ବାବୁଙ୍କ କ୍ଷମତା ମୋହ

ଡ. ଷ୍ଟାଲିନ୍‌ ମିଶ୍ର

ଭାରତୀୟ ପ୍ରଶାସନିକ ଅଧିକାରୀ କିମ୍ବା ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ଚାକିରି କାଳରେ ଜିଲା, ତହସିଲ ତଥା ବ୍ଲକର ଜନତାଙ୍କ ସମସ୍ୟା ବୁଝିବାକୁ, ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ତଥା ବିକାଶଧାରାକୁ ତ୍ୱରାନ୍ବିତ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ପାଇଥାନ୍ତି। ଲୋକପ୍ରତିନିଧିମାନେ ସେପରି ସୁଯୋଗ ପାଇ ନ ଥାନ୍ତି। ସେମାନେ ନିଜ ନିଜ ନିର୍ବାଚନ କ୍ଷେତ୍ର ମଧ୍ୟରେ ସୀମିତ। ନେତାମାନଙ୍କ ଉପରେ ଦଳୀୟ ଶୃଙ୍ଖଳା ଲାଗୁ ହୁଏ, ସେମାନେ ଚାହିଁଲେ ବି ଖୋଲାଖୋଲି ନିଜ ଦଳ କିମ୍ବା ସରକାର ବିରୋଧରେ ମନ୍ତବ୍ୟ ଦେଇପାରନ୍ତି ନାହିଁ। ଅନିଚ୍ଛାକୃତ ଭାବେ ଦଳୀୟ ତଥା ସରକାରୀ ଅନୀତିକୁ ସମର୍ଥନ କରିଥାନ୍ତି ଅଥବା ନୀରବ ରହିଥାନ୍ତି। କିନ୍ତୁ ବାବୁମାନେ ଏସବୁ ଶୃଙ୍ଖଳରୁ ମୁକ୍ତ। ସେମାନଙ୍କୁ ସରକାରୀ ତଥା ଦଳୀୟ ଚାପରେ କାମ କରିବାକୁ କେହି ବାଧ୍ୟ କରି ପାରିବେ ନାହିଁ। ଆମ ଦେଶର ସମ୍ବିଧାନ ସରକାରୀ ବାବୁମାନଙ୍କୁ କୌଣସି ରାଜନୈତିକ ଚାପକୁ ଭ୍ରୂକ୍ଷେପ ନକରି ଜନତାଙ୍କ ସେବା କରିବାକୁ ଅଖଣ୍ଡ କ୍ଷମତା ଦେଇଛି। କିନ୍ତୁ ସେମାନେ ଚାକିରି କାଳରେ କେବେ ବି ଜନତାଙ୍କ ହିତସାଧନ ପାଇଁ ସେହି ଅଖଣ୍ଡ କ୍ଷମତା ପ୍ରୟୋଗ କରିନଥାନ୍ତି। ବରଂ ସରକାରଙ୍କ ସମସ୍ତ ଅନୈତିକ କାର୍ଯ୍ୟକୁ ପୂର୍ଣ୍ଣ ସହାୟତା ପ୍ରଦାନ କରିଥାନ୍ତି ତଥା କଳା କାରନାମାରେ ଭାଗୀଦାର ହୋଇ ଅସତ ଧନ ଠୁଳ କରିଥାନ୍ତି।
ଏପରି ଅସତ ବାବୁମାନଙ୍କ ଚିଠା ଲମ୍ବା। ଆମ ରାଜ୍ୟରେ ଏପରି ଅନେକ ବାବୁ କ୍ଷମତା ଲାଳସାରେ ସେବାନିବୃତ୍ତି ପରେ ରାଜନୀତିରେ ପ୍ରବେଶ କରିବା ଦେଖାଯାଏ। ଯେଉଁ ପଦସ୍ଥ ବାବୁମାନେ ନିଜ ଚାକିରି କାଳରେ ସମସ୍ତ ସୁବିଧା ସୁଯୋଗ ପାଇ ମଧ୍ୟ ଦେଶ ତଥା ଜନତାଙ୍କ ସେବା କରିପାରିଲେ ନାହିଁ, କୌଣସି ସମସ୍ୟାର ସ୍ଥାୟୀ ସମାଧାନର ସୂତ୍ର ପାଇପାରିଲେ ନାହିଁ ସେମାନେ ସେବାନିବୃତ୍ତି ପରେ ବୟସର ଅପରାହ୍ନରେ ଅଧିକ କ’ଣ କରିପାରିବେ ?
ପ୍ରକୃତ କଥା ହେଲା ଜଣେ ଯେତେ ଉଚ୍ଚପଦସ୍ଥ ଅଧିକାରୀ ହେଲେ ମଧ୍ୟ ସେବାନିବୃତ୍ତିି ପରେ ସେ ସାଧାରଣ ଲୋକ। ନା କେହି ତାଙ୍କୁ ଭୟ କରନ୍ତି ନା ତାଙ୍କ ହୁକୁମ ମାନନ୍ତି। କେବଳ ସରକାରୀ ଚାକିରି ଜୀବନର କ୍ଷମତା, ସୁବିଧା ସୁଯୋଗ, ଗାଡି, ବଙ୍ଗଳା, ମାଳୀ-ଡ୍ରାଇଭର ତଥା ଚୌକିର ମୋହ ପରିତ୍ୟାଗ କରିପାରୁ ନ ଥିବା କିଛି ଅତୃପ୍ତ ବ୍ୟକ୍ତି ଏମାନେ। ମୃତ୍ୟୁ ପର୍ଯ୍ୟନ୍ତ କ୍ଷମତା ଉପଭୋଗ କରିବାର ଆସ୍ଫାଳନରେ ଏମାନେ ଛଟପଟ। ଚାକିରି କାଳରେ ସରକାରଙ୍କ ଭୁଲ ନୀତିକୁ ଥରଟିଏ ବିରୋଧ କରିବାକୁ ସାହସ ସଞ୍ଚୟ କରିପାରି ନ ଥିବା ଏହି ବାବୁମାନେ ସେବାନିବୃତ୍ତି ପରେ ରାଜନୀତିକୁ ଆସି ସରକାରଙ୍କ ଦୋଷ ଦୁର୍ବଳତା ବିଷୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ତଥା ସରକାର ବଦଳାଇବାକୁ ସ୍ବପ୍ନ ଦେଖିବା ନିହାତି ହାସ୍ୟାସ୍ପଦ କଥା। ଆମ ଜନତା ମଧ୍ୟ ବହୁ ସରଳ ନିଷ୍କପଟ, ଏହି ବାବୁମାନଙ୍କୁ ପ୍ରଶ୍ନ ପଚାରିବାକୁ ଅସମର୍ଥ। ନ ହେଲେ ଚାକିରି ଜୀବନରେ କି ସେବା କରିଛନ୍ତି ତଥା ରାଜ୍ୟ ଓ ଜନତାଙ୍କ ପାଇଁ କ’ଣ ଉପଲବ୍ଧି ଅଛି ବୋଲି ନ ପଚାରି ତାଙ୍କ ପଛରେ ତାଳି ମାରି ଗୋଡ଼ାଉ ନଥାନ୍ତେ। ଦବଦବା କାଏମ ରଖିବା ପାଇଁ ରାଜନୀତି ହିଁ ଏକମାତ୍ର ମାର୍ଗ। ତେଣୁ ଏହି ଦେଶ ସେବା ନାଟକର ଉତ୍ପତ୍ତିି।
କିଛି ଲୋକ କହିବେ ଯେ ଚାକିରି କାଳରେ ବାବୁମାନଙ୍କ ଉପରେ ସରକାରୀ ନିୟନ୍ତ୍ରଣ ଥାଏ, ପରିସୀମା ନିର୍ଦ୍ଧାରିତ ଥାଏ ସେଥିପାଇଁ ସେମାନେ ଜନତାଙ୍କ ସେବା କରିପାରନ୍ତି ନାହିଁ। ରାଜନୀତିକୁ ଆସିଲେ ସେମାନେ ଅଧିକ ସେବା କରିପାରିବେ। ତା’ହେଲେ ସେବାନିବୃତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା କ‘ଣ? ଚାକିରି ଅଧାରୁ ଛାଡି ମଧ୍ୟ ସେମାନେ ରାଜନୀତିକୁ ଆସିପାରିଥାନ୍ତେ। ଜନତା ତଥା ଦେଶ ସେବାରେ ନିଜକୁ ଉତ୍ସର୍ଗ କରିପାରିଥାନ୍ତେ। କିନ୍ତୁ ସେପରି କଲେ ନିଜ ଜୀବନ ଅନିଶ୍ଚିତ ହୋଇଯାଇଥାନ୍ତା। ଶାସକ ଦଳ କୃପାରୁ ରାଜ୍ୟ ସଭା ଯିବାର ମୌକା ବି ଅଛି। କିଛି ନ ହେଲେ ସରକାରଙ୍କ ସହିତ ରହିଲେ କୌଣସି ସରକାରୀ ଉଦ୍ୟୋଗ ସଂସ୍ଥାର ମୁଖ୍ୟ ହୋଇ ରାଜ୍ୟମନ୍ତ୍ରୀ ପାହ୍ୟା ତ ମିଳିପାରିବ। ତେଣୁ ଏହି ଲାଭ ଲୋଭର ଖେଳରେ ସରକାରଙ୍କ ହଁ ରେ ହଁ ମିଳାଇ ଚାଲନ୍ତି, ଜନତାଙ୍କ ସାର୍ଥକୁ ଜଳାଞ୍ଜଳି ଦେଇ ଚାଲନ୍ତି। ସରକାରୀ ନିୟନ୍ତ୍ରଣ ଓ ଚାକିରି ନିୟମାବଳୀର ପରିସୀମା ବାହାନା ପଛର ଏହାହିଁ ପ୍ରକୃତ ସତ୍ୟତା।
ଆମ ଦେଶରେ ଏପରି ବହୁ ଉଦାହରଣ ବି ଅଛି ଯେଉଁଠି ନିଜର ବୃତ୍ତି, ସୁଖସ୍ବାଛନ୍ଦ୍ୟ, ସୁବିଧା ସୁଯୋଗକୁ ପରିତ୍ୟାଗ କରି ଜନତାଙ୍କ ସେବା ପାଇଁ ଚାକିରି ଅଧାରୁ ଛାଡି ଅନେକ ରାଜନୀତିକୁ ଆସିଛନ୍ତି। ସେମାନେ ଏହି ସେବାନିବୃତ୍ତ ସୁବିଧାବାଦୀଙ୍କଠାରୁ ବରଂ ଅଧିକ ତ୍ୟାଗୀ ଓ ଗ୍ରହଣୀୟ। କାରଣ ସେମାନେ ନିଜକୁ ତଥା ନିଜ ପରିବାରକୁ ଅସୁବିଧାରେ ପକାଇ ଜନତାଙ୍କ ସେବା ପାଇଁ ରାଜନୀତିକୁ ବାଛିଛନ୍ତି।
ନିଜର ରାଜନୈତିକ ଅଭିଳାଷକୁ ପୂରଣ କରିବା ପାଇଁ ଜଣେ ନ୍ୟାୟାଧୀଶ ସରକାରଙ୍କ ସପକ୍ଷରେ ନ୍ୟାୟ ପ୍ରଦାନ କରିବାର ସମ୍ଭାବନା ହେଉ ଅବା ଜଣେ ମୁଖ୍ୟ ଶାସନ ସଚିବ ସରକାରଙ୍କ ସମସ୍ତ ଦୋଷ ଦୁର୍ବଳତାକୁ ଲୁଚାଇବା ତଥା ଦୁର୍ନୀତିକୁ ପ୍ରଶ୍ରୟ ଦେବା ପାଇଁ ପ୍ରେରିତ ହୋଇଥାଏ। ଆମ ବିଧି ବ୍ୟବସ୍ଥାରେ ଏପରି ଲୋକଙ୍କର ରାଜନୀତିରେ ପ୍ରବେଶ ପାଇଁ ପଥ ଉନ୍ମୁକ୍ତ ହେବା ଜନତା ଓ ଦେଶ ପାଇଁ ହିତକର କଥା ନୁହେଁ। ତେଣୁ ଉଚ୍ଚପଦସ୍ଥ ପ୍ରଶାସନିକ ବାବୁମାନଙ୍କ ସେବାନିବୃତ୍ତି ପରେ ରାଜନୀତିକୁ ଆସିବା ଦେଶସେବା ନୁହେଁ ବରଂ ଅବସର ବିନୋଦନ ତଥା କ୍ଷମତା ଉପଭୋଗ ପାଇଁ ଉଦ୍ଦିଷ୍ଟ। ଯେଉଁ ରାଜନୈତିକ ଦଳମାନେ ନିଜର ଗୁମର ଫିଟିଯିବା ଭୟରେ ଏପରି ଉଚ୍ଚ ପଦରେ ଥିବା ବାବୁମାନଙ୍କ ରାଜନୈତିକ ଥଇଥାନ କିମ୍ବା ଅବସର ପରେ ପୁନଃ ନିଯୁକ୍ତି ଦେଉଛନ୍ତି ସେମାନଙ୍କୁ ବିରୋଧ କରିବା ଆବଶ୍ୟକ।
ମୋ: ୯୩୪୩୯୩୫୩୪୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?