ପୁନରୁଦ୍ଧାରରେ ପ୍ରତିବନ୍ଧକ

ସହଦେବ ସାହୁ
ଫଣୀ (ଫନୀ) (ଫଣା ଥିବା ସାପ, ବାଂଲାଦେଶ ଦ୍ୱାରା ନାମିତ) ମହାବାତ୍ୟା ପୁରୀ କୂଳରେ ସ୍ଥଳଭାଗକୁ ମାଡ଼ି ଆସି ପୁରୀ-ଭୁବନେଶ୍ୱର-କଟକ ତଥା ଓଡ଼ିଶା ଉପକୂଳର ଉତ୍ତରାର୍ଦ୍ଧରେ ତା’ର ତାଣ୍ଡବ ସାରି ଚାଲିଯିବାର ଏକାଦଶାହ ପରେ ବି ପ୍ରଭାବିତ ଅଧିବାସୀଙ୍କ ଜୀବନଯାତ୍ରା ସ୍ବାଭାବିକ ହୋଇ ନ ଥିବା ଏକ ଚିନ୍ତାର କାରଣ। ବନ୍ୟା, ମରୁଡ଼ି, ଝଡ଼ ଓଡ଼ିଶାର ଚିର ସାଥୀ ହୋଇଥିବା ବେଳେ ଗତ ଦଶନ୍ଧିରେ ପ୍ରାୟ ପ୍ରତି ଦୁଇବର୍ଷରେ ଗୋଟିଏ ଲେଖାଏ ମହାବାତ୍ୟା ଘଟି ଓଡ଼ିଶାକୁ ଏକ ନୂଆ ସାଥୀ ଆଣି ଦେଇଛି- ଗ୍ରୀଷ୍ମମଣ୍ଡଳୀୟ ବାତ୍ୟା ବା ଟ୍ରପିକାଲ ଷ୍ଟର୍ମ। ଏ ପ୍ରକାରର ପ୍ରାକୃତିକ କ୍ରିୟା ଜଳବାୟୁ ପରିବର୍ତ୍ତନ ଯୋଗୁ ଘଟୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପୃଥିବୀକୁ ଆମେ ପ୍ରକୃତି ବୋଲି କହୁଛୁ, ଆମର ପରିବେଶ ବୋଲି ମାନୁଛୁ। ପ୍ରକୃତିରେ ସବୁ ପରିପ୍ରକାଶ କ୍ରମ ବା ପର୍ଯ୍ୟାୟ ଅନୁଯାୟୀ ଘଟିଥାଏ ବୋଲି ସାଧାରଣ ଧାରଣା, ତେଣୁ ଯାହା କିଛି ଏ ଧାରଣାର ବାହାରେ ତାକୁ ଆମେ କହୁ ବିପର୍ଯ୍ୟୟ। ଏହା ଏକ ପ୍ରାକୃତିକ କ୍ରିୟା ହୋଇଥିଲେ ବି ମଣିଷ ସମାଜର ନିତିଦିନିଆ ଜୀବନଯାତ୍ରାକୁ କିଛିଦିନ ପାଇଁ ବନ୍ଦ କରିଦିଏ ବା ବାଧା ଦିଏ। ତେବେ ପ୍ରାକୃତିକ ବିପର୍ଯ୍ୟୟ କୌଣସି ଦୈବୀ ଦୁର୍ବିପାକ ନୁହେଁ; ଭୂକମ୍ପ, ଅଗ୍ନିଉଦ୍ଗିରଣ, ବେଗରେ ବାୟୁ ପ୍ରବାହ, ଭାରି ବୃଷ୍ଟିପାତ, ଉଛୁଳା ବନ୍ୟା, ଅତଡ଼ା ଭୁଶୁଡ଼ିବା ବା ପାହାଡ଼ ଧସିବା (ଭୂସ୍ଖଳନ) ଆଦି ପ୍ରକୃତିର ଗୋଟିଏ ଗୋଟିଏ କାମ; ମଣିଷ ସେଭଳି କାମ ଆଗରେ ବଳିପଡ଼ିଯାଇପାରେ ବୋଲି ସେଭଳି ପ୍ରାକୃତିକ କାମକୁ ଆମେ ବିପର୍ଯ୍ୟୟ ବୋଲି ବର୍ଣ୍ଣନା କରୁଛୁ। ବିପର୍ଯ୍ୟୟର ବି ପ୍ରାକ୍‌ ସୂଚନା ମିଳେ, ମଣିଷେତର ପ୍ରାଣୀମାନେ ଜାଣିପାରନ୍ତି ଓ ବିପଦ ଆସିବା ପୂର୍ବରୁ ସ୍ଥାନ ତ୍ୟାଗ କରନ୍ତି। ଗାଁ ଗହଳରେ ଏବେ ବି କେତେଜଣ ପୁରୁଖା ଲୋକ ବିପର୍ଯ୍ୟୟର ଆଭାସ ପାଇ ଲୋକଙ୍କୁ ବତାନ୍ତି, କିନ୍ତୁ ଆଧୁନିକ ଜୀବନ ମଣିଷକୁ ପ୍ରକୃତିଠାରୁ ଏତେ ଦୂରେଇଦେଲାଣି ଯେ ମଣିଷ ତାହାର ପ୍ରାଣୀସୁଲଭ ଅନ୍ତର୍ଦୃଷ୍ଟି ହରାଇଲାଣି, ବିପଦପ୍ରବଣ ସ୍ଥାନ ଓ କାଳ ଚିହ୍ନଟ ନ କରି ବସ୍ତି ସ୍ଥାପନ କରୁଛି। ତେଣୁ ବିପଦଗ୍ରସ୍ତ ହେଉଛି। ବିପଦପ୍ରବଣ ସ୍ଥାନ ଓ କ୍ୟାଲେଣ୍ଡରରେ ତାହାର କାଳ ଚିହ୍ନଟ କରିବା ସରକାରଙ୍କ କାମ ହୋଇଛି, ଲୋକଙ୍କୁ ବିପଦରୁ ରକ୍ଷାକରିବା ରାଷ୍ଟ୍ରର କର୍ତ୍ତବ୍ୟ ହୋଇପଡ଼ିଛି। ବିପଦପ୍ରବଣ ସ୍ଥାନ ଓ କାଳ ଚିହ୍ନଟ କରିବା ଜ୍ଞାନ ଯେତେ ଉନ୍ନତ ହେବ ପ୍ରାକୃତିକ ଘଟଣାର ସୁରାକ ସେତେ ଆଗରୁ ଆମେ ପାଇବା ଏବଂ ଉଦ୍ଧାର ଓ ପୁନରୁଦ୍ଧାର ସେତେ ଶୀଘ୍ର ସଫଳ ହେବ। ସମ୍ଭାବ୍ୟ ବିପଜ୍ଜନକ ଘଟଣା-ପ୍ରବାହରୁ ଦୂରେଇଯିବା- ଅର୍ଥାତ୍‌ ଇଭାକୁଏଶନ ଏକ ମହୌଷଧି। ମନେରଖିବା କଥା ଯେ ପ୍ରତି ବିପର୍ଯ୍ୟୟରେ ମଣିଷ କ୍ଷତିଗ୍ରସ୍ତ ହେବାର ସବୁଠାରୁ ବଡ଼ କାରଣ ତାହାର ବାସସ୍ଥଳୀ। ଯେପର୍ଯ୍ୟନ୍ତ ପ୍ରତ୍ୟେକ ଲୋକର ବାସଗୃହ କାଲାମିଟି-ନିରୋଧକ ନ ହୋଇଛି ତା’ର ଆବାସସ୍ଥଳ ଭୁଶୁଡ଼ି ଜୀବନ ଓ ସମ୍ପତ୍ତି ନଷ୍ଟ ହେବ। ଫନୀର ସୂଚନା ପାଇଲା କ୍ଷଣି ଆମ ରାଜ୍ୟ ସରକାର ଶୂନ୍ୟ-ଦୁର୍ଘଟଣା (ଜିରୋ କାଜୁଆଲ୍‌ଟି) ନୀତି ଘୋଷଣା କରିଦେଲେ। ଅର୍ଥାତ୍‌ ଜଣେ ହେଲେ ଲୋକ ଯେପରି ଦୁର୍ଘଟଣାଗ୍ରସ୍ତ ନ ହୁଏ ସେଥିପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ବାତ୍ୟା ପ୍ରବାହର ସୀମା ଭିତରେ ଥିବା ଲୋକଙ୍କୁ ବାତ୍ୟା ପ୍ରକୋପକୁ ସମ୍ଭାଳିପାରୁଥିବା କୋଠା ବା ବାତ୍ୟା ଆଶ୍ରୟସ୍ଥଳକୁ ନେଇଆସ। ୧୨ଲକ୍ଷ ପାଖାପାଖି ଲୋକଙ୍କୁ ସ୍ଥାନାନ୍ତର କରିବା ଏବଂ ତଦ୍ଦ୍ବାରା ମୃତ୍ୟୁ ସଂଖ୍ୟା ଅର୍ଦ୍ଧଶତରୁ କମ୍‌ ରଖିପାରିଥିବା ସରକାରକୁ ଅନ୍ତର୍ଜାତୀୟ ସମୁଦାୟରୁ ପ୍ରଶଂସା ମିଳିଛି। କିନ୍ତୁ ବାତ୍ୟା ପୀଡ଼ିତ ଲୋକେ କ୍ଷିପ୍ତ ଯେ ସରକାର କାହିଁକି ପ୍ରପୀଡ଼ିତ ଇଲାକାରେ ସ୍ବାଭାବିକ ଜୀବନଯାତ୍ରା ଫେରାଇ ଆଣିବାରେ ସମପରିମାଣରେ ତପତ୍ରତା ଦେଖାଉନାହାନ୍ତି? ଏହାର କାରଣ ଲୋକଙ୍କୁ ରଖିବାର ଆଶ୍ରୟ ଭଳି ପୁନରୁଦ୍ଧାର କରିବାର ସାମଗ୍ରୀ ତଥା ଯନ୍ତ୍ରପାତି ଓ ସାଜସରଞ୍ଜାମ ରଖିବାର ଗୋଦାମ ପ୍ରପୀଡ଼ିତ ଇଲାକାରେ ବା ନିକଟରେ ନାହିଁ।
ବିପର୍ଯ୍ୟୟ ପ୍ରଶମନର ପ୍ରଥମ ସୋପାନ ଇଭାକୁଏଶନ ହେଲେ ପରବର୍ତ୍ତୀ ସୋପାନ ଥଇଥାନ। ତା’ ଉପରେ ପ୍ରଶାସନର ମୁଖ୍ୟ ସେତେ ଜୋର୍‌ ଦେଇନାହାନ୍ତି। ଲୋକେ ଓ ଜନସମାଜ କିପରି ଯଥାଶୀଘ୍ର ସ୍ବାଭାବିକ ଜୀବନଯାତ୍ରାକୁ ଫେରିବେ ତାହା ହିଁ ତ ବିପର୍ଯ୍ୟୟ ପରିଚାଳନା! କି ପ୍ରକାରର କ୍ଷତି ହୋଇପାରେ ତାହା ଭାରତୀୟ ପାଣିପାଗ ବିଭାଗ ଜଣାଇଥାଏ; ଯଥା ବାଡ଼ିବଗିଚା ଉଜୁଡ଼ିଯାଇପାରେ, ବୃକ୍ଷଲତା ଓ ବିଜୁଳିଖୁଣ୍ଟ ଉପୁଡ଼ିଯାଇପାରେ। ଉଜୁଡ଼ା ଚାଷବାସ ମଧ୍ୟମ ଓ ଦୀର୍ଘକାଳୀନ ସମାଧାନ ଚାହେଁ, ରାସ୍ତାରେ ଉପୁଡ଼ିପଡ଼ିଥିବା ବୃକ୍ଷଲତା ଓ ବିଜୁଳିଖୁଣ୍ଟ ଆଦିକୁ ସଫାକରିବା ସହ ବିଜୁଳି ସରବରାହ ତୁରନ୍ତ ଚାଲୁ କରିବା ତତ୍କାଳ ସମାଧାନ ଚାହେଁ। ଖୁଣ୍ଟ ମରାମତି କରିବା ଓ ଦରକାର ପଡ଼ିଲେ ନୂଆ ଖୁଣ୍ଟ ବସାଇବା ଲାଗି ପାଖରେ ସରଞ୍ଜାମ ମହଜୁଦ ଥିବା ଏବଂ ସେଥିଲାଗି ତାଲିମପ୍ରାପ୍ତ କର୍ମଚାରୀ ହାତପାଆନ୍ତାରେ ଥିବା ଦରକାର। ବର୍ତ୍ତମାନ ରାଜ୍ୟରେ ୫ଟି ଓଡ୍ରାଫ୍‌ ଟିମ୍‌ କଟକ, କୋରାପୁଟ, ଛତ୍ରପୁର, ଝାରସୁଗୁଡ଼ା ଓ ବାଲେଶ୍ୱରଠାରେ ସ୍ଥାନିତ (ରିଜର୍ଭ) ଅଛନ୍ତି। ସେମାନଙ୍କୁ ୬୬ ପ୍ରକାର ଆବଶ୍ୟକ ଯନ୍ତ୍ରପାତି ଦିଆଯାଇଛି: ଗଛଲତା କାଟିବା ଯନ୍ତ୍ର, କଂକ୍ରିଟ୍‌ କାଟିବା ଯନ୍ତ୍ର, ଜଳଯାତ୍ରା ପାଇଁ ନୌକା, ବେଲୁନ୍‌ ଜରିଆରେ ଉଚ୍ଚରୁ ଆଲୋକ, ଜେନେରେଟର, ଭୂଇଁରୁ ଓଜନିଆ ଜିନିଷ ଉଠାଇବାର ଫର୍କଲିଫ୍ଟ, ଉଦ୍ଧାର କରିବାର ହାଇଡ୍ରଲିକ୍‌ ଯନ୍ତ୍ରପାତି, ପୋତି ହୋଇରହିଥିବା ଜାଗା ଭିତରେ ଖୋଜିବାର ଯନ୍ତ୍ରପାତି, ପ୍ରାଥମିକ ମେଡିକାଲ ଯତ୍ନ, ଆମ୍ବୁଲାନ୍ସ, ପାଣି ଭିତରେ ବୁଡ଼ିରହୁଥିବା ପମ୍ପ, ବୋହିହେଉଥିବା ଟେଣ୍ଟ ଓ ପାଣିଟାଙ୍କି, ଗ୍ୟାସ୍‌ ମୁଖା ଓ ଶ୍ୱାସନେବା ଯନ୍ତ୍ର ଆଦି। ବର୍ତ୍ତମାନର ଓଡ୍ରାଫ୍‌ ଦଳ ମଣିଷ, ଗୃହପାଳିତ ପ୍ରାଣୀ ଆଦି ଉଦ୍ଧାରରେ ଦକ୍ଷ, କିନ୍ତୁ ଯାବତୀୟ ଯୋଗାଯୋଗ ମାଧ୍ୟମ ଉଚ୍ଛନ୍ନ ହୋଇପଡ଼ିଥିଲେ ସେଗୁଡ଼ିକୁ ତ୍ୱରିତ ପୁନଃସ୍ଥାପନ କରିବା ଏମାନଙ୍କ କାମ ନୁହେଁ। ରାଜ୍ୟରେ ଆଉ ଯେଉଁ ୫ଟି ଓଡ୍ରାଫ୍‌ ଦଳ ଗଢ଼ିବାର ଯୋଜନା ଅଛି, ବେଳ ଥାଉ ଥାଉ ସେଗୁଡ଼ିକୁ ଓଡ଼ିଶା ଡିଜାଷ୍ଟର ରାପିଡ୍‌ ରିଷ୍ଟୋରେଶନ ଫୋର୍ସ ଭାବେ ଗଢ଼ାଯାଉ, ସେମାନେ ବିଜୁଳି ସରବରାହର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବେ। ଭାଙ୍ଗିି ବା ଭୁଶୁଡ଼ି ପଡ଼ିଥିବା ଟାୱାର ଓ ଖୁଣ୍ଟଗୁଡ଼ିକୁ ସିଧା କରିବା ବା ବଦଳରେ ନୂଆ ବସାଇବା ଏମାନଙ୍କ କାମ ହେବ। ବିଜୁଳି ସରବରାହ ତୁରନ୍ତ ନ ଆସିଲେ ପାନୀୟ ଜଳ ଅଭାବ ମେଣ୍ଟିବ ନାହିଁ, ସ୍ବାସ୍ଥ୍ୟସେବା ବ୍ୟାହତ ହେବ, ଡିଜିଟାଲ ଯୋଗାଯୋଗ ବ୍ୟାହତ ରହିବା ହେତୁ ବ୍ୟାଙ୍କ କାରବାର, ପ୍ରଶାସନ କାର୍ଯ୍ୟ, ଶିକ୍ଷା ବ୍ୟବସ୍ଥା ଆଦିରେ ବ୍ୟାପକ ଅସୁବିଧା ରହିବ, ମାଲମତା ପରିବହନ ଲାଗି ତୈଳ ଯୋଗାଣର ପମ୍ପ ଅଚଳ ରହିବ, ସ୍ଥୂଳତଃ ହାଟବଜାର ବନ୍ଦ ବା ଶୂନ୍ୟ ରହିବ ତ କଳାବଜାରକାରୀ ଓ ବେଆଇନ ମହଜୁଦକାରୀ ସମାଜକୁ ଶୋଷଣ କରିବେ।
ପ୍ରାକ୍‌ ବିପର୍ଯ୍ୟୟ ପ୍ରସ୍ତୁତି ଭିତରେ ଆଗକାଳରେ କେବଳ ଖାଦ୍ୟ-ଜଳ ଓ ଆବଶ୍ୟକ ଘରଚଳା ସାମଗ୍ରୀ ସଙ୍ଗିନ ସ୍ଥାନଗୁଡ଼ିକରେ ମହଜୁଦ ରଖାଯାଉଥିଲା। ପ୍ରକୃତିରେ ଜଳବାୟୁ-ପରିବର୍ତ୍ତନ ପର୍ଯ୍ୟାୟକ୍ରମେ କୋଡ଼ିଏ ବର୍ଷ ହେଲା ଭୀଷଣ ରୂପ ନେଇଛି, ତେଣୁ ବାୟୁମଣ୍ଡଳୀୟ ବିପର୍ଯ୍ୟୟ ତୀବ୍ରତର ରୂପ ନେଉଛି। କେବଳ ଆମ ଦେଶରେ ନୁହେଁ, ଟେକ୍ନୋଲୋଜି ଦୃଷ୍ଟିରୁ ଉନ୍ନତ ଆମେରିକାରେ ବି ଏହା ଭୟଙ୍କର ଓ ନରଘାତକ ରୂପ ନେଉଛି। ଏ ପ୍ରକାର ବିପର୍ଯ୍ୟୟରେ ବିଜୁଳି ବିଭ୍ରାଟ ଅନ୍ୟ ସବୁ ବିଭ୍ରାଟର କାରଣ ହେବ, ତେଣୁ ଦୀର୍ଘମିଆଦୀ ସୂତ୍ରରେ ବାତ୍ୟାଦ୍ୱାରା ଆଞ୍ଚ ଆସୁ ନ ଥିବା ଭୂତଳ ତାର ବିଛା ଓ ବିଜୁଳି ଯୋଗାଣ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରାଯାଉ। ଠିକାଦାରମାନଙ୍କ ଦ୍ୱାରା ଚାଳିତ ନେତାମାନଙ୍କ ଶାସକଦଳ କେତେଦୂର ସମ୍ପର୍କୀୟ-ଠିକାଦାର ସମଝୌତାକୁ ଟାଳିପାରିବେ ଏବଂ ଗତ ୩ ବର୍ଷରୁ ଅଧିକ କାଳ ଚାଲୁ ରହିଥିବା ଭୂତଳ ବିଜୁଳି ସରବରାହ ବ୍ୟବସ୍ଥାକୁ କେତେ ଶୀଘ୍ର, ଅନ୍ତତଃ ଆଉ ଗୋଟିଏ ବାତ୍ୟା ଆସିବା ପୂର୍ବରୁ, ବାତ୍ୟାପ୍ରବଣ ଜିଲାଗୁଡ଼ିକରେ ସମ୍ପନ୍ନ କରିବେ ତାହା ଦେଖିବାର କଥା। ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ଥିବା ସବୁ ପ୍ରତିବନ୍ଧକକୁ ଦୂର କରିବା ଉପରେ ସରକାର ପ୍ରାଥମିକତା ଦେବା ଉଚିତ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri