ପିଲାଏ ବଡ଼ ସମ୍ପତ୍ତି

ଯଦୁମଣି ପାଣିଗ୍ରାହୀ

ଲୋକକମୁଖରୁ ଗୋଟେ କଥା ଶୁଣିବାକୁ ମିଳିଥାଏ ଯେ, ପିଲାଏ ଯେବେ ଯୋଗ୍ୟ, ତେବେ ସେମାନଙ୍କ ପାଇଁ ଧନ ସଞ୍ଚୟ କରିବାର ଆବଶ୍ୟକତା ନାହିଁ। ସେହିପରି ପିଲାଏ ଯେବେ ଅଯୋଗ୍ୟ, ତେବେ ସେମାନଙ୍କ ପାଇଁ ବି ଧନ ସଞ୍ଚୟ କରିବାର ଆବଶ୍ୟକତା ନାହିଁ। ବିସ୍ତୃତ ଭାବେ କହିିଲେ ଏହାର ଅର୍ଥ ହେଉଛି ପିଲାଏ ଯେବେ ପାଠଶାଠ ପଢ଼ି ନିଜକୁ ଯୋଗ୍ୟ ଓ ସମର୍ଥ କରି ଗଢ଼ିତୋଳି ପାରିଲେ ତେବେ ସେହି ଯୋଗ୍ୟତା ବଳରେ ସେମାନେ ରୋଜଗାରକ୍ଷମ ହୋଇପାରିବେ ଓ ଧନ ସମ୍ପତ୍ତି ଅର୍ଜନ କରିବାକୁ ବି ସକ୍ଷମ ହୋଇପାରିବେ। ତେଣୁ ସେମାନଙ୍କ ମାତାପିତାଙ୍କୁ ଆଉ ସେମାନଙ୍କ ପାଇଁ ଧନ ସଞ୍ଚୟ କରି ରଖିବାର ପ୍ରୟୋଜନ ନାହିଁ। ଅନ୍ୟପକ୍ଷେ ପିଲାଏ ଯେବେ ଅଯୋଗ୍ୟ ଓ ଅକର୍ମା ହେଲେ ତେବେ ସେମାନଙ୍କ ପାଇଁ ବି ଧନ ସଞ୍ଚୟ କରି ରଖିବାର ପ୍ରୟୋଜନ ନାହିଁ। କାରଣ ସେମାନଙ୍କ ମାତାପିତାଙ୍କ ଦ୍ୱାରା ସଞ୍ଚିତ ଧନକୁ ଅଚିରେ ବା ଅନାୟାସରେ ନଷ୍ଟଭ୍ରଷ୍ଟ କରିବାକୁ ସେମାନଙ୍କୁ ବେଶି ଦିନ ଲାଗିବ ନାହିଁ। ସତରେ ଲୋକମୁଖରୁ ଶୁଣା ଯାଉଥିବା ଉକ୍ତ କଥା ବେଶ୍‌ ମୂଲ୍ୟବାନ ଓ ଏଥିରେ ଯଥେଷ୍ଟ ଗୁରୁତ୍ୱ ରହିଛି। ପିଲାମାନଙ୍କୁ ପାଠଶାଠ ପଢ଼ାଇ ଯୋଗ୍ୟ ଓ ସମର୍ଥ କରି ଗଢ଼ି ତୋଳିବାରେ ମାତାପିତାଙ୍କ ଭୂମିକାକୁ ଭାଷାରେ ବ୍ୟକ୍ତ କରିବା ବୋଧେ ସମ୍ଭବପର ନୁହେଁ। କେତେ ଯେ ଶ୍ରମ ଓ ତ୍ୟାଗ ସ୍ବୀକାର କରି ମାତାପିତା ସେମାନଙ୍କ ପିଲାଙ୍କୁ ମଣିଷ କରିଥାନ୍ତି ତାହା କେବଳ ଜଣେ ଅନୁଭବୀ ହିଁ ହୃଦୟଙ୍ଗମ କରିପାରିବ। ବିଶେଷକରି ନିମ୍ନ ଓ ନିମ୍ନମଧ୍ୟବିତ୍ତ ପରିବାରର ମାତାପିତାଙ୍କ କ୍ଷେତ୍ରରେ ଏହା ଏକ ସାଧନା ସଦୃଶ ସାବ୍ୟସ୍ତ ହୋଇଥାଏ। ପ୍ରକୃତକଥା ହେଉଛି ଧନୀ କି ଗରିବ ନିର୍ବିଶେଷରେ ପିଲାଙ୍କୁ ପାଠଶାଠ ପଢ଼ାଇ ଓ ଉପଯୁକ୍ତ ସଂସ୍କାର ପ୍ରଦାନ କରି ଭଲ ମଣିଷ କରିବାର ମାନସିକତା ସମସ୍ତଙ୍କର ନ ଥାଏ। ଶିକ୍ଷା ପ୍ରାପ୍ତ ହୋଇଥିବା ବା ହୋଇ ନ ଥିବା ନିର୍ବିଶେଷରେ ପାଠ ପ୍ରତି ଯେଉଁମାନଙ୍କର ଶ୍ରଦ୍ଧା ବା ଅନୁରାଗ ଥାଏ କେବଳ ସେହିମାନେ ହିଁ ପାଠର ମର୍ଯ୍ୟାଦାକୁ ବୁଝିପାରନ୍ତି ଓ ସେମାନଙ୍କ ପିଲାଙ୍କୁ ଆବଶ୍ୟକ ଶିକ୍ଷାଦୀକ୍ଷା ଦେଇ ମଣିଷ କରିବାର ଆଶା ମନରେ ପୋଷଣ କରିଥାନ୍ତି। ଆଜିକାଲି ଗୋଟେ କଥା ଦେଖିବାକୁ ମିଳୁଛି ଯେ, ଅଧିକାଂଶ ଲୋକ ଧନସମ୍ପତ୍ତି, ମାନ ମର୍ଯ୍ୟାଦା, କ୍ଷମତା ଓ ପ୍ରତିପତ୍ତିରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ କରିବାକୁ ଦିନରାତି ପ୍ରୟାସ ଜାରି ରଖିଛନ୍ତି। ସେଥିପାଇଁ ପ୍ରଥମେ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବା, ଜାଗା ଖଣ୍ଡେ କିଣି କୋଠା ଘରଟିଏ ନିର୍ମାଣ କରିବା ସର୍ବୋପରି ଗାଡ଼ି ଓ ଗୃହୋପକରଣ ସାମଗ୍ରୀ କ୍ରୟ କରିବାରେ ପ୍ରାୟତଃ ସମସ୍ତେ ତପତ୍ର। ଆଉ ଏଥିପାଇଁ ଏବେ ଏକପ୍ରକାର ପ୍ରତିଯୋଗିତା ଯେମିତି ଚାଲିଛି। ଚା’ଜଳଖିଆ ଦୋକାନ କି ବଜାରହାଟରେ ଲୋକେ ମୁଖ୍ୟତଃ ନିଜର ରୋଜଗାର, ଅର୍ଜିତ ଧନ ସମ୍ପତ୍ତି ଓ ଭବିଷ୍ୟତର ଯୋଜନାକୁ ନେଇ ବେଶ୍‌ ଆଲୋଚନା କରିଥାନ୍ତି। ଅଥଚ ନିଜ ପିଲାମାନଙ୍କ ପାଠପଢ଼ା, ସେମାନଙ୍କ ଚାଲିଚଳନ, କଥାବାର୍ତ୍ତା ଓ ଆଚାର ବ୍ୟବହାର ସର୍ବୋପରି ସେମାନଙ୍କ ଭବିଷ୍ୟତର କର୍ମପନ୍ଥାକୁ ନେଇ କେବେ କାହା ସହ ବିଚାର ଆଲୋଚନା କରିବା କିମ୍ବା କାହାର ପରାମର୍ଶ ନେବାକୁ ଏତେଟା ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଅସଲରେ ସେମାନଙ୍କ ପିଲାଏ ହେଉଛନ୍ତି ସେମାନଙ୍କର ବଡ଼ ସମ୍ପତ୍ତି, ଏ କଥା ସେମାନେ ବୋଧହୁଏ ନିଜ ଭାବନାକୁ ଆଣନ୍ତି ନାହିଁ। ପ୍ରକୃତପକ୍ଷେ ଯେଉଁମାନଙ୍କୁ ନେଇ ଛାତିଟା ଗର୍ବରେ ଫୁଲିଉଠେ ଏବଂ ଯେଉଁମାନେ ଭବିଷ୍ୟତର ସ୍ବପ୍ନ ଓ ସମ୍ଭାବନା ସେମାନେ ବୋଧେ ହେଉଛନ୍ତି ନିଜର ପିଲା। ଆଗାମୀ କାଲିର କର୍ଣ୍ଣଧାର। ଏକ ସୁସ୍ଥ, ସୁନ୍ଦର ଓ ଶୃଙ୍ଖଳିତ ସମାଜ ଗଠନରେ ଯେଉଁମାନେ ସାଜିବେ ମୁଖ୍ୟ ପୁରୋଧା।
ଆମ ଦ୍ୱାରା ଅର୍ଜିତ ଧନସମ୍ପତ୍ତି ହୁଏତ ଆଜିର ସମୟରେ ଆମର ଆବଶ୍ୟକତା ଦୃଷ୍ଟିରୁ ଯଥେଷ୍ଟ ହୋଇପାରେ, ହେଲେ ଆଗାମୀ ପରିବର୍ତ୍ତିତ ସମୟରେ ଏହା ଆମ ପିଲାମାନଙ୍କ ପାଇଁ ଯେ ଯଥେଷ୍ଟ ହେବ ସେ କଥା କହିହେବନି। ଆଗାମୀ କାଲିର ଦିନଗୁଡ଼ିକ ସେମାନଙ୍କ ଲାଗି ଯେ, ବଡ଼ ଆହ୍ବାନ ସୃଷ୍ଟି ନ କରିବ ସେ କଥା କିଏ କହିପାରିବ। ସେହିପରି ଆଜିର ସମାଜରେ ଲୋକଙ୍କ ମଧ୍ୟରେ ଯେଭଳି ନୈତିକ ମୂଲ୍ୟବୋଧ ଓ ମଣିଷପଣିଆର ଦ୍ରୁତ ଅବକ୍ଷୟ ଘଟିବାରେ ଲାଗିଛି, ଦିନକୁଦିନ ଲୋକେ ଯେମିତି ଅହଂକାରୀ, ଉଚ୍ଛୃଙ୍ଖଳିତ, ସ୍ବାର୍ଥପର ଓ ଅବିବେକି ହୋଇ ଯାଉଛନ୍ତି, ତାହା ଆଗାମୀ ଦିନରେ ଯେ ବିସ୍ଫୋରକ ରୂପ ଧାରଣ ନ କରିବ ସେ କଥା କିଏ କହିପାରିବ। ଏପରିସ୍ଥିତିରେ ଆମକୁ ଧନ ସମ୍ପତ୍ତି ଅର୍ଜନ କରି ବଡ଼ଲୋକ ହେବା ଅପେକ୍ଷା ନିଜ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ପ୍ରଦାନ କରି ଆଗାମୀ କାଲି ପାଇଁ ପ୍ରସ୍ତୁତ କରିବା ନିହାତି ଜରୁରୀ। ପିଲାଏ ଯୋଗ୍ୟ ଓ ସମର୍ଥ ହୋଇପାରିଲେ ପରିବାର ଓ ସମାଜର ସର୍ବାଙ୍ଗୀନ ବିକାଶ ସାଧନ ହୋଇପାରିବ। ବଡ଼କଥା ହେଉଛି ଆଜିର ବିପର୍ଯ୍ୟୟମୁଖୀ ସମାଜକୁ ଦେଖି ଆମକୁ ଯଦି କଷ୍ଟ ଲାଗୁଛି, ଆମ ପାଇଁ ଏହା ଯେବେ ଅସହ୍ୟ ବୋଧ ହେଉଛି, ତେବେ ଆମେ କେବେ ଚିନ୍ତା କରିଛେ କି ଏ ଅବସ୍ଥା ଯଦି ଆଗକୁ ବଳବତ୍ତର ରହେ ତେବେ ଆମ ପିଲାଙ୍କ ମାନସିକ ସ୍ଥିତି କ’ଣ ହେବ। ଶିକ୍ଷିତ, ବୁଦ୍ଧିମାନ ଓ ଦୂରଦୃଷ୍ଟିସମ୍ପନ୍ନ ମଣିଷର ଧର୍ମ ହେଉଛି ପରବର୍ତ୍ତୀ ପିଢ଼ି ତିଆରି କରିବା। ଆଗାମୀ କାଲି ଲାଗି ଶିକ୍ଷିତ, ଯୋଗ୍ୟ ଓ ସମର୍ଥ ମଣିଷ ସୃଷ୍ଟି କରିବା। ଆଜିର ସୁଖ ଓ ସମୃଦ୍ଧି ଯେପରି ଆଗାମୀ କାଲି ବି ଉପଲବ୍ଧ ହୋଇପାରିବ, ଆଜିର ଏହି ବିକାଶର ଧାରା ଆଗକୁ ଯେପରି ଅବ୍ୟାହତ ରହିପାରିବ ସେଥିଲାଗି ଆମ ସମସ୍ତଙ୍କର ପ୍ରୟାସ ଅନିବାର୍ଯ୍ୟ। ଏଥିପାଇଁ ଧନ ସମ୍ପତ୍ତିକୁ ନଜର ନ ଦେଇ ଆଉ ଭବିଷ୍ୟତର ହିତ ଦୃଷ୍ଟିରୁ ଆମକୁ ଆମ ପିଲାଙ୍କୁ ତିଆରି କରିବାକୁ ପଡ଼ିବ।
ବର୍ତ୍ତମାନର ଖୁସିରେ ଖୁସି ନ ହୋଇ ଆମକୁ ଆଗାମୀ କାଲିର ସ୍ବପ୍ନରେ ବିଭୋର ହେବାକୁ ପଡ଼ିବ। ମାନବ ସମ୍ବଳ ବିକଶିତ ନ ହେଲେ ଦେଶ ସମୃଦ୍ଧ ହୋଇପାରିବନି। ତେଣୁ ଦେଶକୁ ସମୃଦ୍ଧଶାଳୀ କରିବାକୁ ହେଲେ ଆଜିର ପିଲାମାନଙ୍କୁ ଶିକ୍ଷା ଦୀକ୍ଷାରେ ଦକ୍ଷ କରିବାକୁ ପଡ଼ିବ। ସେମାନଙ୍କୁ ଆଧୁନିକ ଓ ଅତ୍ୟାଧୁନିକ ସମସ୍ତ ଶିକ୍ଷା ପ୍ରଦାନ ସହିତ ନୀତି ନୈତିକତାର ଶିକ୍ଷା ସର୍ବୋପରି ଆଧ୍ୟାତ୍ମିକ ଶିକ୍ଷା ବି ପ୍ରଦାନ କରିବାକୁ ହେବ। କାରଣ ପିଲାଏ ହେଉଛନ୍ତି ଆମର ସବୁଠାରୁ ବଡ଼ ମୂଲ୍ୟବାନ ସମ୍ପତ୍ତି।
ଶଂଖିଡା, ତିହିଡି, ଭଦ୍ରକ
ମୋ: ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri