Posted inଫୁରସତ

ପାଣି: କିଛି କାହାଣୀ

ହିନ୍ଦୁ ଧର୍ମରେ ପାଣି ବା ଜଳକୁ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଏ। ପାଣି କେବେ ଅପବିତ୍ର ହୁଏନା। ତା’ ପରିବର୍ତ୍ତେ ପାଣି ହିଁ ସମସ୍ତ ଅପବିତ୍ରକୁ ପବିତ୍ର କରେ। ବିଶ୍ୱାସ ଅଛି ସକାଳେ ଉଠି ନଦୀଜଳରେ ସ୍ନାନ କରି ଭଗବାନ ପୁଣ୍ଡରୀକାକ୍ଷଙ୍କୁ ସ୍ମରଣ କଲେ ସବୁ ପାପ ଧୌତ ହୋଇଥାଏ। ହିନ୍ଦୁ ଧର୍ମରେ ରହିଛି ସପ୍ତନଦୀର ପରମ୍ପରା। ଏହି ସପ୍ତନଦୀର ଜଳରେ ସ୍ନାନକଲେ ପାପ ସ୍ପର୍ଶ କରିପାରେନା। ସେଥିପାଇଁ ନୈଷ୍ଠିକ ହିନ୍ଦୁ ଧର୍ମାବଲମ୍ବୀଟିଏ ଏକ ସଙ୍ଗରେ ସପ୍ତନଦୀରେ ସ୍ନାନ କରିପାରେ ନାହିଁ ସିନା। ସେ ନିଜର ଗଁା ନଈରେ ମଧ୍ୟ ସପ୍ତନଦୀର ସ୍ପର୍ଶ ପାଇଥାଏ। ଆଉ ସପ୍ତ ନଦୀମାତୃକାଙ୍କୁ ସ୍ମରଣ କରି ଗାଇଥାଏ- ଗଙ୍ଗେ ଚ ଜମୁନେ ଚୈବ ଗୋଦାବରୀ ସରସ୍ବତୀ/ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍‌ ସନ୍ନିଧିଂ କୁରୁ। ଅର୍ଥାତ୍‌, ମୁଁ ଏହି ସପ୍ତନଦୀଙ୍କ ଜଳରେ ସ୍ନାନ କଲି। ତେଣୁ ଏଥିରୁ ଗୋଟିଏ କଥା କୁହାଯାଇପାରିବ ଯେ, ଜଳ କେବଳ ବାହ୍ୟ ଶରୀରକୁ ପରିଷ୍କାର କରେନା; ଏହା ମନକୁ ନିର୍ମଳ କରିଥାଏ। ହୃଦୟରେ ପବିତ୍ରତା ଭରିଦେଇଥାଏ।

ଜଳରୁ ଆରମ୍ଭ ଜୀବନ : ଆମେ ସାଧାରଣତଃ କହୁ ଯେ, ଜଳ ହିଁ ଜୀବନ। ଜଳ ବିନା ଜୀବନ ବଞ୍ଚତ୍ବା ଅସମ୍ଭବ। ତେବେ ଏକଥା ବି ସତ ଯେ, ଜଳରୁ ଆରମ୍ଭ ହୋଇଛି ଜୀବନ। ହିନ୍ଦୁଧର୍ମ ସିଧାସଳଖ ଏଇକଥା କହେ ଯେ, ଯେତେବେଳେ ପ୍ରଳୟ ଆସେ ସେତେବେଳେ ସମଗ୍ର ବ୍ରହ୍ମାଣ୍ଡ ଜଳମଗ୍ନ ହୋଇଯାଏ। ଭଗବାନ ବିଷ୍ଣୁ ତାଙ୍କ ନାଭିରୁ ବ୍ରହ୍ମାଙ୍କୁ ଉତ୍ପନ୍ନ କରନ୍ତି। ଆଉ ବ୍ରହ୍ମା ପୁଣିଥରେ ଏକ ନୂଆ ସୃଷ୍ଟି ସର୍ଜନା କରିଥାନ୍ତି। ବିବର୍ତ୍ତନବାଦରେ ଡାରଓ୍ବିନ୍‌ ମଧ୍ୟ କହିଛନ୍ତି ଯେ, ପ୍ରଥମେ ଜଳରେ ଏକକୋଷୀ ଜୀବ ଆମିବାର ସୃଷ୍ଟିହେଲା। ପରେ ଏହି ଆମିବାରୁ ହିଁ ସକଳ ଜୀବଜଗତର ଆରମ୍ଭ।

ଓ୍ବାଟର ଫ୍ୟାକ୍ଟ : ପୃଥିବୀ ଜଳରୁ ତିଆରି। ଆଗ ଜଳ। ଜଳରୁ ହିଁ ମାଟିର ସୃଷ୍ଟି। କୁହାଯାଏ ପୃଥିବୀରେ ତିନିଭାଗ ଜଳ। ଆଉ ଏକ ଭାଗ ହେଉଛି ସ୍ଥଳ ବା ମାଟି। ତଥ୍ୟ ଅନୁଯାୟୀ, ଭୂଭାଗର ୭୦ ପ୍ରତିଶତ ହେଉଛି ଜଳ। ସେଥିରୁ ୯୭ ଭାଗ ହେଉଛି ଲୁଣିପାଣି। ଲୁଣି ପାଣିରେ କେବଳ ଲୁଣ ନଥାଏ; ସେଥିରେ ନାନାଦି କିସମର ମିନେରାଲ ବା ଖଣିଜ ମିଶିକରି ରହିଥାଏ। ଲୁଣି ପାଣିକୁ କେଉଁଠି ପାନୀୟ ଜଳ ଭାବରେ ବ୍ୟବହାର କରାଯାଏ ନାହିଁ। ଅବଶ୍ୟ କେତେକ ସ୍ଥଳରେ ଲୁଣିପାଣିରୁ ଲବଣ ଅଂଶକୁ ବାହାର କରାଯାଇ ତାହାକୁ ପାନୀୟ ଉପଯୋଗ କରାଯାଇପାରେ। ମାତ୍ର ତାହା ବ୍ୟୟ ସାପେକ୍ଷ। ହିମବାହ ବା ଗ୍ଲାସିଅରକୁ ଏକ ଜଳଉତ୍ସ ଭାବରେ ବିବେଚନା କରାଯାଏ। ତାହାର ପରିମାଣ ହେଉଛି ପୃଥିବୀରେ ଥିବା ଜଳ ପରିମାରଣର ମାତ୍ର ଦୁଇ ପ୍ରତିଶତ। ବରଫକୁ ଫ୍ରେଶ୍‌ ଓ୍ବାଟର ବା ଶୁଦ୍ଧଜଳ ଭାବରେ ବିବେଚନା କରାଯାଇଥାଏ। ତେବେ ଏଯାବତ ବିଶ୍ୱର କୌଣସି ସ୍ଥାନରେ ବରଫକୁ ପାନୀୟ ଜଳ ଭାବରେ ବ୍ୟବହାର କରାଯାଉଥିବା ଜଣାଯାଇନାହିଁ। ସମଗ୍ର ବିଶ୍ୱର ମଣିଷ, ଜୀବଜନ୍ତୁ ଯେଉଁ ଜଳକୁ ବିନା ଦ୍ୱିଧାରେ ପିଇପାରନ୍ତି ତାହାକୁ ପାନୀୟ ଜଳ କୁହାଯାଇଥାଏ। ଜାଣିଲେ ଆମେ ଆଶ୍ଚର୍ଯ୍ୟ ହେବା ଯେ, ପୃଥିବୀରେ ଯେତେ ଜଳଅଛି ତାହାର ଏକ ପ୍ରତିଶତରୁ କମ୍‌ ହେଉଛି ପାନୀୟ ଜଳର ପରିମାଣ। ସେହି ଏକ ପ୍ରତିଶତରୁ କମ୍‌ ପରିମାଣର ପାନୀୟ ଜଳକୁ ମଣିଷ ପିଉଛି। ସେଥିରେ ଖାଦ୍ୟ ପ୍ରସ୍ତୁତ କରୁଛି। ସ୍ନାନଶୌଚ ଆଦି କାର୍ଯ୍ୟ କରୁଛି। ସେହି ପାଣିକୁ ପଶୁପକ୍ଷୀ ପିଉଛନ୍ତି। ତାହାକୁ ଗ୍ରହଣ କରି ଗଛ ବଢୁଛି। ସେହି ପାଣିରେ ଶିଳ୍ପ କାରଖାନା ଚାଲୁଛି।

ପ୍ରଥମ ପାଣି ବିଶୋଧନ : ଏବେ ଘରେଘରେ ଫିଲଟର୍‌। ପାଣିକୁ ତାହା ନିମିଷକରେ ବିଶୋଧନ କରୁଛି। ଫଳରେ ଆମେ ଦୂଷିତ ପାଣି ପିଇ ନିଜକୁ ବିପଦରେ ପକାଉନାହାନ୍ତି। ମାତ୍ର ଦିନଥିଲା ଯେତେବେଳେ ଲୋକମାନେ ସିଧାସଳଖ ପାଣି ପିଉଥିଲେ। ବର୍ଷା ହେଉଥିବା ବେଳେ ବର୍ଷାଜଳ ପିଉଥିଲେ। ମାତ୍ର ଅନ୍ୟ ସମୟରେ ମାଟିରେ ଜମିଥିବା ପାଣି ପିଇ ନିଜର ତୃଷ୍ଣା ମେଣ୍ଟାଉଥିଲେ। ସେମାନଙ୍କୁ ବିଶୋଧନର ତରିକା ଜଣା ନ ଥିଲା। ଖୁବ୍‌ କମ୍‌ ଲୋକ ହୁଏତ ଏକଥା ଜାଣିଥିବେ ଯେ, କେବେ ପ୍ରଥମେ ମଣିଷ ପାଣି ବିଶୋଧନର ତରିକା ଜାଣିଲା? ତଥ୍ୟ ଅନୁଯାୟୀ ପ୍ରଥମେ ଇଜିପ୍ଟୀୟମାନେ ହିଁ ପାଣିକୁ ବିଶୋଧନ କରି ପିଇବା କଥା ଚିନ୍ତା କରିଥିଲେ। ଇଜିପ୍ଟର ଲୋକମାନେ ପାଣିକୁ ବିଶୋଧନ କରିବାର ତରିକା ନିର୍ଦ୍ଧାରଣ କରିଥିଲେ। ସେମାନେ ଜାଣି ପାରିଥିଲେ ଯେ, ପାଣି ଯେତେବେଳେ ଗରମ ହୁଏ ସେତେବେଳେ ଏଥିରେ ଥିବା ହାନିକାରକ ଉପାଦାନ ନଷ୍ଟ ହୋଇଯାଏ। ତେବେ ସେମାନେ ପ୍ରାଥମିକ ପର୍ଯ୍ୟାୟରେ ପାଣିକୁ ନିଅଁାରେ ଗରମ କରିବା ପରିବର୍ତ୍ତେ ସୂର୍ଯ୍ୟକିରଣରେ ଗରମ କରୁଥିଲେ। ତା’ପରେ ପରେ ସେମାନେ ନିଅଁାରେ ପାଣି ଗରମ କରିବାର ପଦ୍ଧତି ଜାଣିଲେ। ଫଳରେ ସୂର୍ଯ୍ୟକିରଣ ଅପେକ୍ଷା ନିଅଁାର ବ୍ୟବହାର ସେମାନଙ୍କୁ ବେଶି ଭଲ ଫଳ ପ୍ରଦାନ କଲା। ଗରମ କରିବା ପରେ ସେମାନେ ତାହାକୁ ଛାଣୁଥିଲେ। ଛାଣିବା ପାଇଁ ସେମାନଙ୍କ ନିକଟରେ କୌଣସି ଛଣାଯନ୍ତ୍ର ନ ଥିଲା। ସେମାନେ ଗରମ ହୋଇଥିବା ପାଣିକୁ ପରିଷ୍କାର ବାଲିରେ ଢାଳି ତାହାକୁ ସଂଗ୍ରହ କରୁଥିଲେ। ଏପରି ଭାବରେ ହିଁ ଆରମ୍ଭ ହୋଇଥିଲା ପାଣି ବିଶୋଧନ ପ୍ରକ୍ରିୟା।

ସାହାରାରେ ପାଣି : ମରୁଭୂମି କ’ଣ ବୋଲି କହିଲେ ଯେଉଁ ଗୋଟିଏ ତୁରନ୍ତ ଉତ୍ତର ମିଳିଥାଏ ତାହା ହେଉଛି ‘ପାଣି ନ ଥିବା ଜାଗା’। ତେବେ ମରୁଭୂମିରେ ଯେ, ପାଣି ନ ଥାଏ ତାହା ନୁହେଁ। ତେବେ ଆବଶ୍ୟକତା ଠାରୁ ବହୁଗୁଣ ସ୍ବଳ୍ପମାତ୍ରାରେ ରହିଥାଏ। ସେଠାରେ ରହୁଥିବା ଅଧିବାସୀଙ୍କ ପାଇଁ ପାଣି ସଂଗ୍ରହ କରିବା ଠୁ ବଡ଼ କଷ୍ଟଦାୟକ ସ୍ବପ୍ନ ଆଉ କିଛି ନ ଥାଏ। ବିଶ୍ୱର ସବୁଠାରୁ ବୃହତ୍ତମ ଉତ୍ତପ୍ତ ମରୁଭୂମି ହେଉଛି ସାହାରା ମରୁଭୂମି। ସେହି ମରୁଭୂମିର ଜଣେ ୨୬ ବର୍ଷୀୟା ମହିଳା ହେଉଛନ୍ତି ଫ୍ୟାଦୌମ୍‌। ଫ୍ୟାଦୌମ୍‌ଙ୍କ ପାଣି ଅନୁଭୂତିର କଥା ଅତ୍ୟନ୍ତ ଲୋମଟାଙ୍କୁରା। ମାଇଲ ମାଇଲ ବ୍ୟାପୀ ବାଲି। ତାହାରି ମଧ୍ୟରେ ଭୂମିରେ ରହିଛି ଏକ ବିଶାଳକାୟ ଗର୍ତ୍ତ। ଫ୍ୟାଦୌମ୍‌ର କହିବା ଅନୁଯାୟୀ ସେହି ଗର୍ତ୍ତର ବୟସ ୧୦୦ବର୍ଷରୁ ଊର୍ଦ୍ଧ୍ୱ। ଫ୍ୟାଦୌମ୍‌ର ପ୍ରତ୍ୟେକ ଦିନର ପ୍ରଥମ କାମ ହେଉଛି ସେଠାରୁ ପାଣି ସଂଗ୍ରହ କରିବା। ସୂର୍ଯ୍ୟୋଦୟ ପୂର୍ବରୁ ବିଛଣାରୁ ଉଠେ ଫ୍ୟାଦୌମ୍‌। ସେହି ୧୦୦ବର୍ଷର ପୁରୁଣା ଗର୍ତ୍ତରୁ ପାଣି ଆଣିବାକୁ ବାହାରିଯାଏ। ଫେରିଆସି ଘରର ଯାବତୀୟ କାମ କରେ। କାମ ସରିବା ମାତ୍ରେ ସେ ପୁଣିଥରେ ଧାଇଁଯାଏ ସେଇ ଗର୍ତ୍ତ ନିକଟକୁ। ତା’ର ଗୋଟିଏ କାମ ପାଣି ସଂଗ୍ରହ କରିବା। ଦିନ ସାରା ଅନେକ କାମ କରେ ଫ୍ୟାଦୌମ୍‌। ମାତ୍ର ସେ କହେ, ସବୁ କାମ ଭିତରେ ଗୋଟିଏ କାମ ହେଉଛି ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ତାହା ହେଉଛି ମରୁଭୂମିରେ ପାଣି ସଂଗ୍ରହ କରିବା। ପୁଣି ସାହାରା ମରୁଭୂମିରୁ ପାଣି ପାଇବା ବି କିଛି ଛୋଟିଆ କଥା ନୁହେଁ। କାରଣ ସେ ଗର୍ତ୍ତରେ ସବୁବେଳେ ବି ପାଣି ରହେନା। ବେଳେବେଳେ ଏମିତି ସମୟ ଆସେ ଯେତେବେଳେ ସେଠାରେ ଯାଇ ପହଞ୍ଚତ୍ବା ବେଳକୁ ପାଣି କେଉଁଆଡ଼େ ଗାଏବ ହୋଇଯାଇଥାଏ। ସେହିଦିନଟି ହେଉଛି ସବୁଠାରୁ କଷ୍ଟଦାୟକ ଦିନ। ଯେତିକି ଯନ୍ତ୍ରଣାଦାୟକ ସେତିକି ବିରକ୍ତିକର। ସାରାଦିନ କେବଳ ପାଣିଚିନ୍ତାରେ ରହୁଥିବା ଫ୍ୟାଦୌମ୍‌କୁ ଯେତେବେଳେ ପଚରାଯାଇଥିଲା- ତୁମେ କେତେବେଳେ ବିଶ୍ରାମ ନିଅ? ସେତେବେଳେ ସେ ଉତ୍ତର ଦେଇଥିଲା ବିଶ୍ରାମ ନେବାକୁ ବେଳ କାହିଁ! ବାସ୍ତବରେ ପାଣି ପାଇଁ ଚିନ୍ତାରେ ରହୁଥିବା ମଣିଷ ଲାଗି ବିଶ୍ରାମ ନେବାର ସମୟ କ’ଣ ଆସେ। ତାକୁ ଯେତେବେଳେ ପଚରାଗଲା, ଗୋଟିଏ ଦିନର ତୁମର ସବୁଠାରୁ ଭଲ ସମୟ କେତେବେଳେ ଆସେ? ସେ ଉତ୍ତର ଦେଇଥିଲା ଯେତେବେଳେ ପାଣି ପାଇଁ ଚିନ୍ତା ନ ଥାଏ। ଗର୍ତ୍ତରୁ ପାଣି ଟାଣିବା ସମୟକୁ ବାଦ ଦେଲେ ସବୁ ସମୟକୁ ମୁଁ ମନଭରି ଉପଭୋଗ କରେ।

ନଳକୂପ: ଜୀବନ ବଞ୍ଚତ୍ବା ପାଇଁ ଯାହା ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଜଳ। ତେଣୁ ମଣିଷ ସବୁବେଳେ ଜଳଉତ୍ସର ସନ୍ଧାନ କରିଚାଲିଛି। ନଈ, ପୋଖରୀ, କୂଅ ଏସବୁ ସେହି ସନ୍ଧାନର ଫଳ। ତେବେ ପାଣିର ଏକ ବଡ଼ ଉତ୍ସ ହେଉଛି ନଳକୂପ। କାରଣ ପୃଥିବୀରେ ମହଜୁଦ ସମସ୍ତ ଜଳ ପାନୀୟ ଉପଯୋଗୀ ହୋଇ ନ ଥାଏ। ଉଦାହରଣ ସ୍ବରୂପ ସମୁଦ୍ରଜଳ। ଅପରପକ୍ଷରେ, ଭୂତଳ ଜଳ ସଦାସର୍ବଦା ପାନୀୟ ଉପଯୋଗୀ ା ନଳକୂପ ଭୂତଳ ଜଳକୁ ଛାଣି ଆମକୁ ପିଇବା ଯୋଗ୍ୟ ପାନୀୟ ଜଳ ଦେଇଥାଏ। ଅବଶ୍ୟ କେତେକ ଅଞ୍ଚଳରେ ନଳକୂପ ଜଳରେ ଲୁହା, ଫ୍ଲୋରାଇଡ୍‌ ପରି ଧାତବ ପଦାର୍ଥମାନ ମିଶିକରି ରହିଥାଏ। ପୂର୍ବରୁ ମଣିଷମାନେ ନଳକୂପ ଖନନ କରୁଥିଲେ ା ଏବେ ଏହି କାମରେ ଆଧୁନିକ ଯନ୍ତ୍ରପାତି ଲାଗିଛି ଓ କମ୍‌ ଦିନରେ ନଳକୂପ ଓ ଗଭୀର ନଳକୂପ ବସି ପାରୁଛି ା କେବଳ ପାନୀୟ ଜଳନୁହେଁ ସ୍ନାନ ପାଇଁ ମଧ୍ୟ ନଳକୂପର ପାଣି ଆବଶ୍ୟକ ା ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରାଚୀନ ସଭ୍ୟତା କାଳରୁ ପ୍ରଚଳିତ ା ମହେଞ୍ଜୋଦାରୋ ଓ ହରପ୍ପା ସଂସ୍କୃତିରେ ରହିଥିବା ସ୍ନାନାଗାରକୁ ଉଦାହରଣ ଭାବରେ ନିଆଯାଇଥାଏ।
ନଳକୂପର ଫଣ୍ଡା : ଭୂଗର୍ଭସ୍ଥ ଚାପକୁ ଉପଯୋଗ କରି ନଳକୂପର ଉଦ୍ଭାବନ କରିଛି ମଣିଷ। କେତେକ ସ୍ଥାନରେ ନଳକୂପ ଖନନ ପରେ ଭୂଗର୍ଭସ୍ଥ ଚାପ କାରଣରୁ ଆପେଆପେ ପାଣି ପୃଥିବୀ ପୃଷ୍ଠକୁ ଆସିଥାଏ ା  ସାଧାରଣତଃ ପୃଥିବୀର ଆର୍ଜେଣ୍ଟିନାରେ ଏହା ଅଧିକ ଦେଖାଯାଏ ା ନଳକୂପରୁ ଜଳ ଉତ୍ତୋଳନ ପାଇଁ ବାୟୁ ଚାପର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ା ନଳକୂପ ଏକ ସରଳ ଯନ୍ତ୍ର ା ଏଥିରେ ପେଶୀୟ ବଳ ପ୍ରୟୋଗ ଦ୍ୱାରା ଜଳ ଉତ୍ତୋଳନ ହୋଇଥାଏ ା

ନଳକୂପର ଖର୍ଚ୍ଚ : ଭୌଗୋଳିକ ସ୍ଥିତି ଅନୁସାରେ ନଳକୂପ ପ୍ରତିଷ୍ଠା ପାଇଁ ଅର୍ଥ ବରାଦ ହୋଇଥାଏ ା କେତେବେଳେ ଅଳ୍ପ କେଇଟି ପାଇପ୍‌ ଯୋଗେ ପାନୀୟ ଜଳ ମିଳି ଯାଉଥିବା ବେଳେ ଉପକୂଳ ଅଞ୍ଚଳରେ ୫୦ରୁ ଅଧିକ ପାଇପ ଲାଗିଥାଏ ା ଅର୍ଥାତ ମଧୁର ପାଣିର ସ୍ତର ଭୂଗର୍ଭରେ ପ୍ରାୟ ୧ହଜାର ଫୁଟ ତଳେ ରହିଥାଏ ା

ଡାନିଡା ପ୍ରକଳ୍ପ ଓ ସଚେତନତା : ଡେନମାର୍କ ଏକ ଛୋଟ ଦେଶ ହେଲେ ମଧ୍ୟ ଅଣ ପାରମ୍ପରିକ ଶକ୍ତିର ଅଧିକ ବିନିଯୋଗ ଏହି ଦେଶରେ ଦେଖାଯାଏ ା ପୃଥିବୀର ଲୋକଙ୍କର ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ଏହି ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି ା ତହିଁରୁ ଡାନିଶ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ ଏଜେନ୍ସି ବା ସଂକ୍ଷେପରେ ଡାନିଡା ଗୋଟିିଏ ା ପ୍ରାୟ ୮୦ ଦଶକରେ ଆମ ରାଜ୍ୟର କେତେକ ଉପକୂଳ ଅଞ୍ଚଳରେ ଡାନିଡା ପ୍ରକଳ୍ପ କାମ କରୁଥିଲା ା ଗ୍ରାମାଞ୍ଚଳରେ ନଳକୂପ ବସାଇବା ସହିତ ଏହାର ପରିମଳ ବ୍ୟବସ୍ଥା ପାଇଁ ଲୋକଗୀତ ତଥା ଗୀତିନାଟ୍ୟ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିଲା ା କେତେକ ସ୍ଥାନରେ ଗଭୀର ନଳକୂପ ବସାଇବା ବ୍ୟବସ୍ଥା କରିଥିଲା ା ତେବେ ଏହି ପ୍ରକଳ୍ପ ବନ୍ଦ ହୋଇଯିବା ପରେ ଏହାର ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କର ଗ୍ରାମୀଣ ପାନୀୟ ଜଳଯୋଗାଣ ବିଭାଗକୁ ହସ୍ତାନ୍ତର କରାଗଲା ା

ନଳକୂପ ମରାମତି ଓ ଗ୍ରାମୀଣ ଆତ୍ମନିଯୁକ୍ତି : ନଳକୂପ ମରାମତି ପାଇଁ ବିଶେଷ ଜ୍ଞାନକୌଶଳର ଆବଶ୍ୟକତା ପଡି ନ ଥାଏ। ଗ୍ରାମାଞ୍ଚଳର ଆଗ୍ରହୀ ଯୁବକମାନଙ୍କୁ ବିଭାଗ ପକ୍ଷରୁ ତାଲିମ ଦେବା ସହିତ ଏହି ମରାମତି କାମରେ ଆତ୍ମନିର୍ଭରଶୀଳ କରାଯାଇ ପାରୁଛି। ସେହିପରି ରାଜ୍ୟର କେତେକ ଅଞ୍ଚଳରେ ମହିଳାମାନେ ମଧ୍ୟ ନଳକୂପ ମରାମତି କାମ କରୁଛନ୍ତି ା ଉପକୂଳ ଅଞ୍ଚଳରେ ଲୁଣା ପ୍ରଭାବରେ ନଳକୂପର ଯନ୍ତ୍ରାଂଶ ନଷ୍ଟ ହେଉଥିବା ବେଳେ ପାଣି ମଧ୍ୟ ଲୁଣି ପଡିବାରୁ ଏହା ଅଚଳ ହେଉଛି ା କେତେକ ସ୍ଥାନରେ ଗ୍ରାମାଞ୍ଚଳର କାରିଗରମାନେ ପାରମ୍ପରିକ ଯନ୍ତ୍ରପାତି ସହାୟତାରେ ଗୋଟିଏ କିମ୍ବା ଦୁଇଟି ପାଇପ ଯୋଗେ ନଳକୂପ ବସାଉଛନ୍ତି ା
ଏହାର ପାଣି ପାନୀୟ ଅନୁପଯୁକ୍ତ ହେଲେ ମଧ୍ୟ ଅନ୍ୟାନ୍ୟ କାମ ପାଇଁ ଚଳି ଯାଉଛି। ବର୍ଷର ସବୁ ଋତୁରେ ଏଥିରୁ ପାଣି ମିଳୁନାହିଁ ା
ଜଳସଙ୍କଟ: ଇଂଲିଶରେ ଗୋଟିଏ କଥା ଅଛି ଯାହାକୁ ଓଡ଼ିଆରେ କହିଲେ ଏମିତି ହେବ: ଯଦି ପୃଥିବୀର ମରଣଶୀଳ (ମୋର୍ଟାଲ) ମଣିଷ ପାଇଁ ଅମୃତ ବୋଲି କିଛି ଜିନିଷ ଥାଏ ତା’ହେଲେ ତାହା ହେଉଛି ପାଣି। ତେବେ ପୃଥିବୀର ବହୁସ୍ଥାନରେ ସୃଷ୍ଟି ହୋଇଗଲାଣି ଜଳସଙ୍କଟ। ଭାରତ ମଧ୍ୟ ସେଥିରୁ ବାଦ ପଡ଼ିନାହିଁ। ମୁଖ୍ୟତଃ ମୌସୁମୀ ଉପରେ ନିର୍ଭର କରୁଥିବା ଭାରତୀୟ ରାଜ୍ୟଗୁଡ଼ିକରେ ଜଳସଙ୍କଟ ଦିନକୁଦିନ ପ୍ରବଳ ହେବାରେ ଲାଗିଛି। ଚାଷୀ ଆତ୍ମହତ୍ୟାର ଯେଉଁ କେତେକ ଗୁରୁତ୍ୱପୂର୍ଣ୍ଣ କାରଣକୁ ଏଥିନିମନ୍ତେ ପ୍ରାଧାନ୍ୟ ଦିଆଯାଇଛି ସେଥିମଧ୍ୟରୁ ଗୋଟିଏ ହେଉଛି ଜଳ ସଙ୍କଟ। ଭାରତ ସରକାରଙ୍କର ‘ଥିଙ୍କ-ଟ୍ୟାଙ୍କ’ ବୋଲି କୁହାଯାଉଥିବା ‘ନୀତି ଆୟୋଗ’ର ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟ ୬ଶହ ମିଲିୟନ୍‌ ଜନସାଧାରଣ ଜଳ ସଙ୍କଟ ବା ଓ୍ବାଟର ସର୍ଟେଜ୍‌ର ସାମ୍ନା କରୁଛନ୍ତି। ତେବେ ଏଥିପାଇଁ ଯେ ସଚେତନତା ଆରମ୍ଭ ହୋଇନାହିଁ ସେକଥା ନୁହେଁ। ବ୍ୟକ୍ତିଗତ ସ୍ତରରେ ଆରମ୍ଭ ହୋଇଥିବା ଏହି ସଚେତନତା ଯେ ଆଗାମୀ ଦିନରେ ଆଲୋକବର୍ତ୍ତିକା ନ ହେବ ସେକଥା କିଏ କହିପାରିବ?

ବଳକା ଜଳ ସଞ୍ଚୟ : କୁହାଯାଏ ବିନ୍ଦୁରୁ ସୃଷ୍ଟିହୁଏ ସିନ୍ଧୁ। ଏହା ସେମିତି ଏକ ଉଦ୍ୟମ। ମହାରାଷ୍ଟ୍ରର ପୁନେ ସ୍ଥିତ କିଛି ସ୍କୁଲପିଲାଙ୍କର ଏହି ଜଳ ସଞ୍ଚୟ ପ୍ରୟାସ। ମହାରାଷ୍ଟ୍ରରେ ଜଳାଭାବ ଜନିତ ମରୁଡ଼ି କାହାରିକୁ ଅଛପା ନାହିଁ। ସ୍କୁଲ ପିଲାମାନେ ପ୍ରତ୍ୟେକ ଦିନ ବଟଲରେ ପାଣି ଧରି ଘରୁ ସ୍କୁଲକୁ ଆସିଥାନ୍ତି। ଘରକୁ ଫେରିଯିବା ବେଳେ ଯେଉଁ ପାଣି ବଳିଥାଏ ତାହାକୁ ସେମାନେ ଏଣେତେଣେ ଫୋପାଡ଼ି ଦିଅନ୍ତିନାହିଁ। ସ୍କୁଲ କ୍ୟାମ୍ପସରେ ଏକ ବଡ଼ ଡ୍ରମ୍‌ ରଖାଯାଇଛି। ସେମାନେ ସେଥିରେ ବଳକା ଜଳକୁ ଅଜାଡ଼ି ଦେଇଯାଆନ୍ତି। ସେହି ସଞ୍ଚତ୍ତ ବଳକା ଜଳକୁ ସ୍କୁଲରେ ଲାଗିଥିବା ଗଛ ମୂଳେ ଦିଆଯାଏ। ସ୍କୁଲ୍‌ କ୍ୟାମ୍ପସ୍‌କୁ ପରିଷ୍କାର କରାଯାଏ। ସେଥିପାଇଁ ଆଉ ସ୍ବତନ୍ତ୍ର ଭାବରେ ଭୂତଳ ଅଥବା ପୋଖରୀର ଜଳକୁ ବିନିଯୋଗ କରାଯାଏ ନାହିଁ। ତଥ୍ୟ ଅନୁଯାୟୀ ପୁନେର ଅଧିକାଂଶ ସ୍କୁଲ୍‌ରେ ଏଭଳି ବ୍ୟବସ୍ଥା କରାଯାଇଛି।

ଇଚ୍ଛା ଥିଲେ ଉପାୟ ଆସେ : ପୁରୁଷ ମହିଳାଙ୍କ ମଧ୍ୟରେ ତୁଳନାତ୍ମକ ହିସାବ କଲେ ଏକଥା ଦେଖିବାକୁ ମିଳିବ ଯେ, ପୁରୁଷମାନଙ୍କ ତୁଳନାରେ ମହିଳାମାନେ ପାଣି ସହ ବେଶି ସମୟ ସମ୍ପୃକ୍ତ। ଏପରିକି ଘରକୁ ପାଣି ଆଣିବାର ଦାୟିତ୍ୱଟି ମଧ୍ୟ ମହିଳାମାନଙ୍କ ଉପରେ ପଡ଼ିଥାଏ। ବିଶେଷକରି ଏଠାରେ ଗ୍ରାମାଞ୍ଚଳର ମହିଳାମାନେ ଏ କାର୍ଯ୍ୟ ସହିତ ଶତପ୍ରତିଶତ ସମ୍ପୃକ୍ତ। ସେମାନେ ମଧ୍ୟ ଜଳାଭାବର କଷ୍ଟ ଆଗ ସହିଥାନ୍ତି। ମୁଣ୍ଡରେ ମୁଣ୍ଡେଇ, କାଖରେ ଧରି ସେମାନେ ବହୁଦୂରରୁ ଯାଇ ଘରକୁ ପାଣି ଆଣିଥାନ୍ତି। ଫଳରେ ସେମାନଙ୍କର କେତେବେଳେ ପିଠି ଯନ୍ତ୍ରଣା ହୋଇଥାଏ ତ ଆଉ କେତେବେଳେ ବେକରେ ଆଘାତ ଲାଗିଥାଏ। କେରଳର ଜଳାଭାବ ପୀଡ଼ିତ ଏକ ଗ୍ରାମର ଗୋଟିଏ କୋଡ଼ିଏ ଜଣିଆ ମହିଳା ଦଳ ଏହାର ନିରାକରଣ ପାଇଁ ମାତ୍ର ବର୍ଷକ ମଧ୍ୟରେ ୧୦୦ଟି ବୋରଓ୍ବେଲ ଖୋଳି ପାରିଥିଲେ। ସେତିକିନୁହେଁ, ମଧ୍ୟପ୍ରଦେଶର ଖାଣ୍ଡଓ୍ବା ଜିଲାର ଜଣେ ମହିଳା ୪୦ ଦିନରେ ଗୋଟେ କୂଅ ଖୋଳି ନିଜ ପରିବାରକୁ ଜଳାଭାବରୁ ମୁକ୍ତ କରିପାରିଛନ୍ତି। ସେ କହନ୍ତି, ସବୁବେଳେ ଭାଗ୍ୟ ଉପରେ ନିର୍ଭର କରିବା ଉଚିତନୁହେଁ। ବେଳେବେଳେ ନିଜ ହାତରେ ଭାଗ୍ୟ ତିଆରି କରିବାର ଆବଶ୍ୟକ।

ଶେଷକଥା : ଆମେରିକାର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ‘ନାସା’ ୨୦୧୫ ମସିହାରେ ଗୋଟିଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟରେ ନାସା ଏକଥା କହିଥିଲା ଯେ, ଭୂପୃଷ୍ଠରେ ୩୭ଟି ବିଶାଳ ପ୍ରସ୍ତର ସ୍ତର ଅଛି ଯାହା ଜଳକୁ ଧାରଣ କରି ରଖିଥାଏ। ଆବଶ୍ୟକ ସ୍ଥଳେ ମଣିଷ ସେହିଠାରୁ ହିଁ ଭୂତଳ ଜଳ ଖନନ କରିଥାଏ। ମାତ୍ର ସେହି ୩୭ଟି ସ୍ତରରୁ ୨୧ଟି ସ୍ତରରେ ଗଭୀର ଜଳସଙ୍କଟ ଦେଖାଦେଲାଣି। ଦିନକୁଦିନ ସେଥିରୁ ଜଳର ପରିମାଣ କମିକମି ଆସୁଛି। ତାହାର କାରଣ ବର୍ଦ୍ଧିତ ଜନସଂଖ୍ୟା, କଳକାରଖାନା ଏବଂ କୃଷିକାର୍ଯ୍ୟ। ଯଦି ଏଭଳି ଭାବରେ ଭୂତଳ ଜଳ କମିକମି ଚାଲେ ତା’ହେଲେ ଦିନ ଆସିବ ମଣିଷ ପୃଥିବୀକୁ ଯେତେ ଖୋଳିଲେ ସୁଦ୍ଧା ଟୋପାଏ ବି ପାଣି ପାଇବ ନାହିଁ। ତଥ୍ୟ ଅନୁଯାୟୀ, ପାଣିର ଅଭାବ ହେତୁ ପୃଥିବୀର ଅନେକ ସ୍ଥାନରେ ଲୋକମାନେ ଗୋଟିଏ ସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ପଳେଇ ଯିବାକୁ ଲାଗିଲେଣି। ମଧ୍ୟପ୍ରାଚ୍ୟ ତଥା ଅନେକ ଆଫ୍ରିକୀୟ ରାଷ୍ଟ୍ରରୁ ଲୋକମାନେ ୟୁରୋପ ଆଦି ସ୍ଥାନକୁ ପଳେଇ ଯାଉଛନ୍ତି। ଯଦି ଏହି ଅବସ୍ଥା ଆଗକୁ ଜଟିଳ ରୂପ ଧାରଣ କରେ ତା’ହେଲେ କିଏ କହିବ ଖାସ ପାଣି ପାଇଁ ପୁଣି ଏକ ମହାଯୁଦ୍ଧ ନ ଲାଗିବ! ଯେଉଁ ଟୋପାଏ ପାଣି ଜୀବନ ବଞ୍ଚାଉଛି ସେହି ଟୋପାଏ ପାଣି ପାଇବା ପାଇଁ ମଣିଷ ନିଜନିଜ ଭିତରେ ଯୁଦ୍ଧକରି ପୃଥିବୀର ସର୍ବନାଶ ନ କରିବ! ତେଣୁ ବେଳ ଥାଉ ମଣିଷ ସାବଧାନ ହେଇଯିବା କ’ଣ ଉଚିତ ନୁହେଁ!


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri