ବିଦ୍ୟୁତ୍‌ ସଂସ୍କାର: ପ୍ରଗତି ନା ପ୍ରତାରଣା

କୈଳାସ ରାୟ
ବକେୟା ଆଦାୟ ପାଇଁ ବିଦ୍ୟୁତ୍‌ କାଟ୍‌ର ଚେତାବନୀ ଏବଂ ବିଦ୍ୟୁତ୍‌ ସେବାରେ ସମ୍ପୃକ୍ତ କମ୍ପାନୀମାନଙ୍କ ଶୁଳ୍କବୃଦ୍ଧି ଆବେଦନରୁ ହିଁ ଏଭଳି ଏକ ପ୍ରସଙ୍ଗ ଓ ପ୍ରଶ୍ନର ଅବତାରଣା। ସେସୁ ସମେତ ଚାରୋଟିଯାକ ବଣ୍ଟନକାରୀ କମ୍ପାନୀ ବାକି ଟଙ୍କା ଆଦାୟ ଲାଗି ଗଣମାଧ୍ୟମ ମୁଖର କରି ସୂଚନା ପ୍ରସାରଣ କରିଆସୁଛନ୍ତି ଯେ, ସେମାନେ ଦେବାଳିଆ ଅବସ୍ଥା ଦେଇ ଗତି କରୁଛନ୍ତି। ବାକି ଟଙ୍କା ଆଦାୟ ନ ହେଲେ କମ୍ପାନୀଗୁଡିକୁ ଚଳାଇବା ସମ୍ଭବ ହେବନାହିଁ। ସମାନ୍ତର ଭାବରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରିବା ପାଇଁ ସମ୍ପୃକ୍ତ କମ୍ପାନୀ ଓ କର୍ପୋରେଶନଗୁଡ଼ିକ ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ନିୟାମକ ଆୟୋଗ ଖୁବ୍‌ ନିକଟରେ ହୁଏତ ଶୁଳ୍କ ବୃଦ୍ଧି ସମ୍ପର୍କରେ ମତ ଦେବେ (ଶୁଳ୍କ ବୃଦ୍ଧି କରିବା ଛଡା ଆୟୋଗଙ୍କର ଅନ୍ୟ କୌଣସି ନିୟନ୍ତ୍ରଣ ଥିବା ଭଳି ମନେହୁଏ ନାହିଁ)। ଉପରୋକ୍ତ ଘଟଣାଚକ୍ରରୁ ଏହା ହିଁ ହୃଦ୍‌ବୋଧ ହେଉଛି ଯେ, ସମ୍ପୃକ୍ତ କମ୍ପାନୀ ଓ କର୍ପୋରେଶନଗୁଡ଼ିକ ବୋଧହୁଏ ଆଜିଯାଏ ସଂସ୍ଥା ପରିଚାଳନା ଛାଡି ଘରୁ ଖାଇ ଘୋଡା ଆଗରେ ଡେଇଁବା ଅଭ୍ୟାସ କରୁଥିଲେ। କାରଣ ବିଜୁଳି କିଣି ଉପଭୋକ୍ତାଙ୍କୁ ବିକ୍ରି କରୁଥିବା ଏହି ବିତରକ କମ୍ପାନୀଗୁଡ଼ିକ ବିଦ୍ୟୁତ୍‌ କ୍ରୟ ବାବଦ ଋଣ ଭାରରେ ବୁଡିଥିବା ଗ୍ରୀଡ୍‌କୋର ଦେୟ ଚାରି ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବାକି ରଖିଥିବା ବେଳେ ସରକାର ଗ୍ୟାରେଣ୍ଟର ପଡି ଦେଇଥିବା ତିନି ହଜାର କୋଟିରୁ ଊର୍ଦ୍ଧ୍ୱ ଋଣ ପରିଶୋଧ କରୁନାହାନ୍ତି। ଉପଭୋକ୍ତାଙ୍କଠାରୁ ନିଜର ପ୍ରାପ୍ୟ ମଧ୍ୟ ଅସୁଲ କରିବାକୁ ସକ୍ଷମ ହେଉନାହାନ୍ତି। ଅନ୍ୟପକ୍ଷରେ ଉପଭୋକ୍ତାଙ୍କୁ ନିର୍ଦ୍ଧାରିତ ମାନର ସେବା ଯୋଗାଇବାକୁ ସମର୍ଥ ହେଉ ନ ଥିବାବେଳେ ନିର୍ଦ୍ଧାରିତ ପରିମାଣର ସରବରାହ ଓ ବଣ୍ଟନଜନିତ କ୍ଷତି ମଧ୍ୟ ହ୍ରାସ କରିପାରି ନାହାନ୍ତି।
ସଂସ୍କାରକୁ ଅନ୍ଧକାରରୁ ଆଲୋକକୁ ଯାତ୍ରା ବୋଲି ଅଭିହିତ କରି ୧୯୯୫ରୁ ସଂସ୍କାର ଯୋଜନା ଓ ରୂପାୟନ ପ୍ରକ୍ରିୟାରେ କୋଟି କୋଟି ଟଙ୍କା ବ୍ୟୟ କରାଗଲା ଏବଂ ଦୀର୍ଘକାଳର କଷ୍ଟଲବ୍ଧ ଭିତ୍ତିଭୂମି ରାଜ୍ୟ ବିଦ୍ୟୁତ୍‌ ବୋର୍ଡକୁ ଭାଙ୍ଗି ଗ୍ରୀଡ୍‌କୋ, ଓଏଚ୍‌ପିସି, ସେସ୍କୋ, ନେସ୍କୋ, ଓ୍ବେସ୍କୋ ଓ ସାଉଥ୍‌କୋ ପ୍ରଭୃତି କମ୍ପାନୀ ଗଢାଯାଇ ସେମାନଙ୍କୁ ରାଜ୍ୟର ବିଦ୍ୟୁତ୍‌ ସେବା ଦାୟିତ୍ୱ ଦିଆଗଲା। ସଂସ୍କାରର ପ୍ରତିଶ୍ରୁତ ଲକ୍ଷ୍ୟ ଥିଲା- ପରିଚାଳନା ଦକ୍ଷତା ବୃଦ୍ଧି, ଭିତ୍ତିଭୂମି ସଶକ୍ତୀକରଣ, ଉତ୍ପାଦନ ଅଭିବୃଦ୍ଧି, କ୍ଷତି ହ୍ରାସ, ଉନ୍ନତମାନର ସୁଲଭ ଉପଭୋକ୍ତା ସେବା ପ୍ରଦାନ ଏବଂ ସର୍ବୋପରି ଏଥିପାଇଁ ନିବେଶ ଲାଗି ଆବଶ୍ୟକ ବ୍ୟାପକ ପୁଞ୍ଜି ଆକର୍ଷଣ ଓ ଆହରଣ।
ଅଦ୍ୟାବଧି ନିର୍ଦ୍ଧାରିତ ଲକ୍ଷ୍ୟ କେତେ ପରିମାଣରେ ହାସଲ ହୋଇଛି ତାହାର ବାସ୍ତବ ଆକଳନ କରାଗଲେ, ଏକ ବିସ୍ତୃତ ବିବରଣର ସଂକ୍ଷିପ୍ତ ସାରାଂଶ ଏହା ହିଁ ହୋଇପାରେ- ‘ମେଣ୍ଢା ଧୋଉ ଧୋଉ ନିର୍ବାଳ।’ ଅଭିଶପ୍ତ ମେଣ୍ଢାଟିମାନ ରାଜ୍ୟର କଷ୍ଟଲବ୍ଧ ବିଦ୍ୟୁତ୍‌ ଭିତ୍ତିଭୂମି, ଆକ୍ରାନ୍ତ ଉପଭୋକ୍ତା ଏବଂ ରାଜ୍ୟ ସରକାର ହୋଇପାରନ୍ତି, କାରଣ ସେଇମାନେ ହିଁ ବୋଝ ବୋହୁଛନ୍ତି। ଗଲା ପଚିଶ ବର୍ଷରେ ଏକ ଟଙ୍କାର ଆହରଣୀୟ ପୁଞ୍ଜିନିବେଶ ସମ୍ଭବ ହୋଇପାରି ନାହିଁ। ପୁଞ୍ଜି ଆକର୍ଷଣ ପରିବର୍ତ୍ତେ ଅବାଧ ବିକର୍ଷଣ ଘଟିଛି। ଫଳତଃ ଶୂନ୍ୟ ପୁଞ୍ଜିରେ ରାତାରାତି କମ୍ପାନୀମାନ ଗଢିଉଠି କୋଟିପତି ବନିଛନ୍ତି। ଭିକାରିଙ୍କ ଭଙ୍ଗା ସାଇକେଲ ‘ଅଡି’ କାରରେ ରୂପାନ୍ତରିତ ହୋଇଛି। ନୂଆ ରୂପରେ, ନୂଆ କୌଶଳରେ ରାଜ୍ୟ ଓ ରାଷ୍ଟ୍ରର ସ୍ବାର୍ଥ ଲୁଣ୍ଠନ ହେବା ସାଙ୍ଗକୁ ବ୍ୟକ୍ତିସ୍ବାର୍ଥ ସାଧନର ଇତିହାସ ପରିପୁଷ୍ଟ ହୋଇଛି। ଆମରି ଖାଇ ଆମକୁ ନାଲି ଆଖି ଦେଖାଇ, ଭୁଆଁ ବୁଲାଇ, କାଠଗଡାରେ ଛିଡାକରି ଶହ ଶହ କୋଟି ଲୁଟି ବିଦେଶୀ, ଦେଶୀ କମ୍ପାନୀଗୁଡ଼ିକ ସହଜରେ ଖସିଯାଇ ପାରିଛନ୍ତି। ଥରକୁ ଥର ଚୋର ଚାଲିଗଲା ପରେ ହିଁ ଆମଠି କେବଳ ଲୋକଦେଖାଣିଆ ଚେତା ପଶିଛି ଏବଂ ଆମେ ସେହି ଅଭ୍ୟାସର ପୁନରାବୃତ୍ତି କରି ଆମ ସମ୍ବଳର ସୁରକ୍ଷା ଓ ସୁପରିଚାଳନା ନାମରେ ଆଉ ଜଣେ ଚୋରକୁ ସାଧୁ ଦର୍ଶାଇ ସିଂହାସନରେ ଅଭିଷିକ୍ତ କରିଆସୁଛେ। ଏଭଳି ଘଟଣାର ପୁନରାବୃତ୍ତି ହିଁ ଘଟିଚାଲିଛି ଏବଂ ସଂସ୍କାରର ରସ (ବୋଧହୁଏ ଉପଭୋକ୍ତାଙ୍କ ରକ୍ତ) ମିଳିମିଶି ଚୋରମାନେ ହିଁ ସେବନ କରି ଚାଲିଛନ୍ତି। ଫଳରେ ଉପଭୋକ୍ତାଙ୍କ ରକ୍ତର ସ୍ବାଦ ବଢିଚାଲିଛି ଏବଂ ତାହା ମଧ୍ୟ ସହଜଲବ୍ଧ ହୋଇପାରୁଛି।
ଏଭଳି ଅଭ୍ୟାସର ମୂଳ କାରଣ ଖୋଜିଲେ ନଗ୍ନଚିତ୍ର ଦିଶିବ ଯେ, ସଂସ୍କାର ଆରମ୍ଭରୁ ଆଜିଯାଏ ରାଜ୍ୟ ଶାସନରେ ଥିବା ସରକାର ଓ ବିରୋଧୀ ଏକ ହିଁ ଲାଉର ମଞ୍ଜି ଏବଂ ଯିଏ ଯାହା ଅମଳରେ ମାପିଚୁପି ଘରୋଇ କମ୍ପାନୀ ପ୍ରୀତିର ପ୍ରବକ୍ତା-ପ୍ରତିବାଦୀ-ପ୍ରବକ୍ତା ଭୂମିକା ନିଖୁଣଭାବେ ନିର୍ବାହ କରୁଛନ୍ତି। ଦ୍ୱିତୀୟତଃ ରାଜ୍ୟ ବିଦ୍ୟୁତ୍‌ ସେବାକୁ ସଂସ୍କାରିତ ଓ ନିର୍ମଳ କରିବାର ସୂତ୍ରଧର ରୂପେ ଯେଉଁ ଅଭିଜ୍ଞମାନଙ୍କୁ ସୁଯୋଗ ଦିଆଗଲା ସେଇମାନଙ୍କ ଭିତରୁ ଅନେକେ ହିଁ ବିଦ୍ୟୁତ୍‌ ବୋର୍ଡକୁ ନିର୍ମୂଳ କରିବାର ମୁଖ୍ୟ ପୁରୋଧା ଥିଲେ। କେଉଁ ସ୍ବାର୍ଥରେ ବା କାହା ସ୍ବାର୍ଥରେ ସକଳ ସମ୍ବଳ ସମୃଦ୍ଧ ଆମ ରାଜ୍ୟର ଆଲୋଚ୍ୟ ସଂସ୍ଥାଗୁଡିକ ଦେବାଳିଆ ହେଲା ତାହା ଆଉ ଅଧିକ ଉଲଗ୍ନ କରିବା ନିଷ୍ପ୍ରୟୋଜନ।
ପ୍ରସଙ୍ଗକ୍ରମେ ଯେଉଁ ପ୍ରଶ୍ନଗୁଡିକୁ ଆଉ ଅଧିକକାଳ ଅଣଦେଖା କରି ହେଉନାହିଁ, ତାହା ହେଲା- ରାଜ୍ୟରେ ବିଦ୍ୟୁତ୍‌ ସଂସ୍କାର କ’ଣ ବ୍ୟବସ୍ଥାକୁ ଦେବାଳିଆ କରିବା ପାଇଁ ଆପଣାଯାଇଥିଲା କି? ସଂସ୍କାର ପ୍ରକ୍ରିୟାର ରସ କ’ଣ ଉପଭୋକ୍ତାଙ୍କ ରକ୍ତ କି? ଉପଭୋକ୍ତା କିମ୍ବା ରାଜ୍ୟ ରାଜକୋଷ ବ୍ୟତୀତ କେବଳ ଘରୋଇ କମ୍ପାନୀ, ଠିକାଦାର ଏବଂ ସେମାନଙ୍କ ଦଲାଲମାନଙ୍କୁ ପୋଷିବା ପାଇଁ ଅର୍ଥାତ୍‌ ଚୋରଙ୍କୁ ଚାରିଖୁଣ୍‌ ମାଫ୍‌ କରି ଆଲୋକରୁ ଅନ୍ଧାରକୁ ଯାତ୍ରା ପାଇଁ ସଂସ୍କାର ପ୍ରକ୍ରିୟା ଆପଣାଯାଇଥିଲା କି? ଏଭଳି ଅପସଂସ୍କାରର ଆୟୁଷ ଆଉ କେତେକାଳ?
ଏ ପ୍ରଶ୍ନର ଉତ୍ତର ଦେବ କିଏ? ଏଇଏସ୍‌, ବିଏସ୍‌ଇଏସ୍‌, ରିଲାଏନ୍ସ, ଏନ୍‌ଜେନ, ଫେଡ୍‌କୋ ପ୍ରଭୃତି ହସ୍ତୀ ଏବଂ ଆର୍‌ୟୁପିଏଲ୍‌, ଏସ୍‌ୟୁପିଏଲ୍‌, ନୀଳାଚଳ ପାଓ୍ବାର ନେଟ୍‌ଓ୍ବର୍କ/ଏନର୍ଜି ପ୍ରଭୃତି ଖୁଚୁରା ଠକ, ଠିକାଦାରଙ୍କୁ ପୋଷିଲା ପରେ ଏବଂ ସେମାନଙ୍କଠାରୁ ଠିକିଲା ପରେ ମଧ୍ୟ ସରକାର ଓ ନିୟାମକ ଆୟୋଗ ଏବେ ଟାଟା ପାଓ୍ବାରକୁ ଯାଚି ଗୁଞ୍ଜି ସେସୁକୁ ବିକ୍ରି କରୁଛନ୍ତି। ଆଗକୁ ଅନ୍ୟାନ୍ୟ କମ୍ପାନୀମାନ ବିକ୍ରି ହେବ। ଏହି ନେଣଦେଣ ଅନୈତିକ ଏବଂ ରାଜ୍ୟ ସ୍ବାର୍ଥବିରୋଧୀ ବୋଲି ଅଭିଯୋଗ ହେଉଥିଲେ ମଧ୍ୟ ସରକାର ଏବେ ନିର୍ବୀର୍ଜ୍ୟ ଭୂମିକା ନିର୍ବାହ କରୁଛନ୍ତି। ବିଦ୍ୟୁତ୍‌ ସେବା ଭଳି ସମ୍ବେଦନଶୀଳ ଅତ୍ୟାବଶ୍ୟକ କ୍ଷେତ୍ରରେ ଏଭଳି ଦାୟିତ୍ୱହୀନତା ଆଗକୁ କେଉଁ ପରିଣତି ଦେବ ତାହା ହିଁ ଉଦ୍‌ବେଗର କାରଣ। ଗଣତାନ୍ତ୍ରିକ ସରକାରଟିଏ ନିଜେ ଯେଉଁଠି ନୈତିକ ଦାୟିତ୍ୱ ଗ୍ରହଣ କରିବାକୁ ଅନିଚ୍ଛୁକ ସେ କାହାଠାରୁ କିଭଳି ଉତ୍ତରଦାୟିତ୍ୱ ଖୋଜିବ? ଇଏ ତ ବଳିର ଘାତକ ମଥାରେ ସିନ୍ଦୂର ପିନ୍ଧାଇବା ଭଳି କଥା।
‘ମୋ ସରକାର’ର ଅପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ‘୫-ଟି’ ଟିମ୍‌କୁ ଆମେ ଦୈନିକ ଧରିତ୍ରୀର ୨୩ା୭ା୨୦୦୧ ସମ୍ପାଦକୀୟ ‘ଆମେ ଯାଉଛୁ କହି ଚୋର ଚାଲିଲେ’ ଥରେ ପଢିବାକୁ ଅନୁରୋଧ କରୁଛୁ। ସମ୍ପାଦକୀୟ ଚେତାବନୀ ଥିଲା- ଶେଷରେ ଓଡିଶାକୁ ଏକ ଗୁରୁତର ବିଦ୍ୟୁତ୍‌ ଏବଂ ଆର୍ଥିକ ସଙ୍କଟରେ ପକାଇ ଏଠାରେ ବ୍ୟବସାୟ କରିବା ସମ୍ଭବ ନୁହେଁ ବୋଲି କହି ଏଇଏସ୍‌ ପୁନର୍ବାର ପେଡିପୁଟୁଳା ବାନ୍ଧିବ। ଆଜି ଯାଉ କିମ୍ବା ଛ’ ମାସ ପରେ ଯାଉ, ଏଇଏସ୍‌ ଏକତରଫା ଅତ୍ୟଧିକ ଲାଭ ଚୋରି କରି ବିଦାୟ ନେବ। ବିଦ୍ୟୁତ୍‌ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ନିଜର ସୁବିଧା ହାସଲ କରି ମଜା ଦେଖୁଛନ୍ତି।
ବାସ୍ତବରେ ତାହା ହିଁ ଘଟିଥିଲା ଏବଂ ଆଜି ବି ଘଟୁଛି। ସରକାର ଏଭଳି କ୍ଳୀବ ଭୂମିକା ନିର୍ବାହ କଲେ ଏବଂ ଲୋକେ ସବୁ ସହିନେଲେ ବେପାରୀମାନେ ସେହି ଘଟଣାର ପୁନରାବୃତ୍ତି ହିଁ କରିବେ। କାରଣ ଗୋଟିଏ ପଟେ ରାଜ୍ୟ ବିଦ୍ୟୁତ୍‌ ବ୍ୟବସ୍ଥା ଏକ ଅତ୍ୟନ୍ତ ଦୟନୀୟ, ଅସହାୟ, ଛେଉଣ୍ଡ ଅବସ୍ଥାରେ ଥିବାବେଳେ ଅନ୍ୟପଟେ ଓଡ଼ିଶାର ନିରୀହ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ରକ୍ତ ସାରା ଭାରତରେ ଏବେ ସବୁଠୁ ସୁଆଦିଆ, ଶସ୍ତା ଓ ତାହାର ଅବାଧ ସେବନ ପାଇଁ ଅଧିକର୍ତ୍ତାଏ ପଛଦ୍ୱାରରେ ମାଗଣା ଲାଇସେନ୍ସ ଦେଉଛନ୍ତି।
ଅନିଳାଞ୍ଚଳ, ମାରୁତି ନଗର, ପୁରୀ-୨, ମୋ-୯୯୩୮୩୮୨୪୪୦
(ଏହା ହେଉଛି ଲେଖକଙ୍କ ନିଜସ୍ବ ମତ। ଏ ସମ୍ପର୍କରେ ଧରିତ୍ରୀର କୌଣସି ମତ ନାହିଁ।)


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri