କୃତଜ୍ଞତାର ଚମତ୍କାରିତା

ଛନ୍ଦା ମିଶ୍ର
ଖାଇବା ପୂର୍ବରୁ ହାତରେ ଥିବା ଭାତଗୁଣ୍ଡାଟିକୁ କରନ୍ତୁ ନିରୀକ୍ଷଣ। ଏଇ ଭାତ ମୁଠାକ, ଆପଣଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଯେଉଁ ମନୁଷ୍ୟମାନଙ୍କ ଶ୍ରମ ନେଇ ଆସିଛି, ଥରୁଟିଏ ତାଙ୍କୁ କରନ୍ତୁ ସ୍ମରଣ। ଚାଉଳ, ଡାଲି, ପରିବା ଆଦି ଯୋଗାଇ ଦେଇଥିବା ଚାଷୀଭାଇ, ବଜାରରୁ ନିଜ ଝାଳବୁହା ଧନ ଦେଇ କିଣି ଆଣିଥିବା ବାପା, ତାକୁ ଅତି ଯତ୍ନରେ ରାନ୍ଧି, ଶ୍ରଦ୍ଧାରେ ପରଷିଥିବା ମା’ଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଇ ଧନ୍ୟବାଦଟିଏ ଦିଅନ୍ତୁ। ଦେଖିବେ, ଆପଣଙ୍କୁ ଖାଦ୍ୟ କିପରି ଅମୃତ ତୁଲ୍ୟ ମନେହେବ। କମ୍‌ ବେଶି ଲୁଣହଳଦୀର ସ୍ବାଦ ଆପଣଙ୍କୁ କରିବନାହିଁ ବିଚଳିତ। ଓଲଟି ପୃଥିବୀର ଅସଂଖ୍ୟ ଭୋକିଲାଙ୍କ ସହ ନିଜ ଭାଗ୍ୟକୁ ତଉଲି, ଈଶ୍ୱରଙ୍କ ଦୟାକୁ ଅନୁଭବି କୃତଜ୍ଞତାରେ ନଇଁଯିବ ଆପଣଙ୍କ ମଥା। ସେହି କୃତଜ୍ଞତାର ଫଳସ୍ବରୂପ, ଅନ୍ତରରେ ଭରିଯିବ ଅନିର୍ବଚନୀୟ ପ୍ରଶାନ୍ତି ଯାହା ଆପଣଙ୍କ ରକ୍ତରେ ବହିଯିବ ଏକ ସକାରାତ୍ମକ ସୂକ୍ଷ୍ମ ରୂପନେଇ।
ଏହି ସମାନ କଥାଟିକୁ ମଧ୍ୟ ଆପଣ ଭିନ୍ନ ଦୃଷ୍ଟିଭଙ୍ଗୀ ନେଇ ଦେଖିପାରନ୍ତି। ଆପଣ ଭାବିପାରନ୍ତି ଯେ ଖାଦ୍ୟ ଖାଇବା ମୋର ଅଧିକାର ଓ ମତେ ଖାଦ୍ୟ ଯୋଗାଇବା ବାପାମା’ଙ୍କର କର୍ତ୍ତବ୍ୟ। ଏହି ଭାବନାଟି ସହ ଆପଣଙ୍କ ମନମଧ୍ୟରେ ଗର୍ବବୋଧର ଛୋଟ ଚାରାଟିଏ ଆପେ ଆପେ ହୋଇଯାଏ ରୋପିତ। ଯାହା ପରମୁହୂର୍ତ୍ତରେ ବିଶାଳ ଦ୍ରୁମରେ ପରିଣତ ହୋଇ ଆପଣଙ୍କୁ ଏକ ଗର୍ବୀ, କୃତଘ୍ନ ବ୍ୟକ୍ତି ଭାବେ ସମାଜରେ କରେ କୁଖ୍ୟାତ।
ବୃକ୍ଷଟିଏ ସୂର୍ଯ୍ୟାଲୋକ, ପବନ ଓ ମୃତ୍ତିକାରୁ ପାଣି ତଥା ଖାଦ୍ୟସାର ଗ୍ରହଣ କରେ। ନିଜେ ଜୀବନଧାରଣ କରିବା ସହ କୃତଜ୍ଞତାର ନିଦର୍ଶନ ସ୍ବରୂପ ଫଳ, ପୁଷ୍ପ, ଛାୟା ଅମ୍ଳଜାନ, ଆସବାବପତ୍ର ଓ ଶେଷରେ ଜାଳେଣି ରୂପରେ ନିଜକୁ କରିଦିଏ ଉତ୍ସର୍ଗ। ତେବେ କେବଳ ବୃକ୍ଷ ନୁହେଁ ଈଶ୍ୱରଙ୍କ ସୃଷ୍ଟିରେ ପ୍ରତିଟି ଜୀବ ପରିବେଶ ଓ ପ୍ରକୃତି ପ୍ରତି କୃତଜ୍ଞତା ଜଣାନ୍ତି ନିଜ ଶକ୍ତି ଅନୁସାରେ।
ପ୍ରକୃତରେ ଦେଖିବାକୁ ଗଲେ, ଏ ବିଶ୍ୱରେ କୌଣସି ପ୍ରାଣୀ ସ୍ବୟଂସମ୍ପୂର୍ଣ୍ଣ ନୁହେଁ। ଆମେ ଅମ୍ଳଜାନ ପାଇଁ ଗଛ ତଥା ବାୟୁମଣ୍ଡଳ ଉପରେ ନିର୍ଭର କରୁ। ଯଦି ଆମେ ଏ ଦୁହିଁଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବା, ତେବେ ନିଜ ଜାଣତରେ କେବେ ଗଛ କାଟିବା ନାହିଁ ବା ବାୟୁକୁ ପ୍ରଦୂଷିତ କରିପାରିବା ନାହିଁ। ଠିକ୍‌ ସେହିପରି ଜଳ, ଖାଦ୍ୟ, ସର୍ବୋପରି ପରିବେଶକୁ କୃତଜ୍ଞତା ଜଣାଇବାକୁ ଯାଇ ଆମେ ପରିବେଶ ପ୍ରତି ହୋଇଉଠିବା ସଚେତନ ଓ ସମ୍ବେଦନଶୀଳ। ସ୍ବତଃସ୍ଫୂର୍ତ୍ତ ଭାବେ ପରିବେଶ ଆମକୁ ଯୋଗାଇଦେବ ନିର୍ମଳ, ଶ୍ୟାମଳ, ପ୍ରଶାନ୍ତିର ବାତାବରଣଟିଏ।
ମନୁଷ୍ୟ ପରି ସାମାଜିକ ପ୍ରାଣୀର ଜୀବନରେ ‘ମଧୁର ସମ୍ପର୍କ’ ତା’ ନିରାଶିଆ ଜୀବନକୁ ମହନୀୟ ଓ ସୁଖପ୍ରଦ କରେ। କିନ୍ତୁ ସମ୍ପର୍କର ସୂତାଖିଅଟି ବେଶ୍‌ ପତଳା। ଅତ୍ୟନ୍ତ ସାବଧାନ ହୋଇ ନ ଧରିଲେ ଛିଣ୍ଡିଯିବାର ଭୟଥାଏ। ଆଉ ଥରେ ଯଦି ଛିଣ୍ଡେ, ଆପଣ ତାକୁ ଭିଡିଓଟାରି ଯୋଡିବାକୁ ଚେଷ୍ଟା କଲେ ମଝିରେ ଗଣ୍ଠି ପଡିଯାଏ। ଈର୍ଷା, ହିଂସା, ଦ୍ୱେଷ ଓ ସନ୍ଦେହର ବଳୟ ଏହି ଗଣ୍ଠିଟିକୁ ଏପରି କବଳିତ କରେ ଯେ, ସମ୍ପର୍କ ଥାଇ ନ ଥିଲା ପରି ପ୍ରତୀତ ହୁଏ। ଭାଇ ସାଜେ ଭଗାରି, ଶତ୍ରୁ ପାଲଟିଯାଏ ମିତ୍ରଟି। ତେବେ ସମ୍ପର୍କରେ ମଧୁରତା ବଜାୟ ରଖିବା ପାଇଁ ‘କୃତଜ୍ଞତା’ର ଚମତ୍କାରିତା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ସୁଫଳ ପ୍ରଦାନ କରେ।
ପୁଅ, ବାପାଙ୍କ ପ୍ରଦତ୍ତ ଲୁହଲହୁରେ ଗଢା ପ୍ରତିମୂର୍ତ୍ତିଟିଏ। ସେ ଏହି କଥାଟି ମନରେ ରଖି ବାପାଙ୍କ ପ୍ରତି କୃତଜ୍ଞ ହେଲାବେଳେ, ବାପା ବି ଏହି ପୁଅଟି ଯୋଗୁ ବାପା ହେବାର ଗୌରବ ଅର୍ଜନ କରିଛନ୍ତି ଭାବି ହୋଇଉଠିବେ ଧନ୍ୟ। ତେବେ ଯାଇଁ ସମ୍ପର୍କରେ ରହିବ ମଧୁରତା।
ବାପାଙ୍କ ଗୋଡ ଘଷିଦେଇ ପୁଅ କହୁଛି, ”ବାପା, ତୁମେ ମୋ ପାଇଁ କେତେ କଷ୍ଟ ସହିଛ ସତେ!“ପୁଅର କୃତଜ୍ଞତାରେ ନଇଁ ଯାଉଥିବା ମୁଣ୍ଡଟିକୁ ଆଉଁଶିଦେଇ, ବାପାଙ୍କ ଆଖିରୁ ଝରିପଡୁଛି ଆନନ୍ଦର ଦୁଇଟୋପା ଅଶ୍ରୁ। ନିଜକୁ ଶ୍ରେଷ୍ଠ କହୁଥିବା ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯାହା ସହିତ ଅକୃତଜ୍ଞ ବା କୃତଘ୍ନ ଶବ୍ଦଟି ଯୋଗ କରାଯାଏ। ଅନ୍ୟଥା ଥରେ ମାତ୍ର ଆପଣଙ୍କ ହାତରୁ ଖାଦ୍ୟ ଖାଇଥିବା କୁକୁରଟି ଆପଣଙ୍କୁ ଯେଉଁଠି ଦେଖିଲେ ନିଜର ଆନୁଗତ୍ୟ ପ୍ରକାଶ କରି ଲାଞ୍ଜଟିକୁ ହଲାଇ ସ୍ନେହଭରେ ଆପଣଙ୍କୁ ଚାହିଁରହେ।
ଉପକାର ପାଇ ଭୁଲିଯିବାର ଛଳନା କେବଳ ମଣିଷ ହିଁ କରିପାରେ। ଆବଶ୍ୟକତା ସରିଲେ ମାତାପିତାଙ୍କ ପରି ଦେବତାଙ୍କୁ ପାସୋରି ଯାଉଥିବା କୃତଘ୍ନଠାରୁ ବା କ’ଣ ଆଶା କରାଯାଇପାରେ! ମନେପଡିଯାଏ କୃତଜ୍ଞତାର ଜ୍ୱଳନ୍ତ ଉଦାହରଣ ‘ହାଚିକୋ’ର କାହାଣୀ। କୁକୁର ଶବ୍ଦଟି ଆମ ଚଳଣିରେ ଭର୍ତ୍ସନା ଓ ଇତର ଶବ୍ଦଟିଏ ହୋଇଥିବାରୁ ‘ହାଚିକୋ’ ପାଇଁ ବ୍ୟବହାର କରିବାକୁ ହାତ ଯାଉନାହିଁ। ତେବେ ଏହି ବିଶ୍ୱସ୍ତ ପ୍ରାଣୀଟି ନିଜ ମାଲିକ ଜାପାନୀ ପ୍ରଫେସର ଉନୋଙ୍କ ପାଇଁ ପ୍ରତିଦିନ ଶିବୁୟା ଷ୍ଟେଶନଠାରେ ଅପେକ୍ଷା କରୁଥିଲା। ସେ ଟ୍ରେନ୍‌ରୁ ଓହ୍ଲାଇଲେ ତାଙ୍କ ସହିତ ଘରକୁ ଫେରୁଥିଲା। କିନ୍ତୁ କାର୍ଯ୍ୟରତ ଥିବା ସମୟରେ ଉନୋ ମସ୍ତିଷ୍କରେ ଆଘାତ ଲାଗି କାର୍ଯ୍ୟସ୍ଥଳୀରେ ପ୍ରାଣ ହରାଇଥିଲେ। କିନ୍ତୁ ‘ହାଚିକୋ’ କୃତଜ୍ଞତାଭରା ହୃଦୟଟି ଧରି ଲଗାତର ନଅବର୍ଷ ଅପେକ୍ଷା କରୁଥିଲା ପ୍ରତିଦିନ, ନିଜ ମାଲିକ ପାଇଁ।
ଆସନ୍ତୁ କୃତଜ୍ଞତା ଜଣାଇବା, ଆମ ଚାରିପଟେ ରହି ଆମ ଜୀବନକୁ ମହକିତ, ପୁଲକିତ ଓ ପ୍ରସ୍ଫୁଟିତ କରିଥିବା ପ୍ରତିଟି ଈଶ୍ୱରୀୟ ସତ୍ତାକୁ। ମତେ ଏ ଧରାପୃଷ୍ଠକୁ ଆଣିଥିବାରୁ ମୋ ମାତାପିତାଙ୍କ ନିକଟରେ ମୁଁ କୃତଜ୍ଞ। ଭାଇ, ଭଉଣୀ, ମୋର ଶିକ୍ଷକ ଓ ବନ୍ଧୁ ପରିଜନଙ୍କ ଆକଟ ଓ ଆଦର ପାଇଁ ମୁଁ କୃତଜ୍ଞ। ମୋର ସମସ୍ତ ମୂର୍ଖାମି ଓ ଚପଳାମି ସତ୍ତ୍ୱେ ଅକାତରେ ମୋତେ ନିଜ ଜଳ ଓ ବାୟୁ ପ୍ରଦାନ କରି ଧରଣୀ ମାତା ସହ୍ୟ କରିଥିବାରୁ ମୁଁ ସମଗ୍ର ପ୍ରକୃତି ନିକଟରେ କୃତଜ୍ଞ। ଆଲେଖ୍ୟଟିକୁ ପାଠ କରୁଥିବା ସହୃଦୟ ପାଠକଙ୍କ ନିକଟରେ ମୁଁ କୃତଜ୍ଞ।
ମୋ-୯୪୩୭୪୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri