋକମାନଙ୍କର ଭୋଟ ଦେବାର ପ୍ରସଙ୍ଗ ଭିନ୍ନ ଭିନ୍ନ ହେବ। ଏହା କଦାପି ଗୋଟିଏ ହେବ ନାହିଁି। କିନ୍ତୁ ଏବେ ନିର୍ବାଚନୀ ବ୍ୟବସ୍ଥାରେ ଏକ ବଡ଼ ବ୍ୟତିକ୍ରମ ଦେଖାଯାଉଛି। ଲୋକମାନେ ଆଉ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଭୋଟ ଦେଉନାହାନ୍ତି ବା ଲୋକମାନଙ୍କୁ ସେମିତି କରେଇ ନ ଦେବା ପାଇଁ ରାଜନୈତିକ ଦଳ ଓ ନେତାମାନେ ରୀତିମତ ଚକ୍ରାନ୍ତ କରୁଛନ୍ତି। ନିର୍ବାଚନକୁ ସମ୍ପୂର୍ଣ୍ଣଭାବେ ଗୋଟିଏ ବ୍ୟକ୍ତିକୈନ୍ଦ୍ରିକ କରି ଦିଆଯାଉଛି, ଯାହା ନିର୍ବାଚନ ଉଦ୍ଦେଶ୍ୟର ପରିପନ୍ଥୀ।
ସମଗ୍ର ଦେଶରେ ବା ରାଜ୍ୟରେ ଯେଉଁଠି ଶତାଧିକ ଏମ୍‌ପି ବା ବିଧାୟକ ପଦବୀ ପାଇଁ ନିର୍ବାଚନ ହେଉଛି, ତାହା ଏବେ ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଛି। ନିର୍ବାଚନରେ ଲୋକମାନେ ନିଜ ଅଞ୍ଚଳର ପ୍ରସଙ୍ଗ ବା ବ୍ୟକ୍ତିଙ୍କୁ ଦେଖି ଭୋଟ ଦେଉନାହାନ୍ତି। ସାମ୍ପ୍ରତିକ ନିର୍ବାଚନକୁ ଯଦି ଦେଖିବା ତେବେ ଏକଥା ଆମେ ସ୍ପଷ୍ଟଭାବେ ବୁଝିପାରିବା। ସମ୍ପ୍ରତି ନିର୍ବାଚନରେ ଅତ୍ୟନ୍ତ ଚତୁରତାର ସହିତ ଚାରିଆଡ଼େ ପ୍ରଚାର କରାଯାଉଛି ଯେ ମୋଦି ବନାମ ରାହୁଲ ଗାନ୍ଧୀ। ସତେ ଯେମିତି ଏହା ଏକ ନିର୍ବାଚନ ନୁହେଁ, ମୋଦି ଓ ରାହୁଲ ଗାନ୍ଧୀଙ୍କ ଭିତରେ କୁସ୍ତିଯୁଦ୍ଧ ହେଉଛି। ଯଦି ସାରା ଦେଶରେ ମୋଦି ବନାମ ରାହୁଲ ଗାନ୍ଧୀଙ୍କୁ ନେଇ ଭୋଟ ହେବ, ତେବେ ଏଥିରେ ଲୋକମାନଙ୍କ ଭୂମିକା ରହିଲା କେଉଁଠି? ଯେଉଁ ଲୋକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଭୋଟ ଦେବେ, ସେମାନେ ତ ନିଜ ଅଞ୍ଚଳର ପ୍ରସଙ୍ଗକୁ ନେଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଦେଖି ଭୋଟ ଦେବା କଥା। ପରେ ସେ ପ୍ରାର୍ଥୀମାନେ ନିଜ ବିଚାର ଓ ବିବେକ ଅନୁସାରେ ପ୍ରଧାନମନ୍ତ୍ରୀ ଚୟନ କରିବାରେ ଅଂଶଗ୍ରହଣ କରିବେ। କିନ୍ତୁ ମୋଦି ବନାମ ରାହୁଲ ଗାନ୍ଧୀ ପରି ବ୍ୟକ୍ତିକୈନ୍ଦ୍ରିକ ପ୍ରଚାର କରାଯାଉଛି କାହଁିକି?
ସତ କହିବାକୁ ଗଲେ ରାଜନୈତିକ ଦଳମାନଙ୍କ ତରଫରୁ ଜାଣି ଜାଣି ଏପରି ଧ୍ରୁବୀକରଣର ପ୍ରୟାସ କରାଯାଉଛି। ଯାହା ଫଳରେ ଲୋକମାନଙ୍କ ମତ ବା ଭୂମିକା ଏଥିରେ ଗୌଣ ହୋଇଯାଉଛି। ନିର୍ବାଚନଟା ମୋଦି ବନାମ ରାହୁଲ ଗାନ୍ଧୀ କୈନ୍ଦ୍ରିକ ହେଉଥିବାରୁ ମୋଦିଙ୍କ ପାର୍ଟିରୁ ବା ରାହୁଲଙ୍କ ପାର୍ଟିରୁ ଯିଏ ବି ପ୍ରାର୍ଥୀ ହେଲା ଲୋକମାନେ ମୋଦି ଓ ରାହୁଲ ଗାନ୍ଧୀଙ୍କୁ ଆଖିରେ ରଖି ଭୋଟ ଦେଉଛନ୍ତି। ଯେଉଁମାନେ ମୋଦିଙ୍କୁ ଚାହଁୁଛନ୍ତି, ସେମାନେ ଆଉ ପ୍ରାର୍ଥୀଙ୍କ ଯୋଗ୍ୟତା ବା ବିଶ୍ୱସନୀୟତାକୁ ବିଚାର ନ କରି ସେହି ହାୱାରେ ଭୋଟ ଦେଉଛନ୍ତି। ରାହୁଲଙ୍କ କ୍ଷେତ୍ରରେ ବି ଠିକ୍‌ ଏକାପରି ହେଉଛି। ସ୍ଥାନୀୟ ପ୍ରସଙ୍ଗ ଓ ସମସ୍ୟା ଆଉ ଲୋକମାନଙ୍କର ଭୋଟ ଦେବାର ଆଧାର ହେଉନାହଁି। ବ୍ୟକ୍ତିକୈନ୍ଦ୍ରିକ ହାୱା ଏତେ ଜୋରରେ କରାଯାଉଛି ଯେ, ଲୋକମାନେ ଆଉ ପ୍ରାର୍ଥୀଙ୍କ ଭଲମନ୍ଦ ବିଚାର କରିବାକୁ ସୁଯୋଗ ପାଉନାହାନ୍ତି। ମୋଦି ବା ରାହୁଲ ଭଲ ବା ଖରାପ ଲୋକ ହୋଇପାରନ୍ତି, କିନ୍ତୁ ତାଙ୍କୁ ଆଖିରେ ରଖି ଭୋଟ ଦିଆଯିବା ଯୋଗୁ ସେମାନଙ୍କ ଦଳର ଅନେକ ଅଯୋଗ୍ୟ ବ୍ୟକ୍ତି ସଂସଦ ଭିତରକୁ ଯିବା ପାଇଁ ସୁଯୋଗ ପାଉଛନ୍ତି। କେବଳ ସଂସଦୀୟ କ୍ଷେତ୍ରରେ ଯେ ଏପରି ହେଉଛି ତାହା ନୁହେଁ। ବିଧାନସଭା ଭୋଟ କ୍ଷେତ୍ରରେ ମଧ୍ୟ ଏପରି ହେଉଛି। ଆମ ରାଜ୍ୟ ଓଡ଼ିଶାରେ ସମସ୍ତେ କହୁଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ଦେଖି ଆମେ ଭୋଟ ଦେଉଛୁ। ସେ ଯାହାକୁ ବି ପ୍ରାର୍ଥୀ କରୁଛନ୍ତି, ସେ ଚୋର ହେଉ କି ଅଯୋଗ୍ୟ ହେଉ ଲୋକମାନେ ତାଙ୍କୁ ଭୋଟ ଦେଉଛନ୍ତି। ଏଥିରେ ଭୋଟରମାନଙ୍କର ଦୋଷକୁ ଏଡ଼ାଇ ଦେଇହେବ ନାହଁି। ସେମାନେ ନିଜ ନିର୍ବାଚନମଣ୍ଡଳୀର ଯୋଗ୍ୟ ପ୍ରାର୍ଥୀଙ୍କୁ ନ ଦେଖି, ଉପରେ ଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଭୋଟ ଦେବା ଆଦୌ ଉଚିତ ନୁହେଁ। କିନ୍ତୁ ଅନ୍ୟ ପଟେ ଦେଖିଲେ, ଲୋକମାନଙ୍କୁ ଏପରି ଜାଲରେ ଫସେଇବା ପାଇଁ ରାଜନୈତିକ ଦଳମାନଙ୍କ ତରଫରୁ ଯୋଜନାବଦ୍ଧ ଭାବେ ବ୍ୟକ୍ତିକୈନ୍ଦ୍ରିକ ପ୍ରଚାର କରାଯାଉଛି। ଲୋକମାନଙ୍କୁ ଚିନ୍ତା କରିବା ପାଇଁ ବା ବିଚାର କରିବାକୁ ସମୟ କି ସୁଯୋଗ ଦିଆଯାଉନାହଁି।
ଅନେକେ କହିପାରନ୍ତି, ଦେଶରେ ବା ରାଜ୍ୟରେ ସ୍ଥିର ସରକାର ପାଇଁ ଏପରି ଭୋଟ ହେବା ଆବଶ୍ୟକ। କିନ୍ତୁ ସ୍ଥିର ସରକାର ଦେବା ନାଁରେ ଆମେ ଅଜାଣତରେ ଗୋଟେ ବ୍ୟକ୍ତିକୈନ୍ଦ୍ରିକ ବ୍ୟବସ୍ଥାକୁ ଧୀରେଧୀରେ ପ୍ରତିଷ୍ଠା କରୁଛେ ବୋଲି ଭୁଲିଯିବା ଉଚିତ ନୁହେଁ। ଗଣତନ୍ତ୍ର ନାଁରେ ଜଣତନ୍ତ୍ର ପ୍ରତିଷ୍ଠା ପାଇଁ ବାଟ ପରିଷ୍କାର ହେଉଛି। ଗଣତନ୍ତ୍ରରେ ଜଣେ ବ୍ୟକ୍ତି ହଁି ସବୁକିଛିର ନିୟନ୍ତ୍ରକ ହେବା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ। ଏହା ଧୀରେ ଧୀରେ ଏକ ଛଦ୍ମ ସ୍ବେଚ୍ଛାଚାରକୁ ଜନ୍ମ ଦେଇଥାଏ। ଏଥିପାଇଁ ଲୋକମାନେ ତ ସଚେତନ ହେବା ଜରୁରୀ, ତା’ ସହିତ ନିର୍ବାଚନ କମିଶନ ବି ଏଥିପାଇଁ କିଛି ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri