ବେନାମୀ ଧନର ମୂଳ ଉତ୍ସ କେଉଁଠି

ଡ. ସନ୍ତୋଷ କୁମାର ମହାପାତ୍ର

ନିକଟରେ ଝାଡ଼ଖଣ୍ଡରୁ ଜଣେ ରାଜ୍ୟ ସଭା ସଦସ୍ୟ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରେ ଆୟକର ବିଭାଗ ୫ଦିନ ଧରି ଚଢ଼ାଉ କରିଥିଲା। ଏହି ଚଢ଼ାଉ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସାହୁ ଗ୍ରୁପ୍‌ର କମ୍ପାନିରେ ହୋଇଥିଲା। ଆୟକର ବିଭାଗର ଅଧିକାରୀମାନେ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଏହି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଜବତ ହୋଇଥିବା କଳାଟଙ୍କା ଉପରେ ଆଭିମୁଖ୍ୟ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ। ଜନତାଙ୍କଠାରୁ ହରିଲୁଟ ହେଉଥିବା ଟଙ୍କା ଗୋଟି ଗୋଟି ଅସୁଲ କରାଯିବ ବୋଲି ମୋଦି କହିବା ପରେ ଜଣେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ଏହା ସହ କିଛି ମୌଳିକ ପ୍ରଶ୍ନ ଉଠାଇ ସେ ପଚାରିଛନ୍ତି, ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି?
ଜଣେ ଲୋକଠାରୁ ଏତେ ମାତ୍ରାରେ କଳାଟଙ୍କା ଆୟକର ବିଭାଗ ଉଦ୍ଧାର କରିବା ସୂଚାଉଛି ଯେ ଆମ ଶାସନ ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ଏବଂ ବିମୁଦ୍ରୀକରଣ ଦୁର୍ନୀତି ଓ କଳାଟଙ୍କା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଅବଶ୍ୟ ଆଗରୁ ଏପରି ଆୟକର ବିଭାଗ ତରଫରୁ ରେଡ୍‌ ହେଉଥିଲା। ଏଣୁ ଏବେ ରେଡ୍‌ ହେବାରେ କିଛି ନୂତନତ୍ୱ ନାହିଁ। ଦେଶବାସୀ ମୋଦିଙ୍କଠାରୁ ଏପରି ଗ୍ୟାରେଣ୍ଟି ଚାହାନ୍ତି- ଏପରି ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବେ, ଯେପରି ଦୁର୍ନୀତିର ସମ୍ପୂର୍ଣ୍ଣ ବିଲୋପ ଘଟିବ ଏବଂ କଳାଟଙ୍କା ସୃଷ୍ଟି ହେବନି କି ବିଦେଶକୁ ସ୍ଥାନାନ୍ତର ହେବନି। କିନ୍ତୁ ବର୍ତ୍ତମାନ କଳାଟଙ୍କା ଆଗ ଅପେକ୍ଷା ବେଶି ବୃଦ୍ଧିପାଇଛି। ଦୁର୍ନୀତି ଭିନ୍ନ ରୂପ ନେଇଛି। ଦୁର୍ନୀତିର ମୁଖ୍ୟ ଉତ୍ସ ହେଉଛି ଆମ ନିର୍ବାଚନ ପ୍ରକ୍ରିୟା। ନିର୍ବାଚନରେ ଲଢ଼ିବାକୁ ହେଲେ କୋଟି କୋଟି ଟଙ୍କା ଆବଶ୍ୟକ। ଅନେକ ଭୋଟର ମଧ୍ୟ ଭୋଟ ଦେବାପାଇଁ ଅର୍ଥ ନେଉଛନ୍ତି ବା ତାଙ୍କୁ ଲାଞ୍ଚୁଆ କରିଦିଆଯାଇଛି। ଏଣୁ ଆମ ବ୍ୟବସ୍ଥାରେ ଯେଉଁ ତ୍ରୁଟି ରହିଛି ତାହାର ପରିବର୍ତ୍ତନ ଆବଶ୍ୟକ। କିନ୍ତୁ ସେହି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାରେ ଲାଭବାନ୍‌ ଯେଉଁମାନେ ହେଉଛନ୍ତି, ସେମାନେ ପରିବର୍ତ୍ତନ ଚାହୁଁ ନାହାନ୍ତି।
ଚିନ୍ତାର ବିଷୟ ହେଉଛି ଅଧିକାଂଶ ନେତା ଓ ପ୍ରଶାସକ ଦୁର୍ନୀତିକୁ ଗୋଟିଏ ପଟେ ପ୍ରୋତ୍ସାହନ ଦିଅନ୍ତି, ସାଧାରଣଲୋକଙ୍କୁ ଭୂତେଇବା ପାଇଁ ଦୁର୍ନୀତି ବିରୋଧରେ ସର୍ବଦା କହିଥାନ୍ତି। ଯଦି କିଏ ଧରାପଡ଼ିଲା ତେବେ ତାହାକୁ କଠୋର ସମାଲୋଚନା କରନ୍ତି। ଏହାର ଅର୍ଥ, ଯେପର୍ଯ୍ୟନ୍ତ ଜଣକର ଦୁର୍ନୀତି ଓ କଳାଟଙ୍କା ଧରା ନ ପଡ଼ିଛି ବା ଧରିବାକୁ ଚେଷ୍ଟା କରାଯାଇନି, ସେପର୍ଯ୍ୟନ୍ତ ସେ ସାଧୁ ଓ ଦୁର୍ନୀତିମୁକ୍ତ। ବର୍ତ୍ତମାନ ଦେଶରେ ଏକ ଭୟଙ୍କର ଟ୍ରେଣ୍ଡ୍‌ ଦେଖାଦେଇଛି। ତାହା ହେଲା ଯିଏ ଶାସକ ଶ୍ରେଣୀର ଗୁଣଗାନ କଲା, ପ୍ରଶଂସା କଲା, ସବୁ ଦଳକୁ ଖୁସି କରି ରଖିଲା, ସେ ଯେତେ କଳାଟଙ୍କାର ପାହାଡ଼ ସୃଷ୍ଟି କଲେ ବା ବ୍ୟାଙ୍କ ଋଣ ନେଇ ନ ଶୁଝିଲେ ମଧ୍ୟ ଧରାପଡ଼ିବା ସମ୍ଭାବନା କମ। ଧରାପଡ଼ିଲେ ଦଣ୍ଡ ପାଇବାର ସମ୍ଭାବନା ବହୁତ କମ। ମୁକୁଳିବା ପାଇଁ ମଧ୍ୟ ଅନେକ ଚେଷ୍ଟା କରିବେ। କିନ୍ତୁ ଶାସକ ଶ୍ରେଣୀକୁ ସନ୍ତୁଷ୍ଟ ନ କଲେ ଧରାପଡ଼ି ଦଣ୍ଡ ପାଇବାର ସମ୍ଭାବନା ବହୁତ ଅଧିକ। ଏଣୁ ବହୁ ଲୋକ କଳାଟଙ୍କାର ପାହାଡ଼ ସୃଷ୍ଟି କଲେ ମଧ୍ୟ କ୍ୱଚିତ ଧରାପଡୁଛନ୍ତି ବା ଦଣ୍ଡିତ ହେଉଛନ୍ତି।
ବାସ୍ତବରେ ବେଶି ଦୁର୍ନୀତି ଘଟୁଛି ବ୍ୟାଙ୍କ ଋଣ ରାଇଟଅଫ୍‌ କରିବା ଯୋଗୁ। ୨୦୧୪-୧୫ରୁ ୨୦୨୨-୨୩ ଗତ ୯ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ୧୪.୫୬ ଲକ୍ଷ କୋଟି ଟଙ୍କାର ଖରାପ ଋଣ ରାଇଟଅଫ୍‌ କରିଛନ୍ତି। ସେହି ଟଙ୍କାରୁ ବୃହତ୍‌ ଶିଳ୍ପ ଏବଂ ସେବା ସଂସ୍ଥାଗୁଡ଼ିକର ପରିମାଣ ୭.୪୦ ଲକ୍ଷ କୋଟି ଟଙ୍କା। ପ୍ରାୟ ଯେତିକି ଋଣ ରାଇଟଅଫ୍‌ ହେଉଛି ତାହାର ମାତ୍ର ୧୫%ରୁ ୧୮% ଫେରୁଛି। ଅବଶିଷ୍ଟ ଫେରୁନାହିଁ। ଏହାର ଅର୍ଥ ଗତ ୯ ବର୍ଷରେ ୧୨ ଲକ୍ଷ କୋଟି ଟଙ୍କା କାହା ପକେଟ୍‌କୁ ଯାଇଛି। କେତେଜଣ ବିଦେଶରେ ଆରାମ ଜୀବନ ବିତାଉଛନ୍ତି। ଏମାନେ କ’ଣ କମ ଦୋଷୀ ? ଏମାନେ କେବେ ଶାସକଶ୍ରେଣୀ ଓ କ୍ଷମତାଶାଳୀଙ୍କ ବିନା ସହଯୋଗରେ ଏପରି ଲୁଟିପାରିବେ?
ସେହିପରି ବିଭିନ୍ନ ପ୍ରକଳ୍ପର ଧାର୍ଯ୍ୟ ବ୍ୟୟଠାରୁ ବହୁ ଅଧିକ ଖର୍ଚ୍ଚ କରାଯାଉଛି, ଯାହା ବେଆଇନ ଏବଂ ସେହି ବର୍ଦ୍ଧିତ ବ୍ୟୟ ଏକପ୍ରକାର ସ୍କାମ୍‌ କହିଲେ ଭୁଲ୍‌ ହେବନି। ଭାରତର ସିଏଜଙ୍କ ଏକ ଅଡିଟ୍‌ ରିପୋର୍ଟ ଅନୁଯାୟୀ ଭାରତମାଲା ପରିଯୋଜନାରେ ୨୦୧୭-୧୮ରୁ ୨୦୨୦-୨୧ପର୍ଯ୍ୟନ୍ତ ଧାର୍ଯ୍ୟ ବ୍ୟୟଠାରୁ ମୂଲ୍ୟ ବୃଦ୍ଧି ଯୋଗୁ ୭.୫ ଲକ୍ଷ କୋଟି ଅଧିକ ବ୍ୟୟ ହେବ। ବାସ୍ତବରେ କିଛି ଲୋକଙ୍କର ହାତ ଚିକ୍କଣ ପାଇଁ ଏହା ବୃଦ୍ଧି କରାଯାଇନି ତ? ଏହା ଏକପ୍ରକାର ସ୍କାମ୍‌। ସେହିପରି ଷ୍ଟକ୍‌ ମାର୍କେଟରେ ଅନିୟମିତତା ଯୋଗୁ ରାତାରାତି କିଛି କମ୍ପାନୀଙ୍କ ମାର୍କେଟ କ୍ୟାପିଟାଲାଇଜେଶନ ବୃଦ୍ଧି ଘଟି ସମ୍ପଦ ଅହେତୁକ ବୃଦ୍ଧି ପାଉଛି। ନିକଟରେ ଗୋଟିଏ ସପ୍ତାହରେ ଆଦାନୀଙ୍କ ସମ୍ପଦ ୫.୬ ବିଲିୟନ ଡଲାର ବା ୪୬,୪୮୦ କୋଟି ଟଙ୍କା ବୃଦ୍ଧି ପାଇଛି।
ଜିଏସ୍‌ଟି ପ୍ରଚଳନ ପୂର୍ବରୁ ଏହା ଟିକସ ଫାଙ୍କି ରୋକିବ ବୋଲି କୁହାଯାଉଥିଲା। କିନ୍ତୁ ଦେଶରେ ଜିଏସ୍‌ଟି ଟିକସ ଫାଙ୍କି ୪.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ମାତ୍ର ୧.୧ ଲକ୍ଷ କୋଟି ଟଙ୍କା ପୁନରୁଦ୍ଧାର ହୋଇଛି, ଯାହା ସମୁଦାୟ ଟିକସ ଫାଙ୍କିର ପ୍ରାୟ ୨୫%। ଚଳିତ ଆର୍ଥିକ ବର୍ଷରେ ଅକ୍ଟୋବର ସୁଦ୍ଧା ଟିକସ ଫାଙ୍କି ୧.୫୧ ଲକ୍ଷ କୋଟି ଟଙ୍କା। ଯଦି ଆମେ ଆୟକର ବକେୟା ବିଷୟରେ କହିବା, ତେବେ ୨୦୧୩-୧୪ପର୍ଯ୍ୟନ୍ତ ଏହି ପରିମାଣ ୫ ଲକ୍ଷ ୭୫ ହଜାର କୋଟି ଟଙ୍କା ଥିଲା, ଯାହା ୨୦୧୭-୧୮ ସୁଦ୍ଧା ୧୧, ୧୪,୧୮୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୩-୧୪ରେ ୯୬% ବକେୟା ଟିକସ ‘ପୁନରୁଦ୍ଧାର କରିବା କଷ୍ଟକର’ ବୋଲି ବିବେଚନା କରାଯାଉଥିବାବେଳେ ୨୦୧୭-୧୮ ସୁଦ୍ଧା ୯୮% ବକେୟା ଟିକସ ‘ପୁନରୁଦ୍ଧାର କରିବା କଷ୍ଟକର’ ବୋଲି ବିବେଚନା କରାଯାଉଛି। ସେହିପରି ଷ୍ଟେଟ୍‌ ଅଫ୍‌ ଟ୍ୟାକ୍ସ ଜଷ୍ଟିସ ରିପୋର୍ଟରେ କୁହାଯାଇଛି ଯେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଟିକସ ଆଇନ ଅପବ୍ୟବହାର ଏବଂ ବ୍ୟକ୍ତିଗତ ଟିକସ ଫାଙ୍କି ଯୋଗୁ ଭାରତ ପ୍ରତିବର୍ଷ ୧୦.୩ ବିଲିୟନ ଡଲାରରୁ ଅଧିକ ଟିକସ ହରାଉଛି।
ବିଭିନ୍ନ ଟିକସ ଭୂସ୍ବର୍ଗ ବା ଆଶ୍ରୟସ୍ଥଳୀ ଯଥା ମରିସସ, ସ୍ବିଜରଲାଣ୍ଡ, ଲିଚଟେଷ୍ଟାଇନ, ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ ଇତ୍ୟାଦିରେ କଳାଟଙ୍କା ରଖିଲେ ନାମ ଲୁକ୍କାୟତ ରୁହେ ଏବଂ ଟିକସ ପଡ଼େନା କିମ୍ବା ବହୁତ କମ ଟିକସ ପଡ଼େ। ଧନୀ, କ୍ଷମତାଶାଳୀ ଟିକସ ଫାଙ୍କିବା ପାଇଁ ଏହାର ସୃଷ୍ଟି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟରୋ(ସିବିଆଇ) ଅନୁଯାୟୀ ୨୦୧୨ ବେଳେ ବିଦେଶରେ ଟିକସ ଭୂସ୍ବର୍ଗରେ ଭାରତୀୟ ୫୦୦ ବିଲିୟନ କଳାଟଙ୍କା ରଖିଥିଲେ। ବର୍ତ୍ତମାନ ଏହା ବହୁ ଅଧିକ। ଏହିପରି ଟିକସ ଭୂସ୍ବର୍ଗରେ ଟଙ୍କା ରଖିବାରେ ୨୦୧୬ରେ ପାନାମା ପେପର୍ସରେ ପ୍ରାୟ ୫୦୦ ଭାରତୀୟଙ୍କ ନାମ ଉଲ୍ଲେଖ ହୋଇଥିଲା, ଯେଉଁମାନେ ୨୦,୦୭୮ କୋଟି ଟଙ୍କା ରଖିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଅମିତାଭ ବଚ୍ଚନ, ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ, ଅଭିନେତା ଅଜୟ ଦେବଗନ, ବ୍ୟବସାୟୀ ବିଜୟ ମାଲ୍ୟା ଓ ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲ୍‌ଭେ। ସେହିପରି ୨୦୨୧ ‘ପାଣ୍ଡୋରା ପେପର୍ସ’ରେ ୩୮୦ରୁ ଅଧିକ ଭାରତୀୟଙ୍କ ନାମ ଉଲ୍ଲେଖ ହୋଇଥିଲା। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଅଭିନେତା ଜ୍ୟାକି ଶ୍ରଫ ଏବଂ ଅନିଲ ଅମ୍ବାନୀ ଏବଂ କିରଣ ମଜୁମଦାର ଖାଁଙ୍କ ଭଳି ଉଦ୍ୟୋଗୀଙ୍କ ନାମ ଉଲ୍ଲେଖ ରହିଥିଲା। ବାସ୍ତବରେ ଯେଉଁମାନେ ଦୁର୍ନୀତିର ମୂଳ ଉତ୍ସ ତାଙ୍କୁ ଆଇନ ସ୍ପର୍ଶ କରିପାରୁନି। ଦୁର୍ନୀତି ବିରୋଧୀ ସ୍ଲୋଗାନ କେବଳ ଲୋକଙ୍କୁ ଭୁଆଁବୁଲାଇବା ସଦୃଶ।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri